Breaking News

ଅଧା ଶୀତ ଗଲାଣି, ବାସହୀନଙ୍କ କଥା ମନେପଡ଼ିଲା: ଆରମ୍ଭ ହେଲା ଚିଠିଲେଖା

ଅସହାୟ ବ୍ୟକ୍ତିଙ୍କ ପାଇଁ ରାଜଧାନୀରେ ରାତ୍ରି ଆଶ୍ରୟସ୍ଥଳ ରହିଛି। ଗୋଟିଏ କି ଯୋଡ଼ିଏ ନୁହେଁ, ବରଂ ପ୍ରତି ଅଞ୍ଚଳରେ ଆଶ୍ରୟସ୍ଥଳ ନିର୍ମାଣ ହୋଇଛି। ତା’ସତ୍ତ୍ବେ ରାସ୍ତାପାର୍ଶ୍ବରେ ଶୋଉଛନ୍ତି ବାସହୀନ।

ଭୁବନେଶ୍ବର: ଅସହାୟ ବ୍ୟକ୍ତିଙ୍କ ପାଇଁ ରାଜଧାନୀରେ ରାତ୍ରି ଆଶ୍ରୟସ୍ଥଳ ରହିଛି। ଗୋଟିଏ କି ଯୋଡ଼ିଏ ନୁହେଁ, ବରଂ ପ୍ରତି ଅଞ୍ଚଳରେ ଆଶ୍ରୟସ୍ଥଳ ନିର୍ମାଣ ହୋଇଛି। ତା’ସତ୍ତ୍ବେ ରାସ୍ତାପାର୍ଶ୍ବରେ ଶୋଉଛନ୍ତି ବାସହୀନ। ଶୀତୁଆ ରାତିରେ ଖୋଲା ଆକାଶ ତଳେ ଫୁଟ୍‌ପାଥରେ ରାତି କାଟୁଛନ୍ତି। ଆଜି ବି ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ଟିକେ ପାଉନାହାନ୍ତି ଅସହାୟ ବ୍ୟକ୍ତି। ବାଟ ଦେଖାଇବାକୁ କେହି ନାହାନ୍ତି। ରାତିର ଅନ୍ଧାରଠାରୁ ବଳିଯାଉଛି ଥଣ୍ଡା। କିଏ ଚାଦର ତ ଆଉ କିଏ କମ୍ବଳ ଖଣ୍ଡେ ଘୋଡି ହୋଇ ଜାକିଜୁକି ହୋଇ ଶୋଇଛନ୍ତି। ଫୁଟପାଥ୍, ବସ୍‌ଷ୍ଟାଣ୍ଡ ପାଲଟିଛି ସେମାନଙ୍କ ରାତିର ଠିକଣା। ଦିନ ସାରା କାମ ପରେ ଥକା ମେଣ୍ଟାଇବାକୁ ଜାଗା ଟିକେ ନପାଇ ଫୁଟପାଥରେ ହିଁ ଶୀତ କାକରରେ ଆଶ୍ରୟ ନେଉଛନ୍ତି। ଏବେ ରାଜଧାନୀରେ ଏହା ନିତିଦିନିଆ ଘଟଣା ପାଲଟିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସହରରେ ଅନେକ ଆଶ୍ରୟସ୍ଥଳୀ ରହିଛି। ହେଲେ ଏ ସମ୍ପର୍କରେ କାହା ପାଖରେ ସୂଚନା ନାହିଁ। ବସ୍‌ କିମ୍ବା ଟ୍ରେନ୍‌ରେ ଆସି ଭୁବନେଶ୍ବରରେ ପହଞ୍ଚୁଥିବା ଲୋକେ କେଉଁଠିକୁ ଯିବେ? କେମିତି ଆଶ୍ରୟ ନେବେ ସେନେଇ ଜାଣିପାରୁ ନାହାନ୍ତି। ଆଶ୍ରୟ ସ୍ଥଳୀ ସଚଳ କି ଅଚଳ ଅଛି ତାହା ବି ଜଣାପଡ଼ୁ ନାହିଁ। କେଉଁ ଆଶ୍ରୟସ୍ଥଳୀ କେତେବେଳେ ଖୋଲାହୁଏ ଆଉ କେବେ ବନ୍ଦ ହୁଏ ସେ ସମ୍ପର୍କରେ ବି କେଉଁଠି କୌଣସି ସୂଚନା ନାହିଁ। ଲୋକଙ୍କୁ କିଭଳି ଆଶ୍ରୟସ୍ଥଳୀରେ ରଖାଯିବ ସେଥିଲାଗି ସମସ୍ତ ପ୍ରକା‌ର ବ୍ୟବସ୍ଥା କରାଯାଇଥିବା ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ କହୁଥିଲେ ମଧ୍ୟ ବାସ୍ତବରେ ତାହା କାର୍ଯ୍ୟକାରୀ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। ସାମାଜିକ ସଙ୍ଗଠନଗୁଡ଼ିକ ଏନେଇ ସ୍ବର ଉଠାଇବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି।

ସହାୟତା ପାଇଁ ଜାରି ହେଲା ମୋବାଇଲ୍‌ ନମ୍ବର
୭ ଦିନ ମଧ୍ୟରେ ସର୍ବସାଧାରଣ ସ୍ଥାନରେ ଲଗାଇବାକୁ ନିର୍ଦ୍ଦେଶ

