ମନୋରଞ୍ଜନ

Happy Patel Khatarnak Jasoos Movie: ସମସ୍ତଙ୍କୁ ହସାଇବା ଭଳି ଉପାଦାନ ନାହିଁ

ଗୋଟିଏ ଚଳଚ୍ଚିତ୍ର କେତେ ଅବାନ୍ତର(ଏଠାରେ ଅବାନ୍ତର ଶବ୍ଦର ପ୍ରୟୋଗ ପ୍ରଶଂସାସୂଚକ ଭାବେ ବ୍ୟବହାର କରାଯାଇଛି) ହୋଇପାରେ ତାହାର ଏକ ଉତ୍କୃଷ୍ଟ ଉଦାହରଣ ହେଉଛି ‘ହାପି ପଟେଲ: ଖତରନାକ ଜାସୂସ’।

ଗୋଟିଏ ଚଳଚ୍ଚିତ୍ର କେତେ ଅବାନ୍ତର(ଏଠାରେ ଅବାନ୍ତର ଶବ୍ଦର ପ୍ରୟୋଗ ପ୍ରଶଂସାସୂଚକ ଭାବେ ବ୍ୟବହାର କରାଯାଇଛି) ହୋଇପାରେ ତାହାର ଏକ ଉତ୍କୃଷ୍ଟ ଉଦାହରଣ ହେଉଛି ‘ହାପି ପଟେଲ: ଖତରନାକ ଜାସୂସ’। ଏହା ଏଭଳି ଏକ ଚଳଚ୍ଚିତ୍ର ଯେଉଁଥିରେ ଯୁକ୍ତିଯୁକ୍ତତା, ବୋଧଗମ୍ୟ କାହାଣୀ ବା ବାର୍ତ୍ତା ଖୋଜିବା ମୂଢ଼ତା ହେବ। ଏହିଭଳି ‘ବ୍ରେନ୍‌-ରଟ୍‌’ ସିନେମାରେ ଚରିତ୍ରମାନେ ବିଭିନ୍ନ ସ୍ଥାନ-କାଳ-ପାତ୍ରରେ ଅବତୀର୍ଣ୍ଣ ହେବାର ଦୃଶ୍ୟଗୁଡ଼ିକ ଅପ୍ରତ୍ୟାଶିତ ଢଙ୍ଗରେ ଗତିଶୀଳ ହୋଇଥାଏ, ଯାହାକୁ ଉପଭୋଗ କରିବା ପାଇଁ ସକ୍ରିୟ ଦର୍ଶକଟିଏ ହେବା ଅନାବଶ୍ୟକ। ହାସ୍ୟରସରେ ପରିପୂର୍ଣ୍ଣ ଏହି ସିନେମାଟି କିନ୍ତୁ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ- ବୀର ଦାସଙ୍କ କମେଡି ସହ ପରିଚିତ ସହରୀ ଦର୍ଶକ ଏବଂ ‘ଡେଲି ବେଲି’ ସିନେମାର ପ୍ରଶଂସକମାନଙ୍କୁ ଏହା କଦାପି ନିରାଶ କରିବ ନାହିଁ। କିନ୍ତୁ ଏହି ଚଳଚ୍ଚିତ୍ରର ବ୍ୟଙ୍ଗ ଓ ହାସ୍ୟରସ ମିଶ୍ରିତ ସଂଳାପଗୁଡ଼ିକୁ ସମସ୍ତେ ବୁଝିବା ବା ବୁଝିପାରିଲେ ମଜାଳିଆ ଲାଗିବା ସୁନିଶ୍ଚିତ ନୁହେଁ। ତେଣୁ କିଛି ଦର୍ଶକ ନିର୍ବୋଧ ଭାବେ ଅନ୍ୟମାନଙ୍କୁ ହସିହସି ଗଡ଼ିଯାଉଥିବାର ଦେଖି ଅସହଜ ମନେ କରିପାରନ୍ତି। ଯେଉଁମାନେ ଡାର୍କ କମେଡି ଓ ଦ୍ବିଅର୍ଥବୋଧକ ଶବ୍ଦ ପ୍ରୟୋଗକୁ ନାପସନ୍ଦ କରନ୍ତି ସେମାନେ ଏହି ଚଳଚ୍ଚିତ୍ର ଦେଖିବା ଅନୁଚିତ।

‘ହାପି ପଟେଲ: ଖତରନାକ ଜାସୂସ’
ନିର୍ଦେଶକ: ବୀର ଦାସ, କବି ଶାସ୍ତ୍ରୀ
ମୁଖ୍ୟ ଚରିତ୍ରରେ: ବୀର ଦାସ, ମିଥିଲା ପାଲକର, ମୋନା ସିଂହ

