Breaking News

ପାଠରୁ ଦୂରରେ ଥିବା ପିଲା ସ୍କୁଲ୍‌ ଦେଖିଲେ: ଆଦୌ ସ୍କୁଲ ଦେଖି ନ ଥିଲେ ୭୯

ରାଜଧାନୀରେ ଆଦୌ ସ୍କୁଲ ମାଟି ମାଡ଼ି ନ ଥିବା ୭୯ ଜଣ ଛାତ୍ରଛାତ୍ରୀ ସ୍କୁଲ ଆସିଛନ୍ତି। ଯୋଗ୍ୟତା ଓ ବୟସ ଅନୁଯାୟୀ ଶ୍ରେଣୀରେ ୨୦୨୪-୨୫ ଶିକ୍ଷା ବର୍ଷରେ ଘର ନିକଟ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି।

ଭୁବନେଶ୍ୱର: ରାଜଧାନୀରେ ଆଦୌ ସ୍କୁଲ ମାଟି ମାଡ଼ି ନ ଥିବା ୭୯ ଜଣ ଛାତ୍ରଛାତ୍ରୀ ସ୍କୁଲ ଆସିଛନ୍ତି। ଯୋଗ୍ୟତା ଓ ବୟସ ଅନୁଯାୟୀ ଶ୍ରେଣୀରେ ୨୦୨୪-୨୫ ଶିକ୍ଷା ବର୍ଷରେ ଘର ନିକଟ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। କେବଳ ସେତିକି ନୁହେଁ, ଅଧାରୁ ପାଠପଢ଼ା ଛାଡ଼ିଥିବା ସହରର ୧୨୬ଜଣ ଛାତ୍ରଛାତ୍ରୀ ପୁଣିଥରେ ବିଦ୍ୟାଳୟ ଫେରିଛନ୍ତି। ସ୍ବେଚ୍ଛାସେବୀ ସଂଗଠନମାନଙ୍କ ସହାୟତାରେ ରାସ୍ତା କଡ଼ର ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ପ୍ରସ୍ତୁତି କାର୍ଯ୍ୟକ୍ରମ, ବ୍ରିଜ୍ ପାଠ୍ୟକ୍ରମ, ପ୍ରତିକାର କ୍ଲାସ୍, ଡିଜିଟାଲ୍ ଲର୍ଣ୍ଣିଂ ଭଳି ପାଠ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିପାଇଁ ବିଆର୍‌ସିସି ଅଫିସ୍ କ୍ୟାମ୍ପସରେ ‘ପ୍ରଗତି କେନ୍ଦ୍ର’ ହବ୍ ପ୍ରତିଷ୍ଠା କରାଯାଇଥିଲା। ସହରାଞ୍ଚଳର ବସ୍ତି ଅଞ୍ଚଳରେ ରାସ୍ତାକଡ଼ର ପିଲା ଓ ସ୍କୁଲ ଡ୍ରପ୍‌ଆଉଟ୍ ପିଲାଙ୍କର ଶିକ୍ଷାଗତ ଆବଶ୍ୟକତାର ଯତ୍ନ ନିଆଯାଇ ବ୍ରିଜ୍ ପାଠ୍ୟକ୍ରମ ପରେ ସେମାନଙ୍କୁ ନିକଟସ୍ଥ ବିଦ୍ୟାଳୟରେ ଦାଖଲ କରାଯାଇଛି। ୨୦୨୪  ଅଗଷ୍ଟରୁ ଏପର୍ଯ୍ୟନ୍ତ ୩୩ ପିଲା ପ୍ରଗତି କେନ୍ଦ୍ରରେ ନାମ ଲେଖାଇଛନ୍ତି। ବିଏମ୍‌ସି ଏବଂ ଭୁବନେଶ୍ୱରରେ ‘ମିସନ ଜିରୋ ଡ୍ରପ ଆଉଟ୍’ ପାଇଁ ଛାତ୍ରମାନଙ୍କୁ ଚିହ୍ନଟ କରାଯାଉଛି। ଏଥିପାଇଁ ୱାର୍ଡ ଏବଂ ଗ୍ରାମ ପଞ୍ଚାୟତରେ ସର୍ଭେ କରାଯାଉଛି।

