Breaking News

ହି‌ଣ୍ଡେନ୍‌ବର୍ଗ ରିସର୍ଚ ବନ୍ଦ: ଆଦାନୀ ଗ୍ରୁପ୍, ସେବି ମୁଖ୍ୟଙ୍କୁ କରିଥିଲା ଟାର୍ଗେଟ୍‌

ଆଦାନୀ ଗ୍ରୁପ୍‌ ବିରୋଧରେ ସଙ୍ଗିନ ଅଭିଯୋଗ ଆଣି ଭାରତରେ ଚର୍ଚିତ ‌ହୋଇଥିବା ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନ୍‌ବର୍ଗ ରିସର୍ଚ ବନ୍ଦ କରିବାକୁ ଏହାର ପ୍ରତିଷ୍ଠାତା ନାଥନ୍ ଆଣ୍ଡରସନ୍ ଘୋଷଣା କରିଛନ୍ତି।

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ ବିରୋଧରେ ସଙ୍ଗିନ ଅଭିଯୋଗ ଆଣି ଭାରତରେ ଚର୍ଚିତ ‌ହୋଇଥିବା ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନ୍‌ବର୍ଗ ରିସର୍ଚ ବନ୍ଦ କରିବାକୁ ଏହାର ପ୍ରତିଷ୍ଠାତା ନାଥନ୍ ଆଣ୍ଡରସନ୍ ଘୋଷଣା କରିଛନ୍ତି। ୨୦୧୭ରେ ସେ ଏହି ସଂସ୍ଥା ଆରମ୍ଭ କରିଥିଲେ। ତାଙ୍କ ସଂସ୍ଥାର ରିପୋର୍ଟ ଏତେ ପ୍ରଭାବଶାଳୀ ରହୁଥିଲା ‌ଯେ ବ୍ୟବସାୟ ଜଗତଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁକିଛିକୁ ତାହା ଦୋହଲାଇ ଦେଉଥିଲା। ତେବେ ଯେଉଁ ସମୟରେ ହିଣ୍ଡେନ୍‌ବର୍ଗ ବନ୍ଦ ଘୋଷଣା ହୋଇଛି ତାହାକୁ ନେଇ କିଛିଟା ସନ୍ଦେହ ସୃଷ୍ଟି ହୋଇଛି। ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଏହି ଘୋଷଣା ସନ୍ଦେହକୁ ବଢ଼ାଇଛି। ଆଗକୁ ଚାପ ବଢ଼ିବା ଆଶଙ୍କା କରି ଆଣ୍ଡରସନ୍ କମ୍ପାନି ବନ୍ଦ କରିଥିବା କୁହାଯାଉଛି। ତେବେ ହିଣ୍ଡେନ୍‌ବର୍ଗ ବନ୍ଦ ହେବା ଆଦାନୀ ଗ୍ରୁପ୍‌ ଲାଗି ବରଦାନ ସାବ୍ୟସ୍ତ ହୋଇଛି। ଏହି ଖବର ଜଣାପଡ଼ିବା ପରେ ଷ୍ଟକ୍ ବଜାରରେ ଆଦାନୀ ଗ୍ରୁପ୍‌ର ବିଭିନ୍ନ ସଂସ୍ଥାର ସେୟାର ମୂଲ୍ୟ ବଢ଼ିଛି।

