ଭୁବନେଶ୍ବର: ଷ୍ଟାର୍ଟଅପ୍ ଜରିଆରେ ନୂଆ ଉଦ୍ୟୋଗୀ ସୃଷ୍ଟି କରିବାରେ ଓଡ଼ିଶା ଯଥେଷ୍ଟ ଉନ୍ନତି ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦୫୦ରୁ ଅଧିକ ଷ୍ଟାର୍ଟଅପ୍ ଗଠନ ହୋଇଛି। ସବୁଠୁ ଉତ୍ସାହଜନକ ବିଷୟ ହେଉଛି ୧୩୨୪ଟି ଷ୍ଟାର୍ଟଅପ୍‌ ମହିଳାଙ୍କ ନେତୃତ୍ବରେ ପରିଚାଳିତ ହେଉଛି। ପାଞ୍ଚ ବର୍ଷରେ ୫୦୦୦ ଷ୍ଟାର୍ଟଅପ୍ ଗଠନ କରିବା ଲାଗି ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସେହିଦିଗରେ ରାଜ୍ୟ ଦ୍ରୁତ ଗତିରେ ଅଗ୍ରସର ହେଉଛି। କେବଳ ୨୦୨୪ରେ ରାଜ୍ୟରେ ୫୮୭ଟି ନୂଆ ଷ୍ଟାର୍ଟଅପ୍ ଗଠନ କରାଯାଇଛି। ରାଜ୍ୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨୦ଟି ଷ୍ଟାର୍ଟଅପ୍‌କୁ ସିଡ୍‌ ପାଣ୍ଠି ଦିଆଯାଇଛି ଯାହା ଜରିଆରେ ସେମାନେ ନିଜ ଚିନ୍ତାଧାରାକୁ ଅଭିନବ ସମାଧାନରେ ପରିଣତ କରିପାରିଛନ୍ତି। ୨୧ଟି ଷ୍ଟାର୍ଟଅପ୍‌କୁ ଭେଞ୍ଚର ପାଣ୍ଠି ମିଳିଛି। ରାଜ୍ୟରେ ୫ ଲକ୍ଷ ବର୍ଗଫୁଟର ଇନ୍‌କୁବେସନ୍ ସ୍ଥାନ ରହିଥିବା ବେଳେ ୫୦ ଷ୍ଟାର୍ଟଅପ୍‌କୁ କ୍ରୟ ବରାଦ ମିଳିଛି।

ଷ୍ଟାର୍ଟଅପ୍ ଓଡ଼ିଶାର ସିଇଓ କମଲଜିତ୍ ଦାସ କହିଛନ୍ତି ଯେ ଚଳିତ ମାସ ୨୮ ଓ ୨୯ରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ରେ ୪୦ଟି ଷ୍ଟାର୍ଟଅପ୍‌କୁ ଉତ୍ପାଦ ପ୍ରଦର୍ଶନ କରିବା ସୁଯୋଗ ମିଳିବ। ଷ୍ଟାର୍ଟଅପ୍‌କୁ ନେଇ ପ୍ଲେନାରି ଓ କ୍ଷେତ୍ରଭିତ୍ତିକ ଅଧିବେଶନ ଆୟୋଜନ କରାଯିବ ଯେଉଁଥିରେ ୧୦୦୦ ପାଖାପାଖି ଉଦ୍ୟୋଗୀ, ନିବେଶକ ଆଦି ଅଂଶଗ୍ରହଣ କରିବେ। କନ୍‌କ୍ଲେଭ୍‌କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଶିକ୍ଷାନୁଷ୍ଠାନଗୁଡ଼ିକରେ ୨୦ଟି କାର୍ଯ୍ୟକ୍ରମ ଆୟୋଜନ କରିବା ଯୋଜନା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ବୋଲି ସେ କହିଛନ୍ତି।

ମହିଳାଙ୍କ ନେତୃତ୍ବରେ ୧୩୨୪ ସଂସ୍ଥା
ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ଉତ୍ପାଦ ପ୍ରଦର୍ଶନ ସୁଯୋଗ

