Breaking News

ରାଜଧାନୀରେ ସ୍ବାସ୍ଥ୍ୟସେବା: ଦୁର୍ବଳ ଭିତ୍ତିଭୂମି ପଛରେ ଷଡ୍‌ଯନ୍ତ୍ର

ଭୁବନେଶ୍ବରର ଲୋକସଂଖ୍ୟା ୨୦ଲକ୍ଷ ଛୁଇଁଲାଣି। ରୋଗୀଙ୍କ ସଂଖ୍ୟା ମଧ୍ୟ ଢେର ଅଧିକ। ଏତେସଂଖ୍ୟକ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜଧାନୀର ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡ଼ିକ ଉପରେ ଚାପ ବଢ଼ୁଛି।

ଭୁବନେଶ୍ବର: ଭୁବନେଶ୍ବରର ଲୋକସଂଖ୍ୟା ୨୦ଲକ୍ଷ ଛୁଇଁଲାଣି। ରୋଗୀଙ୍କ ସଂଖ୍ୟା ମଧ୍ୟ ଢେର ଅଧିକ। ଏତେସଂଖ୍ୟକ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜଧାନୀର ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡ଼ିକ ଉପରେ ଚାପ ବଢ଼ୁଛି। କ୍ୟାପିଟାଲ ହସ୍ପିଟାଲରେ ସୀମିତ ଭିତ୍ତିଭୂମିରେ ୪ଗୁଣା ରୋଗୀଙ୍କ ଚିକିତ୍ସା କରାଯାଉଛି। ଏଥିପା‌ଇଁ ବିଭିନ୍ନ ସମୟ‌ରେ ରୋଗୀଙ୍କୁ କଟକ କିମ୍ବା ଏମ୍‌ସକୁ ରେଫର କରାଯାଉଛି। ଅନ୍ୟପକ୍ଷରେ ବିଏମ୍‌ସି ହସ୍ପିଟାଲ ସହ ରାଜଧାନୀର ବିଭିନ୍ନ ଅଞ୍ଚଳରେ ୧୮ଟି ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। କିନ୍ତୁ ସେଠାରେ ମଧ୍ୟ ବିଶେଷଜ୍ଞ ଡାକ୍ତରଙ୍କ ସହ କର୍ମଚାରୀ ଅଭାବ ରହିଛି। ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ସେଗୁଡ଼ିକ ଉପରେ ଲୋକଙ୍କ ଭରସା ପାଉନାହିଁ। ଯାହାର ଫାଇଦା ନେଉଛନ୍ତି ଘରୋଇ ହସ୍ପିଟାଲ। ସେଠାରେ ମଧ୍ୟ ରୋଗୀଙ୍କୁ ନିସ୍ତାର ମିଳୁନି।

କ୍ୟାପିଟାଲ୍‌ ହସ୍‌ପିଟାଲରେ ଡାକ୍ତର ନାହାନ୍ତି, ଭିତ୍ତିଭୂମି ଅଭାବ
ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ନାମକୁ ମାତ୍ର ସୁପରସ୍ପେଶାଲିଷ୍ଟ ବିଭାଗ ଚାଲୁଛି। କେବଳ ବର୍ହିବିଭାଗ ଛଡ଼ା ଆଉ କୌଣସି ଚିକିତ୍ସା ସୁବିଧା ନାହିଁ। ନ୍ୟୁରୋଲୋଜି, ନେଫ୍ରାଲୋଜି ଆଦି ବିଭାଗରେ ଡାକ୍ତର ଅଭାବରୁ ଦୈନିକ ୪୦ଜଣ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ପୁଣି ସପ୍ତାହକୁ ୩ ଦିନ ଲେଖାଏ କଟକରୁ ଡାକ୍ତର ଆସି ରୋଗୀ ଦେଖୁଛନ୍ତି। କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ବିଭାଗରେ ୫୦ରୁ ଅଧିକ ଡାକ୍ତର ଓ ୫୦ରୁ ଅଧିକ ପାରା ମେଡିକାଲ କର୍ମଚାରୀ ଅଭାବ ରହିଛି। ପଦବି ପୂରଣ ପାଇଁ ବିଭିନ୍ନ ବିଭାଗ‌ ପାଇଁ ନିଯୁକ୍ତି ବାହାରୁ ଥିଲେ ମଧ୍ୟ ଏଥିପାଇଁ ଡାକ୍ତର ସାକ୍ଷାତକାରକୁ ଆସୁ ନହାନ୍ତି। ଯେଉଁମାନେ ଯୋଗ ଦେଉଛନ୍ତି ସେମାନେ ମଧ୍ୟ କିଛି ଦିନ ମଧ୍ୟରେ ଚାକିରି ଛାଡ଼ି ଦେଉଛନ୍ତି। ରୁମାଟୋଲୋଜି, ଗ୍ୟ‌ାଷ୍ଟ୍ରୋଏଣ୍ଟ୍ରୋ‌ଲୋଜି, ଏଣ୍ଡୋକ୍ରାଇନ ସର୍ଜରି, ‌ସଟିଭିଏସ ଆଦି ବିଭାଗ ନାହିଁ କ୍ୟାପିଟାଲ ହସ୍ପିଟାଲ। ଟ୍ରମା ସେଣ୍ଟର ଏବେ ଯାଏ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଏବେ ‌ବି ଗୁରୁତର ରୋଗୀଙ୍କୁ ବାହାରକୁ ସ୍ଥାନାନ୍ତରର କରାଯାଉଛି। ବିଭିନ୍ନ ସମୟରେ ୩ଜଣ ସ୍ଥାନରେ ୨ ଜଣ ଡାକ୍ତର ଚିକିତ୍ସା କରୁଛନ୍ତି।

