Breaking News

ସଙ୍ଗହୀନା ଅନ୍ନପୂର୍ଣ୍ଣା

ବର୍ତ୍ତମାନ ତୀବ୍ର ପ୍ରତିଯୋଗିତାମୂଳକ ‘କ୍ବିକ୍ କମର୍ସ’ ବ୍ୟବସାୟର ଅଂଶ ସ୍ବରୂପ ଗ୍ରାହକ ତା’ର ସ୍ମାର୍ଟ ଫୋନ୍ ବ୍ୟବହାର କରି ଅର୍ଡର ଦେବାର ଦଶ ମିନିଟ୍ ମଧ୍ୟରେ ତା’ ପାଖରେ ଖାଦ୍ୟ ଆସି ପହଞ୍ଚି ଯାଉଛି।

ବର୍ତ୍ତମାନ ତୀବ୍ର ପ୍ରତିଯୋଗିତାମୂଳକ ‘କ୍ବିକ୍ କମର୍ସ’ ବ୍ୟବସାୟର ଅଂଶ ସ୍ବରୂପ ଗ୍ରାହକ ତା’ର ସ୍ମାର୍ଟ ଫୋନ୍ ବ୍ୟବହାର କରି ଅର୍ଡର ଦେବାର ଦଶ ମିନିଟ୍ ମଧ୍ୟରେ ତା’ ପାଖରେ ଖାଦ୍ୟ ଆସି ପହଞ୍ଚି ଯାଉଛି। ଆଖି ପିଛୁଳାକେ ଏପରି ଖାଦ୍ୟ ମିଳିପାରୁଥିଲେ, ‌େରାଷେଇର ଜଞ୍ଜାଳ କିଏ କାହିଁକି ମୁଣ୍ଡାଇବାକୁ ଚାହିଁବ? ରୋଷେଇ ଘରେ ଅନ୍ନପୂର୍ଣ୍ଣା ନିଃସଙ୍ଗ ହୋଇ ଅପେକ୍ଷା କରିଥିବାବେଳେ ପରିବାରର ସଦସ୍ୟମାନେ ଖାଇବା ଟେବୁଲରେ ବସି ବିନା ପରିଶ୍ରମରେ ଉପଲବ୍‌ଧ ଅଳିଆ ଖାଦ୍ୟରେ ପେଟ ଭର୍ତ୍ତି କରିଚାଲିଥିବେ।

ଭାରତୀୟ ସଂସ୍କୃତିରେ ଏକ ପରିବାରରେ ରୋଷେଇ ଘରକୁ ଲକ୍ଷ୍ମୀଙ୍କ ଘର ରୂପେ ବିଚାର କରାଯାଇଥାଏ, କାରଣ ଅନ୍ନପୂର୍ଣ୍ଣାଙ୍କ କୃପାରୁ ସେଇଠି ହିଁ ପରିବାର ପାଇଁ ଅନ୍ନ ପ୍ରସ୍ତୁତ ହୋଇଥାଏ। କିନ୍ତୁ ନିକଟରେ ଭାରତୀୟ ପରିବାରମାନଙ୍କର ଉପଭୋଗ ଖର୍ଚ୍ଚ ସମ୍ବନ୍ଧରେ ଯେଉଁ ‘ହାଉସ୍‌ହୋଲ୍‌ଡ କନ୍‌ସମ୍ପସନ୍ ଏକ୍‌ସପେଣ୍ଡିଚର୍ ସର୍ଭେ (୨୦୨୩-୨୪)’ ରିପୋର୍ଟ ପ୍ରକାଶ ପାଇଛି, ସେଥିରୁ ଉପଲବ୍‌ଧ ସୂଚନାରୁ ମନେ ହୋଇଥାଏ ଆମ ପରିବାରମାନଙ୍କରେ ଅନ୍ନପୂର୍ଣ୍ଣାଙ୍କ ଆଦର ହ୍ରାସ ପାଇବାକୁ ଆରମ୍ଭ କଲାଣି। କାରଣ ସେଥିରୁ ଜଣାପଡ଼ିଛି ଉଭୟ ଗ୍ରାମାଞ୍ଚଳରେ ଓ ସହରାଞ୍ଚଳରେ ପରିବାରର ମାସିକ ମୁଣ୍ଡପିଛା ଖର୍ଚ୍ଚରେ ଖାଦ୍ୟଦ୍ରବ୍ୟର ଅଂଶରେ ହ୍ରାସ ଘଟୁଛି। ୨୦୧୧-୧୨ରୁ ୨୦୨୩-୨୪ ମଧ୍ୟରେ ଗ୍ରାମାଞ୍ଚଳରେ ଏହା ୫୨.୯ ଶତାଂଶରୁ ହ୍ରାସ ପାଇ ୪୭.୪ ଶତାଂଶ ହୋଇଥିବାବେଳେ ସହରାଞ୍ଚଳରେ ଏହା ୪୨.୬୨ ଶତାଂଶରୁ ହ୍ରାସ ପାଇ ହୋଇଛି ୩୯.୬୮ ଶତାଂଶ।
ଏହି ହ୍ରାସମାନ ଧାରା ସହିତ ତାଳ ଦେଇ ଖାଦ୍ୟଶସ୍ୟ ଓ ପନିପରିବା ଉପରେ ହେଉଥିବା ଖର୍ଚ୍ଚର ଅଂଶରେ ଯେଉଁ ହ୍ରାସ ଘଟିବା ଦେଖାଯାଇଛି, ସେଥିରୁ ମନେ ହୁଏ ଭାରତୀୟ ରୋଷେଇ ଘରମାନଙ୍କରେ ଅନୁସୃତ ପାରମ୍ପରିକ ରନ୍ଧନ ଶୈଳୀରେ ପରିବର୍ତ୍ତନ ଘଟିବାକୁ ଆରମ୍ଭ କଲାଣି। ୨୦୧୧-୧୨ରେ ଗ୍ରାମାଞ୍ଚଳରେ ଖାଦ୍ୟଶସ୍ୟରେ ଖର୍ଚ୍ଚର ଅଂଶ ୧୦.୬୯ ଶତାଂଶ ଥିବାବେଳେ ୨୦୨୩-୨୪ରେ ତାହା ୪.୯୭ ଶତାଂଶକୁ ହ୍ରାସ ପାଇଥିଲା ଏବଂ ସହରାଞ୍ଚଳ ପାଇଁ ଏହି ପରିସଂଖ୍ୟାନ ହେଉଛି ଯଥାକ୍ରମେ ୬.୬୧ ଶତାଂଶ ଓ ୩.୭୪ ଶତାଂଶ। ପନିପରିବା ପାଇଁ ଗ୍ରାମାଞ୍ଚଳରେ ଏହି ପରିସଂଖ୍ୟାନ ଯଥାକ୍ରମେ ୬.୬୨ ଶତାଂଶ ଓ ୬.୦୩ ଶତାଂଶ ହୋଇଥିବାବେଳେ ସହରାଞ୍ଚଳରେ ତାହା ହୋଇଛି ଯଥାକ୍ରମେ ୪.୬୩ ଶତାଂଶ ଓ ୪.୧୨ ଶତାଂଶ। ଡାଲି ଓ ଡାଲିଜାତୀୟ ପଦାର୍ଥ ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମଧ୍ୟ ଅନୁରୂପ ହ୍ରାସମାନ ଧାରା ପରିଲକ୍ଷିତ ହୋଇଛି। ଗ୍ରାମାଞ୍ଚଳର ପରିବାରମାନଙ୍କରେ ଏହାର ଅଂଶ ଏହି ସମୟ ମଧ୍ୟରେ ୨.୭୬ ଶତାଂଶରୁ ହ୍ରାସ ପାଇ ୧.୭୮ ଶତାଂଶ ହୋଇଥିବାବେଳେ ସହରାଞ୍ଚଳରେ ତାହା ୧.୯୩ ଶତାଂଶରୁ ହ୍ରାସ ପାଇ ହୋଇଛି ୧.୨୨ ଶତାଂଶ। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦୁଗ୍‌ଧ ଓ ଦୁଗ୍‌ଧଜାତ ପଦାର୍ଥର ଅଂଶରେ ସାମାନ୍ୟ ବୃଦ୍ଧି ଦେଖାଯାଇଥିବାବେଳେ ମାଛ, ମାଂସ ଓ ଅଣ୍ଡା ବାବଦ ଖର୍ଚ୍ଚ ପ୍ରାୟ ସ୍ଥିର ରହିବା ଦେଖାଯାଇଛି।
ଭାରତୀୟ ପରିବାରମାନଙ୍କରେ ପାରମ୍ପରିକ ଭାବରେ ଯେଉଁ ଖାଦ୍ୟ ରନ୍ଧାଯାଉଥିଲା, ତାହା ସ୍ବାସ୍ଥ୍ୟପ୍ରଦ ଥିଲା। ଉପରୋକ୍ତ ସର୍ବେକ୍ଷଣରୁ ଦେଖାଯାଇଛି କ୍ରମେ ପ୍ରକ୍ରିୟାକୃତ ଅସ୍ବାସ୍ଥ୍ୟକର ପ୍ୟାକେଜ୍ ଖାଦ୍ୟ ପରିବାରମାନଙ୍କରେ ଅନୁପ୍ରବେଶ କରି ପାରମ୍ପରିକ ଖାଦ୍ୟମାନଙ୍କୁ ସ୍ଥାନଚ୍ୟୁତ କରିବାକୁ ଲାଗିଲାଣି। ଆମର ପୂର୍ବର ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ଘଟି ବର୍ତ୍ତମାନ ଏହି ଖାଦ୍ୟ ଓ ପାନୀୟକୁ ଆମେ ଆଦର କରିବା ଦେଖାଗଲାଣି। ୨୦୧୧-୧୨ରେ ସହରାଞ୍ଚଳରେ ପ୍ରକ୍ରିୟାକୃତ ଖାଦ୍ୟ ଓ ପାନୀୟ ଉପରେ ମୁଣ୍ଡପିଛା ଖର୍ଚ୍ଚର ଅଂଶ ଯଥାକ୍ରମେ ୭.୯ ଶତାଂଶ ଓ ୮.୯୮ ଶତାଂଶ ଥିବାବେଳେ ୨୦୨୨-୨୩ରେ ତାହା ଯଥାକ୍ରମେ ୯.୮୪ ଶତାଂଶ ଓ ୧୧.୦୯ ଶତାଂଶକୁ ବୃଦ୍ଧି ପାଇଥିଲା। ଅନ୍ୟ ସର୍ବେକ୍ଷଣ ଦ୍ବାରା ମଧ୍ୟ ଭାରତୀୟମାନଙ୍କର ଖାଦ୍ୟାଭ୍ୟାସରେ ଘଟୁଥିବା ଏହି ଅସ୍ବାସ୍ଥ୍ୟକର ପରିବର୍ତ୍ତନ ଆବିଷ୍କୃତ ହୋଇଛି। ଉଦାହରଣ ସ୍ବରୂପ ଛ’ବର୍ଷ ତଳେ ‘ଇଉରୋମନିଟର୍’ ସର୍ବେକ୍ଷଣ ଦ୍ବାରା ଏହା ସାବ୍ୟସ୍ତ ହୋଇଥିଲା। ଏହା ଅନୁସାରେ ୨୦୧୨ର ପ୍ୟାକେଜ୍ ଓ ପ୍ରକ୍ରିୟାକୃତ ଖାଦ୍ୟ ଓ ପାନୀୟରେ ଭାରତୀୟମାନେ ମୁଣ୍ଡପିଛା ୩୧.୩ ଡଲାର୍ ଖର୍ଚ୍ଚ କରୁଥିବାବେଳେ ୨୦୧୮ରେ ତାହା ପାଖାପାଖି ଦ୍ବିଗୁଣିତ ହୋଇଯାଇ ହୋଇଥିଲା ୫୭.୭ ଡଲାର୍। କାରଖାନାରେ ପ୍ରକ୍ରିୟାକୃତ ଖାଦ୍ୟ ବହନ କରୁଥିବା ଶର୍କରା, ଲବଣ, ଚର୍ବି ଆଦି ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ବୋଲି ବିଭିନ୍ନ ଗବେଷଣାଭିତ୍ତିକ ରିପୋର୍ଟମାନ ସତର୍କବାଣୀ ଶୁଣାଇବାରେ ଲାଗିଛନ୍ତି। ଭାରତୀୟମାନଙ୍କର ଖାଦ୍ୟାଭ୍ୟାସରେ ଘଟୁଥିବା ପରିବର୍ତ୍ତନ ତେଣୁ ଘୋର ଚିନ୍ତାର ବିଷୟରେ ପରିଣତ ହୋଇଛି।
ଭାରତ ସରକାରଙ୍କର ପରିସଂଖ୍ୟାନ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସା‌ରେ ୨୦୨୩ ବିତ୍ତ ବର୍ଷରେ ସହରାଞ୍ଚଳରେ ସ୍ବଚ୍ଛଳ ବର୍ଗର ପରିବାରମାନେ ସେମାନଙ୍କର ମାସିକ ଖାଦ୍ୟ ବଜେଟ୍‌ର ୫୦ ଶତାଂଶ ପ୍ୟାକେଜ୍ ଖାଦ୍ୟ, ହୋଟେଲ ଖାଦ୍ୟ ଓ ଖାଦ୍ୟ ଡେଲି‌େଭରି ସର୍ଭିସ୍ ପିଛା ଖର୍ଚ୍ଚ କରିଦେଇଥାନ୍ତି। ଉପଲବ୍‌ଧ ସୂଚନାରୁ ଯେଉଁ ଚିତ୍ର ଆମର ନଜରକୁ ଆସିଥାଏ, ତାହା ହେଲା ଭାରତୀୟମାନଙ୍କ ପାଇଁ ସେମାନଙ୍କ ଖାଦ୍ୟର ଉତ୍ସ ରୂପେ ରୋଷେଇ ଘରର ଗୁରୁତ୍ବ ଗତ ଦଶ ବର୍ଷ ମଧ୍ୟରେ ନିଶ୍ଚିତ ରୂପେ ହ୍ରାସ ପାଇବାରେ ଲାଗିଛି। ଯେଉଁ ହାରରେ ହୋଟେଲରେ ଖାଇବାରେ ଓ ପୂର୍ବପ୍ରସ୍ତୁତ ପ୍ରକ୍ରିୟାକୃତ ଖାଦ୍ୟ କ୍ରୟ କରିବାରେ ଭାରତୀୟମାନେ କରୁଥିବା ଖର୍ଚ୍ଚରେ ବୃଦ୍ଧି ଘଟିବା ଦେଖାଯାଇଛି, ତାହା ଯେଉଁ ଦିଗରେ ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ, ତାହା ହେଲା ରୋଷେଇ ଘରେ ଅଧିକାଂଶ ସମୟରେ ଆଉ ଚୁଲା ନ ଜଳିବା ବା ମାଇକ୍ରୋୱେଭ୍ ଓଭେନ୍ ବା ଇଣ୍ଡକ୍‌ସନ୍ ଷ୍ଟୋଭ୍‌ର ସ୍ବିଚ୍ ଅନ୍ ନ ହେବା।
ଏହି ସମୟରେ ଆମ ଦେଶରେ ମଧ୍ୟବିତ୍ତ ପରିବାରମାନଙ୍କର ଖାଦ୍ୟ ବଜେଟ୍‌ରେ ପ୍ରକ୍ରିୟାକୃତ ଖାଦ୍ୟ ଓ ପାନୀୟ ପାଇଁ ହେଉଥିବା ଖର୍ଚ୍ଚର ଅଂଶ ୧୬ ଶତାଂଶରୁ ବୃଦ୍ଧି ପାଇ ୨୫ ଶତାଂଶ ଛୁଇଁବା ଦେଖାଯାଇଛି। ଯେହେତୁ ମଧ୍ୟମବର୍ଗଙ୍କ ପାଇଁ ଏଭଳି ଅଳିଆ ଖାଦ୍ୟ (‘ଜଙ୍କ୍ ଫୁଡ୍’) ଖାଇବା ଲାଗି ପ୍ରବୃତ୍ତି ସହିତ ବର୍ଦ୍ଧିଷ୍ଣୁ କ୍ରୟ ଶକ୍ତି ମଧ୍ୟ ମିଳିତ ହୋଇଛି, ଆଗାମୀ ସମୟରେ ଏହି ଅସ୍ବାସ୍ଥ୍ୟକର ଖାଦ୍ୟ ପାଇଁ ଭାରତରେ ଚାହିଦାରେ ଦ୍ରୁତ ବୃଦ୍ଧି ଘଟିବାର ସମସ୍ତ ଲକ୍ଷଣ ଦେଖିବାକୁ ମିଳୁଛି। ଭାରତ ହାସଲ କରିଚାଲିଥିବା ଅର୍ଥନୈତିକ ଅଭିବୃଦ୍ଧିର ପାର୍ଶ୍ବଫଳ ସ୍ବରୂପ ଅନେକ ପ୍ରସିଦ୍ଧ ଆନ୍ତର୍ଜାତିକ ଖାଦ୍ୟ ବିକ୍ରେତା କଂପାନିମାନେ ଏଠାରେ ସେମାନଙ୍କର ବ୍ୟବସାୟରେ ସଂପ୍ରସାରଣ ଘଟାଇ ମେଟ୍ରୋ ନଗରୀମାନଙ୍କୁ ଅତିକ୍ରମ କରି ଛୋଟ ଛୋଟ ସହର ଓ ଏପରିକି ଗ୍ରାମାଞ୍ଚଳରେ ମଧ୍ୟ ସେମାନଙ୍କର ଶାଖାପ୍ରଶାଖା ବିସ୍ତାର କରିବାରେ ଲାଗିଛନ୍ତି।