ସିଆଇଆଇ ଓଡ଼ିଶା ଶାଖାର ଅଧ୍ୟକ୍ଷ ଡ. ପ୍ରଦୀପ୍ତ ମହାନ୍ତି କହିଛନ୍ତି ଯେ ରାଜ୍ୟର ଉଦ୍ୟମିତା ଯାତ୍ରାର ମୂଳଦୁଆ ପାଲଟିଛି ଓଡ଼ିଶା ଷ୍ଟାର୍ଟଅପ୍ ନୀତି। ଷ୍ଟାର୍ଟଅପ୍ ଓଡ଼ିଶା ଜରିଆରେ ସିଡ୍‌ ପାଣ୍ଠିଠାରୁ ଆରମ୍ଭ କରି ଇନ୍‌କୁବେସନ୍, ମେଟରିଂ ଓ ଟିକସ ସୁବିଧା ଆଦି ପ୍ରଦାନ କରାଯାଉଛି। ସୂଚନା ପ୍ରଯୁକ୍ତି, କୃଷି ପ୍ରଯୁକ୍ତି, ସ୍ବଚ୍ଛ ପ୍ରଯୁକ୍ତି ଓ ଦକ୍ଷତାଭିତ୍ତିକ ତାଲିମ କାର୍ଯ୍ୟକ୍ରମ କ୍ଷେତ୍ରରେ ବହୁ ଷ୍ଟାର୍ଟଅପ୍ ସୃଷ୍ଟି ହୋଇଛି। ଆଇଆଇଟି ଭୁବନେଶ୍ବର, ଏନ୍‌ଆଇଟି ରାଉରକେଲା, କିଟ୍ ଭଳି ସଂସ୍ଥା ମଧ୍ୟ ଷ୍ଟାର୍ଟଅପ୍ ବ୍ୟବସ୍ଥା ଲାଗି ପ୍ରତିଭା ଓ ଗବେଷଣା ସହାୟତା ଯୋଗାଇ ଦେଉଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟରେ ଗଠିତ ଷ୍ଟାର୍ଟଅପ୍‌ଗୁଡ଼ିକ ଜାତୀୟ ସ୍ତରରେ ବେଶ୍‌ ସୁନାମ ଅର୍ଜନ କରିଛନ୍ତି। ସେଭଳି ଏକ ଷ୍ଟାର୍ଟଅପ୍ ହେଉଛି ପ୍ରାଣ୍ଟେ ସଲ୍ୟୁସନ୍ସ ଯାହା ଏକ ସ୍ବାସ୍ଥ୍ୟ ନିରୀକ୍ଷଣ ଡିଭାଇସ୍‌ ବିକାଶ କରିଛି। ତାହାକୁ ଲୋକମାନେ ନିଜେ ବ୍ୟବହାର କରି କିଡ୍‌ନିର କାର୍ଯ୍ୟଦକ୍ଷତା ମାପିପାରିବେ। କମ୍ପାନି ବିଭିନ୍ନ ପ୍ରକାର କାର୍ଯ୍ୟ ଲାଗି ନାନୋ ସେନ୍‌ସର୍‌ ମଧ୍ୟ ବିକାଶ କରିଛି। ଏହାକୁ ଡିପିଆଇଆଇଟି ଷ୍ଟାର୍ଟଅପ୍ ଇଣ୍ଡିଆ ଜାତୀୟ ଷ୍ଟାର୍ଟଅପ୍ ପୁରସ୍କାର ମିଳିଛି। ସେହିପରି, ଇ-କମର୍ସ ଜରିଆରେ ଆଗକୁ ବଢ଼ିଥିବା ଏକ ଷ୍ଟାର୍ଟଅପ୍ ହେଉଛି ଡେସ୍‌ନା। ଆଚାର ପ୍ରସ୍ତୁତ କରୁଥିବା ଏହି ସଂସ୍ଥାକୁ ଭୁବନେଶ୍ବରରେ ଗ୍ରୋଶିସ୍ ଗୋଲ୍ୟାନ୍ ନାମକ ‌ଜଣେ ଗୃହିଣୀ ସ୍ଥାପନ କରିଛନ୍ତି। ବ୍ୟବସାୟରେ ତାଙ୍କ ନିଜ ମା ଓ ସ୍ବାମୀ ସହଯୋଗ କରୁଛନ୍ତି। ଆମାଜନ୍‌ର ସହେଲି କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଡେସ୍‌ନା ନିଜକୁ ଜାତୀୟ ସ୍ତରରେ ଏକ ପରିଚିତ ବ୍ରାଣ୍ଡ୍‌ରେ ପରିଣତ କରିପାରିଛି। ପ୍ଲାଷ୍ଟିକ୍‌ଠାରୁ ଦୂରେଇ ରହିଥିବା ଡେସ୍‌ନା ଗ୍ଲାସ୍‌ ଜାର, ଜୈବ ବିଘଟିତ ବ୍ୟାଗ୍ ଓ କାର୍ଡବୋର୍ଡ ବକ୍ସକୁ ପ୍ୟାକେଜିଂ ଲାଗି ବ୍ୟବହାର କରୁଛି।