Breaking News

ଢିଙ୍କିଶାଳରୁ ଢେଙ୍କାନାଳ: ଓଡ଼ିଶାର ସାଂସ୍କୃତିକ ସଂହତି

ଓଡ଼ିଆ ସଂସ୍କୃତି କହିଲେ ବୁଝାଏ କ’ଣ? ଖାଦ୍ୟ ହେଉ ବା ପାନୀୟ, ବେଶ ପୋଷାକ ହେଉ ବା ଅଳଙ୍କାର, ନୃତ୍ୟ ହେଉ ବା ସଙ୍ଗୀତ, ହସ୍ତକଳା ହେଉ ବା କୁଟୀର ଶିଳ୍ପ, ରୀତିନୀତି ହେଉ ବା ପରମ୍ପରା- ଆମେ ଯେଉଁସବୁ ବିଭବକୁ ଓଡ଼ିଆ ସଂସ୍କୃତିର ଅଂଶବିଶେଷ...

ସନ୍ଦୀପ ସାହୁ

ଓଡ଼ିଆ ସଂସ୍କୃତି କହିଲେ ବୁଝାଏ କ’ଣ? ଖାଦ୍ୟ ହେଉ ବା ପାନୀୟ, ବେଶ ପୋଷାକ ହେଉ ବା ଅଳଙ୍କାର, ନୃତ୍ୟ ହେଉ ବା ସଙ୍ଗୀତ, ହସ୍ତକଳା ହେଉ ବା କୁଟୀର ଶିଳ୍ପ, ରୀତିନୀତି ହେଉ ବା ପରମ୍ପରା- ଆମେ ଯେଉଁସବୁ ବିଭବକୁ ଓଡ଼ିଆ ସଂସ୍କୃତିର ଅଂଶବିଶେଷ ବୋଲି ବିଶ୍ବ ଦରବାରରେ ପ୍ରଚାରିତ, ପ୍ରସାରିତ କରୁ, ସେ ସବୁ କ’ଣ ପ୍ରକୃତରେ ସମଗ୍ର ଓଡ଼ିଶାର ସଂସ୍କୃତି ନା ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡର ସଂସ୍କୃତି? ଆମ ସମ୍ବାଦପତ୍ର ହେଉ ବା ଟେଲିଭିଜନ, ଗଳ୍ପ ହେଉ ବା କବିତା, ନାଟକ ହେଉ ବା ଚଳଚ୍ଚିତ୍ର- ସାମଗ୍ରିକ ଭାବେ ସେସବୁରେ ଯେଉଁ ଚିତ୍ର, ଭାବ ଓ ସମ୍ବେଦନା ଦେଖିବାକୁ ମିଳେ, ସେସବୁରେ କ’ଣ ପୂର୍ଣ୍ଣାଙ୍ଗ ଓଡ଼ିଶାର ପ୍ରତିଫଳନ ଦେଖିବାକୁ ମିଳେ?
ଟିକିଏ ତଳେଇ ଦେଖିଲେ ଆମକୁ ସ୍ବୀକାର କରିବାକୁ ପଡ଼ିବ ଯେ ସମ୍ବଲପୁରୀ ବସ୍ତ୍ର, ଛଉ ନୃତ୍ୟ ଓ ଧନୁଯାତ୍ରା ପରି ଆମ ପାଇଁ ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧି ଆଣି ଦେଇଥିବା କେତୋଟି ହାତଗଣତି ବ୍ୟତିକ୍ରମକୁ ଛାଡ଼ିଦେଲେ ଆମେ ଅବଶିଷ୍ଟ ପୃଥିବୀ ପାଇଁ ଯାହାକୁ ‘‘ଓଡ଼ିଆ ସଂସ୍କୃତି’’ ଭାବେ ପେସ କରି ଚାଲିଛୁ, ତାହା ପ୍ରକୃତରେ ଉପକୂଳ ଓଡ଼ିଶାର ସଂସ୍କୃତି। କିଛି ବର୍ଷ ତଳେ ‘‘ବୋଉ’’ ଡାକକୁ ନେଇ ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ସହ ମୋର ବେଶ କିଛି ସମୟ ଯୁକ୍ତି ତର୍କ ହେଲା। ବନ୍ଧୁଙ୍କର