Breaking News

ଷ୍ଟ୍ରିଟ୍‌ ଲାଇଟ୍‌ ପରିଚାଳନା କରିବ ନୂଆ ସଂସ୍ଥା: ଜଗିବାକୁ କେହି ନାହିଁ, ପୁଣି ଲୁଟିବେ

ଭୁବନେଶ୍ବରରେ ଷ୍ଟ୍ରିଟ୍‌ଲାଇଟ୍‌ ପରିଚାଳନାକୁ ନେଇ ଦୀର୍ଘ କାଳ ଧରି ଲାଗି ରହିଥିବା ବିବାଦର ସମାଧାନ ହେବାକୁ ଯାଉଛି। ପରିଚାଳନା କରୁଥିବା ସଂସ୍ଥା ବିରୋଧରେ ଅଭିଯୋଗ ଆସିବା ସହ ଠିକା ଅବଧି ଶେଷ ହେବା ପରେ ବିଏମ୍‌ସି ନୂଆ ସଂସ୍ଥା ଚୟନ କରିଛି।

ଭୁବନେଶ୍ବର: ଭୁବନେଶ୍ବରରେ ଷ୍ଟ୍ରିଟ୍‌ଲାଇଟ୍‌ ପରିଚାଳନାକୁ ନେଇ ଦୀର୍ଘ କାଳ ଧରି ଲାଗି ରହିଥିବା ବିବାଦର ସମାଧାନ ହେବାକୁ ଯାଉଛି। ପରିଚାଳନା କରୁଥିବା ସଂସ୍ଥା ବିରୋଧରେ ଅଭିଯୋଗ ଆସିବା ସହ ଠିକା ଅବଧି ଶେଷ ହେବା ପରେ ବିଏମ୍‌ସି ନୂଆ ସଂସ୍ଥା ଚୟନ କରିଛି। ଏଣେ ଚୁକ୍ତି ଅନୁସାରେ କାମ ହେଉଛି କି ନାହିଁ ପ୍ରମାଣିତ କରିବା ପାଇଁ ଏନର୍ଜି ଅଡିଟର ନଥିବାରୁ ପୁଣି ଲୁଟ୍‌ତରାଜ ଚାଲିବା ଆଶଙ୍କା ପ୍ରକାଶ ପାଇଛି।

୨୦୧୩ ମସିହା ଅକ୍ଟୋବର ୫ରେ ରେଟ୍ରୋଫିଟ୍ ପ୍ରଣାଳୀରେ ନୂଆ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଏବଂ ତାହାର ରକ୍ଷଣାବେକ୍ଷଣ କରିବା ପାଇଁ ବିଏମ୍‌ସି ସୁପର ୱେଲ୍‌ଥ ଫାଇନାନ୍ସ ଏଣ୍ଟର୍‌ପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡ୍‌କୁ ଠିକା ଦେଇଥିଲା। ପିପିପି ମୋଡ୍‌ରେ ପ୍ରଥମ ପର୍ଯ୍ୟାୟରେ ବା ୨୦୧୪ ସୁଦ୍ଧା ୧୯, ୮୭୩ଟି ଏଲ୍‌ଇଡି ଲାଇଟ୍ ଲାଗିଥିଲା। ଏଥିସହିତ ବିଭିନ୍ନ ଠିକାଦାରଙ୍କ ଜରିଆରେ ୮୦୨୨ଟି ଇ-ସ୍ମାର୍ଟ ମେକ୍‌ ଲାଇଟ୍‌ ଲଗାଯାଇଥିଲା। ଏଭଳି ୨୭ହଜାର ୮୯୫ ଲାଲଟ୍ ରକ୍ଷଣାବେକ୍ଷଣ କରିବାକୁ ୧୦ ବର୍ଷ ପର୍ଯ୍ୟନ୍ତ ଚୁକ୍ତିନାମା ହୋଇଥିଲା। ଗତ ବର୍ଷ ଜୁଲାଇରେ ଏହି ଠିକା ଅବଧି ଶେଷ ହୋଇଥିଲା। ବିଏମ୍‌ସି ନୂଆ ଟେଣ୍ଡର କରିଥିଲା। ଏଥି‌ରେ ପୁରୁଣା ସଂସ୍ଥା ସହ ଭାଗ ନେଇଥିବା ନୂଆ ସଂସ୍ଥା ‘ଆସ୍ଥା ଇଲେକ୍ଟ୍ରିକାଲ୍‌’କୁ ବାର୍ଷିକ ୧୮ କୋଟି ୬୫ ଲକ୍ଷ ୭୩ ହଜାର ୭୧୧ ଟଙ୍କାରେ ଠିକା ଦିଆଯାଇଛି। ସଂସ୍ଥା ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ ସହ ଆବଶ୍ୟକ ସ୍ଥଳେ ନୂତନ ଲାଇଟ୍, ତାର ଓ ଅନ୍ୟାନ୍ୟ ବିଦ୍ୟୁତ୍ ସରଞ୍ଜାମ ଲଗାଇବ।