ସିନେମା ଆରମ୍ଭରେ ପ୍ରଯୋଜକ ଆମିର ଖାଁ ଗୋଆର ଡନ୍‌ ଜିମି ମାରିଓ ଚରିତ୍ରରେ ଅବତୀର୍ଣ୍ଣ ହୋଇ ଏକ ଉଗ୍ର ଲଢ଼େଇରେ ମୃତ୍ୟୁବରଣ କରୁଛନ୍ତି। ତାଙ୍କ ଝିଅ ମାମା (ମୋନା ସିଂହ) ବଡ଼ ହୋଇ ତାଙ୍କର ସାମ୍ରାଜ୍ୟର ଦାୟିତ୍ବ ନେଉଛନ୍ତି। ସେପଟେ ହାପି ପଟେଲ(ବୀର ଦାସ) ହେଉଛନ୍ତି ଇଂଲଣ୍ଡରେ ଦୁଇଜଣ ସମଲିଙ୍ଗୀ ପିତାଙ୍କ ପୋଷ୍ୟ ସନ୍ତାନ। ପିତାମାନଙ୍କ ପରି ହାପି ମଧ୍ୟ ଗୁପ୍ତଚର ଭାବେ କାମ କରିବାକୁ ଚାହୁଛନ୍ତି କିନ୍ତୁ ଦକ୍ଷତା ଅଭାବରୁ ତାଙ୍କୁ ନିଯୁକ୍ତି ମିଳୁନାହିଁ। ତେବେ ବାଲେ ନୃତ୍ୟ ଓ ରୋଷେଇରେ ସେ ପାରଙ୍ଗମ। ଗୋଆରୁ ଅପହୃତ ଜଣେ ବ୍ରିଟିସ୍‌ ବୈଜ୍ଞାନିକଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କୁ ଜଣେ ଗୁପ୍ତଚର ଭାବେ ଭାରତ ପଠାଯାଉଛି। ହାପି ନିଜର ଭାରତୀୟ ମୂଳ ସମ୍ପର୍କରେ ଆବିଷ୍କାର କରୁଛି, ହିନ୍ଦୀ ଶିଖୁଛି ଏବଂ ଭାରତ ଆସି ଗୁପ୍ତଚର ହେବାର ଅଯୋଗ୍ୟତାକୁ ଖୁବ୍ ମଜାଳିଆ ଢଙ୍ଗରେ ପଦାରେ ପକାଉଛି।
ବୀର ଦାସଙ୍କ ଷ୍ଟାଣ୍ଡ୍‌ଅପ୍‌ କମେଡି ସହିତ ଏହି ଚଳଚ୍ଚିତ୍ରର ଅନେକ ସାଦୃଶ୍ୟ ରହିଛି। ବୀର ଜଣେ ଭାରତୀୟ ଭାବେ ଆମେରିକାରେ ପରିଚୟ ସଂକଟର ସମ୍ମୁଖୀନ ହେବା କଥାଗୁଡ଼ିକ ଯେମିତି ତାଙ୍କ ଷ୍ଟାଣ୍ଡଅପ୍‌ କମେଡିରେ ଥାଏ, ଏହି ଚଳଚ୍ଚିତ୍ରରେ ହାପି ସେମିତି ଜଣେ ବ୍ରିଟିସ୍‌ ଭାବେ ବଡ଼ ହୋଇଥିବା ଭାରତୀୟର ପରିଚୟ ସଂକଟ ସହ ଯୁଝୁଛି। ହାପି ଗୋଆରେ ନୃତ୍ୟଶିଳ୍ପୀ ରୁପା(ମିଥିଲା ପାଲକର)ର ପ୍ରେମରେ ପଡୁଛି ଏବଂ ଖଳନାୟିକା ମାମା ସହ ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ ହେଉଛି।

ବୀର ଏହି ଚଳଚ୍ଚିତ୍ର ଜରିଆରେ ରଙ୍ଗଭେଦ, ବଲିଉଡ୍‌ରେ ଗୁପ୍ତଚର ନାୟକଙ୍କ ଚିତ୍ରଣକୁ ବିଦ୍ରୂପ କରିବା ସହିତ ‘ଶୋଲେ’, ‘ଚକ୍‌ ଦେ ଇଣ୍ଡିଆ’, ‘ସ୍ବଦେଶ’, ‘ଦିଲ୍‌ଵାଲେ ଦୁଲ୍‌ହନୀୟା ଲେ ଯାଏଙ୍ଗେ’ ଭଳି କିଂବଦନ୍ତି ବଲିଉଡ୍‌ ସିନେମାଗୁଡ଼ିକୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଇମ୍ରାନ ଖାଁ, ଆସ୍‌ କିଙ୍ଗ, ସଂଜୀବ କପୁର, ମେୟାଙ୍ଗ ଚାଙ୍ଗଙ୍କ ପରି ସେଲିବ୍ରିଟିଙ୍କ ଅତିଥି ପଦାର୍ପଣ ଏହି ସିନେମାର ଗୋଟିଏ ଗୋଟିଏ ଅପ୍ରତ୍ୟାଶିତ କ୍ଷଣ। ବୀର ଦାସଙ୍କ କଳ୍ପନାପ୍ରସୂତ ସିନେମାଟି ଯାବତୀୟ ଚତୁର ସଂଳାପ ଓ ଉତ୍କୃଷ୍ଟ ଅଭିନୟ ସତ୍ତ୍ବେ ୧୫ ବର୍ଷ ତଳେ ମୁକ୍ତିଲାଭ କରିଥିବା ‘ଡେଲି ବେଲି’ ଚଳଚ୍ଚିତ୍ର ସହ କଦାପି ତୁଳନୀୟ ନୁହେଁ। ଗୋଆକୁ ନେଇ ଅନୁରୂପ ହାସ୍ୟରସାତ୍ମକ ଥିମ୍‌ର ଚଳଚ୍ଚିତ୍ର ‘ମାଡ୍‌ଗାଓଁ ଏକ୍ସପ୍ରେସ’ ସହିତ ତୁଳନା କଲେ ମଧ୍ୟ ଏହା ମଳିନ ଦିଶେ। ତେବେ ବଡ଼ ବଜେଟ୍‌ର ଅନ୍ୟ ସମସାମୟିକ ବଲିଉଡ୍‌ କମେଡି ସିନେମା ଠାରୁ ‘ହାପି ପଟେଲ: ଖତରନାକ ଜାସୂସ’ ଅଧିକ ହାସ୍ୟ ଉଦ୍ରେକକାରୀ ନିଶ୍ଚୟ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button