ଆଦୌ ସ୍କୁଲ ଦେଖି ନ ଥିଲେ ୭୯
ଅଧାରୁ ପାଠ ଛାଡ଼ିଥିଲେ ୧୨୬
ସ୍କୁଲ ସ୍ତରରେ ଚାଲିଛି କାଉନସିଲିଂ

କ୍ଲଷ୍ଟର ସ୍ତରରେ କାଉନସେଲିଂ ଆୟୋଜନ କରାଯାଇ ବହୁ ସଂଖ୍ୟକ ଡ୍ରପ୍ ଆଉଟ୍ ଛାତ୍ରୀଙ୍କୁ ଭୁବନେଶ୍ୱର ଆଇଟିଆଇ, ଜିଏସ୍‌ଏସ୍‌ରେ ସ୍ୱୟଂ ନିଯୁକ୍ତି ପାଠ୍ୟକ୍ରମ ଏବଂ ଓର୍‌ମାସ ଅଧୀନରେ ତାଲିମ ଦିଆଯାଉଛି। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପ୍ରକାଶିତ ୧୫ରୁ ୧୮ ବର୍ଷ ବୟସର ଡ୍ରପ୍ ଆଉଟ୍ ତାଲିକା ଅନୁଯାୟୀ, ବିଏମ୍‌ସିରେ ୧୮୧ ଡ୍ରପ୍ ଆଉଟ୍ ବାଳିକା ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଟି ପର୍ଯ୍ୟାୟରେ ୧୭୫ ଜଣ ଧନ୍ଦାମୂଳକ ପାଠ୍ୟକ୍ରମ ଆଇଟିଆଇରେ ପ୍ରବେଶ କରିଥିଲେ ଏବଂ ଅନ୍ୟମାନେ ଏସ୍‌ଆଇଓଏସ୍‌ରେ ନାମ ଲେଖାଇଥିଲେ। ବିବାହ, ସ୍ଥାନାନ୍ତରଣ, ଗୁରୁତର ଅକ୍ଷମତା ଏବଂ ଗୋଟିଏ ମୃତ୍ୟୁ ମାମଲା ହେତୁ ୬ ଜଣ ଛାତ୍ରୀ ମୁଖ୍ୟ ସ୍ରୋତକୁ ଫେରିପାରି ନାହାନ୍ତି। ଭୁବନେଶ୍ୱର ବ୍ଲକରେ ସ୍କୁଲ ପିଲାମାନଙ୍କ ମଧ୍ୟରୁ ୮୭ ଜଣ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ୭୬ଜଣଙ୍କୁ ବିଭିନ୍ନ କୌଶଳ ଅନୁଷ୍ଠାନରେ ଭର୍ତ୍ତି କରାଯାଇଥିବା ବେଳେ ୧୧ ଜଣ ମୁଖ୍ୟ ସ୍ରୋତକୁ ଫେରି ପାରି ନାହାନ୍ତି।

ସେହିପରି, ୟୁଡିଆଇଏସ୍‌ଇ ପ୍ଲସ୍ ପୋର୍ଟାଲ୍ ୨୦୨୪ ଅନୁଯାୟୀ ମହାନଗର ନିଗମ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ୨ଲକ୍ଷ ୯୨୧୩ ଜଣ ଓ ଭୁବନେଶ୍ୱର ବ୍ଲକରେ ୨୭,୭୭୬ ଜଣ ବିଦ୍ୟାଳୟରେ ରହିଛନ୍ତି। ଡ୍ରପ ବକ୍ସ ଅନୁସାରେ ବିଏମ୍‌ସିରେ ୯,୩୫୨ ଓ ଭୁବନେଶ୍ୱର ବ୍ଲକରେ ୧୪୪୦ ଜଣ ଛାତ୍ରଛାତ୍ରୀ ରହିଥିଲେ। ଶିକ୍ଷକ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ସିଆରସିସି, ବ୍ଲକ୍ ସ୍ତରୀୟ କାଉନସେଲିଂ ଦ୍ୱାରା ସଂଖ୍ୟା ବହୁ ପରିମାଣରେ କମିଛି। ସେହି କ୍ରମରେ ଏବେ ବିଏମ୍‌ସିରେ ୨୧୯ ଓ ଭୁବନେଶ୍ୱର ବ୍ଲକରେ ୨୮ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟ ବାହାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସ୍ଥାନ ପରିତ୍ୟାଗ କରିଛନ୍ତି। ଅନ୍ୟ କିଛି ଜଣ ସ୍ୱାବଲମ୍ବୀ ହୋଇ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅଳ୍ପସଂଖ୍ୟକ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ଅଛନ୍ତି ଏବଂ ଅନ୍ୟ କେତେଜଣ ଆନୁଷ୍ଠାନିକ ଭାବେ ଶିକ୍ଷାଗ୍ରହଣ ପାଇଁ ଅନିଛୁକ ଅଛନ୍ତି। ସେମାନଙ୍କୁ ଖୋଜିବା ସହ ସ୍କୁଲ ଫେରେଇ ଆଣିବାକୁ ବିଦ୍ୟାଳୟରେ କାଉନସେଲିଂ କରାଯାଉଥିବା ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା କହିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.