Breaking News

ସା˚ପ୍ରତିକୀ: ଅପ୍ରିୟ ଖୁଣମାନ

୨୦୧୪ରେ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରିବାର କିଛି ଦିନ ପୂର୍ବରୁ ମନମୋହନ ସିଂହ କହିଥିଲେ ଯେ ସେତେବେଳର ଗଣମାଧ୍ୟମ ତୁଳନାରେ ଇତିହାସ ଅଧିକ ସଦୟ ହୋଇ ତାଙ୍କର ମୂଲ୍ୟାଙ୍କନ କରିବ।

ରାମଚନ୍ଦ୍ର ଗୁହା

ଜୀବିତଙ୍କୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ, କିନ୍ତୁ ମୃତଙ୍କ ପ୍ରତି ଆମର ଏକମାତ୍ର କର୍ତ୍ତବ୍ୟ ହେଉଛି ସତ୍ୟ କହିବା।
– ଭୋଲଟାଏର
୨୦୧୪ରେ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରିବାର କିଛି ଦିନ ପୂର୍ବରୁ ମନମୋହନ ସିଂହ କହିଥିଲେ ଯେ ସେତେବେଳର ଗଣମାଧ୍ୟମ ତୁଳନାରେ ଇତିହାସ ଅଧିକ ସଦୟ ହୋଇ ତାଙ୍କର ମୂଲ୍ୟାଙ୍କନ କରିବ। ଏବେ ମନମୋହନ ଚାଲିଯିବା ପରେ ତାଙ୍କ ପ୍ରତି ଅଜାଡ଼ି ହୋଇପଡୁଥିବା ପ୍ରଶଂସାପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ପଢ଼ି ଏହି ଐତିହାସିକ ଭାବିବାକୁ ବାଧ୍ୟ ହେଉଛି- ଏସବୁ ସ୍ତୁତି ପାଠ କ’ଣ ସତରେ ସଂପୂର୍ଣ୍ଣ ସତ୍ୟନିଷ୍ଠ? ବର୍ତ୍ତମାନ ଯେପରି ପ୍ରଦର୍ଶନ କରାଯାଉଛି, ସେ କ’ଣ ବାସ୍ତବରେ ସେମିତି ବିଜ୍ଞ, ସର୍ବଜ୍ଞ ଓ ନିଖୁଣ ରାଜନେତା ଥିଲେ?
ମନମୋହନଙ୍କ କ୍ୟାରିଅରର ତିନିଟି ପ୍ରମୁଖ ପର୍ଯ୍ୟାୟ ଥିଲା, ଯଥାକ୍ରମେ: ଜଣେ ବିଦ୍ବାନ ଭାବେ, ସରକାରଙ୍କ ଅର୍ଥନୀତିଜ୍ଞ ଭାବେ ଓ ଜଣେ ରାଜନେତା ଭାବେ। ଅଧିକାଂଶ ଲେଖାରେ ଦ୍ବିତୀୟ ପର୍ଯ୍ୟାୟ, ବିଶେଷ କରି ଅର୍ଥ ମନ୍ତ୍ରୀ ରୂପେ ତାଙ୍କ କାର୍ଯ୍ୟକାଳ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି, ଯେଉଁଥିରେ ସେ ଲାଇସେନ୍‌ସ-ପରମିଟ୍‌-କୋଟା ରାଜକୁ ଧରାଶାୟୀ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ଭାରତୀୟ ଅର୍ଥନୀତିକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରିବା ଫଳରେ ତିନି ଦଶନ୍ଧି ଧରି ଦେଶ ସ୍ଥିର ଅର୍ଥନୈତିକ ଅଭିବୃଦ୍ଧି, ଉଦ୍ୟୋଗରେ ବୃଦ୍ଧି ଓ ବ୍ୟାପକ ଦାରିଦ୍ର୍ୟରେ ହ୍ରାସ ଆଦିକୁ ପ୍ରତ୍ୟକ୍ଷ କଲା। ଏହା ବାସ୍ତବରେ ଏକ ବିରାଟ ଉପଲବ୍‌ଧି, ଯାହା ପାଇଁ ମନମୋହନଙ୍କୁ ଯଥାର୍ଥରେ ପ୍ରଶଂସା କରାଯାଉଛି। ତେବେ ତାଙ୍କ ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓଙ୍କ ସମର୍ଥନକୁ ମଧ୍ୟ ଭୁଲିଯିବା ଉଚିତ ନୁହେଁ, ଯିଏ କ୍ୟାବିନେଟକୁ ଜଣେ ଅନିର୍ବାଚିତ ଅର୍ଥନୀତିଜ୍ଞଙ୍କୁ ଆଣିଥିଲେ ଏବଂ ଶତ୍ରୁଭାବାପନ୍ନ ରାଜନେତା (ସେଥିରେ କଂଗ୍ରେସ ଦଳର କିଛି ନେତା ଅନ୍ତର୍ଭୁକ୍ତ)ଙ୍କ ଠାରୁ ତାଙ୍କୁ ସୁରକ୍ଷା ଦେଇଥିଲେ। ସେହିପରି ମନମୋହନଙ୍କ ସହିତ ଓ ତାଙ୍କ ଅଧୀନରେ କାମ କରୁଥିଲେ କେତେକ ଅତ୍ୟନ୍ତ ପାରଙ୍ଗମ ଅର୍ଥନୀତିଜ୍ଞ ଓ ପ୍ରଶାସନିକ ଅଧିକାରୀ, ଯେଉଁମାନଙ୍କ ସଂଖ୍ୟା ବର୍ତ୍ତମାନର ସରକାରରେ ଅତ୍ୟନ୍ତ ନଗଣ୍ୟ।
ଅର୍ଥ ମନ୍ତ୍ରୀ ଭାବେ ମନମୋହନ ସିଂହଙ୍କ ଅବଦାନ ପଛରେ ସମ୍ଭାବନା ଓ ଆକସ୍ମିକ ପରିସ୍ଥିତିର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଭାରତ ବୈଦେଶିକ ମୁଦ୍ରା ସଂକଟର ସମ୍ମୁଖୀନ ହେବା, ରାଜୀବ ଗାନ୍ଧୀଙ୍କ ହତ୍ୟା ଯୋଗୁଁ ରାଓ ପ୍ରଧାନମନ୍ତ୍ରୀ ହେବା, ଅର୍ଥମନ୍ତ୍ରୀ ରୂପେ ରାଓ ପ୍ରଥମେ ଯାହାଙ୍କୁ (ଆଇ. ଜି. ପଟେଲ) ନିଯୁକ୍ତ କରିବାକୁ ଚାହୁଁଥିଲେ ସେ ମନା କରିଦେବା ସେଥିରେ ଅନ୍ତର୍ଭୁକ୍ତ। ଅପର ପକ୍ଷେ, ମନମୋହନଙ୍କ ଚମକପ୍ରଦ ଶିକ୍ଷାଗତ ଯୋଗ୍ୟତା ସଂପୂର୍ଣ୍ଣ ରୂପେ ତାଙ୍କ ନିଜସ୍ବ ଥିଲା। କ୍ୟାମ୍ବ୍ରିଜ ଉତ୍ତୀର୍ଣ୍ଣ ସମସାମୟିକ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ ଓ ଜଗଦୀଶ ଭଗବତୀଙ୍କ ସହିତ ମନମୋହନଙ୍କ ବ୍ୟକ୍ତିଗତ ଯାତ୍ରାକୁ ତୁଳନା କଲେ ତାଙ୍କ ସଫଳତାର ବିଶାଳତାକୁ ହୃଦୟଙ୍ଗମ କରିହେବ। ସେନ ଓ ଭଗବତୀ ସମ୍ଭ୍ରାନ୍ତ ବୁଦ୍ଧିଜୀବୀ ପରିବାରରେ ଜନ୍ମ ହୋଇଥିଲେ। ସେନଙ୍କ ବିଦ୍ବାନ ପରିବାର ରବୀନ୍ଦ୍ରନାଥ ଠାକୁରଙ୍କ ନିକଟବର୍ତ୍ତୀ ଥିଲା- ରବୀନ୍ଦ୍ରନାଥ ହିଁ ତାଙ୍କ ନାମ ‘ଅମର୍ତ୍ତ୍ୟ’ ରଖିଥିଲେ। ଭଗବତୀ ଥିଲେ ସୁପ୍ରିମ୍‌ କୋର୍ଟର ଜଣେ ବିଚାରପତିଙ୍କ ପୁତ୍ର। ସେମାନଙ୍କ ସାମାଜିକ ବିଶେଷାଧିକାର ଯୋଗୁଁ କେମ୍ବ୍ରିଜ ସେମାନଙ୍କ ପାଇଁ ଏକ ସ୍ବାଭାବିକ ଗନ୍ତବ୍ୟ ଥିଲା। ଅପରପକ୍ଷେ, ଏକ ସାଧାରଣ ପରିବାରରେ ବଡ଼ ହୋଇଥିବା ଏବଂ ବିଭାଜନରେ ଦାରୁଣ ମାନସିକ ଆଘାତ ଭୋଗିଥିବା ମନମୋହନ ଏକ ଉତ୍କୃଷ୍ଟ ପାଶ୍ଚାତ୍ୟ ବିଶ୍ବବିଦ୍ୟାଳୟରେ ଶିକ୍ଷାଲାଭ କରିବା କଦାପି ପ୍ରତ୍ୟାଶିତ ନଥିଲା। ତଥାପି ସେ ତାହା କରିଦେଖାଇଲେ, କେମ୍ବ୍ରିଜରେ ଅର୍ଥନୀତି ବିଭାଗରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହେବା ପରେ ସେ ଅକ୍‌ସଫୋର୍ଡରୁ ଡି.ଫିଲ୍ ଡିଗ୍ରି ହାସଲ କରିଥିଲେ।
ସେନ ଓ ଭଗବତୀ ସେମାନଙ୍କ କ୍ୟାରିଅର୍‌ର ଅଧିକାଂଶ କାଳ ବିଦେଶରେ କାଟିଥିଲେ। ମନମୋହନ ମଧ୍ୟ ତାହା କରିପାରିଥାନ୍ତେ, କିନ୍ତୁ ସେ ନିଜ ମାତୃଭୂମିକୁ ‘କର୍ମଭୂମି’ ଭାବେ ବାଛିଥିଲେ। ସେ ପଞ୍ଜାବ ଓ ଦିଲ୍ଲୀର ବିଶ୍ବବିଦ୍ୟାଳୟରେ ପାଖାପାଖି ଏକ ଦଶନ୍ଧି କାଳ ଅଧ୍ୟାପନା କରିଥିଲେ। ଆଉ ଦେଢ଼ ଦଶନ୍ଧି ଅର୍ଥ ସଚିବ, ରିଜର୍ଭ ବ୍ୟାଙ୍କ ଗଭର୍ନର ଓ ପ୍ଲାନିଙ୍ଗ କମିସନ୍‌ର ଉପାଧ୍ୟକ୍ଷ ଆଦି ଗୁରୁତ୍ବପୂର୍ଣ୍ଣ ସରକାରୀ ପଦରେ କାମ କରିଥିଲେ।
ମନମୋହନ ସିଂହଙ୍କ ଶ୍ରଦ୍ଧାଞ୍ଜଳି ଲେଖାଗୁଡ଼ିକରେ ସରକାରରେ ଥିବା ଜଣେ ଅର୍ଥନୈତିକ ସଂସ୍କାରକ ଭାବେ ତାଙ୍କ କ୍ୟାରିଅର ଉପରେ ଦୃଷ୍ଟି ନିବଦ୍ଧ କରାଯାଇଛି। ସେଗୁଡ଼ିକରେ ଛାତ୍ର ଓ ଅଧ୍ୟାପକ ଭାବେ ସେ କରିଥିବା କାମର ମଧ୍ୟ କିଛିଟା ଉଲ୍ଲେଖ ଥିଲେ ହେଁ, ତାଙ୍କ ରାଜନୈତିକ ଐତିହ୍ୟର ସର୍ବାଧିକ ଗୁଣଗାନ କରାଯାଇଛି। ୧୯୯୧ରୁ ୧୯୯୬ ମଧ୍ୟରେ ରାଜନୀତିକୁ ବାଟବଣା ହୋଇ ପଶିଯାଇଥିବା ଜଣେ ନୀତି ନିର୍ଦ୍ଧାରକ ଅର୍ଥନୀତିଜ୍ଞ ଭାବେ ମନମୋହନଙ୍କୁ ପରିଗଣିତ କରାଯାଇପାରେ। କିନ୍ତୁ ୧୯୯୬ ପରେ ସେ ଶୁଦ୍ଧ ରାଜନେତା ପାଲଟିଥିଲେ। ତାଙ୍କ ଏହି ଶେଷ ବୃତ୍ତିରେ ପ୍ରଧାନମନ୍ତ୍ରୀ ରୂପେ ୨୦୦୪ରୁ ୨୦୧୪ ଦଶ ବର୍ଷର ଅବଧି ହେଉଛି ସବୁଠାରୁ ଅଧିକ ଉଲ୍ଲେଖନୀୟ।
ତତ୍‌କାଳୀନ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦରୁ ମନମୋହନ ଅର୍ଥ ମନ୍ତ୍ରୀ ହୋଇଥିଲେ; ଏବଂ ସେ ପ୍ରଧାନମନ୍ତ୍ରୀ ମଧ୍ୟ ଦୁର୍ଘଟଣାବଶତଃ ହୋଇଯାଇଥିଲେ, ତାଙ୍କ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ଆଶୀର୍ବାଦ ଯୋଗୁଁ। ପ୍ରଧାନମନ୍ତ୍ରୀ ରୂପେ ପ୍ରଥମ କାର୍ଯ୍ୟକାଳକୁ ମନମୋହନ ଠିକ୍‌ଠାକ୍‌ ରୂପେ ସମ୍ପାଦନ କରିଥିଲେ। ଗୁଜରାଟରେ ମୁସଲମାନ ବିରୋଧୀ ଦଙ୍ଗା ପରେ ପରେ ଜଣେ ଧର୍ମନିରପେକ୍ଷତା-ମନସ୍କ ଶିଖ ଦେଶର ଶୀର୍ଷ କ୍ଷମତାରେ ରହିବା କାରଣରୁ ଧାର୍ମିକ ଉତ୍ତେଜନା ଶାନ୍ତ ପଡ଼ିବାରେ ଲାଗିିଥିଲା; ଅର୍ଥନୀତି ଲଗାତାର ଅଭିବୃଦ୍ଧି ଲାଭ କଲା, ଯାହା ଫଳରେ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକ ଲାଗି ପୁଞ୍ଜି ଉପଲବ୍‌ଧ ହେଲା; ବିଜ୍ଞାନ ଗବେଷଣାକୁ ବଳ ମିଳିଲା; ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସହିତ ବେସାମରିକ ପରମାଣୁ ଶକ୍ତି ଚୁକ୍ତି ସ୍ବାକ୍ଷରିତ ହୋଇପାରିଲା।
୨୦୦୯ ବସନ୍ତରେ ମୁଁ ନୂଆଦିଲ୍ଲୀରେ ମାସେ କାଟିଥିଲି। ମୁଁ ସେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲି; ଅଧିକ ଗୁରୁତ୍ବପୂର୍ଣ୍ଣ କଥା ହେଲା ତାଙ୍କ ନିକଟସ୍ଥ (ଉଭୟ ସରକାର ଭିତର ଓ ବାହାରର) ଲୋକଙ୍କ ସହିତ ମୁଁ କଥା ହୋଇଥିଲି। ସେମାନେ ସମସ୍ତେ ଭାବୁଥିଲେ ଯେ, ତାଙ୍କ ବୟସ ଓ ନିକଟରେ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ହୋଇଥିବା ଦୃଷ୍ଟିରୁ ମନମୋହନ ପରବର୍ତ୍ତୀ ସାଧାରଣ ନିର୍ବାଚନ ପୂର୍ବରୁ ସାର୍ବଜନୀନ ଜୀବନରୁ ସସମ୍ମାନ ଅବସର ନେଇଯିବା ଉଚିତ ଥିଲା। ତାଙ୍କର ଜଣେ ପ୍ରଶଂସକ କହିଥିଲେ ଯେ ଯଦି ମନମୋହନ ପ୍ରଧାନମନ୍ତ୍ରୀ ରହିବାକୁ ଚାହାନ୍ତି, ତେବେ ସେ ଗୋଟିଏ ଲୋକସଭା ଆସନ ଜିଣି ନିଜର ବିଶ୍ବସନୀୟତାକୁ ସୁଦୃଢ଼ କରିବା ଉଚିତ (ଯାହା ସେ ପଞ୍ଜାବର କୌଣସି ଆସନରୁ ସହଜରେ କରିପାରିଥାନ୍ତେ)।
ଘଟଣାକ୍ରମେ ମନମୋହନ ରାଜ୍ୟସଭା ସଦସ୍ୟ ରହି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେଲେ। ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ତୀକ୍ଷଣ ପର୍ଯ୍ୟବେକ୍ଷକମାନେ ଲକ୍ଷ୍ୟ କରିଥିଲେ ଯେ ସେ ତାଙ୍କ ଦଳୀୟ ସଭାପତିଙ୍କ ପ୍ରତି ଅହେତୁକ ଆନୁଗତ୍ୟ ପ୍ରଦର୍ଶନ କରୁଥିଲେ। ଏବେ ତାଙ୍କର ଆନୁଗତ୍ୟ ଅଧିକ ପ୍ରାଞ୍ଜଳ ହେବାକୁ ଲାଗିଲା ଏବଂ ତାହା ତାଙ୍କ ବ୍ୟକ୍ତିଗତ ଓ ରାଜନୈତିକ ସ୍ଥିତି ପାଇଁ ଅଧିକ ହାନିକାରକ ହେଲା। ଇତିମଧ୍ୟରେ ତାଙ୍କ ସରକାର ବିରୋଧରେ ଦୁର୍ନୀତିର ଅଭିଯୋଗ ଆସିବାକୁ ଲାଗିଲା; କେତେକ ଅଭିଯୋଗ ମିଛ (ବିବାଦୀୟ ସିଏଜି ରିପୋର୍ଟରୁ ଜାତ ଅଭିଯୋଗ ଏଥିରେ ଅନ୍ତର୍ଭୁକ୍ତ) ହୋଇଥିବାବେଳେ, ଅନ୍ୟଗୁଡ଼ିକ ଅଧିକ ଯୁକ୍ତିଯୁକ୍ତ ଥିଲା।
ପ୍ରଧାନମନ୍ତ୍ରୀ ଭାବେ ମନମୋହନ ସିଂହ ଉଦ୍ଦଣ୍ଡ କ୍ୟାବିନେଟ ମନ୍ତ୍ରୀମାନଙ୍କ ଉପରେ ନିଜର ପ୍ରଭୁତ୍ବ ଜାହିର କରିବାରେ ସଂକୋଚ କରୁଥିଲେ। ତାଙ୍କ ପ୍ରଥମ କାର୍ଯ୍ୟକାଳରେ ସେ କେତେକ ବିଚକ୍ଷଣ ସଦସ୍ୟଙ୍କୁ ନେଇ ଏକ ‘ନଲେଜ୍‌ କମିସନ’ ନିଯୁକ୍ତ କରିଥିଲେ। ହେଲେ ମାନବ ସମ୍ବଳ ମନ୍ତ୍ରୀ ଅର୍ଜୁନ ସିଂହ ଉକ୍ତ କମିସନକୁ ଦନ୍ତହୀନ କରିଦେବା ବେଳେ ସେ ତାଙ୍କୁ ଅଟକାଇ ନ ଥିଲେ। ତାଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ସେ ଅର୍ଥମନ୍ତ୍ରୀ ରୂପେ ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ, ଯାହା ଫଳରେ ପ୍ରଣବ ବିଶ୍ବ ଅର୍ଥନୀତିରେ ଭାରତ ଉପଭୋଗ କରୁଥିବା ସ୍ଥିତିକୁ ଏତେ ଦୁର୍ବଳ କରିଦେଇଥିଲେ ଯେ ତାଙ୍କୁ ଉଦାରୀକରଣ ପରବର୍ତ୍ତୀ ‘ନିକୃଷ୍ଟ ଅର୍ଥମନ୍ତ୍ରୀ’ ରୂପେ ଅଭିହିତ କରାଯାଇଥିଲା।
ଅର୍ଜୁନ ସିଂହଙ୍କ ତୁଳନାରେ ମନମୋହନ ସିଂହଙ୍କର ଅଧିକ ଜ୍ଞାନ ଥିଲା ଏବଂ ପ୍ରଣବଙ୍କ ଠାରୁ ତାଙ୍କ ଅଧୀନରେ ଅର୍ଥ ବିଭାଗ ଅଧିକ ସୁରୁଖୁରରେ ଚାଲିଥିଲା। କ୍ୟାବିନେଟରେ ଥିବା ବେଳେ ଆହ୍ବାନ ସମ୍ମୁଖରେ ତାଙ୍କ ଭୀରୁତାର ଅତୀତ ଲୋକସଭା ଆସନ ଜିଣିଥିବା ଅନ୍ୟ ମନ୍ତ୍ରୀମାନଙ୍କୁ (ମନମୋହନ ଯେଉଁ ମନ୍ତ୍ରୀଙ୍କୁ ବୋଧହୁଏ ଭୟ କରୁଥିଲେ, ସେମାନେ ଦଳୀୟ ସଭାପତିଙ୍କ ନିକଟତର ଥିଲେ) ତାଙ୍କୁ ଅବଜ୍ଞା କରିବା ଲାଗି ପ୍ରୋତ୍ସାହିତ କରୁଥିଲା।
କଠିନ ପରିସ୍ଥିତିର ସମ୍ମୁଖୀନ ହେଲେ, ତା’ ପ୍ରତିକ୍ରିୟାରେ ମନମୋହନ ନିଜ ନିୟନ୍ତ୍ରଣ ହରାଇ ବସୁଥିଲେ। ରାହୁଳ ଗାନ୍ଧୀ ସର୍ବସମକ୍ଷରେ ଏକ ସରକାରୀ ଅଧ୍ୟାଦେଶ ଚିରି ଫିଙ୍ଗିଦେବା ପ୍ରତିକ୍ରିୟାରେ ସେ ନିରବ ରହିବା ଏହାର ଏକ ଲକ୍ଷଣ ଥିଲା। ଆଉ ଏକ ବଡ଼ ଲକ୍ଷଣ ଥିଲା ସେ ଯେତେବେଳେ ଦ୍ବିତୀୟ କାର୍ଯ୍ୟ କାଳର ଶେଷ ଆଡ଼କୁ କହିଲେ ଯେ ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ କାମ କରି ସେ ‘ଖୁବ୍ ଆନନ୍ଦିତ’ ହେବେ। ମନେ ହେଉଥିଲା ମନମୋହନ ସିଂହ ଅନୁଭବ କରୁଥିଲେ ଯେ ତୋଷାମଦ ଦ୍ବାରା ହିଁ ସେ ତାଙ୍କ ଦଳ ଓ ସରକାରରେ ନିଜ ସ୍ଥିତି ରକ୍ଷା କରିପାରିବେ।
