Breaking News

ବଏମ୍‌ସି ଉପରେ ଭରସା ପାଉନି: ଉଚ୍ଛେଦ ପରେ ପୁଣି ଦଖଲ

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ବରର ୫୫ଟି ମୁଖ୍ୟ ଜାଗାର ପ୍ରାୟ ୧୬୦ କିଲୋମିଟର ଅଞ୍ଚଳରୁ ଉଠା ଦୋକାନୀଙ୍କୁ ହଟା ଯାଇଥିଲା। କୁହାଯାଇଥିଲା କି ଏମାନଙ୍କୁ ସମ୍ପୃକ୍ତ ୱାର୍ଡର ଅନ୍ୟ କୌଣସି ଜାଗାରେ ଥଇଥାନ କରାଯିବ।

ଭୁବନେଶ୍ବର: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ବରର ୫୫ଟି ମୁଖ୍ୟ ଜାଗାର ପ୍ରାୟ ୧୬୦ କିଲୋମିଟର ଅଞ୍ଚଳରୁ ଉଠା ଦୋକାନୀଙ୍କୁ ହଟା ଯାଇଥିଲା। କୁହାଯାଇଥିଲା କି ଏମାନଙ୍କୁ ସମ୍ପୃକ୍ତ ୱାର୍ଡର ଅନ୍ୟ କୌଣସି ଜାଗାରେ ଥଇଥାନ କରାଯିବ। ଯେଉଁମାନେ ଉଠିଲେ ସେମାନେ ଆଉସେହି ଜାଗାରେ ବସିବେ ନାହିଁ। ପୂର୍ବରୁ ଏ ନେଇ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଗତକାଲି କର୍ପୋରେସନ ‌ବୈଠକରେ ବଏମ୍‌ସି ଏ ବାବଦରେ ସ୍ପଷ୍ଟ କରିଛି। ବରଂ ଏମାନଙ୍କ ପାଇଁ ଜାଗା ଖୋଜିବାକୁ କର୍ପୋରେଟରଙ୍କ ସହାୟତା ଲୋଡ଼ିଛି। ରାସ୍ତାକଡ଼ରୁ ଯେଉଁମାନେ ଗୁଜୁରାଣ ମେଣ୍ଟାଉଥିଲେ ସେମାନଙ୍କର ହଠାତ୍‌ ରୋଜଗାର ବନ୍ଦ ହୋଇଯାଇଛି। ସେମା‌ନେ ଅନ୍ୟତ୍ର ବେପାର ଆରମ୍ଭ କରିଥିବା ବେଳେ ବିଏମ୍‌ସି ଖାଲି କରିଥିବା ଜାଗାରେ ନୂଆ ବ୍ୟବସାୟୀ ବସିବା ଆରମ୍ଭ କଲେଣି। କେତେକ ପୁରୁଣା ବ୍ୟବସାୟୀ ମଧ୍ୟ ପସରା ମେଲାଇଲେଣି। ବିଏମ୍‌ସି ଉପରେ ଭରସା ପାଉ ନଥିବାରୁ ସେମାନେ ନିର୍ଦ୍ଦେଶ ବା ନିଷ୍ପତ୍ତି ମାନି ନଥିବା କହିଛନ୍ତି। କାରଣ ଦୋକାନୀଙ୍କୁ ଥଇଥାନ କରିବା ପାଇଁ ପୂର୍ବରୁ ଯାହା ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ବିଏମ୍‌ସି ପାଳନ କରିନାହିଁ। ଫଳରେ ଏବେ ସହରରେ ବିଚିତ୍ର ପରିସ୍ଥିତି ଉପୁଜିଛି। ଏହାର ଏକ ବଡ଼ ଉଦାହରଣ ହେଉଛି ଷ୍ଟୁଆର୍ଟ ସ୍କୁଲ୍‌ ଛକରୁ ଡେଲ୍‌ଟା ଛକ ଆଡ଼କୁ ଯିବା ବେଳେ ରାସ୍ତାର ଉଭୟପାର୍ଶ୍ବ। ଏଠାରୁ ଫଳ ଦୋକାନ ସମେତ ଗ୍ୟାରେଜ୍‌ ଓ ଜଳଖିଆ ଦୋକାନୀଙ୍କୁ ହଟା ଯାଇଥିଲା। କିନ୍ତୁ ଏବେ ଗୋଟିଏ ପରେ ଗୋଟିଏ ଦେକାନୀ ବସିବା ଆରମ୍ଭ କରିଛନ୍ତି। କ୍ୟାବିନ୍‌ ବି ପଡ଼ିବା ଆରମ୍ଭ ହୋଇଛି। ତା ଛଡ଼ା ବିଏମ୍‌ସି ଜାଗା ଖାଲି କରି ପାର୍କିଂ ପାଇଁ ପ୍ରସ୍ତୁତ କରିଥିବା ଜାଗାରେ ମଧ୍ୟ ଜବରଦଖଲ ପୁଣି ଆରମ୍ଭ ହୋଇଛି। ବ୍ୟବସାୟୀଙ୍କ କହିବା କଥା ହେଉଛି ବିଏମ୍‌ସି ଥଇଥାନ କରିବା ପାଇଁ ଏହି ୱାର୍ଡରେ ଜାଗା ଖୋଜିବ। ଜାଗା ଖୋଜିସାରୁ, ଆମେ ସେଠାକୁ ଚାଲିଯିବୁ। କାରଣ ପୂର୍ବରୁ ଏଭଳି ଅନେକ ପ୍ରତିଶ୍ରୁତି ପାଣିର ଗାର ହୋଇଯାଇଛି।

