Breaking News

ହୁଗୁଳା କବଚ

ଦେଶ ଦେଶ ମଧ୍ୟରେ ଯେଉଁ ସମସ୍ତ ନିରାପତ୍ତା ଚୁକ୍ତିମାନ ସ୍ବାକ୍ଷରିତ ହୋଇ ଆନ୍ତର୍ଜାତିକ ଶାନ୍ତି ରକ୍ଷା କରିବାରେ ସହାୟକ ହୋଇଛି, ଟ୍ରମ୍ପ ଚୁକ୍ତି ଅମାନ୍ୟ କରି କାର୍ଯ୍ୟ କରିବା ଫଳରେ ସେସବୁ ଚୁକ୍ତିମାନଙ୍କର ବିଶ୍ବସନୀୟତାରେ ହ୍ରାସ ଘଟିବାର ସମ୍ଭାବନା ଦେଖାଦେଇପାରେ।

ଦେଶ ଦେଶ ମଧ୍ୟରେ ଯେଉଁ ସମସ୍ତ ନିରାପତ୍ତା ଚୁକ୍ତିମାନ ସ୍ବାକ୍ଷରିତ ହୋଇ ଆନ୍ତର୍ଜାତିକ ଶାନ୍ତି ରକ୍ଷା କରିବାରେ ସହାୟକ ହୋଇଛି, ଟ୍ରମ୍ପ ଚୁକ୍ତି ଅମାନ୍ୟ କରି କାର୍ଯ୍ୟ କରିବା ଫଳରେ ସେସବୁ ଚୁକ୍ତିମାନଙ୍କର ବିଶ୍ବସନୀୟତାରେ ହ୍ରାସ ଘଟିବାର ସମ୍ଭାବନା ଦେଖାଦେଇପାରେ। ସେପରି ଘଟିଲେ ଦୁର୍ବଳ କ୍ଷୁଦ୍ର ଦେଶମାନ ଅସୁରକ୍ଷିତ ଓ ଅସହାୟ ହୋଇପଡ଼ିବେ। ଟ୍ରମ୍ପଙ୍କର ଏପରି ଏକଛତ୍ରବାଦୀସୁଲଭ ଆଚରଣ କେତେକ ଗଣତାନ୍ତ୍ରିକ ଦେଶର ନିର୍ବାଚିତ ନେତାମାନଙ୍କ ଠାରେ ଥିବା ଶୁପ୍ତ ଏକଛାତ୍ରବାଦୀ ପ୍ରବୃତ୍ତିକୁ ମଧ୍ୟ ଜାଗ୍ରତ କରିପାରେ।

ପ୍ରାୟ ୮୫ ବର୍ଷ ତଳେ ଜର୍ମାନୀର ଉଦ୍‌ଭ୍ରାନ୍ତ ଏକଛତ୍ର ଶାସକ ଆଡଲ୍‌ଫ ହିଟ୍‌ଲରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଦ୍ବିତୀୟ ବିଶ୍ବଯୁଦ୍ଧରେ କେବଳ ପ୍ରାୟ ନ’କୋଟି ସାମରିକ ଓ ବେସାମରିକ ଲୋକଙ୍କର ପ୍ରାଣନାଶ ଘଟିଥିଲା, ତାହା ନୁହେଁ, ଯୁଦ୍ଧର ଅନ୍ତ ଘଟାଇବା ନିମିତ୍ତ ପରମାଣୁ ବୋମାର ସର୍ବପ୍ରଥମ ବ୍ୟବହାର ମନୁଷ୍ୟ ଠାରେ ଏକ ଛାନିଆ ସୃଷ୍ଟି କରିଦେଇଥିଲା ଯେ ଯଦି କେବେ ଏକ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯାଏ ତେବେ ତା’ର ଅନ୍ତ ଘଟିବା ବେଳକୁ ସମଗ୍ର ମନୁଷ୍ୟ ସମାଜ ଏକ ପରମାଣୁ ମହାବିସ୍ଫୋରଣରେ ସଂପୂର୍ଣ୍ଣ ରୂପେ ଲୋପ ପାଇ ଯାଇପାରେ। ମନେ ରଖିବା କଥା ହିଟ୍‌ଲରଙ୍କ ନିର୍ଦ୍ଦେଶରେ ଜର୍ମାନ୍‌ ସେନାବାହିନୀ ପୋଲାଣ୍ଡକୁ ଆକ୍ରମଣ କରି ଦଖଲ କରିବା ପରେ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯାଇଥିଲା।