ଏହା ତାଙ୍କର ଏକ କରୁଣ ବୈଚାରିକ ତ୍ରୁଟି ଥିଲା। ସତ କଥା ହେଲା ସୋନିଆ ଗାନ୍ଧୀ ମନମୋହନ ସିଂହଙ୍କ ପ୍ରତି ସେତିକି କୃତଜ୍ଞ ହେବା ଉଚିତ ଥିଲା ଯେତିକି ସେ ସୋନିଆଙ୍କ ପାଇଁ କୃତଜ୍ଞ ଥିଲେ। ୨୦୦୪ରେ ସୋନିଆ ଜାଣିଥିଲେ ଯେ ସରକାରରେ କାର୍ଯ୍ୟ କରିବାର ପ୍ରତ୍ୟକ୍ଷ ଅଭିଜ୍ଞତା ନ ଥିବାରୁ ସେ ପ୍ରଧାନମନ୍ତ୍ରୀ ହେବାକୁ ଅଯୋଗ୍ୟ। କ୍ୟାବିନେଟ୍‌ ବୈଠକ ଆୟୋଜନ କରିବା, ନୀତିଗତ ନିଷ୍ପତ୍ତି ନେବା ଅଥବା ବିଦେଶର ଶାସନ ମୁଖ୍ୟଙ୍କ ସହିତ ସମସ୍କନ୍ଧ ହୋଇ ଭେଟିବା ଲାଗି ସେ ଅକ୍ଷମ ବୋଲି ସେ ସଚେତନ ଥିଲେ। ମନମୋହନ ଏହିସବୁ ଦାୟିତ୍ବ ନିଜ କାନ୍ଧକୁ ନେଇ ସୋନିଆଙ୍କୁ ବହୁ ଲଜ୍ଜାକର ପରିସ୍ଥିତିରୁ ଉଦ୍ଧାର କରିଥିଲେ। ହେଲେ ୨୦୦୯ରେ ୟୁପିଏ ପୁନର୍ନିବାଚିତ ହେବା ପରେ ସୋନିଆ ଗାନ୍ଧୀ ତାଙ୍କ ଅଯୋଗ୍ୟ ପୁତ୍ରଙ୍କୁ ଭବିଷ୍ୟତର ପ୍ରଧାନମନ୍ତ୍ରୀ କରାଇବା ଲାଗି ପ୍ରାଣପଣେ ଉଦ୍ୟମ କଲେ। ଆଉ ସ୍ବାଧୀନ ଭାରତ ଇତିହାସର ଅନ୍ୟତମ ସର୍ବାଧିକ ଅଭିଜ୍ଞ ରାଜନେତା ପ୍ରଧାନମନ୍ତ୍ରୀ ପଦରେ ଥାଇ ଉକ୍ତ ଭ୍ରାନ୍ତିକୁ ପାରୁପର୍ଯ୍ୟନ୍ତ ଆଗକୁ ବଢ଼ାଇବାରେ ଲାଗିଲେ।
ସର୍ବସମ୍ମୁଖରେ ମନମୋହନ ସିଂହଙ୍କ ଅସହାୟ ଛବି ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀ ହେବାର ଲକ୍ଷ୍ୟ ହାସଲରେ କେତେ ସହାୟକ ହୋଇଥିଲା ତାହା ଭବିଷ୍ୟତର ଐତିହାସିକମାନେ ଆକଳନ କରିବେ। ଦୁର୍ବଳ ଓ ଭୀରୁ ଭଳି ମନେହେଉଥିବା ଜଣେ ପ୍ରଧାନମନ୍ତ୍ରୀଙ୍କୁ ଦେଖି ଅନେକ ଭୋଟର ଏଭଳି ଜଣେ ନେତାଙ୍କ କଥାରେ ପ୍ରଭାବିତ ହୋଇଗଲେ ଯିଏ କହିଲେ ଯେ ସେ ଜଣେ ଶକ୍ତିଶାଳୀ ଓ ଦୃଢ଼ ପ୍ରଧାନମନ୍ତ୍ରୀ ହୋଇ ଦେଖାଇବେ। ମୋଦୀ ଏକ ଗରିବ ପୃଷ୍ଠଭୂମିରୁ ଆସିଥିବା ଏବଂ ଅନ୍ୟ ପଟେ କଂଗ୍ରେସ ମନମୋହନ ସିଂହଙ୍କ ଆଶୀର୍ବାଦ ନେଇ ‘ପରିବାର ପ୍ରଧାନ ପାର୍ଟି’ ରୂପେ ପୁନଃ ଆତ୍ମପ୍ରକାଶ କରିବା ମଧ୍ୟ ଦଳର ପ୍ରତିଦ୍ବନ୍ଦ୍ବୀଙ୍କ ସପକ୍ଷରେ କାର୍ଯ୍ୟ କଲା।
