ନୟାଗଡ଼: ନୟାଗଡ଼ ଜିଲ୍ଲାର ଏକମାତ୍ର ଶିଳ୍ପ ଭାବେ ଗଣା ଯାଉଥିବା ନୂତନ ଚିନି କଳ ପ୍ରତିଷ୍ଠା ନେଇ ତେଜିଲା ଆନ୍ଦୋଳନ। ଆସନ୍ତା ୨୧ରେ ଚିନିକଳ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଚାଷୀମାନଙ୍କୁ ସାଥୀରେ ନେଇ ବାଲୁଗାଁରୁ ଏକ ବିଶାଳ ଶୋଭଯାତ୍ରା ବାହାରି ନୟାଗଡ଼ରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଯୋଜନା କରିଛି ବୋଲି ଆଜି ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି। କେବଳ ସେତିକି ନୁହେଁ କମିଟିର ପ୍ରସ୍ତାବକୁ ଜିଲ୍ଲା ପ୍ରଶାସନ ଆଦୌ ଗ୍ରହଣ କରୁନାହିଁ ବୋଲି ମଧ୍ୟ ସଭାପତି ମନୋଜ ସାହୁ ଅଭିଯୋଗ କରିଛନ୍ତି।

କମିଟିର ସଭାପତି ଶ୍ରୀ ସାହୁଙ୍କ ସୂଚନା ମୁତାବକ, ଜିଲ୍ଲା ପ୍ରଶାସନ ନୂତନ ଚିନିକଳ ପାଇଁ ଗମେଇରେ ଥିବା ୪୮ ଏକର ଜାଗା ସହ ଆଉ ଦୁଇ ତିନିଟା ଜାଗା ଚିହ୍ନଟ କରିଛନ୍ତି। ମାତ୍ର ଏହି ଜାଗା ଚିନି କଳ ପାଇଁ ଆଦୌ ଠିକ୍ ହେବ ନାହିଁ। ଏଠାରେ ଚିନି କଳ ପ୍ରତିଷ୍ଠା ହେଲେ ପ୍ରାୟ ୩ଟି ଗାଁର ଲୋକମାନଙ୍କୁ ବିସ୍ଥାପିତ କରିବାକୁ ପଡ଼ିବ। ଏହାସହ ଚିନି କଳ ପାଇଁ ଆବଶ୍ୟକ ହେଉଥିବା ପାଣିର ଆବଶ୍ୟକତା ପୂରଣ କରିବା ପାଇଁ ସେଠାରେ ସେମିତି କୌଣସି ଉତ୍ସର ସୁବିଧା ମଧ୍ୟ ନାହିଁ। ମାତ୍ର ପୂର୍ବରୁ ଚିନି କଳ ଥିବା ପାଣିପୋଇଲା ନିକଟ ସାନହାମରାରେ ୧୫୦ ଏକର ଓ ରସୋଳଖାସରାରେ ପ୍ରାୟ ୧୭୦ ଏକର ଜମି ରହିଛି। ସେଠାରେ ସମସ୍ତ ବ୍ୟବସ୍ଥା ରହିଛି। ପୂର୍ବରୁ ଏ ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ତଥାପି ଏ ଦିଗରେ ଏ ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନିଆଗଲା ନାହିଁ କିମ୍ବା କମିଟି ସହ ଆଦୌ ଆଲୋଚନା ମଧ୍ୟ କରାଯାଇ ନାହିଁ। ଏହାକୁ ନେଇ ଚାଷୀମାନେ ଅସନ୍ତୁଷ୍ଟ ଅଛନ୍ତି।

୨୧ରେ ବିଶାଳ ଶୋଭାଯାତ୍ରା
କମିଟିର ପ୍ରସ୍ତାବକୁ ପ୍ରଶାସନ ଗୁରୁତ୍ବ ଦେଉନଥିବା ଅଭିଯୋଗ

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ କ୍ରିୟାନୁଷ୍ଠାନ କମିଟିର ସନ୍ତୋଷ ପ୍ରଧାନ, ବିକ୍ରମ କୁମାର ପଟ୍ଟନାୟକ, ବୈକୁଣ୍ଠନାଥ ରାଉତ, ଲକ୍ଷ୍ମୀଧର ସାହୁ, ଚକ୍ରଧର ଜେନା, କାଲୁ ଦଳବେହେରା, ଲଳିତା କୁମାରୀ ଦାସଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି, ଦୁଇ ମାସ ତଳେ ସୁଗାର କମ୍ପ୍ଲେକ୍ସର ଅଧ୍ୟକ୍ଷ ତ୍ରୈଲୋକ୍ୟ ମିଶ୍ର ପୁରୁଣା ଚିନି କଳର ପୁନରୁଦ୍ଧାର ନେଇ ଏକ ଡିଟେଲଡ୍ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ସାଂସଦ ଶ୍ରୀ ପାତ୍ରଙ୍କୁ ପ୍ରଦାନ କରିଛନ୍ତି। ଏହାସହ ଏ ନେଇ ଭୁବନେଶ୍ବର ଓ ନୟାଗଡ଼ରେ ପ୍ରଶାସନିକ ସ୍ତରରେ ଏକାଧିକ ବୈଠକ ମଧ୍ୟ କରାଯାଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷ ବାହାରି ପାରୁ ନାହିଁ। ଚିନି କଳ ନୟାଗଡ଼ରେ ହେବ କି ଅନ୍ୟ କେଉଁଠିକୁ ଏହାକୁ ଉଠାଇ ନିଆଯିବ, ଏହାକୁ ସମ‌‌ସ୍ତେ ଚାତକ ପରି ଚାହିଁ ରହିଛନ୍ତି। ଜିଲ୍ଲାରେ ପୂର୍ବରୁ ୪୦ ହଜାର ହେକ୍ଟର ଆଖୁ ଚାଷ କରାଯାଉଥିଲା। ଗତ ୨୦୨୩ ଖରିଫ ଜିଲ୍ଲାରେ ୯୫୮.୧୦ ହେକ୍ଟର ଆଖୁ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ଏହା ଖସି ୭୭୨ ହେକ୍ଟରରେ ପହଞ୍ଚିଲାଣି। ଯେହେତୁ ଚିନି କଳକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇପାରୁ ନାହିଁ, ସେଥିପାଇଁ ଚାଷୀମାନେ ଆଖୁ ଚାଷ କରିବାକୁ ଆଉ ପସନ୍ଦ କରୁନଥିବା ଜଣାପଡ଼ିଛି।