ଦାବି ଥିଲା ‘‘ବୋଉ’’ ଡାକ ସମଗ୍ର ଓଡ଼ିଆ ଜାତିର ଡାକ; ଓଡ଼ିଆ ପ୍ରାଣର ଡାକ; ଓଡ଼ିଆ ପୁଅର ପରିଚୟ। ମୁଁ କିନ୍ତୁ ଏଥିରେ ଆଦୌ ସହମତ ନ ଥିଲି। ମୋର ଯୁକ୍ତି ଥିଲା ଓଡ଼ିଶାର ଏକ ବିଶାଳ ଭୂଖଣ୍ଡରେ ପୁଅମାନେ ନିଜ ଜନ୍ମଦାତ୍ରୀଙ୍କୁ ‘‘ବୋଉ’’ ଡାକନ୍ତି ନାହିଁ। ଉପକୂଳ ବାହାର ଲୋକଙ୍କ ମଧ୍ୟରୁ ଅଧିକାଂଶ ନିଜ ଜନନୀଙ୍କୁ ‘‘ମା’’ ବୋଲି ସମ୍ବୋଧନ କରନ୍ତି। ପୁଣି ଆଦିବାସୀ ସମ୍ପ୍ରଦାୟମାନଙ୍କ ମଧ୍ୟରେ ‘‘ବୋଉ’’/‘‘ମା’’ର ନିଜସ୍ବ ବିକଳ୍ପ ନାମ ଅଛି। ତେଣୁ ‘‘ବୋଉ’’ ଡାକ ସବୁ ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ ବୋଲି କହିବା ଉଚିତ ହେବନାହିଁ। ବନ୍ଧୁ କିନ୍ତୁ ମୋ ଯୁକ୍ତିରେ ସହମତ ହେଲେନାହିଁ; ‘‘ମ୍ୟାଚ୍’’ ଅମୀମାଂସିତ ରହିଲା!
ଆମ ସାହିତ୍ୟରେ ଓଡ଼ିଆ ଜନଜୀବନର ଯେଉଁ ଛବିଟି ପ୍ରତିଫଳିତ ହୁଏ, ତାହା ଊଣାଅଧିକେ ଉପକୂଳ ଓଡ଼ିଶାର ଜନ ଓ ଜୀବନର ଛବି। ଆମ ରାଜ୍ୟର ସମୁଦାୟ ଲୋକସଂଖ୍ୟାର ପ୍ରାୟ ଚଉଠେ ହେଉଛନ୍ତି ଆଦିବାସୀ। ଅଥଚ ଗୋପୀନାଥ ମହାନ୍ତିଙ୍କ କାଳଜୟୀ ଉପନ୍ୟାସ ‘‘ପରଜା’’, ‘‘ମାଟି ମଟାଳ’’ ଓ ‘‘ଅମୃତର ସନ୍ତାନ’’ ପରି କତିପୟ ବ୍ୟତିକ୍ରମକୁ ଛାଡ଼ିଦେଲେ ସେମାନଙ୍କ ଜୀବନଶୈଳୀ, ସଂସ୍କୃତି ଓ ପରମ୍ପରାର ପ୍ରତିଫଳନ ଆମ ସାହିତ୍ୟରେ ପ୍ରାୟତଃ ଦେଖିବାକୁ ମିଳେନାହିଁ। ସମାନ କଥା ଦେଖିବାକୁ ମିଳେ ଆମ ଚଳଚ୍ଚିତ୍ରରେ। ସବ୍ୟସାଚୀ ମହାପାତ୍ରଙ୍କ ଭଳି ଜଣେ ଅଧେ ଚଳଚ୍ଚିତ୍ର ନିର୍ମାତା ଏ ଧାରାରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରିଛନ୍ତି ସତ; କିନ୍ତୁ ଏଭଳି ପ୍ରୟାସ କେବଳ ବ୍ୟତିକ୍ରମ ମାତ୍ର; ମୁଖ୍ୟ ଧାରା ଆଦୌ ନୁହେଁ। ଆମ ‘‘ସଂସ୍କୃତି’’ରେ ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଓଡ଼ିଶାର ବିଶାଳ ଭୂଖଣ୍ଡର ପ୍ରତିନିଧିତ୍ବ କ୍ବଚିତ ଦେଖିବାକୁ ମିଳେ। ଯଦି ବି ମିଳେ, ଏକ ‘‘ପ୍ରପ୍’’ (ଆନୁସଙ୍ଗିକ) ଭାବେ; ମୂଳ ବିଷୟବସ୍ତୁ ବା ଉପାଦାନ ଭାବେ ନୁହେଁ।
