Breaking News

ଏଆଇ ଯୋଡ଼ିବ ୭.୮ କୋଟି ନିଯୁକ୍ତି

ବିଶ୍ବ ଅର୍ଥନୈତିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ଗତ ବୁଧବାର ‘ଭବିଷ୍ୟତର ନିଯୁକ୍ତି ରିପୋର୍ଟ-୨୦୨୫’ ପ୍ରକାଶ କରିଛି। ଏଥିରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପଯୋଗ ଯୋଗୁଁ କମ୍ପାନିମାନେ ବିଭିନ୍ନ କ୍ଷେତ୍ରରେ ୪୦ ପ୍ରତିଶତ ନିଯୁକ୍ତି ହ୍ରାସ କରୁଥିବା କଥା ଉଲ୍ଲେଖ ଥିବାରୁ ଚର୍ଚ୍ଚା ଜୋର୍‌ ଧରିଛି।

ବିଶ୍ବ ଅର୍ଥନୈତିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ଗତ ବୁଧବାର ‘ଭବିଷ୍ୟତର ନିଯୁକ୍ତି ରିପୋର୍ଟ-୨୦୨୫’ ପ୍ରକାଶ କରିଛି। ଏଥିରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପଯୋଗ ଯୋଗୁଁ କମ୍ପାନିମାନେ ବିଭିନ୍ନ କ୍ଷେତ୍ରରେ ୪୦ ପ୍ରତିଶତ ନିଯୁକ୍ତି ହ୍ରାସ କରୁଥିବା କଥା ଉଲ୍ଲେଖ ଥିବାରୁ ଚର୍ଚ୍ଚା ଜୋର୍‌ ଧରିଛି। ମାତ୍ର ରିପୋର୍ଟର ସବିଶେଷ ବିବରଣୀକୁ ଲକ୍ଷ୍ୟ କଲେ ଏଥିରେ ଏଆଇ ଯୋଗୁଁ ବାସ୍ତବରେ ଅଧିକ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ଦର୍ଶାଯାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ, ୨୦୩୦ ମସିହା ସୁଦ୍ଧା ଏଆଇ ଯୋଗୁଁ ୯.୨ କୋଟି ନିଯୁକ୍ତି ହ୍ରାସ ହେଉଥିବାବେଳେ ୧୭ କୋଟି ନୂତନ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଛି। ଅର୍ଥାତ୍‌ ମୋଟାମୋଟି ଭାବେ ୭.୮ କୋଟି ଅତିରିକ୍ତ ନିଯୁକ୍ତି ସୃଷ୍ଟି ହେଉଥିବା ଆକଳନ କରାଯାଇଛି।

୨୦୩୦ ସୁଦ୍ଧା ଏଆଇ ଯୋଗୁଁ ୯.୨ କୋଟି ନିଯୁକ୍ତି ହ୍ରାସ ହେଉଥିବାବେଳେ ୧୭ କୋଟି ନୂଆ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଛି।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ଯୋଜନା ପ୍ରଣୟନକାରୀ, ବ୍ୟବସାୟ ପରିଚାଳକ ଓ କର୍ମଚାରୀଙ୍କର ନିଯୁକ୍ତିକୁ ସୁଗମ କରିବା ପାଇଁ ଡବ୍ଲ୍ୟୁଇଏଫ୍‌ ପ୍ରତି ଦୁଇବର୍ଷରେ ଥରେ ଏପରି ସର୍ବେକ୍ଷଣ କରି ନିଯୁକ୍ତିର ବିଶ୍ଳେଷଣ କରିଥାଏ। ତାହାର ସଦ୍ୟ ସର୍ବେକ୍ଷଣରେ ବିଶ୍ବବ୍ୟାପୀ ୧,୦୦୦ କମ୍ପାନିର ତଥ୍ୟ ସାମିଲ ହୋଇଥିଲା, ଯେଉଁଥିରେ ମୋଟ୍‌ ୧.୪ କୋଟି କର୍ମଚାରୀ ନିଯୁକ୍ତ ଅଛନ୍ତି। ଏହି ନୂତନ ରିପୋର୍ଟରେ ୨୦୩୦ ସୁଦ୍ଧା କମ୍ପାନିମାନେ ସ୍ବତନ୍ତ୍ର ଦକ୍ଷତାକୁ ପ୍ରାଧାନ୍ୟ ଦେଉଥିବା ସ୍ପଷ୍ଟ ହୋଇଛି। ତେବେ ସେମାନଙ୍କର ମୁଖ୍ୟ ଚାହିଦା ମଧ୍ୟରେ ଏଆଇ, ତଥ୍ୟ ବିଶେଷଜ୍ଞତା, ନେଟ୍‌​ଵର୍କ ଓ ସାଇବର୍‌ ସୁରକ୍ଷା ଏବଂ ପ୍ରଯୁକ୍ତି ଅଭିଜ୍ଞତା ପରି ବିଭାଗଗୁଡ଼ିକ ଶୀର୍ଷ ସ୍ଥାନରେ ରହିଛି। ନୂତନ ପ୍ରଯୁକ୍ତି ମଧ୍ୟରେ ଏଆଇ ହିଁ ସବୁଠୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବ ବୋଲି ‌ଡବ୍ଲ୍ୟୁଇଏଫ୍‌ ନିରୀକ୍ଷଣ କରିଛି। କାରଣ ୮୬ ପ୍ରତିଶତ କମ୍ପାନି ୨୦୩୦ ସୁଦ୍ଧା ସେମାନଙ୍କ କାର୍ଯ୍ୟକୁ ଏଆଇ ଦ୍ବାରା ପରିଚାଳିତ କରିବାକୁ ଲକ୍ଷ୍ୟ ରଖିଥିବା ଜଣାଯାଇଛି। ଏଥିଯୋଗୁଁ ଯୋଜନାବଦ୍ଧ ଭାବେ ଶ୍ରମଶକ୍ତିରେ ହ୍ରାସ ଘଟିବା ସତ୍ତ୍ବେ ଏଆଇ ସମ୍ପୂର୍ଣ୍ଣ ରୂପେ କର୍ମଚାରୀଙ୍କ ସ୍ଥାନ ନେବା ପରିବର୍ତ୍ତେ ମାନବ-ଯନ୍ତ୍ର ସହଯୋଗ ହିଁ କର୍ମକ୍ଷେତ୍ରକୁ ଅଧିକ ଦକ୍ଷ କରିବାକୁ ଯାଉଛି ବୋଲି ‌ଡବ୍ଲ୍ୟୁଇଏଫ୍‌ ଆଶା ପ୍ରକାଶ କରିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ସର୍ବେକ୍ଷଣ ହୋଇଥିବା ସଂସ୍ଥାଗୁଡ଼ିକ ମଧ୍ୟରୁ ୭୭ ପ୍ରତିଶତ ୨୦୨୫ରୁ ୨୦୩୦ ମଧ୍ୟରେ ବର୍ତ୍ତମାନର କର୍ମଚାରୀମାନଙ୍କୁ ଏଆଇ ପ୍ରଣାଳୀ ସହିତ କାମ କରିବା ପାଇଁ ପୁନଃପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବେ। ସେହିପରି ପ୍ରାୟ ୭୦ ପ୍ରତିଶତ କମ୍ପାନି ଏଆଇ ଉପକରଣର ରୂପରେଖ ନିର୍ଦ୍ଧାରଣ ପାଇଁ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବାକୁ ଖୋଜୁଥିବା ବେଳେ ୬୨ ପ୍ରତିଶତ କମ୍ପାନି ଏହି ପ୍ରଯୁକ୍ତି ସହିତ କାମ କରିବା ପାଇଁ ସୁଦକ୍ଷ କର୍ମଚାରୀ ଅନ୍ବେଷଣରେ ଅଛନ୍ତି। ଅବଶ୍ୟ ଯାବତୀୟ ସର୍ବେକ୍ଷଣ ବ୍ୟତିରେକ ନିଯୁକ୍ତି ଉପରେ ଏଆଇର ସକାରାତ୍ମକ କି ନକାରାତ୍ମକ ପ୍ରଭାବ ପଡ଼ିବ, ଏବେଠୁ କହିବା ଠିକ୍‌ ହେବନାହିଁ। ତେବେ ଏହା ନିଶ୍ଚିତ ଯେ ଏହା କର୍ମଚାରୀଙ୍କ କାର୍ଯ୍ୟ ପଦ୍ଧତିରେ ପରିବର୍ତ୍ତନ ଆଣିବ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.