Breaking News

ଆମ ଗଣତନ୍ତ୍ରରେ ଆମେ

ଦୁଇ ଶହ ବାଇଶ ବର୍ଷ ତଳର କଥା। ଜନ୍ ଆଡାମ୍‌ସ କହିଥିଲେ: ‘ଗଣତନ୍ତ୍ର ଯଦି ବଞ୍ଚିଲା, ତାହା ରାଜତନ୍ତ୍ର ବା ନବାବତନ୍ତ୍ର ଠାରୁ ଅଧିକ ରକ୍ତମୁଖା ହୁଏ। ତେଣୁ ଏହା ଦୀର୍ଘ କାଳ ବଞ୍ଚେନି। କ୍ଷୟ ହୋଇ ଝଡ଼ିଯାଏ ଓ ନିଜକୁ ନିଜେ ହତ୍ୟା କରେ।

ରାଜେନ୍ଦ୍ର ନାରାୟଣ ଦାସ

ଦୁଇ ଶହ ବାଇଶ ବର୍ଷ ତଳର କଥା। ଜନ୍ ଆଡାମ୍‌ସ କହିଥିଲେ: ‘ଗଣତନ୍ତ୍ର ଯଦି ବଞ୍ଚିଲା, ତାହା ରାଜତନ୍ତ୍ର ବା ନବାବତନ୍ତ୍ର ଠାରୁ ଅଧିକ ରକ୍ତମୁଖା ହୁଏ। ତେଣୁ ଏହା ଦୀର୍ଘ କାଳ ବଞ୍ଚେନି। କ୍ଷୟ ହୋଇ ଝଡ଼ିଯାଏ ଓ ନିଜକୁ ନିଜେ ହତ୍ୟା କରେ। ସବୁ ଗଣତନ୍ତ୍ରର ମୃତ୍ୟୁ ଆତ୍ମହତ୍ୟାରେ ହିଁ ହୋଇଥାଏ।’ ଜନ୍ ଆଡାମ୍‌ସ ଥିଲେ ଆମେରିକାର ଦ୍ୱିତୀୟ ରାଷ୍ଟ୍ରପତି (୧୭୯୭-୧୮୦୧) ଏବଂ ସେ ଏ କଥା କହିଲା ବେଳକୁ ଆମେରିକା କଞ୍ଚା ଥିଲା। କିନ୍ତୁ କଥା ହେଲା, ଆମେରିକାରେ ଏବେ ବି ଗଣତନ୍ତ୍ର କାଏମ ରହିଛି। ପୃଥିବୀରେ ଏବେ ପାଖାପାଖି ୧୦୦ଟି ଗଣତନ୍ତ୍ର ଅଛନ୍ତି। କିନ୍ତୁ କଥା ହେଲା, ଆବ୍ରହାମ ଲିଂକନ ଆଶା କରିଥିବା ଭଳି ସାଂପ୍ରତିକ ଗଣତନ୍ତ୍ରମାନ ଗଣଙ୍କ ଦ୍ବାରା ଗଣଙ୍କ ହିତାର୍ଥେ ଉଦ୍ଦିଷ୍ଟ ଏକ ଶାସନ ବ୍ୟବସ୍ଥା ହୋଇ ରହିଛି କି? ଆବ୍ରାହାମ ଲିଂକନ ଥିଲେ ଆମେରିକାର ୧୬ତମ ରାଷ୍ଟ୍ରପତି।
ଆଉ ମାତ୍ର ଚାରି ଦିନ ପରେ ଅଠସ୍ତରି ବର୍ଷ ବୟସ୍କ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ଦ୍ବାରା ଡେମୋକ୍ରାଟିକ ଦଳର ପ୍ରାର୍ଥୀ କମଳା ହାରିସ ପରାଜିତ ହୋଇଛନ୍ତି। ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ ପରାଜୟ ସ୍ବୀକାର କରି କହିଛନ୍ତି ଯେ ଗଣତନ୍ତ୍ରରେ ଜନସାଧାରଣଙ୍କ ଇଚ୍ଛା ସର୍ବୋପରି। ସେମାନେ ଯାହା ଚାହିଥାନ୍ତି, ତାହା ହିଁ ହୋଇଥାଏ। କିନ୍ତୁ ଅସଂଗତିଟି ହେଲା ଅନେକ ସମୟରେ ଚାଞ୍ଚଲ୍ୟକର ଫଳାଫଳ ମିଳୁଛି, ଯେଉଁଭଳି ଧାରାର ଆଭାସ ନିର୍ବାଚନ ପୂର୍ବରୁ ମିଳିଥାଏ, ତାହାର ବିପରୀତଟି ଆସୁଛି। ତେଣୁ ସନ୍ଦେହ ହେଉଛି ଯେ ଜନମତକୁ ମଧ୍ୟ ବିଭିନ୍ନ ଉପାୟରେ ପ୍ରଭାବିତ କରାଯାଉଛି। ୨୦୧୬‌େର ଯେତେବେଳେ ଡୋନାଲ୍‌ଡ ଟ୍ରମ୍ପ ରାଷ୍ଟ୍ରପତି ହେଲେ ସେତିକିବେଳେ କଥା ଉଠିଥିଲା ଯେ ସାମାଜିକ ଗଣମାଧ୍ୟମ ଜରିଆରେ ଜନମତକୁ ପରିବର୍ତ୍ତନ କରାଯିବାର ପ୍ରୟାସ ହୋଇଥିଲା।
ଏ ବର୍ଷ ମଧ୍ୟ ଜନମତକୁ ପ୍ରଭାବିତ କରାଯାଇଛି ବୋଲି ସନ୍ଦେହ ସୃଷ୍ଟି ହୋଇଛି। ୨୦୨୦ ମସିହାରେ ଯେତେବେଳେ ଟ୍ରମ୍ପ ହାରିଥିଲେ, ସେତିକି‌େବଳେ ଜନମତକୁ ସମ୍ମାନ ଦେଇ ନ ଥିଲେ। ନିର୍ବାଚନରେ ଗଫଲତି ହେଉଛି ‌େବାଲି ଅଭିଯୋଗ କରି ହ୍ବାଇଟ ହାଉସ ଛାଡ଼ିବାକୁ ରାଜି ନ ଥିଲେ। ତାଙ୍କ ଡାକରାରେ ତାଙ୍କ ସମର୍ଥକମାନେ କ୍ୟାପିଟଲ ହିଲ୍‌ସ (ସଂସଦ ଭବନ)ରେ ପଶି ଭଙ୍ଗାରୁଜା କରିଥିଲେ। ଏଭଳି ଉପଦ୍ରବ ଥିଲା ଗଣତନ୍ତ୍ରର ପୁରୋଧା ଭାବେ ଦାବି କରୁଥିବା ଆମେରିକାର ଇତିହାସରେ ପ୍ରଥମ। କେବଳ ସେତିକି ନୁହେଁ, ତାଙ୍କ ବିରୋଧରେ ଅଦାଲତରେ ଅନେକ ଠକେଇ, ଟିକସ ଫାଙ୍କି, ଯୌନ ବ୍ୟଭିଚାର, ଶୋଷଣ ଆଧାରିତ ଅଭିଯୋଗମାନ ଥିଲା। ଏହା ମଧ୍ୟ ଭୁଲିଗଲେ ହେବ ନାହିଁ ଯେ ତାଙ୍କ ପ୍ରଥମ ପାଳିର ଶାସନ ଭଲ ନ ଥିଲା। ତେଣୁ ଏକ ଧାରଣା ହୋଇଥିଲା ଯେ ଟ୍ରମ୍ପଙ୍କୁ ପୁଣି ଥରେ ଆମେରିକୀୟ ନାଗରିକମାନେ ଜିତାଇବେ ନାହିଁ। କିନ୍ତୁ ଟ୍ରମ୍ପ ଜିତିଲେ!
