Breaking News

କଟ୍‌ନିଛଟ୍‌ନି ବିରୋଧରେ ତାତିଲେ ଚାଷୀ: ରାଜ୍ୟ ରାଜପଥ ଅବରୋଧ, ମାଧପୁର ବନ୍ଦ

ଧାନର ମାନ ଖରାପ କହି କିଣିବାକୁ ରାଜି ହେଉନାହାନ୍ତି ମିଲର୍ସ। କୁଇଣ୍ଟାଲ ପିଛା ୩ରୁ ୫ କେଜି କାଟିବାକୁ ଚାପ ପକାଉଛନ୍ତି। ଏହାକୁ ନେଇ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ ମାଧପୁର ଅଞ୍ଚଳରେ ଚାଷୀ ଅସନ୍ତୋଷ ତୀବ୍ର ହୋଇଛି।

ମାଧପୁର: ଧାନର ମାନ ଖରାପ କହି କିଣିବାକୁ ରାଜି ହେଉନାହାନ୍ତି ମିଲର୍ସ। କୁଇଣ୍ଟାଲ ପିଛା ୩ରୁ ୫ କେଜି କାଟିବାକୁ ଚାପ ପକାଉଛନ୍ତି। ଏହାକୁ ନେଇ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ ମାଧପୁର ଅଞ୍ଚଳରେ ଚାଷୀ ଅସନ୍ତୋଷ ତୀବ୍ର ହୋଇଛି। ମିଲର୍ସଙ୍କ ମନମାନି ବିରୋଧ‌ରେ ଆଜି ଶହଶହ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି। ୧୨ ଘଣ୍ଟିଆ ମାଧପୁର ବନ୍ଦ କରିଛନ୍ତି। ଏଥିପାଇଁ ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ତଥାପି ଚାଷୀଙ୍କ ସମସ୍ୟାର ସମାଧାନ ହୋଇନି।

