ଆମ ପୁରାଣର ଉପାଖ୍ୟାନ ଅନୁସାରେ, ଅମୃତ ଏକ ଅପାର୍ଥିବ ପଦାର୍ଥ। କାରଣ, ପୃଥିବୀରେ ମୃତ୍ୟୁ ଅଛି; ଅମୃତ ହେଉଛି ଅ-ମୃତ। ତାହା ପାନ କଲେ ପ୍ରାଣୀର ମୃତ୍ୟୁ ହୁଏ ନାହିଁ। ଏହି ଅମୃତର ଉଦ୍ଭବ ଘଟିଥିଲା ଦେବତା ଓ ଅସୁରଙ୍କ ଦ୍ବାରା ହୋଇଥିବା ସମୁଦ୍ରମନ୍ଥନରୁ। ସେହି ସମୁଦ୍ର ମନ୍ଥନ ସମୟରେ ହାତରେ ‘ଅମୃତ କୁମ୍ଭ’ ଧରି ସମୁଦ୍ରଗର୍ଭରୁ ଆବିର୍ଭୂତ ହୋଇଥିଲେ ଧନ୍ବନ୍ତରୀ।

ପୌରାଣିକ ଉପାଖ୍ୟାନ ଅନୁସାରେ, ସେହି ଅମୃତ ପାନ କରି ଅମର ହେବାପାଇଁ ଦେବତା ଓ ଅସୁରଙ୍କ ମଧ୍ୟରେ ପ୍ରତିଯୋଗିତା ହେବାରୁ, ଭଗବାନ ବିଷ୍ଣୁ ଅମୃତ କୁମ୍ଭକୁ ଗରୁଡ଼ଙ୍କୁ ଦେଇଦେଲେ। ଗରୁଡ଼ ଅମୃତକୁମ୍ଭ ସହିତ ଆକାଶ ମାର୍ଗକୁ ଉଡ଼ିଗଲେ। ସେହି ସମୟରେ, ଅମୃତକୁମ୍ଭ ଉଛୁଳି ଚାରିବିନ୍ଦୁ ଅମୃତ ପ୍ରୟାଗରାଜ, ହରିଦ୍ବାର, ନାସିକ ଓ ଉଜ୍ଜୟିନୀରେ ପଡ଼ିଥିଲା। ସେଥିପାଇଁ ସେହି ଚାରି ସ୍ଥାନରେ, ନିର୍ଦ୍ଦିଷ୍ଟ ତିଥି ଅନୁସାରେ ପବିତ୍ର କୁମ୍ଭସ୍ନାନ ଓ ମେଳା ହୋଇଥାଏ। କୁହାଯାଏ ଯେ ‌େସହି ତିଥିରେ ସେଠାର ନଦୀ ଜଳ ଅମୃତ ପାଲଟିଯାଏ। ସେଥିରେ ସ୍ନାନ କଲେ ସମସ୍ତ ପାପ ବିଦୂରିତ ହୋଇ ମାନବ ପବିତ୍ର ହୋଇଯାଏ।
ଏହି ପୌରାଣିକ ଉପାଖ୍ୟାନ ଅନୁସାରେ, କୁମ୍ଭସ୍ନାନ ହେଉଛି ଅମୃତକୁମ୍ଭର ଅମୃତବିନ୍ଦୁରେ ସ୍ନାନ। ଏହା ସଂକ୍ଷେପରେ ଅମୃତ ସ୍ନାନ।