ବଏମ୍‌ସି ଉପରେ ଭରସା ପାଉନି
ପୂର୍ବରୁ ସବୁ ଯୋଜନା ଫେଲ୍‌ମାରିଛି

ଏଭଳି ଏକାଧିକ ପ୍ରମାଣ ରହିଛି। ଜନପଥରେ ଆଜି ପର୍ଯ୍ୟନ୍ତ କିଓସ୍କ ଆବଣ୍ଟିତ ହୋଇପାରୁନି। ୨୦୨୦ରୁ ଆବଣ୍ଟନ ଆରମ୍ଭ ହୋଇଥିଲେ ମଧ୍ୟ ଏବେ ବି ୫୦ ଖାଲି ପଡ଼ିଛି। ଯେଉଁ ଜାଗାରେ ବ୍ୟବସାୟୀମାନେ ବ୍ୟବସାୟ କରୁଥିଲେ ସେହି ଜାଗା ଛାଡ଼ି ସେମାନଙ୍କୁ ୩ରୁ ୪ କିଲୋମିଟର ଦୂରରେ ଦିଆଯାଇଥିବାରୁ ସେମାନେ କିଓସ୍କ ନେଇନଥିଲେ। ଦୋକାନ ଭଡ଼ାକୁ ନେଇ ମଧ୍ୟ ତାରତମ୍ୟ ରହିଥିବାରୁ ପ୍ରବଳ ବିଶୃଙ୍ଖଳା ହୋଇଥିଲା। ଅନେକ ଦୋକାନ ଚାବି ନେଇ ନଥିଲେ। ବିଏମ୍‌ସି କେବଳ କାଗଜପତ୍ରରେ ଆବଣ୍ଟନ କରି ବସି ଯାଇଥିଲା। ଏଣେ ରାସ୍ତା କଡ଼ରେ ଆଜି ବି ବ୍ୟବସାୟୀ ବସି ରହିଛନ୍ତି।