ଓଡ଼ିଶାର ପ୍ରମୁଖ ଗଣପର୍ବ କ’ଣ? କୌଣସି ବାହାର ଲୋକ ଆମକୁ ଏ ପ୍ରଶ୍ନ କଲେ ଆମ ଭିତରୁ ଅଧିକାଂଶ ଉତ୍ତର ଦେବେ; ‘‘ରଜ’’। କିନ୍ତୁ ‘‘ରଜ’’ କ’ଣ ସତରେ ସମୁଦାୟ ଓଡ଼ିଶାର ଗଣପର୍ବ ନା କେବଳ ଉପକୂଳ ଓଡ଼ିଶାର? ସମଗ୍ର ପଶ୍ଚିମ ଓଡ଼ିଶାରେ ପ୍ରମୁଖ ଗଣପର୍ବ ହେଉଛି ‘‘ନୂଆଁଖାଇ’’, ‘‘ରଜ’’ ନୁହେଁ। ଉତ୍ତର ଓଡ଼ିଶାର ଆଦିବାସୀ ଅଞ୍ଚଳରେ ‘‘ମକର’’ ହେଉଛି ପ୍ରମୁଖ ଗଣପର୍ବ। ସେହିପରି ଦକ୍ଷିଣ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ ଗଣପର୍ବ ପାଳିତ ହୁଏ। ତେଣୁ ରଜକୁ ‘‘ଓଡ଼ିଶାର ଗଣପର୍ବ’’ ବୋଲି କହିବା ସତ୍ୟର ଅପଳାପ ହେବ। କିନ୍ତୁ ଲକ୍ଷ୍ୟ କରିବାର କଥା ଯେ ଆମ ସମ୍ବାଦଭିତ୍ତିକ ଟେଲିଭିଜନ ଚ୍ୟାନେଲର ଉପସ୍ଥାପକମାନେ ରଜକୁ ‘‘ଓଡ଼ିଶାର ଗଣପର୍ବ’’ ଭାବେ ଆଖ୍ୟାୟିତ କରୁଥିବା ବେଳେ ନୂଆଁଖାଇକୁ ‘‘ପଶ୍ଚିମ ଓଡ଼ିଶାର ଗଣପର୍ବ’’ ବୋଲି ଦର୍ଶକମାନଙ୍କୁ ମନେ ପକାଇ ଦେବାପାଇଁ ଭୁଲନ୍ତି ନାହିଁ। ସତ କଥା ହେଲା, ଏମିତି କୌଣସି ପର୍ବ ନାହିଁ ଯାହା ସାରା ଓଡ଼ିଶାର ‘‘ଗଣପର୍ବ’’ ପଦବାଚ୍ୟ ହୋଇପାରିବ।
ଯଦି କାହାକୁ ସମଗ୍ର ଓଡ଼ିଶାର ପରିଚୟ ବୋଲି କୁହାଯାଇ ପାରିବ, ତେବେ ସେ ହେଲେ ପ୍ରଭୁ ଜଗନ୍ନାଥ। କିନ୍ତୁ ଧର୍ମ ଓ ବିଶ୍ୱାସ କ୍ଷେତ୍ରରେ ମଧ୍ୟ ସ୍ଥଳ ବିଶେଷରେ ଆରାଧ୍ୟ ଦେବତା/ଦେବତୀ ବଦଳି ଯାଆନ୍ତି। ବାରିପଦାର ଅଧିଷ୍ଠାତ୍ରୀ ଦେବୀ ହେଲେ ମା’ ଅମ୍ବିକା; ଭବାନୀପାଟଣାରେ ମା’ ମାଣିକେଶ୍ବରୀ; ତାଳଚେରରେ ମା’ ହିଙ୍ଗୁଳା। ଦକ୍ଷିଣ ଓଡ଼ିଶାର ଆଦିବାସୀଙ୍କ ପାଇଁ ‘‘ନିୟମ ରାଜା’’ (ନିୟମଗିରି) ହେଲେ ବିଶ୍ବନିୟନ୍ତା।
ଉପକୂଳ ଓଡ଼ିଶାର ମାତ୍ରାଧିକ ପ୍ରଭାବ କେବଳ ଆମ ସଂସ୍କୃତିରେ ଦେଖିବାକୁ ମିଳେ ନାହିଁ; ଆମ ରାଜନୀତି ମଧ୍ୟ ଉପକୂଳସର୍ବସ୍ବ। ପ୍ରଣିଧାନର ବିଷୟ ହେଉଛି ସଦାଶିବ ତ୍ରିପାଠୀ ଓ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ଛାଡ଼ିଦେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ପ୍ରାୟ ସମସ୍ତ ନେତା ଉପକୂଳ ଓଡ଼ିଶାର। ସଦାଶିବ ତ୍ରିପାଠୀ ଦୁଇବର୍ଷ ପାଇଁ (୧୯୬୫-୬୭) ମୁଖ୍ୟମନ୍ତ୍ରୀ ହୋଇଥିଲେ। ସିଂହଦେଓ ୧୯୬୭ ମସିହାରେ ଏକ ବିଶେଷ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିଧାନସଭାରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ଲାଭ କରିପାରି ନ ଥିବାରୁ ସ୍ବତନ୍ତ୍ର ପାର୍ଟି ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ଓଡ଼ିଶା ଜନ କଂଗ୍ରେସଙ୍କ ମିଳିତ ସରକାର ଗଠିତ ହୋଇଥିଲା ଓ ଏକକ ସଂଖ୍ୟାଗରିଷ୍ଠ ଦଳ ସ୍ବତନ୍ତ୍ର ପାର୍ଟି (୪୯ ସିଟ୍)ର ନେତା ଭାବରେ ସିଂହଦେଓ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆପଣମାନେ କହିପାରନ୍ତି ପଶ୍ଚିମ ଓଡ଼ିଶାର ଆଦିବାସୀ ନେତା ହେମାନନ୍ଦ ବିଶ୍ବାଳ ଦୁଇ ଦୁଇ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କିନ୍ତୁ ଆମେ ଭୁଲିଯିବା ଉଚିତ ନୁହେଁ ଯେ ଦୁଇ ଥର ଯାକ ସେ ବିଦାୟୀ କଂଗ୍ରେସ ସରକାରର କାର୍ଯ୍ୟକାଳର ଶେଷ କିଛି ଦିନ ପାଇଁ ‘‘କାମଚଳା’’ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଉଭୟ ଥର ତାଙ୍କ ମୁଖ୍ୟମନ୍ତ୍ରିତ୍ବର ଅବଧି ଥିଲା ତିନି ମାସରୁ କମ୍। ଅନେକ ଦିନର ବ୍ୟବଧାନ ପରେ ଏବେ ଜଣେ ଅଣ-ଉପକୂଳବର୍ତ୍ତୀ ଓଡ଼ିଶା (କେନ୍ଦୁଝର ଜିଲ୍ଲା)ର ନେତା ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଯଦି ସେ ନିଜର ନିର୍ଦ୍ଧାରିତ କାର୍ଯ୍ୟକାଳ ପୂର୍ଣ୍ଣ କରନ୍ତି, ତେବେ ସେ ହେବେ ପାଞ୍ଚ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ପ୍ରଥମ ଅଣ ଉପକୂଳିଆ ନେତା।
