Breaking News

ସରକାରଙ୍କୁ କଣ୍ଟା ଲିଙ୍ଗରାଜ ସ୍ବତନ୍ତ୍ର ଆଇନ: ଡବଲ୍‌ ଇଞ୍ଜିନ୍ ସରକାରକୁ ପୂରିଲା ୮ ମାସ

ପ୍ରଭୁ ଲିଙ୍ଗରାଜଙ୍କ ନୀତି କେମିତି ହେବ? କିଏ କେଉଁ ନୀତି କରିବେ? ନୀତିରେ ବିଶୃଙ୍ଖଳା ହେଲେ କିଏ ଦାୟୀ ରହିବେ? ବିଶୃଙ୍ଖଳିତଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେବ? ବାରମ୍ବାର ପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ହେଉଥିଲେ ହେଁ ଏସବୁ ପ୍ରସଙ୍ଗରେ ଲିଙ୍ଗରାଜ ମନ୍ଦିର ପ୍ରଶାସନ ଚୁପ୍‌।

ପୁରୁଣା ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ନୀତି କେମିତି ହେବ? କିଏ କେଉଁ ନୀତି କରିବେ? ନୀତିରେ ବିଶୃଙ୍ଖଳା ହେଲେ କିଏ ଦାୟୀ ରହିବେ? ବିଶୃଙ୍ଖଳିତଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେବ? ବାରମ୍ବାର ପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ହେଉଥିଲେ ହେଁ ଏସବୁ ପ୍ରସଙ୍ଗରେ ଲିଙ୍ଗରାଜ ମନ୍ଦିର ପ୍ରଶାସନ ଚୁପ୍‌। ଗୋଟେ ପଟେ ସ୍ବତନ୍ତ୍ର ଆଇନ ନଥିବା ଦର୍ଶାଇ ଖସି ଯିବାକୁ ଉଦ୍ୟମ କରୁଛି ମନ୍ଦିର ପ୍ରଶାସନ। ଅନ୍ୟପଟେ ଆଇନ ଆସିବ ଆସିବ କହି ସମୟ ଗଡ଼ାଉଛନ୍ତି ସରକାର। ଏହା ଭିତରେ ଭୋକ ଉପାସରେ ଦିନ ଦିନ ରହି କଷ୍ଟ ପାଉଛନ୍ତି ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜ। ୨୦୨୦ ଡିସେମ୍ବର ୨ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ଆଇନ ଲାଗୁ ହେବା ନେଇ ଘୋଷଣା କରିଥିଲେ। ଏହି ସ୍ୱତନ୍ତ୍ର ଆଇନକୁ କ୍ୟାବିନେଟ୍‌ ଅନୁମୋଦନ ମିଳିବା ପରେ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ଅଧ୍ୟାଦେଶ ପଠାଇଲେ। ଅଧ୍ୟାଦେଶରେ ଏକ ଧାରା ଯୋଡ଼ିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଲେ। ୨୦୨୧ ନଭେମ୍ବର ୨୪ରେ ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ମିଳିଥିଲା। ପ୍ରସ୍ତାବିତ ଅଧ୍ୟାଦେଶର ଅନେକ ଅଂଶ ବିଧାନସଭାର କ୍ଷମତା ପରିସରଭୁକ୍ତ ନୁହେଁ ଏବଂ ଏହା ‘ଆମ୍‌ସାର ଆଇନ’କୁ ବିରୋଧାଚରଣ କରୁଛି କହି ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ଆପତ୍ତି ଉଠାଇଥିଲେ। ଏହି ଆପତ୍ତିର ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଥିଲା। ହେଲେ କାହିଁକି ଆଇନକୁ ଅନୁମତି ମିଳିଲା ନାହିଁ, ଏ ଉତ୍ତର କାହା ପାଖରେ ନାହିଁ।

