Breaking News

ପୁଣି ସେବାୟତ ବିବାଦ, ଶ୍ରୀଲିଙ୍ଗରାଜଙ୍କୁ ଉପାସ ରଖିଦେଲେ

ସେବାୟତଙ୍କ ବିବାଦ ଯୋଗୁଁ ଗତକାଲି ରାତିରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ ରହିଛି। ମହାପ୍ରଭୁ ଗତକାଲି ରାତିରୁ କାକରରେ ପଡ଼ି ରହିଛନ୍ତି। ମନ୍ଦିର ପ୍ରଶାସନ ପ୍ରତିଥର ପରି ଏଥର ମଧ୍ୟ ତାଳିପକା...

ଭୁବନେଶ୍ୱର: ସେବାୟତଙ୍କ ବିବାଦ ଯୋଗୁଁ ଗତକାଲି ରାତିରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ ରହିଛି। ମହାପ୍ରଭୁ ଗତକାଲି ରାତିରୁ କାକରରେ ପଡ଼ି ରହିଛନ୍ତି। ମନ୍ଦିର ପ୍ରଶାସନ ପ୍ରତିଥର ପରି ଏଥର ମଧ୍ୟ ତାଳିପକା ସମାଧାନ କରିବାକୁ ଚେଷ୍ଟା କରି ବିଫଳ ହୋଇଛି। ଫଳରେ ପବିତ୍ର ମକର ସଂକ୍ରାନ୍ତି ତିଥି ସମେତ ଦୁଇ ଦିନ ଠାକୁରଙ୍କୁ ଉପବାସ ରହିବାକୁ ପଡ଼ିଛି।

ସୂଚନା ମୁତାବକ, ଆଜି ମକର ସଂକ୍ରାନ୍ତି ତିଥିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଖରେ ମକର ଚାଉଳ ଲାଗି କରାଯିବା ସହ ଠାକୁରଙ୍କୁ ଘୃତ କମ୍ବଳ ଲାଗି କରାଯାଏ। ଶୀତ ଅଧିକ ହେଉଥିବାରୁ ମକର ସଂକ୍ରାନ୍ତିରୁ କୁମ୍ଭ ସଂକ୍ରାନ୍ତି ପର୍ଯ୍ୟନ୍ତ ଔଷଧୀ ପ୍ରଦାନ ପୂର୍ବକ ଠାକୁରଙ୍କୁ ଘୃତ ଲେପନ କରାଯିବା ବିଧି ରହିଛି। ଏଥିପାଇଁ ଗତକାଲି ଚତୁର୍ଦ୍ଦଶୀ ମହାଦୀପ ଉଠିବା ପରେ ଭୁବନେଶ୍ବରୀ ମନ୍ଦିର ପାଖ ମକର ମଣ୍ଡପ ନିକଟକୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବଙ୍କ ଚଳନ୍ତି ପ୍ରତିମାକୁ ପାଲିଙ୍କିରେ ବିଜେ କରାଯାଇଥିଲା। ଘୃତ ପ୍ରସ୍ତୁତ ଓ କ୍ଷୀର ଗରମ କରିବା ପାଇଁ ଆୟୋଜନ କରାଯାଇଥିଲା। ମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ପ୍ରତିବର୍ଷ ପରି ବଡ଼ୁ ନିଯୋଗର ସାମନ୍ତରାୟ ସେବାୟତ ଘୃତ କମ୍ବଳ ଫେଣ୍ଟିବା କାର୍ଯ୍ୟ କରନ୍ତି। ସାମନ୍ତରାୟ ସେବାୟତ କ୍ଷୀର ନେଇ ଆସିଥାନ୍ତି। ଏଥିପାଇଁ ଗତକାଲି ସାମନ୍ତରାୟ ୩ ପରିବାରଙ୍କୁ ସୂଚନା ଦିଆଯାଇଥିଲା। ୩ ପରିବାର ମଧ୍ୟରୁ ଜଣେ ସେବାୟତ କ୍ଷୀର ଆଣିବା ପରେ ମକର ମଣ୍ଡପରେ ବ୍ରାହ୍ମଣ ନିଯୋଗ ସେବାୟତ (ପର୍ବଯାତ୍ରୀ ବିଶୋଇ ସେବାୟତ)ଏହାକୁ ଫୁଟାଇଥାନ୍ତି। ଗତକାଲି ରାତି ପ୍ରାୟ ୯ଟାରେ ନୀତି ଆରମ୍ଭ ବେ‌ଳେ ସାମନ୍ତରାୟ ସେବାୟତ କ୍ଷୀର ଫୁଟାଇବାକୁ ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁଙ୍କୁ କହିଥିଲେ।

ପର୍ବଯାତ୍ରୀ ବିଶୋଇ ଏହି କାର୍ଯ୍ୟ କରନ୍ତି ବୋଲି ଉପସ୍ଥିତ ବ୍ରାହ୍ମଣ ନିଯୋଗର ସେବାୟତମାନେ କହିଥିଲେ। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ପହଞ୍ଚି ଆବାହମାନ କାଳରୁ ଏହି ସେବା କରିଆସୁଛୁ ବୋଲି କହିଥିଲେ। ଏନେଇ ଉଭୟ ସେବାୟତ ନିଯୋଗର କର୍ମକର୍ତ୍ତାଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ଘଟଣାସ୍ଥଳରେ ବଡ଼ୁ ନିଯୋଗ ସାମନ୍ତରାୟ ସେବାୟତମାନେ କ୍ଷୀରକୁ ନେଇପଳାଇଥିଲେ। ଏପଟେ ପରମ୍ପରାକୁ ରକ୍ଷା କରାନଗଲେ ନୀତିରେ ଅସହଯୋଗ କରିବୁ ବୋଲି ବାହ୍ମଣ ନିଯୋଗ ସମ୍ପାଦକ କହିଥିଲେ। ଫଳରେ ମନ୍ଦିରରେ ପହୁଡ଼ ପଡ଼ିଲାନି କି ନୀତି ହୋଇପାରିଲାନି। ସିଂହଦ୍ବାର ମେଲା ରହିବା ସହ ପୁଲିସ ଜଗି ରହିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ଫୋନ୍‌ ଯୋଗେ ଉଭୟ ନିଯୋଗ ମୁଖ୍ୟଙ୍କ ସହ ଆଲୋଚନା କରାଯାଇଥିଲେ ହେଁ କିଛି ଫଳ ମିଳିନଥିଲା। ଆଜି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ପ୍ରସାଦ ମହାନ୍ତି ଦିନ ୧୧ଟାରେ ମନ୍ଦିର କାର୍ଯ୍ୟାଳୟରେ ସବୁ ନିଯୋଗର ସଭାପତି, ସମ୍ପାଦକ, ପାଳିଆ ସେବାୟତଙ୍କୁ ଡକାଇ ଆଲୋଚନା କରିଥିଲେ। ତେବେ କିଛି ସୁଫଳ ମିଳି ନଥିଲା। ଆଜି ମଧ୍ୟ ନୀତି ବନ୍ଦ ରହିଥିଲା।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.