ଆଜିକୁ ଅଢ଼େଇ ହଜାର ବର୍ଷ ତଳେ ଗ୍ରୀସର ମହାନ ଦାର୍ଶନିକ ସକ୍ରେଟିସ୍‌ ଆଶଙ୍କା ପ୍ରକଟ କରି ଯାହା କହିଥିଲେ ତା’ର ସାରାଂଶ ହେଲା; ଗଣତନ୍ତ୍ର ଭୁଶୁଡ଼ି ପଡ଼ିବା ଅବଶ୍ୟମ୍ଭାବୀ। କାରଣ ଗଣତନ୍ତ୍ର ସମସ୍ତଙ୍କ ପାଇଁ ଭଲ ବା ଅନୁକୂଳ ହେବାକୁ ଚେଷ୍ଟା କରିବ; ଏଭଳି ବାତାବରଣରେ ଗରିବ ଲୋକ ଧନୀମାନଙ୍କର ଧନ ଚାହିବେ, ଯୁବକମାନେ ବରିଷ୍ଠମାନଙ୍କ ଭଳି ସମ୍ମାନ ଚାହିବେ, ମହିଳାମାନେ ପୁରୁଷଙ୍କ ପରି ହେବାକୁ ଚାହିବେ ଏବଂ ଚୋର ଓ ଠକମାନେ ଗୁରୁତ୍ୱପୂର୍ଣ୍ଣ ଆଧିକାରିକ ସୁବିଧା ଚାହିବେ। ଗଣତନ୍ତ୍ର ତାହା ଦେବ। ଶେଷରେ ଚୋର ଓ ଠକମାନେ ଗଣତାନ୍ତ୍ରିକ ଉପାୟରେ କ୍ଷମତା ଲାଭ କରିନେବେ। କାରଣ ଅପରାଧୀ ଓ ଦୁଷ୍କର୍ମକାରୀମାନେ ସର୍ବଦା କ୍ଷମତା ଚାହାନ୍ତି। ସକ୍ରେଟିସ୍‌ଙ୍କ ଏଭଳି ଉଦ୍‌ବେଗର ଆଭାସ ସାଂପ୍ରତିକ ଗଣତନ୍ତ୍ରମାନଙ୍କରୁ ମିଳି ନ ଥାଏ କି?
ଆଜିର ଗଣତନ୍ତ୍ରରେ ଗୋଟିଏ ଧାରା ହେଲା ନିର୍ବାଚନୀ ରଣାଙ୍ଗନରେ ରାଜନୈତିକ ଦଳର ନେତାମାନେ ଗରିବଙ୍କ ଲାଗି ଲଢ଼ିବାର କଥା କହି ଭୋଟ ପାଆନ୍ତି, କିନ୍ତୁ ନିର୍ବାଚିତ ହେଲା ପରେ କର୍ପୋରେଟ ଓ ପୁଂଜି ନିବେଶକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରନ୍ତି, ଯାହା ଗରିବ ବିରୋଧୀ ହିଁ ହୋଇଥାଏ। ସୁତରାଂ, ଗଣତନ୍ତ୍ରରେ ସାଧାରଣ ଲୋକଙ୍କ ସ୍ବରକୁ ଚାପି ଦିଆଯାଏ ଏବଂ ପ୍ରାୟ ସବୁ ଦେଶରେ ଗଣତନ୍ତ୍ର ନବାବତନ୍ତ୍ର ଓ ବଂଶବାଦ ରାଜନୀତିକୁ ଦୃଢ଼ କରିଛି। ଜ‌େଣ ସାଧାରଣ ଲୋକ ନିର୍ବାଚନରେ ଲଢ଼ିବାକୁ ସମର୍ଥ ହେବା ମଧ୍ୟ କ୍ରମେ ଦୁଷ୍କର ହେଲାଣି।
