Breaking News

ଆଇଏମ୍‌ଡି ପ୍ରତିଷ୍ଠା ଦିବସ: ‘ମିସନ ମୌସମ’ ଭାରତକୁ ପାଣିପାଗ ପାଇଁ ପ୍ରସ୍ତୁତ ରଖିବ’

ଅତ୍ୟାଧୁନିକ ପାଣିପାଗ ନିରୀକ୍ଷଣ ଜ୍ଞାନକୌଶଳ ଓ ପ୍ରଣାଳୀ ବିକାଶ, ହାଇ-ରିଜଲ୍ୟୁସନ୍ ବାୟୁମଣ୍ଡଳୀୟ ପର୍ଯ୍ୟବେକ୍ଷଣ ତଥା ପରବର୍ତ୍ତୀ ପିଢ଼ିର ରାଡାର ଓ ଉପଗ୍ରହ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...

ନୂଆଦିଲ୍ଲୀ: ଅତ୍ୟାଧୁନିକ ପାଣିପାଗ ନିରୀକ୍ଷଣ ଜ୍ଞାନକୌଶଳ ଓ ପ୍ରଣାଳୀ ବିକାଶ, ହାଇ-ରିଜଲ୍ୟୁସନ୍ ବାୟୁମଣ୍ଡଳୀୟ ପର୍ଯ୍ୟବେକ୍ଷଣ ତଥା ପରବର୍ତ୍ତୀ ପିଢ଼ିର ରାଡାର ଓ ଉପଗ୍ରହ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ‘ମିସନ ମୌସମ’ର ଶୁଭାରମ୍ଭ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ୧୫୦ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ମୋଦୀ କହିଛନ୍ତି ଯେ ଅର୍ଥନୈତିକ ସ୍ଥିରତା ଓ ନିବେଶକଙ୍କ ବିଶ୍ୱାସ ବୃଦ୍ଧି ପାଇଁ ସଠିକ୍ ପାଣିପାଗ ପୂର୍ବାନୁମାନ ଜରୁରୀ। ‘ମିସନ ମୌସମ’ ଜରିଆରେ ଭାରତ ଜଳବାୟୁ ଓ ପାଣିପାଗ ପାଇଁ ନିଜକୁ ସର୍ବଦା ପ୍ରସ୍ତୁତ ରଖିବ ବୋଲି ସେ କହିଛନ୍ତି।

ବିପର୍ଯ୍ୟୟ ସମୟରେ ସହାୟତା ପାଇଁ ଭାରତ ସର୍ବଦା ପ୍ରସ୍ତୁତ। ସେଥିପାଇଁ ଭାରତକୁ ପ୍ରଶଂସା ଓ ସମ୍ମାନ ମିଳୁଛି। ୧୯୯୮ ଓ ୧୯୯୯ରେ କଚ୍ଛର କାଣ୍ଡଲାରେ ହୋଇଥିବା ବାତ୍ୟାରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ, କିନ୍ତୁ କ୍ଷୟକ୍ଷତି ହ୍ରାସ କରିବାରେ ଆଇଏମ୍‌ଡି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ ମନେ ପକାଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମ୍‌ଓ)ର ମହାସଚିବ ସେଲେଷ୍ଟେ ସାଉଲୋ କହିଛନ୍ତି ଯେ ଆଇଏମ୍‌ଡିର ସଠିକ ପୂର୍ବାନୁମାନ କେବଳ ଭାରତରେ ନୁହେଁ ବରଂ ସମଗ୍ର ଅଞ୍ଚଳରେ ଅଗଣିତ ଜୀବନ ବଞ୍ଚାଇପାରିଛି। ସେ କହିଛନ୍ତି, ଟ୍ରପିକାଲ ସାଇକ୍ଲୋନ୍ ହଜାର ହଜାର ଲୋକଙ୍କ ଜୀବନ ନେଉଥିଲା। ସୌଭାଗ୍ୟବଶତଃ ଏହା ଅତୀତର ଏକ ଦୁଃସ୍ୱପ୍ନ। ଏହାର ଉଦାହରଣ ହେଉଛି ବାତ୍ୟା ମୋଚା। ମିଆଁମାର ଓ ବାଂଲାଦେଶ ନିକଟରେ ସ୍ଥଳଭାଗ ଛୁଇଁବା ପୂର୍ବରୁ ଆଇଏମ୍‌ଡିର ସମୟୋଚିତ ପୂର୍ବାନୁମାନ ଓ ମାନବୀୟ ପ୍ରତିକ୍ରିୟା, ଜୀବନହାନିକୁ ସର୍ବନିମ୍ନ ରଖିଛି। ଆଇଏମ୍‌ଡିର ଫ୍ଲାସଫ୍ଲଡ୍ ମାର୍ଗଦର୍ଶିକା ଦକ୍ଷିଣ ଏସିଆରେ ୧.୫ ବିଲିୟନ ଲୋକଙ୍କୁ ସାହାଯ୍ୟ କରୁଛି ବୋଲି ସେ କହିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.