Breaking News

ମକା ବ୍ୟବସାୟୀଙ୍କୁ ପ୍ରାଣାନ୍ତକ ଆକ୍ରମଣ: ୧୫ ଲକ୍ଷ ଲୁଟିଲେ ମୁଖାପିନ୍ଧା ଦୁର୍ବୃତ୍ତ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ର ଜଣେ ମକା ବ୍ୟବସାୟୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ। ଏହି ଘଟଣାରେ ବ୍ୟବସାୟୀଙ୍କ ଦୁଇ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି।

ନବରଙ୍ଗପୁର/ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ର ଜଣେ ମକା ବ୍ୟବସାୟୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ। ଏହି ଘଟଣାରେ ବ୍ୟବସାୟୀଙ୍କ ଦୁଇ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି। ଗତ ୭୨ଘଣ୍ଟା ଭିତରେ ଜିଲ୍ଲାରେ ଏହା ଦ୍ବିତୀୟ ଲୁଟ୍‌ ଘଟଣା। ରାଇଘର ପଠାଣ ସାହିରେ ରହୁଥିବା ମକା ବ୍ୟବସାୟୀ ଅବଦୁଲ୍‌ ଅନ୍‌ସାରୀ ଆଜି ସକାଳେ ଦୁଇ ସହଯୋଗୀ ଗୁଡ଼ୁ ଧୋବା ଏବଂ ୟୁନୁସ୍‌ ଲାଠିଆଙ୍କ ସହ ବାଇକ୍‌ ଯୋଗେ ପାରୁଆ ପଞ୍ଚାୟତ ଛତାବେଡ଼ା ସାପ୍ତାହିକ ହାଟକୁ ଯାଉଥିଲେ। ଚାଷୀଙ୍କୁ ମକା ବାବଦ ଟଙ୍କା ଦେବାକୁ ୧୫ଲକ୍ଷ ଟଙ୍କା ଗୋଟିଏ ବ୍ୟାଗ୍‌ରେ ଧରିଥିଲେ। ଦିନ ପ୍ରାୟ ୧୧ଟାରେ ହାଟ ରାସ୍ତାର ନିଛାଟିଆ ସ୍ଥାନରେ ୬ଜଣ ମୁଖାପିନ୍ଧା ଦୁର୍ବୃତ୍ତ ହଠାତ୍‌ ବାଇକ୍‌ ସାମନାକୁ ଆସି ଗାଡ଼ି ଅଟକାଇବା ସହ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁଡୁ ଏବଂ ୟୁନୁସ୍‌ ସାମାନ୍ୟ ଆହତ ହୋଇଥିଲେ। ଏହା ପରେ ଅବଦୁଲ୍‌ଙ୍କ ହାତରୁ ବ୍ୟାଗ୍‌ ଛଡ଼ାଇବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ।

ତେବେ ଅବଦୁଲ୍‌ ବ୍ୟାଗ୍‌କୁ ଜାବୁଡ଼ି ଧରିବାରୁ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ ଏବଂ ଟଙ୍କା ବ୍ୟାଗ୍‌କୁ ଛଡ଼ାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗୁରୁତର ଅବଦୁଲଙ୍କୁ ଦୁଇ ସହଯୋଗୀ ରାଇଘର ଡାକ୍ତରଖାନାକୁ ନେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ରାଇଘର, ଉମରକୋଟ, ଝରିଗାଁ ଓ ଡାବୁଗାଁକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରାଯାଇଛି। ସେହି ଛତିଶଗଡ଼କୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ପହରା ବଢ଼ାଇ ଦିଆଯାଇଛି। ଗତ ୧୨ ତାରିଖ ସନ୍ଧ୍ୟାରେ ନବରଙ୍ଗପୁର ଦାରୁବନ୍ଧ ସାହିରେ ଅନୁରୂପ ଘଟଣା ଘଟିଥିଲା। ବ୍ୟବସାୟୀ ସରୋଜ ମହାନ୍ତିଙ୍କ ଘରେ ଦୁଇଜଣ ମୁଖାପିନ୍ଧା ଦୁର୍ବୃତ୍ତ ଧସେଇ ପଶି ଏକୁଟିଆ ଥିବା ପତ୍ନୀ ଅମିତା ମହାନ୍ତିଙ୍କୁ ଆକ୍ରମଣ କରିଥିଲେ। ନଗଦ ୧୮ଲକ୍ଷ ଟଙ୍କା ସହ ୧୦ଭରି ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହି ଘଟଣାରେ ସଫଳତା ମିଳିନଥିବା ବେଳେ ଆଜି ପୁଣି ଲୁଟ୍‌ ଘଟଣା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଦୁର୍ବୃତ୍ତଙ୍କ ବାରମ୍ବାର ଟାର୍ଗେଟ୍‌ ପରେ ବ୍ୟବସାୟୀ ମହଲରେ ଆତଙ୍କ ଖେଳିଯାଇଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.