ସେ ଯୁଦ୍ଧ ସମାପ୍ତ ହେବା ପରେ ଭବିଷ୍ୟତରେ ଯେପରି ତାହାର ପୁନରାବୃତ୍ତି ନ ଘଟେ, ତାହା ନିଶ୍ଚିତ କରିବା ପାଇଁ ପୃଥିବୀର ନେତୃବର୍ଗ ଯେଉଁ ନୂତନ ଆନ୍ତର୍ଜାତିକ ବ୍ୟବସ୍ଥାର ପରିକଳ୍ପନା କଲେ ସେଥିରେ ପ୍ରତ୍ୟେକ ଦେଶର ଆଞ୍ଚଳିକ ସାର୍ବଭୌମତ୍ବକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରାଯାଇଥିଲା। ଏଥିସହିତ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଏକ ଆଦର୍ଶ ରାଜନୈତିକ ବ୍ୟବସ୍ଥା ରୂପେ ମଧ୍ୟ ପ୍ରାଧାନ୍ୟ ପ୍ରଦାନ କରାଯାଇଥିଲା। ଗଣତାନ୍ତ୍ରିକ ବ୍ୟବସ୍ଥାର ଆଉ କିଛି ସୁଗୁଣ ବା ଦୁର୍ଗୁଣ ଥାଉ ବା ନ ଥାଉ, ଏହା ଏକ ଐତିହାସିକ ସତ୍ୟ ଯେ ମାନବ ସଭ୍ୟତାର ସମଗ୍ର ଇତିହାସରେ ଦୁଇଟି ବିଶୁଦ୍ଧ ଗଣତାନ୍ତ୍ରିକ ଦେଶ ମଧ୍ୟରେ କେବେହେଲେ ଯୁଦ୍ଧ ଘଟିବା ଦେଖାଯାଇନାହିଁ। ଏଣୁ ଗଣତନ୍ତ୍ରର ପ୍ରସାର ଆଉ ଏକ ବିଶ୍ବଯୁଦ୍ଧର ସମ୍ଭାବନାକୁ ପ୍ରତିହତ କରିବାର ପ୍ରକୃଷ୍ଟ ଉପାୟ ରୂପେ ବିଚାର କରାଯାଇଥାଏ।
ଏକ ଯୁଦ୍ଧୋତ୍ତର ନୂତନ ପୃଥିବୀରେ ଏହି ମୂଲ୍ୟବୋଧକୁ ପ୍ରସାର କରିବା ପାଇଁ ତଥା ସୁରକ୍ଷିତ ରଖିବା ପାଇଁ ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଅନୁଷ୍ଠାନମାନ ପ୍ରତିଷ୍ଠିତ ହୋଇଥିଲେ। ଯୁଦ୍ଧ ପରେ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ଏହି ଅନୁଷ୍ଠାନମାନ ଊଣାଅଧିକେ ନିଜର ଦାୟିତ୍ବ ପାଳନରେ ସଫଳ ହୋଇ ପୃଥିବୀରେ ଶାନ୍ତିକୁ ସୁରକ୍ଷିତ ରଖିପାରିଥିଲେ ହେଁ ନିକଟ ଅତୀତରେ ୟୁକ୍ରେନ୍‌ରୁ ମଧ୍ୟପ୍ରାଚ୍ୟ ପର୍ଯ୍ୟନ୍ତରେ ଦେଖାଦେଇଥିବା ଯୁଦ୍ଧମାନ ଯୋଗୁଁ ଏକ ଆଶଙ୍କା ଦୃଢ଼ୀଭୂତ ହେବାକୁ ଲାଗିଲାଣି ଯେ ସେ ସମସ୍ତ ଅନୁଷ୍ଠାନ ସମୟକ୍ରମେ ପ୍ରଭାବହୀନ ହୋଇଗଲେଣି।
