Breaking News

ଜାଲିକାଟୁ ମହୋତ୍ସବରେ ୭ ମୃତ: ୪୦୦ରୁ ଅଧିକ ଆହତ, ୨ ଷଣ୍ଢ ମଧ୍ୟ ପ୍ରାଣ ହରାଇଛନ୍ତି

ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ପୋଙ୍ଗଲ ଅବସରରେ ଆୟୋଜିତ ଜାଲିକାଟୁ ମହୋତ୍ସବରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଭିଡ଼ ଭିତରେ ଷଣ୍ଢ ଦୌଡ଼ିବାର ଏହି ଖେଳରେ ଗୋଟିଏ ଦିନରେ ୪୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ଚେନ୍ନାଇ: ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ପୋଙ୍ଗଲ ଅବସରରେ ଆୟୋଜିତ ଜାଲିକାଟୁ ମହୋତ୍ସବରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଭିଡ଼ ଭିତରେ ଷଣ୍ଢ ଦୌଡ଼ିବାର ଏହି ଖେଳରେ ଗୋଟିଏ ଦିନରେ ୪୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତାମିଲନାଡୁ ପୁଲିସ ଶୁକ୍ରବାର କହିଛି ଯେ ଗୁରୁବାର କାନୁମ୍ ପୋଙ୍ଗଲ ଦିନ ଥିଲା। ଏହି ଦିନ ଜାଲିକାଟୁ ସବୁଠାରୁ ଅଧିକ ଖେଳାଯାଏ। ଏହି ୭ ଜଣଙ୍କ ବ୍ୟତୀତ ପୁଡୁକୋଟ୍ଟାଇ ଓ ଶିବଗଙ୍ଗାରେ ମଧ୍ୟ ଦୁଇଟି ଷଣ୍ଢର ମୃତ୍ୟୁ ଘଟିଛି। ପ୍ରାଣ ହରାଇଥିବା ଅଧିକାଂଶ ଲୋକ ଖେଳରେ ଅଂଶଗ୍ରହଣ କରି ନ ଥିଲେ, ବରଂ ଷଣ୍ଢ ମାଲିକ ଓ ଦର୍ଶକ ଥିଲେ। ଶିବଗଙ୍ଗା ଜିଲ୍ଲାର ସିରବାୟଲ ମଞ୍ଜୁବିରଟ୍ଟୁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ଏହି ଖେଳରେ ଭାଗ ନେଇଥିଲେ। ସେହିପରି ମଦୁରାଇର ଅଲଙ୍ଗନଲ୍ଲୁରରେ ଖେଳ ଦେଖିବାକୁ ଆସିଥିବା ଜଣେ ଦର୍ଶକ ଷଣ୍ଢ ଆକ୍ରମଣରେ ଆହତ ହୋଇଥିଲେ। ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ବିଭିନ୍ନ ଜିଲ୍ଲାରେ ଜାଲିକାଟୁ ଯୋଗୁଁ ଅନ୍ୟ ୫ ଜଣଙ୍କ ମୃତ୍ୟୁ ଘଟିଛି। ପୁଦୁକୋଟ୍ଟଇର ଗଣ୍ଡାରବାକୋଟ୍ଟଇ ତାଲୁକର ଥଚାନକୁରିଚି ଗାଁରେ ୨୦୨୫ର ପ୍ରଥମ ଜାଲିକାଟୁ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ତ୍ରିଚି, ଡିଣ୍ଡିଗୁଲ, ମନାପ୍ପରାଇ, ପୁଦୁକୋଟ୍ଟଇ ଓ ଶିବଗଙ୍ଗଇ ଭଳି ଜିଲ୍ଲାରେ ଏହା ଅନୁଷ୍ଠିତ ହୋଇଥିଲା। ଏହି ଖେଳରେ ୬୦୦ରୁ ଅଧିକ ଷଣ୍ଢ ସାମିଲ ହୋଇଛନ୍ତି।

ପାଖାପାଖି ୨,୫୦୦ ବର୍ଷ ଧରି ଏହି ଷଣ୍ଢ ଖେଳ ତାମିଲନାଡୁବାସୀଙ୍କ ପାଇଁ ଆସ୍ଥା ଓ ପରମ୍ପରାର ଏକ ଅଂଶ ପାଲଟିଛି। ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ କ୍ଷେତରେ ଫସଲ ପାଚିବା ପରେ ଏଠାକାର ଲୋକେ ପୋଙ୍ଗଲ ପର୍ବ ପାଳନ କରିଥାନ୍ତି। ଏହି ଦିନଠାରୁ ସେମାନେ ନୂଆ ବର୍ଷର ଶୁଭାରମ୍ଭ କରିଥାନ୍ତି। ତିନି ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ଶେଷ ଦିନରେ ଷଣ୍ଢଙ୍କୁ ପୂଜା କରାଯାଏ। ସେମାନଙ୍କୁ ସଜେଇ ଦିଆଯାଏ। ତା’ପରେ ଆରମ୍ଭ ହୁଏ ଜାଲିକାଟୁ। ଏହାକୁ ଏରୁ ଥଝୁବୁଥଲ ଓ ମନକୁବିରତ୍ତୁ ମଧ୍ୟ କୁହାଯାଏ। ଏହି ଖେଳ ପୋଙ୍ଗଲ ଉତ୍ସବର ଏକ ଅଂଶ। ଏହା ଏପରି ଏକ ଖେଳ ଯେଉଁଥିରେ ଦର୍ଶକଙ୍କ ମଝିରେ ଷଣ୍ଢକୁ ଛାଡ଼ି ଦିଆଯାଏ। ଏହି ଖେଳରେ ଭାଗ ନେଉଥିବା ଲୋକମାନେ ଷଣ୍ଢର ଜଟ ଓ ଶିଙ୍ଗ ଧରି ତାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି। ଯିଏ  ଷଣ୍ଢର ଜଟ ଅଧିକ ସମୟ ଯାଏ ଧରି ରଖିପାରେ ସେ ହୁଏ ବିଜେତା।

ଜାଲିକାଟୁର ଇତିହାସ ଖ୍ରୀଷ୍ଟପୂର୍ବ ୪୦୦-୧୦୦ରୁ ଆରମ୍ଭ ହୋଇଥିଲା, ଯେତେବେଳେ ଭାରତର ଏକ ଜାତିଗତ ଗୋଷ୍ଠୀ ଆୟାରମାନେ ଏହାକୁ ଖେଳୁଥିଲେ। ଏହାର ନାମ ଦୁଇଟି ଶବ୍ଦରୁ ଉତ୍ପନ୍ନ ହୋଇଛି- ଜାଲି (ରୂପା ଓ ସୁନା ମୁଦ୍ରା) ଓ କାଟୁ (ବନ୍ଧା ହେବା)। ତାମିଲନାଡୁର ଲୋକମାନେ ଷଣ୍ଢକୁ ଭଗବାନ ଶିବଙ୍କର ବାହନ ବୋଲି ବିବେଚନା କରନ୍ତି। ସେମାନେ ତାକୁ ପୂଜା କରନ୍ତି। ସେମାନଙ୍କ ପାଇଁ ଷଣ୍ଢ ଭାଇ ଓ ବାପା ଭଳି। ଖେଳରେ ଷଣ୍ଢଟିଏ ମରିଗଲେ ସମ୍ପର୍କୀୟଙ୍କୁ ଶୋକବାର୍ତ୍ତା ପଠାଯାଏ।   ମୃତଦେହକୁ ଫୁଲରେ ସଜେଇ ଦିଆଯାଏ। ମନୁଷ୍ୟପରି ଅନ୍ତିମ ସଂସ୍କାର କରି ମୃତ ଷଣ୍ଢକୁ ପବିତ୍ର ସ୍ଥାନରେ ପୋତି ଦିଆଯାଏ। ଘରକୁ ଫେରିବା ପରେ ଖେଳାଳି ମସ୍ତକ ମୁଣ୍ଡନ କରେ। ସେମାନେ ଗାଁ ଲୋକଙ୍କୁ ମୃତ୍ୟୁ ଭୋଜି ଦିଅନ୍ତି। କିଛି ଦିନ ପରେ ସେମାନେ ସେହି ଷଣ୍ଢର ଏକ ମନ୍ଦିର ମଧ୍ୟ ତିଆରି କରି ପ୍ରତିବର୍ଷ ପୂଜା କରନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.