Breaking News

ଇତିହାସ ରଚିଲା ଇସ୍ରୋ: ସ୍ପେଡେକ୍ସ ମିସନ ସଫଳ, ମହାକାଶରେ ଡକିଂ କଲା ଦୁଇ ଭାରତୀୟ ଉପଗ୍ରହ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁରୁବାର ସକାଳେ ଦୁଇଟି ଭାରତୀୟ ଉପଗ୍ରହକୁ ମହାକାଶରେ ଡକିଂ ବା ସଂଯୋଗ କରାଇବାରେ ସଫଳ ହୋଇଛି। ଏହା ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସର ଏକ ଅଂଶ।

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁରୁବାର ସକାଳେ ଦୁଇଟି ଭାରତୀୟ ଉପଗ୍ରହକୁ ମହାକାଶରେ ଡକିଂ ବା ସଂଯୋଗ କରାଇବାରେ ସଫଳ ହୋଇଛି। ଏହା ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସର ଏକ ଅଂଶ। ଚତୁର୍ଥ ପ୍ରୟାସରେ ଭାରତୀୟ ବୈଜ୍ଞାନିକମାନେ ଶେଷରେ ସଫଳ ହୋଇଥିଲେ। ଗୁରୁବାର ପୂର୍ବାହ୍ଣ ୧୦ଟାରେ ଇସ୍ରୋ ଡକିଂ ସଫଳତା ଘୋଷଣା କରିଥିଲା। ସଫଳ ମହାକାଶ ଡକିଂ ହାସଲ କରିବାରେ ଭାରତ ଚତୁର୍ଥ ଦେଶ ହୋଇଛି। ଡକିଂ ଏକ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ଏବଂ ଇସ୍ରୋ ସତର୍କତାର ସହ ପନ୍ଦର ଦିନ ମଧ୍ୟରେ ଅନେକ ପରୀକ୍ଷଣ କରିଥିଲା। ସେକେଣ୍ଡ ପ୍ରତି ୧୦ ମିଲିମିଟର ବେଗରେ ଉପଗ୍ରହଗୁଡ଼ିକ ପରସ୍ପରର ନିକଟତର ହେବା ପୂର୍ବରୁ ଭାରତ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଭାରତୀୟ ଡକିଂ ସିଷ୍ଟମ୍‌କୁ ବ୍ୟବହାର କରି ଏହି ସଫଳତା ହାସଲ କରିଥିଲା। ପୃଥିବୀଠାରୁ ୪୭୫ କିଲୋମିଟର ଉଚ୍ଚରେ ପରିକ୍ରମା କରୁଥିବା ଦୁଇଟି ଭାରତୀୟ ଉପଗ୍ରହକୁ ଡକ୍ କରିବାରେ ଇସ୍ରୋ ସଫଳ ହୋଇ ନୂଆ ଇତିହାସ ରଚିଛି। ରୁଷ୍, ଆମେରିକା ଓ ଚୀନ୍ ପରେ ଭାରତ ଚତୁର୍ଥ ଦେଶ ଭାବେ ଏହା କରିଛି। ୨୦୨୪ ଡିସେମ୍ବର ୩୦ ତାରିଖରେ ପିଏସ୍‌ଏଲ୍‌ଭି ରକେଟ୍‌ ବ୍ୟବହାର କରି ଭାରତ ସ୍ପେଡେକ୍ସ ମିସନ ଆରମ୍ଭ କରିଥିଲା।

ଚନ୍ଦ୍ରଯାନ-୪ ଓ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ଭଳି ଭବିଷ୍ୟତ ଅଭିଯାନ ପାଇଁ ଡକିଂ ହେଉଛି ଏକ ଆବଶ୍ୟକ ଜ୍ଞାନକୌଶଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ଓ ଏହାର ବୈଜ୍ଞାନିକମାନଙ୍କୁ ଉପଗ୍ରହର ସଫଳ ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଭାରତର ମହତ୍ତ୍ୱାକାଂକ୍ଷୀ ମହାକାଶ ଅଭିଯାନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି।

ଶ୍ରୀହରିକୋଟାରେ ତୃତୀୟ ଲଞ୍ଚ୍‌ପ୍ୟାଡ୍‌କୁ କ୍ୟାବିନେଟ୍‌ ଅନୁମୋଦନ

dgdggv

ନୂଆଦିଲ୍ଲୀ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ଐତିହାସିକ ଡକିଂ ପରୀକ୍ଷଣ ଶେଷ କରିଥିବା ବେଳେ ଆଜି କେନ୍ଦ୍ର କ୍ୟାବିନେଟ୍ ଶ୍ରୀହରିକୋଟାସ୍ଥିତ ଦେଶର ଏକମାତ୍ର ମହାକାଶ ବନ୍ଦରରେ ତୃତୀୟ ଲଞ୍ଚପ୍ୟାଡ୍ ସ୍ଥାପନକୁ ମଞ୍ଜୁରି ଦେଇଛି। ମହାକାଶ ଏଜେନ୍ସି ବର୍ତ୍ତମାନ ଭାରୀ ନେକ୍ସଟ ଜେନେରେସନ ଲଞ୍ଚ ଭେଇକିଲ (ଏନ୍‌ଜିଏଲ୍‌ଭି) ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏଥିପାଇଁ ନୂତନ ଲଞ୍ଚପ୍ୟାଡ୍ ଆବଶ୍ୟକ ହେବ। ୨୦୩୫ ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇବା ପାଇଁ ଭାରତର ଯୋଜନା ନିମନ୍ତେ ମଧ୍ୟ ଏହା ଜରୁରୀ।

