Breaking News

ରାହୁଲଙ୍କ ‘ଭାରତୀୟ ରାଷ୍ଟ୍ର’ ଟିପ୍ପଣୀ ନେଇ ବିବାଦ ତେଜିଲା: ତୀବ୍ର ଆକ୍ରମଣ କଲା ବିଜେପି

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତୀୟ ରାଷ୍ଟ୍ର’ ଟିପ୍ପଣୀ ପାଇଁ ବିଜେପି ଆଜି ତାଙ୍କ ଉପରେ ତୀବ୍ର ଆକ୍ରମଣ କରିଛି। ଦିଲ୍ଲୀରେ କଂଗ୍ରେସର ନୂଆ ମୁଖ୍ୟାଳୟ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଆଜି କହିଥିଲେ ଯେ ଆମେ ଏବେ ବିଜେପି...

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତୀୟ ରାଷ୍ଟ୍ର’ ଟିପ୍ପଣୀ ପାଇଁ ବିଜେପି ଆଜି ତାଙ୍କ ଉପରେ ତୀବ୍ର ଆକ୍ରମଣ କରିଛି।  ଦିଲ୍ଲୀରେ କଂଗ୍ରେସର ନୂଆ ମୁଖ୍ୟାଳୟ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଆଜି କହିଥିଲେ ଯେ ଆମେ ଏବେ ବିଜେପି, ଆରଏସ୍‌ଏସ୍‌  ସମେତ ‘ଭାରତୀୟ ରାଷ୍ଟ୍ର’ ସହ ବି ଲଢ଼େଇ କରୁଛୁ। ରାହୁଲଙ୍କର ଏହି ଟିପ୍ପଣୀକୁ ବିଜେପି ନେତାମାନେ ଜୋର୍‌ଦାର୍‌ ବିରୋଧ କରିଛନ୍ତି। ବିଜେପି ସଭାପତି ଜେପି ନଡ୍ଡା ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀ  ସହରୀ ନକ୍ସଲଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କକୁ ପୁଣି ଥରେ ପ୍ରମାଣିତ କରିଛନ୍ତି। ସେମାନେ ଭାରତର ସମ୍ମାନ ନଷ୍ଟ କରିବାକୁ ଚାହାନ୍ତି।  ଏକ୍ସରେ ଏକ ପୋଷ୍ଟ୍‌ କରି ନଡ୍ଡା କହିଛନ୍ତି, ‘ଦେଶ ଯାହା ଜାଣିଛି ରାହୁଲ ଗାନ୍ଧୀ ତାହା ସ୍ପଷ୍ଟ କହିଦେବାରୁ ତାଙ୍କୁ ଶୁଭେଚ୍ଛା। ରାହୁଲ ଆଜି ପର୍ଯ୍ୟନ୍ତ ଯାହା ବି କହିଛନ୍ତି ତାହା କେବଳ ଆମ ଦେଶକୁ ଭାଙ୍ଗିବା ଭଳି ଏବଂ ଆମ ସମାଜରେ ବିଭାଜନ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ।’

ରାହୁଲ ଗାନ୍ଧୀଙ୍କ ଭାଷଣର ଏକ ଭିଡିଓ କ୍ଲିପ୍‌ ସେୟାର କରି ବି‌ଜେପି ଆଇଟି ବିଭାଗ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି, ରାହୁଲ ଗାନ୍ଧୀ ଏବେ ଭାରତୀୟ ରାଷ୍ଟ୍ର ସହ ଏକ ଖୋଲା ଲଢ଼େଇ ଘୋଷଣା କରିଛନ୍ତି।  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ପାଇଁ ତାଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ସମ୍ବିଧାନ ଧରି ଶପଥ ନେଇଥିବା ବିରୋଧୀ ଦଳ ନେତା ଏବେ କହୁଛନ୍ତି, ଆମେ  ଭାରତୀୟ ରାଷ୍ଟ୍ର ସହ ଲଢ଼ୁଛୁ। ଏହି ନେତା ନିଜ ହାତରେ ସମ୍ବିଧାନର ଏକ କପି ଧରି କାହିଁକି ବୁଲୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଭାଗବତଙ୍କ ‘ପ୍ରକୃତ ସ୍ୱାଧୀନତା’ ମନ୍ତବ୍ୟକୁ ରାହୁଲଙ୍କ ସମାଲୋଚନା

‘ଅନ୍ୟ କେଉଁ ଦେଶ ହୋଇଥିଲେ ଦେଶଦ୍ରୋହ ପାଇଁ ଗିରଫ ହୋଇଥାନ୍ତେ’

ନୂଆଦିଲ୍ଲୀ: ଗତବର୍ଷ ରାମମନ୍ଦିର ପ୍ରତିଷ୍ଠା ଦିନ ହିଁ ଭାରତ ପ୍ରକୃତ ସ୍ୱାଧୀନତା ହାସଲ କରିଛି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ସମାଲୋଚନା କରିଛନ୍ତି। ୧୯୪୭ରେ ଭାରତ କେବଳ ରାଜନୈତିକ ସ୍ୱାଧୀନତା ହାସଲ କରିଛି ବୋଲି କହିଥିବା ଭାଗବତ ଯଦି ଅନ୍ୟ କୌଣସି ଦେଶରେ ଥାଆନ୍ତେ ତେବେ ତାଙ୍କୁ ଏଭଳି ମନ୍ତବ୍ୟ ପାଇଁ ଗିରଫ କରାଯାଇଥାନ୍ତା ବୋଲି ସେ କହିଛନ୍ତି। ନୂଆଦିଲ୍ଲୀରେ ନୂତନ କଂଗ୍ରେସ ମୁଖ୍ୟାଳୟ ‘ଇନ୍ଦିରା ଭବନ’ର ଉଦ୍‌ଘାଟନ ଅବସରରେ ରାହୁଲ କହିଛନ୍ତି, ବିଜେପି ଓ ଆର୍‌ଏସ୍‌ଏସ୍‌କୁ ରୋକିବା ପାଇଁ ସାହସ ଓ ସାମର୍ଥ୍ୟ ଥିବା ଏକମାତ୍ର ଦଳ ହେଉଛି କଂଗ୍ରେସ। ସେ  କହିଛନ୍ତି, ‘ଭାରତ ହେଉଛି ବହୁ ଭାଷା, ଧର୍ମ ଓ ସଂସ୍କୃତିର ଫେଣ୍ଟାଫେଣ୍ଟି ଏକ ‘ରାଜ୍ୟସଂଘ’। ଏଠି କୌଣସି ଧର୍ମ ବା ସଂସ୍କୃତି ବଡ଼ ନୁହେଁ କି କେହି ଛୋଟ ନୁହେଁ। ଭାଗବତ ଯାହା କହିଲେ, ତାହା ଦେଶଦ୍ରୋହ   ଏବଂ ସମ୍ବିଧାନ ଉପରେ ଆକ୍ରମଣ ।’

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.