Breaking News

ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ: ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କଲେ

କେନ୍ଦୁଝର ଜିଲ୍ଲା ପାଟଣା ବୈତରଣୀ ନଦୀରେ ମକର ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି।

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବୈତରଣୀ ନଦୀରେ ମକର ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ତିନିଦିନିଆ କେନ୍ଦୁଝର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମଙ୍ଗଳବାର ସକାଳେ ରାଇସୁଆଁ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବା ପରେ ସେଠାରୁ ପାଟଣା ଅଭିମୁଖେ ଯାଇଥିଲେ। ବୈତରଣୀ ଅନସୂୟା ତୀର୍ଥଘାଟରେ ବୁଡ଼ ପକାଇବା ପରେ ପରମେଶ୍ୱର ମହାଦେବଙ୍କ ଦର୍ଶନ କରି ଆନନ୍ଦେଶ୍ୱର ମହାଦେବଙ୍କଠାରେ ଜଳଲାଗି କରିଥିଲେ। ଏହି ଅବସରରେ ଉପସ୍ଥିତ ଜନସାଧାରଣ ଓ ଶ୍ରଦ୍ଧାଳୁଙ୍କୁ ମକର ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ନିଜ ବିବୃତିରେ ଶ୍ରୀ ମାଝୀ ମକର ସଂକ୍ରାନ୍ତି ଭଳି ପବିତ୍ର ଦିନରେ ପୁଣ୍ୟତୋୟା ବୈତରଣୀରେ ବୁଡ଼ ପକାଇ ମହାଦେବଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଓ ରାଜ୍ୟର ଉନ୍ନତି ପାଇଁ ପ୍ରାର୍ଥନା କରିଥିବା ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ଦୁଇବନ୍ଧୁ କରଞ୍ଜିଆ ଡିଏଫ୍‌ଓ ଶ୍ରୀକାନ୍ତ  ନାଏକ ଓ ଝୁମ୍ପୁରା ବ୍ଲକ୍‌ ଖୁଣ୍ଟାପଡ଼ା ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗୋପାଳ ବାରିକ ମଧ୍ୟ ମକର ବୁଡ଼ ପକାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ବରିଷ୍ଠ ବିଜେପି ନେତା କମଳାକାନ୍ତ ଦାଶ, ଶ୍ରୀମନ୍ତ ତ୍ରିପାଠୀ, ଅନୁବ୍ରତ ବେହେରା, ଦିଲ୍ଲୀପ କୁମାର ପଣ୍ଡା, ସାଂସଦଙ୍କ ପ୍ରତିନିଧି ଅଖିଳ ଚନ୍ଦ୍ର ପାତ୍ର ଓ ପ୍ରହଲ୍ଲାଦ କୁମାର ପଲେଇ, ଆଇନଜୀବୀ ମହେଶ୍ୱର ପୃଷ୍ଟି, ନରେନ୍ଦ୍ର କୁମାର ମହାନ୍ତ, ଗୌତମ ନାଏକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସବୀର ଦାଶ ପ୍ରମୁଖ ମକର ବୁଡ଼ରେ ସାମିଲ ହୋଇଥିଲେ। କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଏସ୍‌ପି  ନୀତିନ କୁଶଲକର ଡାଗୁଡ଼, ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ, ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ଉପସ୍ଥିତ ଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.