ତୃତୀୟ ଲଞ୍ଚପ୍ୟାଡ୍ ଏନ୍‌ଜିଏଲ୍‌ଭି ଉତ୍‌କ୍ଷେପଣ ଓ ବର୍ତ୍ତମାନର ଭାରୀ କ୍ଷମତା ବିଶିଷ୍ଟ ଯାନ ଏଲ୍‌ଭିଏମ୍‌୩ ଲାଗି ଅନୁକୂଳ ଭାବେ ନିର୍ମିତ ହେବ, ଯେଉଁଥିରେ ଉଭୟ ସେମି-କ୍ରାୟୋଜେନିକ ଇଞ୍ଜିନ ବ୍ୟବହାର କରାଯିବ। ୩୯୮୪.୮୬ କୋଟି ଟଙ୍କା ବ୍ୟୟରେ ୪ ବର୍ଷ ମଧ୍ୟରେ ତୃତୀୟ ଲଞ୍ଚପ୍ୟାଡ୍ ନିର୍ମାଣ ହେବ ବୋଲି ଆଶା କରାଯାଉଛି। ଏହି ଖର୍ଚ୍ଚରେ ଲଞ୍ଚପ୍ୟାଡ୍ ସ୍ଥାପନ, ଯାନର ସମାବେଶୀକରଣ (ଭେଇକଲ ଆସେମ୍ବଲି), ଉପଗ୍ରହ ପ୍ରସ୍ତୁତି ଓ ଇନ୍ଧନ ଭରିବା ଭଳି ସମସ୍ତ ଆନୁଷଙ୍ଗିକ ସୁବିଧା ଅନ୍ତର୍ଭୁକ୍ତ ହେବ। ବର୍ତ୍ତମାନ ଶ୍ରୀହରିକୋଟାସ୍ଥିତ ସ୍ପେସ୍‌ପୋର୍ଟରେ ଦୁଇଟି ଲଞ୍ଚପ୍ୟାଡ୍ ରହିଛି। ପ୍ରଥମ ଲଞ୍ଚପ୍ୟାଡ୍ ୩୦ ବର୍ଷ ପୂର୍ବେ ସ୍ଥାପିତ ହୋଇଥିଲା ଯାହା ପିଏସ୍‌ଏଲ୍‌ଭି ଓ ଏସ୍‌ଏସ୍‌ଏଲ୍‌ଭି ପରି କ୍ଷୁଦ୍ର ଯାନର ଉତ୍‌କ୍ଷେପଣକୁ ସମର୍ଥନ କରିବା ପାଇଁ ଡିଜାଇନ୍ କରାଯାଇଛି। ଦ୍ବିତୀୟ ଲଞ୍ଚପ୍ୟାଡ୍ ୨୦ ବର୍ଷ ପୂର୍ବେ ମୁଖ୍ୟତଃ ଜିଏସ୍‌ଏଲ୍‌ଭି ଓ ଏଲ୍‌ଭିଏମ୍‌୩ ଭଳି ଭାରୀ ଯାନର ଉତ୍‌କ୍ଷେପଣ ପାଇଁ ସ୍ଥାପିତ ହୋଇଥିଲା। କିନ୍ତୁ ଏହାକୁ ପିଏସ୍‌ଏଲ୍‌ଭି ପାଇଁ ଷ୍ଟାଣ୍ଡବାଇ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ। ଏହି ନୂଆ ୩ୟ ଲଞ୍ଚପ୍ୟାଡ୍ ୨ୟ ଲଞ୍ଚ୍ ପ୍ୟାଡ୍ ପାଇଁ ବ୍ୟାକ୍‌ଅପ୍ ଭାବେ କାମ କରିବା ସହ ଭାରୀ ରକେଟ୍ ଉତ୍‌କ୍ଷେପଣ ପାଇଁ ବ୍ୟବହାର କରାଯାଇପାରିବ। ଏହା ଅଧିକ ସଂଖ୍ୟକ ଉତ୍‌କ୍ଷେପଣରେ ସହାୟକ ହେବ ଯାହା ମହାକାଶ ଏଜେନ୍ସିକୁ ଅଧିକ ବାଣିଜ୍ୟିକ ତଥା ବୈଜ୍ଞାନିକ ଅଭିଯାନ ପାଇଁ ଅନୁମତି ଦେବ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.