Breaking News

ଶାରି କହେ ହରି ହରି…

‘ପଞ୍ଜୁରି ଭିତରେ ଶାରି, ଶାରି କହେ ହରି ହରି...’। ଓଡ଼ିଆ ଆଲବମ୍‌ରେ ଗୋଟିଏ ସମୟର ବହୁ ଚର୍ଚ୍ଚିତ ଏହି ଗୀତଟି ଆଜି ବି ମନଛୁଆଁ ହୋଇରହିଛି। ପକ୍ଷୀ ଜଗତରୁ ଶୁଆ ଓ ଶାରି କେବଳ ମଣିଷ ଭଳି ଶବ୍ଦ ଉଚ୍ଚାରଣ କରିପାରନ୍ତି।

ବାରଙ୍ଗ: ‘ପଞ୍ଜୁରି ଭିତରେ ଶାରି, ଶାରି କହେ ହରି ହରି…’। ଓଡ଼ିଆ ଆଲବମ୍‌ରେ ଗୋଟିଏ ସମୟର ବହୁ ଚର୍ଚ୍ଚିତ ଏହି ଗୀତଟି ଆଜି ବି ମନଛୁଆଁ ହୋଇରହିଛି। ପକ୍ଷୀ ଜଗତରୁ ଶୁଆ ଓ ଶାରି କେବଳ ମଣିଷ ଭଳି ଶବ୍ଦ ଉଚ୍ଚାରଣ କରିପାରନ୍ତି। ତେଣୁ ଶୁଆ-ଶାରି ପୋଷିବା ବହୁତ ଲୋକଙ୍କର ସଉକ। ବହୁ ଧନୀ ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକେ ଶୁଆ ଶାରି ପୋଷିବା ଦେଖିବାକୁ ମିଳେ। ଗାଁଗହଳିରେ ବି ଗରିବ ଲୋକେ ଶୁଆ-ଶାରି ପୋଷିବା କିଛି କମ ନୁହେଁ। ପୋଷା ଶୁଆ ଶାରି ମଣିଷ ଭଳି କଥା କହିବା(ନାଁ ଧରି ଡାକିବା) ଏକ ସାଧାରଣ ଘଟଣା। କିନ୍ତୁ ପୋଷା ନ ହୋଇ ମଧ୍ୟ ସେମାନେ ଯେ ମଣିଷକୁ ନକଲ କରି କଥା କହିପାରନ୍ତି, ତାହା ନିଶ୍ଚୟ ବିସ୍ମୟର କଥା। କିନ୍ତୁ ଏମିତି ଘଟଣା ଘଟିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ। ପକ୍ଷୀ ସରଣିରେ ରହୁଥିବା ଶାରିମାନେ ମଣିଷ ଭଳି କିଛି ଶବ୍ଦ ଉଚ୍ଚାରଣ କରୁଛନ୍ତି। ତେଣୁ ଏକଦା ଶାରି ସରଣିକୁ ଯିବାକୁ ମନ ବଳାଉ ନଥିବା ପର୍ଯ୍ୟଟକମାନେ ଏବେ ସେଠାରେ ଭିଡ଼ ଜମାଉଛନ୍ତି। ବିଶେଷକରି କୁନି ପର୍ଯ୍ୟଟକମାନେ ଶାରିମାନଙ୍କ ପ୍ରଶଂସକ ହୋଇପଡ଼ିଛନ୍ତି।

ଏବେ ପକ୍ଷୀ ସରଣିରେ ୮ଟି ଶାରି ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ‘ବାବା’ ‘ବାବା’ ବୋଲି ଡାକି ପାରୁଛନ୍ତି। ମଜାର କଥା ହେଉଛି, ଜଣେ ‘ବାବା’ ‘ବାବା’ ଡାକିଲେ, ଅନ୍ୟମାନେ ହୁଁ ହୁଁ କରୁଛନ୍ତି। ଏହା ଦେଖିବାକୁ ପର୍ଯ୍ୟଟକମାନେ ବେଶ୍ କୌତୁହଳୀ ହୋଇପଡ଼ୁଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଏମାନଙ୍କ ମଧ୍ୟରୁ ଗୋଟିଏ ଶାରି ସିଧାସଳଖ ‘ଆଇ ଲଭ୍‌ ୟୁ’ କହିପାରୁଛି। ‘ଆଇ’ ‘ଲଭ୍‌’ ଶବ୍ଦ ଦୁଇଟି ଭଲ ଭାବେ ଉଚ୍ଚାରିତ ହୋଇପାରୁଛି ଏବଂ ‘ୟୁ’ର ଉଚ୍ଚାରଣ ସାମାନ୍ୟ ସ୍ପଷ୍ଟ ହେଉନାହିଁ। ନନ୍ଦନକାନନରେ ଥିବ‌ା ପକ୍ଷୀ ପୋଷା ନୁହନ୍ତି। ଅଥଚ ଏମାନେ କିଭଳି ମଣିଷ ଭଳି ଶବ୍ଦ ଉଚ୍ଚାରଣ କରୁଛନ୍ତି, ତାହା ବଡ଼ ବିସ୍ମୟ। ଜନ୍ତୁରକ୍ଷକମାନଙ୍କ କହିବା କଥା, ପୋଷା ନ ହେଲେ ମଧ୍ୟ ଏହି ଶାରିମାନେ ସବୁବେଳେ ମଣିଷ ସଂସ୍ପର୍ଶରେ ଆସୁଛନ୍ତି। ପର୍ଯ୍ୟଟକମାନେ ପିଲାଛୁଆଙ୍କୁ ଧରି ପକ୍ଷୀ ସରଣି ବୁଲୁଛନ୍ତି। ପିଲାମାନେ ସାଧାରଣତଃ ବଡ଼ପାଟିରେ ‘ବାବା’ ‘ବାବା’ ବୋଲି ଡାକିଥା’ନ୍ତି। ଶାରି ଶିଶୁମାନଙ୍କୁ ନକଲ କରେ। ତେଣୁ ଏହି ଶାରିମାନେ ‘ବାବା’ ‘ବାବା’ ଶବ୍ଦଟିକୁ ଭଲ ଭାବେ କହିପାରୁଛନ୍ତି। ସେହିଭଳି ଶାରିମାନେ କଥା କହିବା ଦେଖିବା ପରେ କେହି ଯୁବକ ଯୁବତୀ ସେମାନଙ୍କୁ ‘ଆଇ ଲଭ୍‌ ୟୁ’ ଶିଖାଇଛନ୍ତି। ତେଣୁ ନକଲପ୍ରିୟ ଶାରିମାନେ ଏବେ ମଣିଷ ଭଳି ଏସବୁ ଶବ୍ଦ ଉଚ୍ଚାରଣ କରିପାରୁଛନ୍ତି। ନନ୍ଦନକାନନର ଏହି କଥାକୁହା ଶାରିମାନେ ଏବେ ପର୍ଯ୍ୟଟକମାନଙ୍କ ପ୍ରଥମ ପସନ୍ଦ। ପକ୍ଷୀ ସରଣି ନ ଦେଖି ନନ୍ଦନକାନନରୁ ଫେରିବା ଏକ ଅଧୁରା ଭ୍ରମଣ ବୋଲି ପର୍ଯ୍ୟଟକମାନେ କହୁଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.