ଠିକ୍ ଏଇ ସମୟରେ ଯେଉଁ ଗଣତନ୍ତ୍ର ପୃଥିବୀକୁ ଯୁଦ୍ଧରୁ ସୁରକ୍ଷିତ ରଖିବା ପାଇଁ ଏକ କବଚ ରୂପେ କାର୍ଯ୍ୟ କରିଆସିଥିବା ଭଳି ମନେ ହେଉଥିଲା, ତାହା ହୁଗୁଳା ହେବାକୁ ଆରମ୍ଭ କରିବାର ସମ୍ଭାବନା ଦେଖାଦେଇ ଏକ ବିଶ୍ବବ୍ୟାପୀ ଅସ୍ବସ୍ତି ସୃଷ୍ଟି ହେଲାଣି। ପୁଣି ଯେଉଁ ଗଣତାନ୍ତ୍ରିକ ରାଷ୍ଟ୍ର ଯୋଗୁଁ ଏହି ପରିସ୍ଥିତି ଉଙ୍କି ମାରିଛି, ସେ ହେଉଛି ପୃଥିବୀର ସର୍ବାଧିକ ଶକ୍ତିଶାଳୀ ତଥା କେତେକଙ୍କ ବିଚାରରେ ସର୍ବପ୍ରଥମ ଗଣତନ୍ତ୍ର- ଯୁକ୍ତରାଷ୍ଟ୍ର ଆମେରିକା। ସଂକ୍ଷେପରେ କହିଲେ ଏକଛତ୍ରବାଦୀ ଜର୍ମାନୀର ପୋଲାଣ୍ଡ ଦଖଲ ଯେପରି ଦ୍ବିତୀୟ ବିଶ୍ବଯୁଦ୍ଧର ସୂତ୍ରପାତ କରିଥିଲା, ଗଣତାନ୍ତ୍ରିକ ଆମେରିକାର ଗ୍ରିନଲାଣ୍ଡ ଦଖଲ ଉଦ୍ୟମ ବା କାନାଡା ଦଖଲ ଇସାରା ସେହିପରି ତୃତୀୟ ତଥା ଅନ୍ତିମ ବିଶ୍ବଯୁଦ୍ଧର ସୂତ୍ରପାତ କରିବ କି ଆଉ? କିମ୍ବା ଆମେରିକାର ପୂର୍ବତନ ତଥା ଭାବୀ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କର ଏ ଦୁଇ ଅଭିଳାଷା ଯଦି ଏହି ଅନର୍ଥ ସୃଷ୍ଟି କରିବାରେ ବିଫଳ ହୁଅନ୍ତି, ତେବେ ଚୁକ୍ତି ଉଲ୍ଲଂଘନ କରି ପାନାମା କେନାଲ ପୁନର୍ଦଖଲ କରିବା ପାଇଁ ସେ କରିଥିବା ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଯାଇ ସେ ଏହା ଘଟାଇବେ କି?
କେତେକ ଅବଶ୍ୟ ଟ୍ରମ୍ପଙ୍କର ଏଭଳି ଘୋଷଣା ସବୁକୁ ବିଶୁଦ୍ଧ ଫମ୍ପା ବାହାସ୍ଫୋଟ ବୋଲି ବିଚାର କରୁଛନ୍ତି। କେତେକ ମନ୍ତବ୍ୟକାର ତ ରହସ୍ୟ କରି କହୁଛନ୍ତି ଯେ ଟ୍ରମ୍ପ ଭାରତକୁ ଅନୁକରଣ କରି ‘ଅଖଣ୍ଡ ଭାରତ’ ଭଳି ‘ଅଖଣ୍ଡ ଆମେରିକା’ ଗଠନର ସ୍ବପ୍ନ ଦେଖିବାକୁ ଆରମ୍ଭ କରିଛନ୍ତି। ତେବେ ଜାନୁଆରି ୨୦ରେ ସେ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କଲାପରେ ଏହି ଚିତ୍ର ଅଧିକ ସ୍ପଷ୍ଟ ହେବ।