ଡବଲ୍‌ ଇଞ୍ଜିନ୍ ସରକାରକୁ ପୂରିଲା ୮ ମାସ
ମନ୍ଦିର ପରିଚାଳନାରେ ପ୍ରଶାସନ ବିଫଳ

ଗତ ନିର୍ବାଚନ ସମୟରେ ଏ ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କେନ୍ଦ୍ରରେ ବିଜେପି ସରକାର ଲିଙ୍ଗରାଜଙ୍କ ଆଇନକୁ କରାଇ ଦେଉନଥିବା କହି ବିଜେପିକୁ ଟାର୍ଗେଟ କରିଥିଲା ବିଜେଡି। ବିଜେପି ନେତା ମଧ୍ୟ ଏହାର ସ୍ପଷ୍ଟୀକରଣ ରଖିଥିଲେ। ତେବେ ସାଧାରଣ ନିର୍ବାଚନ ପରେ ଓଡ଼ିଶା ରାଜନୀତିର ଚିତ୍ର ବଦଳିଲା। କେନ୍ଦ୍ର ଓ ଓଡ଼ିଶାରେ ବିଜେପି ସରକାର ଗଢ଼ିଲା। ଏକାମ୍ରରେ ବିଜେପି ମଧ୍ୟ ବାଜିମାତ୍‌ କଲା। ତେବେ ଡବଲ୍‌ ଇଞ୍ଜିନ୍‌ ସରକାରକୁ ୮ ମାସ ପୂରଣ ହୋଇଥିଲେ ହେଁ ଏଯାଏ ଲିଙ୍ଗରାଜ ଆଇନ ଲାଗୁ ହୋଇ ପାରୁନାହିଁ। ଏବେ ବି ଲିଙ୍ଗରାଜ ସ୍ବତନ୍ତ୍ର ଆଇନ ସରକାରଙ୍କ ପାଇଁ କଣ୍ଟା ହୋଇ ରହିଛି। ସରକାରଙ୍କୁ ଅଡ଼ୁଆରେ ପକାଉଛି।ଏଣେ ମନ୍ଦିର ପରିଚାଳନାରେ ନାନା ସମସ୍ୟା ସୃଷ୍ଟି ହେଉଛି। ବିଶ୍ବପ୍ରସିଦ୍ଧ ଏହି ପୁରାତନ ମନ୍ଦିରର ପରିଚାଳନା ପାଇଁ ଶ୍ରୀମନ୍ଦିର ପରି ସ୍ଥାୟୀ ପ୍ରଶାସନିକ ଅଧିକାରୀ ନାହାନ୍ତି। ଆବଶ୍ୟକ ଲୋକ ବଳ ନାହିଁ କି ମନ୍ଦିର ସୁରକ୍ଷାକୁ ଗୁରୁତ୍ବ ଦିଆଯାଉ ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ନଷ୍ଟ ହେଉଛି। ପ୍ରଭୁଙ୍କର ଅନେକ ପରମ୍ପରା ଭଙ୍ଗ ହେଲାଣି। ମନ୍ଦିର ନୀତିକାନ୍ତି ଠାରୁ ଆରମ୍ଭ କରି ପର୍ବପର୍ବାଣୀ ଠିକ୍‌ ସମୟରେ ହୋଇପାରୁନାହିଁ।

ଆଜି ସାରା ଓଡ଼ିଶାର ପୁରପଲ୍ଲୀ ମକରକୁ ନେଇ ଉତ୍ସବ ମୁଖର ହୋଇଥିବା ବେଳେ ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ହୋଇଛି। ‌ଲିଙ୍ଗରାଜଙ୍କ ଆଇନ ନଥିବାରୁ ସେବାୟତମାନଙ୍କ ଭିତରେ ବିବାଦ ଏପରି ସମସ୍ୟା ଛିଡ଼ା କରିଛି। ଆଉ ଏହାର ସମାଧାନ କରିବାରେ ମନ୍ଦିର ପ୍ରଶାସନ ବିଫଳ ହେଉଛି। ବଡ଼ କଥା ହେଲା ପୂର୍ବର ସରକାର କିମ୍ବା ଏବେର ସରକାରଙ୍କ ଏଥିପ୍ରତି ନିଘା ନାହିଁ। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ସରକାରକୁ ୮ ମାସ ବିତିଲାଣି। ଲିଙ୍ଗରାଜ ଆଇନ ଲାଗୁ କରିବାକୁ ଡବଲ୍‌ ଇଞ୍ଜିନ୍‌ ସରକାର ଆଉ କେତେ ମାସ ସମୟ ନେବେ ତା’
ଉପରେ ସମସ୍ତଙ୍କ ନଜର।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.