ଆମ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଜୀବନରେ ଉପକୂଳ ଓଡ଼ିଶାର ମାତ୍ରାଧିକ ପ୍ରଭାବର ଏକ ନିର୍ଦ୍ଦିଷ୍ଟ ପୃଷ୍ଠଭୂମି ରହିଛି। ଓଡ଼ିଶା ସିନା ଥିଲା ଭାଷା ଭିତ୍ତିରେ ଗଠିତ ଭାରତର ପ୍ରଥମ ରାଜ୍ୟ। କିନ୍ତୁ ଏପ୍ରିଲ ୧, ୧୯୩୬ରେ ଯେଉଁସବୁ ଅଞ୍ଚଳକୁ ନେଇ ଓଡ଼ିଶା ରାଜ୍ୟ ଗଠିତ ହେଲା, ସେସବୁ ଥିଲା ଅବିଭକ୍ତ କଟକପୁରୀ, ବାଲେଶ୍ବର, ଗଞ୍ଜାମକୋରାପୁଟ ଓ ସମ୍ବଲପୁର ଜିଲ୍ଲା। ବିହାର-ଓଡ଼ିଶା ପ୍ରଦେଶର ବିଭାଜନ ତଥା ମାଡ୍ରାସ ପ୍ରେସିଡେନ୍‌ସି ଓ ସେଣ୍ଟ୍ରାଲ (ମଧ୍ୟଭାରତ) ପ୍ରେସିଡେନ୍‌ସିର କିଛି ଅଞ୍ଚଳକୁ ନେଇ ଗଠିତ ଏହି ପ୍ରଦେଶ ବାହାରେ ଥିଲେ ଓଡ଼ିଆ ଭାଷାଭାଷୀ ଆହୁରି ୨୬ଟି ଗଡ଼ଜାତ ଅଞ୍ଚଳ, ଯାହା ମଧ୍ୟରେ ଥିଲେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ପରି ବଡ଼ ‘‘ରାଜ୍ୟ’’। ସେଗୁଡ଼ିକ ସ୍ବାଧୀନତା ପରେ ହିଁ ଓଡ଼ିଶାରେ ସମ୍ମିଳିତ ହେଲେ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ବ୍ରିଟିସ ଶାସିତ ଏହି ଅଞ୍ଚଳରେ ହିଁ ଆଧୁନିକ ଶିକ୍ଷାର ପ୍ରସାର ହୋଇଥିଲା। ଶିକ୍ଷାର ପ୍ରସାର ସହିତ ଆସିଲା ବ୍ୟାପକ ଜନ ସଚେତନତା। ପ୍ରାରମ୍ଭିକ ପର୍ଯ୍ୟାୟରେ ଅବଶିଷ୍ଟ ଓଡ଼ିଶାର ଲୋକେ ଏଥିରୁ ବଞ୍ଚିତ ରହିଲେ। ପରିଣାମ ସ୍ବରୂପ ଶିକ୍ଷା ଠାରୁ ଆରମ୍ଭ କରି ପ୍ରଶାସନ, ସଂସ୍କୃତି ଠାରୁ ଆରମ୍ଭ କରି ରାଜନୀତି ସବୁ କ୍ଷେତ୍ରରେ ଆଧୁନିକ ଶିକ୍ଷା ବଳରେ ବଳୀୟାନ ବ୍ରିଟିସ ଶାସିତ (ମୁଖ୍ୟତଃ ଉପକୂଳ ଓଡ଼ିଶା) ଅଞ୍ଚଳର ଲୋକଙ୍କ ଅଖଣ୍ଡ ପ୍ରଭାବ ରହିଲା। ସ୍ୱାଧୀନତା ପରେ ମଧ୍ୟ ଶିକ୍ଷା, ସଚେତନତା ଓ ଆର୍ଥିକ କ୍ଷେତ୍ରରେ ଉପକୂଳ ଓଡ଼ିଶା ଓ ଅବଶିଷ୍ଟ ଓଡ଼ିଶାର ଲୋକଙ୍କ ମଧ୍ୟରେ ରହିଥିବା ତାରତମ୍ୟ ଦୂର କରିବା ପାଇଁ ଯଥେଷ୍ଟ ଓ ନିଷ୍ଠାପର ଉଦ୍ୟମ ହେଲାନାହିଁ, ଯାହା ଫଳରେ ପ୍ରଦେଶରେ ରହୁଥିବା ସବୁ ଲୋକଙ୍କ ଭିତରେ ଏକ ସାଂସ୍କୃତିକ ଓ ଭାବଗତ ଐକ୍ୟ ଓ ସଂହତି ପ୍ରତିଷ୍ଠା ହୋଇପାରିଲା ନାହିଁ କି ଏକ ସାମଗ୍ରିକ ନିଖିଳ ଓଡ଼ିଶା ପରିଚୟ ସୃଷ୍ଟି ହୋଇପାରିଲା ନାହିଁ। ବରଂ ସବୁ କ୍ଷେତ୍ରରେ ଉପକୂଳ ଲୋକଙ୍କ ପ୍ରଭାବ ବିଭିନ୍ନ ଅଞ୍ଚଳରେ – ବିଶେଷ କରି ପଶ୍ଚିମ ଓଡ଼ିଶାରେ – ଗାତ୍ରଦାହ ସୃଷ୍ଟି କଲା ଓ ବିଛିନ୍ନତାବାଦକୁ ଜନ୍ମ ଦେଲା, ଯାହାର ପରିଣାମ ହେଲା ସ୍ବତନ୍ତ୍ର ‘‘କୋଶଳ ପ୍ରଦେଶ’’ ଦାବି।
ଓଡ଼ିଶାର ଏକ ସାମୂହିକ ସାଂସ୍କୃତିକ ଓ ରାଜନୀତିକ ପରିଚୟ ସୃଷ୍ଟି ପାଇଁ ଏବେ ମଧ୍ୟ ସମୟ ଗଡ଼ି ଯାଇନାହିଁ। କିନ୍ତୁ ଏଥିପାଇଁ ଆବଶ୍ୟକ ହେଉଛି ଉଭୟ ପକ୍ଷର ଉଦାରତା। ଉପକୂଳ ଓଡ଼ିଶାର ଲୋକମାନେ ସ୍ବୀକାର କରିବା ଦରକାର ଯେ ଉପକୂଳ ବାହାରେ ବି ଓଡ଼ିଶାର ଏକ ବିସ୍ତୃତ ଅଞ୍ଚଳ ରହିଛି, ଯାହା ବିଭିନ୍ନ ଐତିହାସିକ କାରଣ ଯୋଗୁଁ ଆଶାନୁରୂପ ପ୍ରଗତି କରିପାରି ନାହିଁ। ଏବଂ ସେସବୁ ଅଞ୍ଚଳରେ ସମତୁଲ ବିକାଶ ଆଣିବାରେ ଓ ସେଠାକାର ଲୋକଙ୍କ ବିଶ୍ୱାସ ଜିଣିବାରେ ଓ ତାଙ୍କ ସହ ଭାବଗତ ଐକ୍ୟ ସ୍ଥାପନ ଦିଗରେ ସେମାନଙ୍କର ମଧ୍ୟ କିଛି କର୍ତ୍ତବ୍ୟ ଅଛି। ସେହିପରି ଅବଶିଷ୍ଟ ଓଡ଼ିଶାର ଲୋକ ମଧ୍ୟ ନିଜ ଅନଗ୍ରସରତା ପାଇଁ ଅକାରଣରେ ଉପକୂଳ ଲୋକଙ୍କୁ ଦୋଷ ନ ଦେଇ ସବୁ କ୍ଷେତ୍ରରେ ତାଙ୍କ ସମକକ୍ଷ ହେବା ପାଇଁ ନିଷ୍ଠାପର ଉଦ୍ୟମ କରିବା ଜରୁରି। ଈର୍ଷା, ପରଶ୍ରୀକାତରତା ଓ ସଂକୀର୍ଣ୍ଣତା ଆମକୁ ଧ୍ବଂସ ଆଡ଼କୁ ଟାଣି ନେବ। କିନ୍ତୁ ଏଭଳି ନକାରାତ୍ମକ ଚିନ୍ତାଧାରା ପରିହାର କରି ଓଡ଼ିଶାର ସବୁ ଅଞ୍ଚଳରେ ରହୁଥିବା ସବୁ ଲୋକ ଉଦାର ଚିତ୍ତରେ ନିଷ୍ଠାପର ଉଦ୍ୟମ କଲେ ୨୦୩୬ ମସିହାରେ ଆମେ ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପାଇବାର ଶତବାର୍ଷିକୀ ପାଳନ କଲାବେଳକୁ ଏକ ସୁସଂହତ, ଐକ୍ୟବଦ୍ଧ ଓ ଶକ୍ତିଶାଳୀ ଓଡ଼ିଆ ପରିଚୟର ପରିକଳ୍ପନା ନିଶ୍ଚୟ କରାଯାଇପାରେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୨୨୮୧୨୨

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.