ରାଜ୍ୟସ୍ତରୀୟ ସେଲ୍ଟର ମନିଟରିଂ କମିଟି(ଏସ୍‌ଏଲ୍‌ଏସ୍‌ଏମ୍‌ସି) ବୈଠକର ସୁପାରିଶ ଅନୁଯାୟୀ ଏକ ମୋବାଇଲ୍‌ ନମ୍ବର(୯୭୭୭୬୬୮୦୭୧) ଜାରି ହୋଇଛି। ସହରାଞ୍ଚଳର ଅସହାୟମାନେ ଏହି ନମ୍ବର ମାଧ୍ୟମରେ  ଯୋଗ‌ାଯୋଗ କରି ‌ସେଲ୍ଟର ଫର୍‌ ଅର୍ବାନ ହୋମଲେସ୍‌(ଏସ୍‌ୟୁଏଚ୍‌) କେନ୍ଦ୍ରରେ ରହିପାରିବେ। ବାସହୀନଙ୍କୁ ସହାୟତା ଯୋଗାଇ ଦେଉଥିବା ଯେକୌଣସି ସଙ୍ଗଠନ, ବ୍ୟକ୍ତିବିଶେଷ ଏହି ନମ୍ବରରେ ଯୋଗାଯୋଗ କରି ନିକଟସ୍ଥ ଏସ୍‌ୟୁଏଚ୍‌କୁ ବାସହୀନଙ୍କୁ ସ୍ଥାନାନ୍ତର କରିବାକୁ ସହାୟତା ଲୋଡ଼ିପାରିବେ। ବାସହୀନଙ୍କୁ ଠିକ୍‌ ସମୟରେ ସହାୟତା ଯୋଗାଇଦେବାକୁ ଏହି ନମ୍ବର ବେଶ ସହାୟକ ହେବ ବୋଲି କୁହାଯାଇଛି। ସହରର ବସ୍‌ଷ୍ଟାଣ୍ଡ, ଅଟୋଷ୍ଟାଣ୍ଡ, ରେଳଷ୍ଟେସନ, ହସ୍ପିଟାଲ, ମନ୍ଦିର, ବଜାର ଅଞ୍ଚଳରେ ଫୋନ୍‌ ନମ୍ବର ସମେତ ସେଲ୍ଟର ମ୍ୟାନେଜ୍‌ମେଣ୍ଟ ଏଜେନ୍ସି(ଏସ୍‌ଏମ୍‌ଏ) ଓ ଏସ୍‌ୟୁଏଚ୍‌ ଅଧିକାରୀଙ୍କ ମୋବାଇଲ୍‌ ନମ୍ବର ବଡ଼ ବଡ଼ ଅକ୍ଷରରେ ଉଲ୍ଲେଖ କରିବାକୁ କୁହାଯାଇଛି। ଉଭୟ ଓଡ଼ିଆ ଓ ଇଂରାଜୀ ଅକ୍ଷରରେ ନମ୍ବର ଲେଖାଯିବା ଆବଶ୍ୟକ। ଫଳରେ ସହରକୁ ଆସୁଥିବା ଲୋକେ ସଠିକ୍‌ ଭାବେ ତାହାକୁ ପଢ଼ିପାରିବେ। ସପ୍ତାହକ ମଧ୍ୟରେ ଏଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ପକ୍ଷରୁ ଭୁବନେଶ୍ବର ମହାନଗର ନିଗମ ସମେତ ରାଜ୍ୟର ସମସ୍ତ ମହାନଗର ନିଗମ ଓ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

ସାମାଜିକ ସଙ୍ଗଠନ ଏଲ୍‌ପି ଟିମ୍‌ ସମ୍ପାଦକ ଅନିରୁଦ୍ଧ ଲେଙ୍କାଙ୍କ କହିବାନୁଯାୟୀ ଏକ ସ୍ବତନ୍ତ୍ର ମୋବାଇଲ୍‌ ନମ୍ବର ଜାରି ହେବା ଏକ ଭଲ ପଦକ୍ଷେପ। କାମଧନ୍ଦା ଖୋଜି ଖୋଜି ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ଲୋକ ରାଜଧାନୀକୁ ଆସିଥାନ୍ତି। ହେଲେ ମୁଣ୍ଡ ଗୁଞ୍ଜିବାକୁ ଜାଗା ଖଣ୍ଡେ ନପାଇ ଫୁଟପାଥକୁ ହିଁ ଆପଣାଇ ନେଇଥାନ୍ତି। ରାଜମହଲ ଫ୍ଲାଏ ଓଭର ତଳ ହେଉ ବା ମାଷ୍ଟର କ୍ୟାଣ୍ଟିନ ରାସ୍ତାକଡ, ରାମ ମନ୍ଦିର ଟ୍ରାଫିକ, ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟ, ଏଜି ଛକ, ଜୟଦେବ ବିହାର ଛକ ଭଳି ଅନେକ ସ୍ଥାନରେ ଏବେ ବି ଲୋକେ ଏମିତି ରାସ୍ତାକଡ଼ରେ ଶୋଉଛନ୍ତି। ସେମାନଙ୍କୁ ରାତ୍ରି ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିବାରେ ଏହି ନମ୍ବର ବେଶ୍‌ ସହାୟକ ହେବ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.