Breaking News

ଉତ୍କଳ ବିଶ୍ବବିଦ୍ୟାଳୟରେ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିଙ୍କୁ ଅସମ୍ମାନ: ଭାସ୍କର୍ଯ୍ୟ ପଛରେ ଲୁଚିଗଲେ ବରପୁତ୍ର

ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରବେଶ ପଥରେ ଥିବା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆଉ ଏକ ଭାସ୍କର୍ଯ୍ୟ ନିର୍ମାଣ ଚାଲିଛି। ବିଏମ୍‌ସି ପକ୍ଷରୁ ନିର୍ମାଣ କରାଯାଉଥିବା ପୁସ୍ତକ ଆକୃତିର...

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରବେଶ ପଥରେ ଥିବା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆଉ ଏକ ଭାସ୍କର୍ଯ୍ୟ ନିର୍ମାଣ ଚାଲିଛି। ବିଏମ୍‌ସି ପକ୍ଷରୁ ନିର୍ମାଣ କରାଯାଉଥିବା ପୁସ୍ତକ ଆକୃତିର ଏହି ଭାସ୍କର୍ଯ୍ୟକୁ ଶେଷ ସ୍ପର୍ଶ ଦେବାରେ ଶିଳ୍ପୀମାନେ ଲାଗିପଡ଼ିଛନ୍ତି। ତେବେ ଏହାର ନିର୍ମାଣ ସ୍ଥାନ, ଉଚ୍ଚତା ଓ ଶୈଳୀକୁ ନେଇ ଏବେ ଅସନ୍ତୋଷ ପ୍ରକାଶ ପାଇଛି। ଗୋଟିଏ ପଟେ ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହୁଥିବା ବେଳେ ଅନ୍ୟପଟେ ଭାସ୍କର୍ଯ୍ୟ ପଛରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ଲୁଚାଇବାକୁ ଷଡ଼ଯନ୍ତ୍ର କରିବା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ପ୍ରଶ୍ନ ଉଠିଛି।

ପୁରାତନ ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ ଓଡ଼ିଆ ଅସ୍ମିତାର ଅନ୍ୟତମ ବିନ୍ଧାଣୀ ବ୍ୟାସକବି ଫକୀର ମୋହନ ସେନାପତି। ଯାହାଙ୍କୁ ନେଇ ଓଡ଼ିଶାବାସୀ ସବୁବେଳେ ଗର୍ବ କରିଛନ୍ତି। ବ୍ୟାସକବିଙ୍କୁ ସମ୍ମାନ ଜଣାଇ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ପ୍ରତିଷ୍ଠା ହୋଇଥିବା ପ୍ରତିମୂର୍ତ୍ତି‌ ନିକଟରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥାନ୍ତି। ତାଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବରେ ବିଭିନ୍ନ ସାମାଜିକ ସଙ୍ଗଠନ, ରାଜ୍ୟ ସରକାର ମନ୍ତ୍ରୀ, ବିଧାୟକମାନେ ପୁଷ୍ପମାଲ୍ୟ ଅର୍ପଣ କରନ୍ତି। ଦୁଇ ପାର୍ଶ୍ବରେ ଦୁଇ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ବିଶ୍ବବିଦ୍ୟାଳୟର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା। ୨୪ ବର୍ଷର ବିଜେଡି ସରକାର ସମୟରେ ଯାହା ହୋଇ ନ ଥିଲା ବର୍ତ୍ତମାନ ସରକାର ଓଡ଼ିଆ ଅସ୍ମିତାର ନାରା ଦେଇ ବରପୁତ୍ରଙ୍କୁ ଅପମାନ କରିଛନ୍ତି। ଏହାଦ୍ବାରା କେବଳ ଯେ ବରପୁତ୍ରଙ୍କ ଅସମ୍ମାନ ହୋଇଛି ତାହା ନୁହେଁ, ବରଂ ଉତ୍କଳର ମାନ ହାନି ହୋଇଛି। ‌ଏଭଳି କାର୍ଯ୍ୟରୁ ବିଏମ୍‌ସି କର୍ତ୍ତୃପକ୍ଷ ତୁରନ୍ତ ଦୂରେଇ ରୁହନ୍ତୁ। ନ ହେଲେ ଆଗାମୀ ଦିନରେ ଏହାକୁ ନେଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଏନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାରୁ କେହି କିଛି କହିବାକୁ ମନା କରିଦେଇଛନ୍ତି। ଜଣେ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ବିଏମ୍‌ସି ଦ୍ବାରା ଏହି ଭାସ୍କର୍ଯ୍ୟ ନିର୍ମାଣ ହେଉଛି। ଏଥିରେ ବିଶ୍ବବିଦ୍ୟାଳୟର କିଛି ନାହିଁ। ତେବେ ନିର୍ମାଣ ପୂର୍ବରୁ ବିଏମ୍‌ସି ଅଧିକାରୀମାନେ ବିଶ୍ବବିଦ୍ୟାଳୟ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଥିଲେ। ଆଶ୍ବାସନା ଦେଇଥିଲେ ଯେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିର କୌଣସି କ୍ଷତି କି ଅସମ୍ମାନ ହେବ ନାହିଁ। ବିଏମ୍‌ସି ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେହି ଅନୁଯାୟୀ କାମ କରି ନ ଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଅନ୍ୟ ପାର୍ଶ୍ବରେ ଥିବା କବିସମ୍ରାଟ ‌ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ମଧ୍ୟ ଏକ ଭାସ୍କର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.