କଥା ସାରିବା ପୂର୍ବରୁ ପୃଥିବୀର ବୃହତ୍ତମ ଗଣତନ୍ତ୍ର ଭାରତର ଏକ ରାଜ୍ୟ ଓଡ଼ିଶା ଆଡ଼କୁ ଟିକିଏ ଦେଖିବା। ଯେଉଁମାନେ ରାଜନୀତି ବିଷୟରେ ସାମାନ୍ୟ କିଛି ଜାଣନ୍ତି, ସେମାନେ ବି କହିବେ ଯେ ନବମ ଦଶକର ରାଜନୀତିରୁ ଏବର ରାଜନୀତି କେତେ ଭିନ୍ନ! ଆମ ରାଜ୍ୟରେ ଚବିଶ ବର୍ଷ କାଳ ଗୋଟିଏ ରାଜନୈତିକ ଦଳ ଶାସନ କଲା, ଯାହାକୁ ଏକ ଲୋକପ୍ରିୟ ଓ ସ୍ଥିର ସରକାର ଭାବେ ଅଭିହିତ କରାଗଲା। କିନ୍ତୁ ପଶ୍ଚାତ୍‌ ଦୃଷ୍ଟିରେ ଦିଶିଥାଏ ଯେ ଏହି କାଳ ଖଣ୍ଡରେ ଅମଲାମାନେ ବଳଶାଳୀ ହେଲେ ଓ ଜନ ପ୍ରତିନିଧିମାନଙ୍କ ପ୍ରଭାବକୁ ହ୍ରାସ କରି ଦିଆଗଲା। ଭି. କେ. ପାଣ୍ଡିଅାନଙ୍କ ଭଳି ଜଣେ ମାତ୍ର ବ୍ୟୁରୋକ୍ରାଟ ଏକାକୀ ଏଭଳି ଅଫିସର ରାଜର ପରଂପରାଟିଏ ସୃଷ୍ଟି କଲେ ଯେ ଗଣତନ୍ତ୍ରର ମୌଳିକ ମୂଲ୍ୟବୋଧମାନ ଧରାଶାୟୀ ‌େହଲେ। ଅଥଚ, ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ଯିଏ ଏହାର ପ୍ରତିବାଦ କଲା, ସେ ରାଜନୈତିକ ରୋଷର ଶିକାର ହେଲା। ଗଣତନ୍ତ୍ରରେ ଗଣ ଓ ଗଣଙ୍କ ପ୍ରତିନିଧିମାନଙ୍କ ସ୍ବର ହଜିଗଲା।
ଏବେ ଗଣତନ୍ତ୍ର ଯେଉଁ ସ୍ଥିତିରେ ବିଦ୍ୟମାନ, ସେଥିରେ ଗଣତନ୍ତ୍ର ସପକ୍ଷରେ ସବୁ ଯୁକ୍ତି ପୋଥି ବାଇଗଣ ଭଳି ମନେ ହୋଇଥାଏ। ଗଣତନ୍ତ୍ରରେ ‘ଗଣ’ ହିଁ ଶାସନର ଚୟନକର୍ତ୍ତା ସତ, କିନ୍ତୁ ‘ଗଣ’ଙ୍କ ସ୍ବର ପ୍ରାୟ ଅବଦମିତ ରହେ। ‘ଗଣ’ଙ୍କ ହାତରେ ସରକାର ବଦଳାଇବାର କ୍ଷମତା ଅଛି ସତ, କିନ୍ତୁ ସରକାରର ଚରିତ୍ର ସର୍ବଦା ପ୍ରାୟ ସମାନ ରହେ। ଗଣତନ୍ତ୍ରରେ ଏହା ହିଁ ହେଉଛି ଆମର ଅର୍ଥାତ୍‌ ‘ଗଣ’ଙ୍କ ସ୍ଥିତି!
(ମତାମତ ଲେଖକଙ୍କ ନିଜସ୍ବ)
drrajendradas.germany@gmail.com

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.