ପୁରୀ:‌ ଶ୍ରୀମନ୍ଦିରରେ ନୀତିକାନ୍ତି ବିଭ୍ରାଟ ଯୋଗୁ ଆଜି ସୂର୍ଯ୍ୟୋଦୟ ପରେ ଅର୍ଥାତ୍‌ ସକାଳ ୭ଟା ପରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଛି। ଯେଉଁଥି ପାଇଁ ପବିତ୍ର ମକର ସଂକ୍ରାନ୍ତିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାତିରୁ ଅପେକ୍ଷା କରିଥିବା ଭକ୍ତମାନେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହୋଇ ଯନ୍ତ୍ରଣା ପାଇଛନ୍ତି। ସେପଟେ ନୀତି ବିଳମ୍ବ କାରଣରୁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ହୋଇଥିଲା। ସିଂହଦ୍ବାର ସହ ଅନ୍ୟ ଦ୍ବାରରେ ଭକ୍ତମାନେ ଲମ୍ବାଧାଡ଼ିରେ ରହି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ଦର୍ଶନ ପାଇଁ ରାତିରୁ ଅପେକ୍ଷା କରି ଭକ୍ତ ନିରାଶ 

ମକର ସଂକ୍ରାନ୍ତି ପାଇଁ ରାତି ୨ଟାରେ ଦ୍ବାରଫିଟା, ରାତି ୩ଟାରେ ମଙ୍ଗଳଆଳତି, ୬ଟାରୁ ୮ଟା ସକାଳଧୂପ ସହ ଅନ୍ୟାନ୍ୟ ନୀତି ବଢ଼ିବାର ଥିଲା। ପୂର୍ବାହ୍ଣ ୧୦ଟାରେ ମହାପ୍ରଭୁଙ୍କ ମକର ବେଶ ହେବାର ଥିଲା। କିନ୍ତୁ ବ୍ରାହ୍ମ ମୁହୂର୍ତ୍ତ ବଦଳରେ ଆଜି ପ୍ରାୟ ୫ ଘଣ୍ଟା ବିଳମ୍ବ ସକାଳ ୭ଟାରେ ଦ୍ବାରଫିଟା ନୀତି ହୋଇଥିଲା। ଯାହା ଶ୍ରୀମନ୍ଦିର ସ୍ବତ୍ବଲିପିର ଉଲ୍ଲଂଘନ। ସେପଟେ ଦ୍ବାରଫିଟା ବିଳମ୍ବ ଯୋଗୁଁ ସକାଳ ୮ଟା ୫ରେ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କୁ ସକାଳେ ଯେଉଁ ଭୋଗ ଲାଗି ହେବା କଥା, ତାହା ଅପରାହ୍ଣ ୧ଟା ୫ରେ ଲାଗି ହୋଇଥିଲା। ଅନୁରୂପ ଭାବେ ମଧ୍ୟାହ୍ନ ଧୂପ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଦର୍ଶାଇଛି ଯେ ଗତକାଲି ଠାକୁରଙ୍କର ଅନେକ ନୀତି ଥିଲା। ସୁନାବେଶ ସହ ନବାଙ୍କ ବେଶ ଥିବାରୁ ନୀତି ବିଳମ୍ବ ହୋଇଥିଲା ଓ ଭୋର ପ୍ରାୟ ସାଢ଼େ ୪ଟାରେ ରାତ୍ର ପହୁଡ଼ ହୋଇଥିଲା। ଯେଉଁଥିପାଇଁ ଆଜିର ନୀତି ବିଳମ୍ବ ହୋଇଛି। ଅନ୍ୟପକ୍ଷରେ ସେବାୟତମାନେ କହିଛନ୍ତି, ପୂର୍ବରୁ ସବୁବେଳେ ନୀତି ଶୃଙ୍ଖଳିତ ହୁଏ। ଧାର୍ଯ୍ୟ ସମୟର ଘଣ୍ଟାଏ ଅବା ଦୁଇଘଣ୍ଟା ବିଳମ୍ବ ହେଲେ ବି ସୂର୍ଯ୍ୟୋଦୟ ପୂର୍ବରୁ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥାଏ। କିନ୍ତୁ ଆଜି ଅହେତୁକ ନୀତି ବିଳମ୍ବ କରାଯାଇଛି। ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଭାବେ ନୀତି ପ୍ରଶାସକ ଥିଲେ ମଧ୍ୟ ସେ ଠିକ୍‌ରେ ନୀତି ତଦାରଖ କରୁନାହାନ୍ତି। ଏଣୁ ନୀତି ଶୃଙ୍ଖଳିତ ହୋଇପାରୁନାହିଁ।