ପୁରୁଣା କାମ ସରୁନି, ‌ତଳେ ଗଡ଼ୁଛନ୍ତି
କ୍ୟାପିଟାଲ ହସ୍ପିଟାଲରେ ଏବେବି ବହୁ କାମ ଅଧପନ୍ତରା ପଡ଼ିଛି। ଟ୍ରମା କେୟାର, କ୍ୟା‌ନସର ୟୁନିଟ ଆଦି ବିଭାଗର କାର୍ଯ୍ୟ କଣ୍ଟ ସରିଥିଲେ ମଧ୍ୟ କାମ ସରୁ ନାହିଁ। ହସ୍ପିଟାଲରେ ମନ୍ଥର ଗତିରେ ଚାଲିଥିବା ୮ଟି ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସାରିବାକୁ  ଆର୍‌ଆଣ୍ଡବି ବିଭାଗକୁ ରୋଗୀ କଲ୍ୟାଣ ସମିତି ବୈଠକରେ କୁହାଯାଇଥିଲା। ପିଜିଆଇ ପାଇଁ ନିର୍ମିତ ନୂଆ ବିଲ୍ଡିଂ କାର୍ଯ୍ୟ ମଧ୍ୟ ସରି ନାହିଁ। କୌଣସି ଋତୁରେ ରୋଗୀଙ୍କ ସଂଖ୍ୟା ବଢ଼ିଲେ କ୍ୟାପିଟାଲ ହସ୍ପିଟାଲର ଚାପ ବଢ଼ିଯାଉଛି। ସମାନ୍ୟ ଥଣ୍ଡା ଜ୍ବର କାଶ ସମୟରେ ରୋଗୀ କ୍ୟାପିଟାଲ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି। ତେଣୁ ଭିଡ଼ ବଢ଼ୁଛି। ଡେଙ୍ଗୁ ସମୟରେ ଶଯ୍ୟ‌ା ଅଭାବ ରହୁଥିବାରୁ ଅନ୍ୟ ବିଭାଗରେ ବ୍ୟବସ୍ଥିତ କରାଯାଇ ଚିକିତ୍ସା କରାଯାଉଛି। ବର୍ଷା ଦିନରେ ଝାଡ଼ାବାନ୍ତି ରୋଗୀ ବଢ଼ୁଥିବାରୁ ଡାଇରିଆ ୱାର୍ଡରେ ରୋଗୀ ତଳେ ଗଡ଼ୁଛନ୍ତି।