ଆମେ ୨୦୧୪ରୁ ଯାହା ଦେଖୁଛୁ ତାହା ନିଶ୍ଚିତ ଭାବେ ଦୃଢ଼ତା ନୁହେଁ ବରଂ ପ୍ରଭୁତ୍ବବାଦ। ଆମର ଗଣତାନ୍ତ୍ରିକ ଓ ବହୁବାଦୀ ମର୍ଯ୍ୟାଦା ଲଗାତାର କ୍ଷୟ ହୋଇଚାଲିଛି। ଅର୍ଥନୀତିର ପ୍ରଦର୍ଶନ ଖରାପ ହୋଇଛି, ବୈଷମ୍ୟ ବୃଦ୍ଧି ପାଇଛି ଓ ଲାଭଜନକ ନିଯୁକ୍ତି ସୁଯୋଗ କମିଯାଇଛି। ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ଉତ୍ତରପ୍ରଦେଶ ଓ ଆସାମ ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନରେ ସର୍ବଜନୀନ ଆଲୋଚନାର ସ୍ତର ପ୍ରତି ବର୍ଷ ତଳକୁ ତଳକୁ ଖସିବାରେ ଲାଗିଛି। ଆଉ ଆମ ପ୍ରାକୃତିକ ପରିବେଶର ଅପ୍ରତ୍ୟାଶିତ ଧ୍ବଂସ ସାଧନ ଚାଲିଛି।
ହୋଇପାରେ, ମୋଦୀ ଶାସିତ ବିଦ୍ବେଷପୂର୍ଣ୍ଣ ବର୍ଷମାନ ନ୍ୟାୟସଂଗତ, ସମ୍ବେଦନଶୀଳ, ଉଦାରବାଦୀ-ଓ-ଗଣତନ୍ତ୍ରପ୍ରେମୀ ଭାରତୀୟମାନଙ୍କୁ ମନମୋହନ ସିଂହଙ୍କ ସତ୍‌କର୍ମଗୁଡ଼ିକୁ ମହିମାନ୍ବିତ କରିବା ଓ ତାଙ୍କ ଭୁଲ୍‌ଗୁଡ଼ିକୁ ଅଣଦେଖା ବା ପ୍ରଶଂସା କରିବା ଲାଗି ପ୍ରୋତ୍ସାହିତ କରିଛି। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ଯେ ମନମୋହନଙ୍କ ଶିକ୍ଷାଗତ ସଫଳତା ଅତ୍ୟନ୍ତ ପ୍ରଶଂସନୀୟ ଥିଲା ଏବଂ ଜଣେ ଅର୍ଥନୀତି ସଂସ୍କାରକ ଭାବେ ତାଙ୍କର ଅବଦାନ ଉଭୟ ବିଶାଳ ଓ ଦୀର୍ଘସ୍ଥାୟୀ। ହେଲେ ପ୍ରଧାନମନ୍ତ୍ରୀ ରୂପେ ତାଙ୍କର ପ୍ରଦର୍ଶନ ଓ ତାଙ୍କର ରାଜନୈତିକ ଐତିହ୍ୟ ନିଶ୍ଚିତ ଭାବେ ଅଧିକ ମିଶ୍ରିତ। ବିଶେଷ କରି ଦ୍ବିତୀୟ କାର୍ଯ୍ୟକାଳରେ ସେ ସରକାରରେ ପ୍ରଭୁତ୍ବବାଦର ଅଭ୍ୟୁଦୟ ଦିଗରେ ଅଜାଣତରେ ସହାୟକ ହୋଇଥିଲେ ଏବଂ ଜାଣିବୁଝି ଭାରତର ସର୍ବପୁରାତନ ରାଜନୈତିକ ଦଳରେ ତୋଷାମଦର ସଂସ୍କୃତି ଓ ପରିବାର ବିଶେଷାଧିକାରକୁ ଦୀର୍ଘସ୍ଥାୟୀ କରିଦେଇଥିଲେ।
(ମତାମତ ଲେଖକଙ୍କ ନିଜସ୍ବ)
ramachandraguha@yahoo.in

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.