ଠିକ୍‌ ସେହିଭଳି ୟୁନିଟ୍‌-୨ରେ ଥିବା ଫଳବଜାର। ଏଜି ଠାରୁ କଳ୍ପନା ଛକ ପର୍ଯ୍ୟନ୍ତ ରା୍ସତା ଉଭୟ ପାର୍ଶ୍ବରେ ଥିବା ଫଳଦୋକାନୀଙ୍କୁ ଏଠାରେ ଥଇଥାନ କରିବା ଯୋଜନା ହୋଇଥିଲା। ହେଲେ କମ୍‌ ଲୋକ ଗଲେ। ଯିଏ ଗଲେ ସେଠାରେ ଅନ୍ୟ ବ୍ୟବସାୟ କଲେ। ଏଣେ ରାସ୍ତା କଡ଼ରେ ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିଭଳି ଭେଣ୍ଡିଂ ଜୋନ୍‌ ସ୍ଥିତି ନ କହିବା ଭଲ। ଏକମାତ୍ର ତଥା ପ୍ରଥମ ମହିଳା ଭେଣ୍ଡିଂ ଜୋନ୍‌କୁ ନେଇ ବିବାଦ ଏବେ ବି ଲାଗି ରହିଛି। ଦୋକାନ ଖୋଲୁ ନଥିବାରୁ ବିଏମ୍‌ସି ବାରମ୍ବାର ହିତାଧିକାରୀ ପରିବର୍ତ୍ତନ କରୁଛି। ଏହା ସଫଳ ହୋଇ ପାରୁ ନାହିଁ। ବ୍ୟବସାୟୀଙ୍କ ମଧ୍ୟରେ ମଧ୍ୟ ପ୍ରବଳ ଅସନ୍ତୋଷ ରହିଛି। ଘାଟିକିଆ ବିଏମ୍‌ସି ବଜାର ମଧ୍ୟ ଫେଲ୍‌ ମାରିଛି। ରାସ୍ତା କଡ଼ରେ ବ୍ୟବସାୟୀ ବସିଥିବା ବେଳେ ଏଠାରେ ଭିତ୍ତିଭୂମି ଖତ ଖାଉଛି। ଏବେ ଯଦିଓ ଏହାକୁ ଆବଣ୍ଟନ କରାଯାଇଛି ତଥାପି ଏ ଯାଏ ଦୋକାନ ଖୋଲୁନି। ଉଠାଦୋକାନୀଙ୍କୁ ଥଇଥାନ କରିବାକୁ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଭେଣ୍ଡିଂ ଜୋନ୍‌ ନିର୍ମାଣ ହୋଇଛି। ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ମଙ୍ଗଳା ମନ୍ଦିର ଛକରେ ଜଳାଶୟ ପୋତି ଭେଣ୍ଡିଂ ଜୋନ୍‌ ତିଆରି କଲେ। ହେଲେ ରାଜନୀତି ଯୋଗୁ ଆବଣ୍ଟନ ହୋଇ ପାରୁନି। ବାପୁଜୀନଗର ଝରଣାସାହି ଭେଣ୍ଡିଂ ଜୋନ୍‌ରେ ଅଯୋଗ୍ୟଙ୍କୁ ଦେଇ ଦେବା ଅଭିଯୋଗରେ ଭେଣ୍ଡିଂ ଜୋନ୍‌ ଖୋଲିବା ସମ୍ଭବ ହେଉନାହିଁ। ସିଆର୍‌ପିଏଫ୍‌ ଫାଟକ ପାଖରେ ୩୮ଟି କିଓସ୍କ ନିର୍ମାଣ ହୋଇଛି। ଏଠାରେ ମଧ୍ୟ ରାଜନୀତି ଯୋଗୁ ଆବଣ୍ଟନ ହୋଇ ପାରୁନି। ଏଭଳି ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ୍‌ ଓ ମାର୍କେଟ୍‌ ବାବଦରେ ୨୦ କୋଟିରୁ ଊର୍ଦ୍ଧ୍ବ ବରବାଦ ହୋଇଛି। ଗୋଟିଏ ବି ସଫଳ ହୋଇ ନଥିବାରୁ ବିଏମ୍‌ସି ଉପରେ ଭରସା ପାଉନଥିବା ସେମାନେ କହିଛନ୍ତି।
ଅନ୍ୟପଟେ ବିଏମ୍‌ସି କହିଛି କି, ଏମାନଙ୍କ ପାଇଁ ବ୍ୟବସ୍ଥା କରିବାକୁ ବିଏମ୍‌ସି ତତ୍ପର ହୋଇଛି। ଜାଗା ଚିହ୍ନଟ ପାଇଁ କୁହାଯାଇଛି। ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କର ଭିଡିଓଗ୍ରାଫି ହୋଇଥିବାରୁ କେବଳ ଉଚ୍ଛେଦ ହୋଇଥିବା ଦୋକାନୀମାନେ ହିଁ ଜାଗା ପାଇବାକୁ ହକ୍‌ଦାର ହେବେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.