ଏମ୍‌ସରେ ଲମ୍ବା ଲାଇନ୍ 
ଭୁବନେଶ୍ବର ଏମ୍ସ ଭୁବନେଶ୍ବରବାସୀଙ୍କ ପାଇଁ କାମରେ ଆସୁ ନାହିଁ। ବିଭିନ୍ନ ସମୟରେ ଟିକେଟ ମିଳୁ ନାହିଁ। ରାତି ଅଧରୁ ଲୋକ ଟିକେଟ ପାଇଁ ଲମ୍ବା ଲାଇନ ଲଗାଉଛନ୍ତି। ଦଲାଲ ସାହାଯ୍ୟରେ ଦୂର ରୋଗୀ ଟିକେଟ କରାଉଛନ୍ତି। ଫଳରେ ଭୁବନେଶ୍ବର ବାସୀଙ୍କ ପାଇଁ ସ୍ଲଟ୍‌ ରହୁନି। ଖରା ବର୍ଷା ଶୀତରେ ବାହାରେ ‌ରୋଗୀ ଗଡ଼ୁଛନ୍ତି। ଅଧିକାଂଶ ଭୁବନେଶ୍ବରବାସୀଙ୍କୁ ଶଯ୍ୟା ମିଳୁ ନାହିଁ। ଦୂର କିମ୍ବା ବାହାର ରାଜ୍ୟର ଲୋକଙ୍କୁ ଅଧିକ ପ୍ରାଧାନ୍ୟ ଦିଆ‌ଯାଉଛି।

ବିଏମ୍‌ସି ହସ୍ପିଟାଲକୁ ଭରସା ନାହିଁ
କ୍ୟାପିଟାଲ ହସ୍ପିଟାଲ ଉପ‌ରୁ ଚାପ କମ‌ାଇବାରେ ବିଏମସି ହସ୍ପିଟାଲ ସଫଳ ହେଉନାହିଁ। ଡାକ୍ତର ଅଭାବ କର୍ମଚାରୀ ଅଭାବ ଭିତ୍ତିଭୂମି ଅଭାବ କାରଣରୁ ରୋଗୀମାନେ ବିଏମସି ହସ୍ପିଟାଲକୁ ସାଧରଣ ଲୋକମ‌ାନେ ଭରସା କରି ପାରୁନାହାନ୍ତି। ବହୁ ବିଭାଗ‌ରେ ଡାକ୍ତର ଅଭାବ ରହିଛି। ସିଟି ସ୍କାନ ହେଉନାହିଁ। ତେଣୁ ଏହି ହସ୍ପିଟାଲର ଉନ୍ନତି ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରୁଥିଲେ ମଧ୍ୟ ପ୍ରଶାସନର ଅବହେଳାରୁ ଏହି ହସ୍ପିଟାଲକୁ ‌ସାଧାରଣ ଲୋକ ଭରସା ପାଉନାହିଁ।

ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ଅଭାବ
କ୍ୟାପିଟାଲ ହସ୍ପିଟାଲ ଉପରୁ ଚାପ କମାଇବା ପାଇଁ ରାଜଧାନୀର ବିଭିନ୍ନ ୱାର୍ଡରେ ୧୮ଟି ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି। ଦୈନିକ ୮ ଘଣ୍ଟା ଚାଲୁ ରହିଛି। କିନ୍ତୁ ରୋଗୀ ସେଠାକୁ ଯିବା ପାଇଁ ଚାହୁଁନାହାନ୍ତି। କିଛି ସ୍ବାସ୍ଥ୍ୟକେନ୍ଦ୍ରକୁ ଛାଡ଼ିଦେଲେ ପ୍ରାୟ ସବୁ ଡାକ୍ତରଖାନା ଖାଲି ରହୁଛି। ରୋଗୀ ସଂଖ୍ୟା ବହୁତ କମ୍‌। ସାଧାରଣ ଜ୍ବର, ଥଣ୍ଡା ସହ ଦୁର୍ଘଟଣା ପାଇଁ ରୋଗୀ କ୍ୟାପିଟାଲ ହସ୍ପିଟାଲ ଯାଉଛନ୍ତି। ବିଭିନ୍ନ ସମୟରେ ସାମାନ୍ୟ ଡ୍ରେସିଂ ସେବା ବି ମିଳୁନାହିଁ। ଜଣେ ଜଣେ କର୍ମଚାରୀ ଥିବାରୁ ସେମାନେ ଛୁଟି ରହିଲେ ସେହି ବିଭାଗରେ କାମ ଠପ ହୋଇଯାଉଛି। ତେଣୁ ଲୋକମାନେ ସିଧା କ୍ୟାପିଟାଲ ହସ୍ପିଟାଲ ପଳାଉଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.