ଧାନ କିଣାରେ କଟ୍‌ନିଛଟ୍‌ନି ବନ୍ଦ କରିବା ସହ ମିଲର୍ସଙ୍କ ମନମାନି ବିରୋଧରେ ସାଧାରଣ ଲୋକେ ଓ ଚାଷୀ ସଂଗଠନ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମାଧପୁର ବନ୍ଦ ଡାକରା ଦେଇଥିଲେ। ଫଳରେ ମାଧପୁର ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ମାଧପୁର ବ୍ୟାଙ୍କ ଛକଠାରେ ଆଠମଲ୍ଲିକ-ବୌଦ୍ଧ ୬୨ନମ୍ବର ରାଜ୍ୟ ରାଜପଥକୁ ସମ୍ପୂର୍ଣ୍ଣ ଭାବରେ ଅବରୋଧ କରିଥିଲେ। ଓଡ଼ିଶା କୃଷକ ମହାସଂଘ ଆଠମଲ୍ଲିକ ଶାଖାର ସଭାପତି ଦେବେନ୍ଦ୍ର କୁମାର ପ୍ରଧାନ, ବରିଷ୍ଠ ଆଇନଜୀବୀ ଅଞ୍ଜନ କୁମାର ପ୍ରଧାନ, ଉପସଭାପତି ସତ୍ୟାନନ୍ଦ ପ୍ରଧାନ, ବରିଷ୍ଠ ନାଗରିକ ସଭାପତି ପୀତାମ୍ବର ବିଶ୍ବାଳ, ବରିଷ୍ଠ କଂଗ୍ରେସ ନେତା କୁନା ଚରଣ ରଥଙ୍କ ନେତୃତ୍ୱରେ ଶହଶହ ଚାଷୀ ଏକାଠି ହୋଇ ଚାଷୀଙ୍କ ହକ୍‌ ପୂରଣ କରିବା ପାଇଁ ଦାବି କରିଥିଲେ। ଚାଷୀ ଆନ୍ଦୋଳନ ଧୀରେଧୀରେ ତୀବ୍ର ହେବା ପରେ ଆନ୍ଦୋଳନସ୍ଥଳରେ ଆଠମଲ୍ଲିକ ତହସିଲଦାର ପ୍ରସନ୍ନ ଟେଟେ, ବିଡିଓ ଟିଟସ୍ ମହାନନ୍ଦିଆ, ଏଆର୍‌ସିଏସ ଶାରଦା ମିଶ୍ର, ଏସିଏସ୍‌ଓ ଶିବାଶିଷ ଜେନା, ଆଠମଲ୍ଲିକ ଥାନା ଅଧିକାରୀ ଚିତ୍ତରଂଜନ ବେହେରା  ପହଞ୍ଚି ବୁଝାସୁଝା କରିଥିଲେ। ହେଲେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କଟ୍‌ନିଛଟ୍‌ନି ସମ୍ପୂର୍ଣ୍ଣ ବନ୍ଦ କରିବା ସହ ସବୁ ଧାନ ଉଠାଇବା ପାଇଁ ଚାଷୀମାନେ ଅଡ଼ି ବସିଥିଲେ। ଫଳରେ ଅପରାହ୍‌ଣ ସୁଦ୍ଧା କୌଣସି ସମାଧାନର ବାଟ ବାହାରି ପାରି ନଥିଲା। ଚାଷୀ ନିଜ ଜିଦ୍‌ରେ ଅଟଳ ରହିବା ସହିତ ସମସ୍ୟାର ସମାଧାନ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ, ଜାନୁଆରି ପ୍ରଥମ ସପ୍ତାହରେ ମାଧପୁର ମଣ୍ଡିରେ ଧାନକିଣା ଆରମ୍ଭ ହୋଇଥିଲେ ମଧ୍ୟ କଟ୍‌ନିଛଟ୍‌ନି ବିବାଦ ପାଇଁ ଧାନ କିଣା ସ୍ବାଭାବିକ ହୋଇପାରିନି। ପ୍ରଥମ ଦିନରେ ହିଁ ଏଫ୍‌ଏକ୍ୟୁ ମାନର ଧାନ ନ ଥିବା କହି କିଣିବାକୁ ମନା କରି ଦେଇଥିଲେ ମିଲର୍ସ। ଯଦି କିଣିବେ, କୁଇଣ୍ଟାଲ ପିଛା ୫ କେଜି କାଟିବେ ବୋଲି କହିଥିଲେ। କିନ୍ତୁ ଚାଷୀ କଟ୍‌ନିଛଟ୍‌ନି ପାଇଁ ଆଦୌ ରାଜି ହୋଇ ନଥିଲେ। ମିଲର୍ସ ଓ ଚାଷୀଙ୍କ ଭିତରେ ବୁଝାମଣା ହୋଇ ନ ପାରିବାରୁ ଧାନ ପଡ଼ିରହିଥିଲା। କିନ୍ତୁ ହଠାତ୍‌ ବୁଧବାର ରାତିରେ କେତେଜଣ ପ୍ରାଶାସନିକ ଅଧିକାରୀ ଓ ବ୍ୟକ୍ତିଙ୍କ ଭିତରେ ଆଲୋଚନା କରାଯାଇ କୁଇଣ୍ଟାଲ ପିଛା ୨କେଜି ୭୫୦ ଗ୍ରାମ୍‌ କାଟି ଧାନ କିଣା ହୋଇଥିଲା। ରାତାରାତି ମଣ୍ଡିରୁ ତିନି ଜଣ ଚାଷୀଙ୍କର ୨୨୫ କୁଇଣ୍ଟାଲ ଧାନ କିଣା ହୋଇଥିଲା। ଏଥିନେଇ ଚାଷୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେଣୁ ସେମାନେ ଆଜି ରାସ୍ତାକୁ ଓହ୍ଲାଇଥିଲେ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.