ଅବଶ୍ୟ ଟ୍ରମ୍ପଙ୍କୁ ତାଙ୍କର ଏତାଦୃଶ ଉଦ୍ୟମ ପାଇଁ ଆମେରିକାର ଅତୀତ ଇତିହାସ ‌ଉତ୍ସାହିତ କରିପାରୁଥାଏ। ଆମେରିକାର ତୃତୀୟ ରାଷ୍ଟ୍ରପତି ‌ଥମାସ୍ ଜେଫର୍ସନ ୧୮୦୩ରେ ଫ୍ରାନ୍‌ସ ଠାରୁ ଲୁଇଜିଆନା ଅଞ୍ଚଳ କ୍ରୟ କରି ଆମେରିକାର ଆକାର ଦ୍ବିଗୁଣିତ କରିଦେଇଥିଲେ, ଯଦିବା ସେ ସମୟରେ ସେ ଏଥିପାଇଁ ରାଜନୈତିକ ବିରୋଧର ସମ୍ମୁଖୀନ ହୋଇଥିଲେ। ଏହାର ୬୪ ବର୍ଷ ପରେ ୧୮୬୭ରେ ରାଷ୍ଟ୍ରପତି ଆଣ୍ଡ୍ରୁ ଜନ୍‌ସନ୍ ୭.୨ ନିୟୁତ ଡଲାର୍ ମୂଲ୍ୟରେ ରୁଷିଆ ଠାରୁ ଆଲାସ୍କା କ୍ରୟ କରିଥିଲେ। ବର୍ତ୍ତମାନ ଲୁଇଜିଆନା କ୍ରୟକୁ ଆମେରିକାର ଜଣେ ସର୍ବଶ୍ରେଷ୍ଠ ରାଷ୍ଟ୍ରପତିମାନଙ୍କ ମଧ୍ୟରୁ ଅନ୍ୟତମଙ୍କର ସର୍ବଶ୍ରେଷ୍ଠ ଉପଲବ୍‌ଧି ରୂପେ ବିଚାର କରାଯାଉଥିବାବେଳେ ଆଲାସ୍କା କ୍ରୟକୁ ଏକ ଅତ୍ୟନ୍ତ ଚତୁର ବ୍ୟାବସାୟିକ କାରବାର ରୂପେ ବିଚାର କରାଯାଉଛି। ଡୋନାଲ୍‌ଡ ଟ୍ରମ୍ପ ନିଜକୁ ଜଣେ ମହାନ ରାଷ୍ଟ୍ରନାୟକ ରୂପେ ଯେତିକି ଦେଖିଥାନ୍ତି, ସେତିକି ଜଣେ ବିଚକ୍ଷଣ ବ୍ୟବସାୟପତି ରୂପେ ମଧ୍ୟ ଦେଖିଥାନ୍ତି। ଏଣୁ ଆଞ୍ଚଳିକ ସଂପ୍ରସାରଣ ଘଟାଇ ଅଖଣ୍ଡ ଆମେରିକା ଗଠନ କରି ଜେଫର୍ସନ୍ ବା ଜନ୍‌ସନ୍‌ଙ୍କ ପରି ଇତିହାସରେ ନିଜର ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିବା ଉଦ୍ଦେଶ୍ୟରେ ଟ୍ରମ୍ପ ତାଙ୍କର ଘୋଷଣା କାର୍ଯ୍ୟକାରୀ କରିବା ପାଇଁ ଆଗେଇ ଆସି ପାରନ୍ତି।
ଟ୍ରମ୍ପ କିନ୍ତୁ ତାଙ୍କର ଏହି ଲକ୍ଷ୍ୟ ହାସଲ ପାଇଁ ସାମରିକ ବଳ ପ୍ରୟୋଗ କରିବାର ସମ୍ଭାବନାକୁ ସଂପୂର୍ଣ୍ଣ ଅସ୍ବୀକାର କରିନାହାନ୍ତି। ଅପରପକ୍ଷେ ଜାନୁଆରି ୭ରେ ଗ୍ରିନ୍‌ଲାଣ୍ଡ ଓ ପାନାମା କେନାଲ ଦଖଲ କରିବାକୁ ଆବଶ୍ୟକ ହେଲେ ସାମରିକ କିମ୍ବା ଅର୍ଥନୈତିକ ବଳ ପ୍ରୟୋଗର ସମ୍ଭାବନାକୁ ଅସ୍ବୀକାର କରିବାକୁ ଟ୍ରମ୍ପ ମନା କରିଦେଇ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। ଟ୍ରମ୍ପଙ୍କ ଧମକ ଯଦି ବାସ୍ତବ ରୂପ ପରିଗ୍ରହଣ କରେ, ତାହାର ଏକାଧିକ କୁଫଳ ଭୋଗ କରିବା ପାଇଁ ପୃଥିବୀବାସୀ ପ୍ରସ୍ତୁତ ହୋଇଯିବା ଉଚିତ। ଏହାଦ୍ବାରା ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ରମାନେ ହୁଏତ ସେମାନଙ୍କ ସଂପ୍ରସାରଣବାଦୀ ପ୍ରବୃତ୍ତି ଚରିତାର୍ଥ କରିବାକୁ ଆଗେଇ ଆସି ପାରନ୍ତି। ଉଦାହରଣ ସ୍ବରୂପ ନିଜର ସୀମା ସଂପ୍ରସାରଣ ପାଇଁ ଦୀର୍ଘ କାଳ ଧରି ଉଦ୍ୟମ ଚଳାଇ ଆସିଥିବା ଚୀନ୍ ଆମେରିକାର କାର୍ଯ୍ୟକୁ ନିଜର ରୂପେ ପ୍ରଦର୍ଶିତ କରି ସମଗ୍ର ଦକ୍ଷିଣ ଚୀନା ସାଗରକୁ ଓ ସେଥିରେ ଅବସ୍ଥିତ ଦ୍ବୀପମାନଙ୍କୁ ଦଖଲ କରିବାକୁ ଆଗେଇଯିବା ସଙ୍ଗେ ସଙ୍ଗେ ଭାରତ ସମେତ ଅନ୍ୟ ଦେଶମାନଙ୍କ ସହିତ ଥିବା ତା’ର ସୀମା ବିବାଦକୁ ପୁନରୁଜ୍ଜୀବିତ କରିବାର ଦୃଢ଼ ସମ୍ଭାବନା ରହିଛି। ଚୀନ୍ ତାଇୱାନକୁ ଦଖଲ କରିବା ନିମିତ୍ତ ଯେଉଁ ଧମକ ଦେଇଆସୁଛି, ତାହାକୁ ବାସ୍ତବରେ କାର୍ଯ୍ୟକାରୀ କରିବା ପାଇଁ ଏକ ବାହାନା ପାଇଯିବ। ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ରୁଷିଆ ଏହାଦ୍ବାରା କିପରି ନୈତିକ ବଳ ପାଇଯିବ, ତାହା ସହଜେ ଅନୁମେୟ।
ଟ୍ରମ୍ପ ଯଦି ତାଙ୍କ ଧମକକୁ କାର୍ଯ୍ୟକାରୀ ନ କରନ୍ତି ମଧ୍ୟ, ତେବେ ବି ଆନ୍ତର୍ଜାତିକ ଶକ୍ତିକୁ ବ୍ୟାହତ କରିବା ପାଇଁ ତାହା ଯଥେଷ୍ଟ ସମ୍ଭାବନା ବହନ କରିଥାଏ। ଦେଶ ଦେଶ ମଧ୍ୟରେ ଯେଉଁ ସମସ୍ତ ନିରାପତ୍ତା ଚୁକ୍ତିମାନ ସ୍ବାକ୍ଷରିତ ହୋଇ ଆନ୍ତର୍ଜାତିକ ଶାନ୍ତି ରକ୍ଷା କରିବାରେ ସହାୟକ ହୋଇଛି, ଟ୍ରମ୍ପ ଚୁକ୍ତି ଅମାନ୍ୟ କରି କାର୍ଯ୍ୟ କରିବା ଫଳରେ ସେସବୁ ଚୁକ୍ତିମାନଙ୍କର ବିଶ୍ବସନୀୟତାରେ ହ୍ରାସ ଘଟିବାର ସମ୍ଭାବନା ଦେଖାଦେଇପାରେ। ସେପରି ଘଟିଲେ ଦୁର୍ବଳ କ୍ଷୁଦ୍ର ଦେଶମାନ ଅସୁରକ୍ଷିତ ଓ ଅସହାୟ ହୋଇପଡ଼ିବେ। ଟ୍ରମ୍ପଙ୍କର ଏପରି ଏକଛତ୍ରବାଦୀସୁଲଭ ଆଚରଣ କେତେକ ଗଣତାନ୍ତ୍ରିକ ଦେଶର ନିର୍ବାଚିତ ନେତାମାନଙ୍କ ଠାରେ ଥିବା ଶୁପ୍ତ ଏକଛାତ୍ରବାଦୀ ପ୍ରବୃତ୍ତିକୁ ମଧ୍ୟ ଜାଗ୍ରତ କରିପାରେ। ସେପରି ହେଲେ ଗଣତନ୍ତ୍ରର କବଚ ହରାଇ ପୃଥିବୀ ସଂପୂର୍ଣ୍ଣ ରୂପେ ଅସୁରକ୍ଷିତ ହୋଇପଡ଼ିବ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.