କମ୍ପାନି ବନ୍ଦ କରିବା ସମ୍ପର୍କରେ କମ୍ପାନିର ପ୍ରତିଷ୍ଠାତା ନାଥନ୍ ଆଣ୍ଡରସନ୍ କହିଛନ୍ତି ଯେ କିଛି ମାସ ତଳୁ ଏଥିପାଇଁ ଯୋଜନା ହୋଇଥିଲା। ଆମର ଚୂଡ଼ାନ୍ତ ତଦନ୍ତ ଶେଷ ହୋଇଥିବାରୁ କମ୍ପାନିକୁ ବନ୍ଦ କରାଯାଉଛି। ସେ କହିଛନ୍ତି ଯେ ହିଣ୍ଡେନ୍‌ବର୍ଗକୁ ମୁଁ ଯେତେବେଳେ ଆରମ୍ଭ କରିଥିଲି ମୋ ପାଖରେ ପାଣ୍ଠି ନଥିଲା। ଆର୍ଥିକ ପୃଷ୍ଠଭୂମିରୁ ନ ହୋଇ ମଧ୍ୟ ‌ସେ ଆଗକୁ ବଢ଼ିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଆଇନଗତ ଓ ଆର୍ଥିକ ସମସ୍ୟା ଦେଖାଦେଇଥିଲା। ପ୍ରଥମ ପ୍ରକଳ୍ପ ପରେ ସଙ୍ଗେ ସଙ୍ଗେ ତିନିଟି ମାମଲା ସାମ୍ନା କରିବାକୁ ପଡ଼ିଥିଲା। ସେତେବେଳେ ଆଣ୍ଡରସନ୍ ସନ୍ତାନର ବାପା ହୋଇଥିଲେ ଏବଂ ତାଙ୍କୁ ଘରୁ ତଡ଼ା ଖାଇବା ଭଳି ସ୍ଥିତି ଉପୁଜିଥିଲା। ଏତେ ସବୁ ଆହ୍ବାନକୁ ସାମ୍ନା କରିବା ସତ୍ତ୍ବେ ସେ ଆଗକୁ ବଢ଼ିଥିଲେ। ଆଣ୍ଡରସନ୍ କହିଛନ୍ତି ଯେ କମ୍ପାନିରେ ୧୧ ଜଣ ପ୍ରତିଭାବାନ ସଦସ୍ୟ ଥିଲେ। କାହାରି ପାରମ୍ପରିକ ଆର୍ଥିକ କ୍ଷେତ୍ରର ପୃଷ୍ଠଭୂମି ନଥିଲା। କିନ୍ତୁ ସମସ୍ତେ ତଦନ୍ତରେ ପ୍ରବୀଣ ଥିଲେ। ସେମାନଙ୍କ ତଦନ୍ତ ଏତେ ଶକ୍ତିଶାଳୀ ଥିଲା ଯେ ରିପୋର୍ଟଗୁଡ଼ିକ ପ୍ରକାଶ ହେବା ପରେ କୋଟିପତି, ଅତ୍ୟଧିକ କ୍ଷମତାଶାଳୀ ଭଳି ବ୍ୟକ୍ତିଙ୍କ ସମେତ ପ୍ରାୟ ୧୦୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଆମେ ଅନେକ ବ୍ୟବସାୟ ସାମ୍ରାଜ୍ୟ ଦୋହଲାଇଦେଇଛୁ। ସେଗୁଡ଼ିକୁ ଦୋହଲାଇବା ଜରୁରୀ ଥିଲା ବୋଲି ଆଣ୍ଡରସନ୍ କହିଛନ୍ତି। କମ୍ପାନି ବନ୍ଦ କରୁଥିଲେ ମଧ୍ୟ ଆଣ୍ଡରସନ୍‌ଙ୍କ ଯାତ୍ରା ବନ୍ଦ ହେଉନାହିଁ। କର୍ମ-ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଲାଗି ସେ କମ୍ପାନି ବନ୍ଦ କରୁଛନ୍ତି। କିନ୍ତୁ ଆସନ୍ତା ୬ ମାସ ହିଣ୍ଡେନ୍‌ବର୍ଗର ଗବେଷଣା ପଦ୍ଧତିର ବିବରଣୀ ପ୍ରସ୍ତୁତ କରିବୁ। ଆମ ଭଳି ଅଭିଳାଷ ଓ ତଦନ୍ତ କଳା ଶିଖିବାକୁ ଚାହୁଥିବା ଯେକୌଣସି ବ୍ୟକ୍ତି ନିଶ୍ଚିତ ଆମ ପାଖରେ ପହଞ୍ଚିବେ ବୋଲି ସେ ବିଶ୍ବାସର ସହ କହିଛନ୍ତି।

୨୦୨୩ରେ ଏହି ସଂସ୍ଥା ଶିଳ୍ପପତି ଗୌତମ ଆଦାନୀଙ୍କ ସଂସ୍ଥା ବିରୋଧରେ ଷ୍ଟକ୍ କାରବାର ଜାଲିଆତି, ଆକାଉଣ୍ଟିଂ ହେରଫେର, ଜାଲ୍ କମ୍ପାନି ଗଠନ ଭଳି ଗମ୍ଭୀର ଅଭିଯୋଗ ଆଣିଥିଲା। ତାହାର ପ୍ରଭାବ ଏତେ ଅଧିକ ଥିଲା ଯେ ଆଦାନୀ ଗ୍ରୁପ୍ ବିପୁଳ କ୍ଷତି ସହିବା ସହ ଭାରତରେ ରାଜନୀତି ମଧ୍ୟ ସରଗରମ ହୋଇଥିଲା। ହିଣ୍ଡେନବର୍ଗ ଅଭିଯୋଗ ପ୍ରଭାବରେ ଆଦାନୀ ଗ୍ରୁପ୍ ୧୫,୦୦୦ କୋଟି ଡଲାର କ୍ଷତି ସହିଥିଲା। ଗତବର୍ଷ ଏହା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କୁ ଟାର୍ଗେଟ୍‌ କରିଥିଲା। ଏତେ ବଡ଼ ପଦରେ ରହି ତାଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ସଂସ୍ଥା କିଭଳି ତଦନ୍ତ ସାମ୍ନା କରୁଥିବା ସଂସ୍ଥା ସହ କାରବାର କରୁଥିଲା, ତାହାକୁ ହିଣ୍ଡେନ୍‌ବର୍ଗ ସାମ୍ନାକୁ ଆଣିଥିଲା। କେବଳ ବ୍ୟାବସାୟିକ ସଂସ୍ଥା ନୁହେଁ, ଭାରତରେ ଏହା ବଲିଉଡ୍‌କୁ ମଧ୍ୟ ଟାର୍ଗେଟ୍‌ କରିଥିଲା। ୨୦୧୭ରେ ଏହା ଏରୋସ୍ ଇଣ୍ଟରନ୍ୟାସନାଲ୍‌ ବିରୋଧରେ ଆକାଉଣ୍ଟିଂ ଜାଲିଆତି ଅଭିଯୋଗ ଆଣିଥିଲା।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.