ଏଣେ ପରିଚାଳନା କରୁଥିବା ସଂସ୍ଥା ଠିକ୍‌ କାମ କରୁଛନ୍ତି କି ନାହିଁ ବା‌ ଟେଣ୍ଡର ସର୍ତ୍ତ ପୂରଣ ହେଉଛି କି ନାହିଁ ଜଗିବା ପାଇଁ ‘ଏନର୍ଜି ଅଡିଟର’ ନିଯୁକ୍ତ ହେବା କଥା। କିନ୍ତୁ ବିଏମ୍‌ସି ଦୁଇଥର ଏହି ଟେଣ୍ଡର ବାତିଲ କରିସାରିଲାଣି। ଫଳରେ ଏନର୍ଜି ଅଡିଟର ନଥିବାରୁ ପୂର୍ବବତ୍‌ ଲୁଟ୍‌ତରାଜ ଚାଲିବା ନିଶ୍ଚିତ ହୋଇଛି। ପୂର୍ବରୁ ବିଏମ୍‌ସି ସୁପର ୱେଲ୍‌ଥ ଫାଇନାନ୍ସ ଏଣ୍ଟର୍‌ପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡ୍‌ ଓ ନିଭ୍‌ ନିଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହ ଚୁକ୍ତି କରିଥିଲା। ପୂର୍ବାପେକ୍ଷା ୮୦.୦୨% ବିଲ୍‌ କମ୍‌ କରିବା ଯୋଜନା ଥିଲା। ଏମାନଙ୍କର କାର୍ଯ୍ୟଦକ୍ଷତା ମାପିବା ପାଇଁ ଇଣ୍ଡିପେଣ୍ଡେଣ୍ଟ ଏନର୍ଜି ଅଡିଟର(ଆଇଇଏ) ନିଯୁକ୍ତ ହୋଇଥିଲା। କାର୍ଯ୍ୟକାଳ ସରିବା ପରେ ଏନର୍ଜି ଅଡିଟର ନିଯୁକ୍ତ ହେଲା ନାହିଁ। ବର୍ଷ ବର୍ଷ ଧରି ସଂସ୍ଥାମାନଙ୍କ ସହ ମିଶି ଅଧିକାରୀମାନେ ବଲ୍‌ବ କିଣାରେ ଦୁର୍ନୀତି କରିବା ଅଭିଯୋଗ ଆସିଲା। ଏଣୁ ଗତ ବର୍ଷ ନଭେମ୍ବର ମାସରେ, ଠିକା ଅବଧି ସରିବା ପୂର୍ବରୁ ‘ନିଭ୍‌ ନିଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’କୁ କଳା ତାଲିକାଭୁକ୍ତ କରିବାକୁ କର୍ପୋରେସନ ନିଷ୍ପତ୍ତି ନେଲା। କିନ୍ତୁ କୋର୍ଟ ମାମଲା ଭୟରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ନେଲାନାହିଁ।

ଅନ୍ୟପଟେ ନୂଆ ଠିକାସଂସ୍ଥା ଦାୟିତ୍ବ ନେଇନଥିବା ବେଳେ ପୁରୁଣା ସଂସ୍ଥାର ଅବଧି ଶେଷ ହୋଇଯାଇଛି। ନୂଆ ସଂସ୍ଥା ଦାୟିତ୍ବ ନେବା ପାଇଁ କିଛି ସମୟ ଲାଗିବ। ଏଣୁ ସେହି ସମୟ ପର୍ଯ୍ୟନ୍ତ ପୁରୁଣା ସଂସ୍ଥା ସୁପର ୱେଲ୍‌ଥ ଫାଇନାନ୍ସ ଏଣ୍ଟର୍‌ପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡ୍‌ ରକ୍ଷଣାବେକ୍ଷଣ କରିବ ବୋଲି ବିଏମ୍‌ସି ନିଷ୍ପତ୍ତି ନେଇଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.