ସେହିପରି ଭାରତରେ ଘଟୁଥିବା ଶ୍ରମ ଶକ୍ତିର ଆଭ୍ୟନ୍ତରୀଣ ସ୍ଥାନାନ୍ତରଗମନ ଯୋଗୁଁ ମଧ୍ୟ ଏହି ଶ୍ରେଣୀର ଭାରତୀୟମାନଙ୍କ ମଧ୍ୟରେ ପ୍ରକ୍ରିୟାକୃତ ଖାଦ୍ୟର ଚାହିଦାରେ ଦ୍ରୁତ ବୃଦ୍ଧି ଘଟିବା ଅନିବାର୍ଯ୍ୟ ହୋଇପଡ଼ିଛି। ସହରୀକରଣରୁ ଆରମ୍ଭ କରି ଉଭୟ ପତିପତ୍ନୀଙ୍କର ବୃତ୍ତିଧାରଣ, ଅତି କ୍ଷୁଦ୍ର ପରିବାରମାନଙ୍କର ଆବିର୍ଭାବ, ପାରିବାରିକ ଆୟରେ ବୃଦ୍ଧି ଓ କାର୍ଯ୍ୟ ଚାପ ଯୋଗୁଁ ଅଧିକରୁ ଅଧିକ ସଂଖ୍ୟାରେ ଭାରତୀୟମାନେ ପୂର୍ବପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଉପରେ ନିର୍ଭରଶୀଳ ହୋଇପଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ଧାରାକୁ ଯାହା ଅାହୁରି ସହାୟକ ହୋଇଛି, ତାହା ହେଲା ଅନ୍‌ଲାଇନ୍ ଖାଦ୍ୟ ଡେଲିଭେରି ବ୍ୟବସାୟର ବି‌େସ୍ଫାରକ ଆବିର୍ଭାବ। ବର୍ତ୍ତମାନ ତୀବ୍ର ପ୍ରତିଯୋଗିତାମୂଳକ ‘କ୍ବିକ୍ କମର୍ସ’ ବ୍ୟବସାୟର ଅଂଶ ସ୍ବରୂପ ଗ୍ରାହକ ତା’ର ସ୍ମାର୍ଟ ଫୋନ୍ ବ୍ୟବହାର କରି ଅର୍ଡର ଦେବାର ଦଶ ମିନିଟ୍ ମଧ୍ୟରେ ତା’ ପାଖରେ ଖାଦ୍ୟ ଆସି ପହଞ୍ଚି ଯାଉଛି। ଆଖି ପିଛୁଳାକେ ଏପରି ଖାଦ୍ୟ ମିଳିପାରୁଥିଲେ, ‌େରାଷେଇର ଜଞ୍ଜାଳ କିଏ କାହିଁକି ମୁଣ୍ଡାଇବାକୁ ଚାହିଁବ? ରୋଷେଇ ଘରେ ଅନ୍ନପୂର୍ଣ୍ଣା ନିଃସଙ୍ଗ ହୋଇ ଅପେକ୍ଷା କରିଥିବାବେଳେ ପରିବାରର ସଦସ୍ୟମାନେ ଖାଇବା ଟେବୁଲରେ ବସି ବିନା ପରିଶ୍ରମରେ ଉପଲବ୍‌ଧ ଅଳିଆ ଖାଦ୍ୟରେ ପେଟ ଭର୍ତ୍ତି କରିଚାଲିଥିବେ।
ଏହାର ଏକ ପରିଣାମ ସ୍ବରୂପ ଭାରତୀୟ ଜନସଂଖ୍ୟାରେ ମେଦ ବୃଦ୍ଧିର ଅନୁପାତରେ ଚିନ୍ତାଜନକ ଭାବରେ ବୃଦ୍ଧି ଘଟିବା ଦେଖାଯାଉଛି, ଯାହା ହେଉଛି ଅନ୍ୟାନ୍ୟ ଗୁରୁତର ବ୍ୟାଧିମାନଙ୍କର ଆଶ୍ରୟସ୍ଥଳୀ। ସମୃଦ୍ଧ ଭାରତୀୟମାନେ ଯଦି ବେଳ ହୁଁ ଏଥିପ୍ରତି ସତର୍କ ହୋଇ ରୋଷେଇ ଘରେ ପୁଣି ପ୍ରବେଶ କରିବା ପାଇଁ ଆଗେଇ ନ ଆସିବେ, ତେବେ ଅବିଳମ୍ବେ ଭାରତ ଏକ ଅସୁସ୍ଥ ଦେଶରେ ପରିଣତ ହୋଇଯିବ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.