Breaking News

ଶୈଳଶ୍ରୀକ୍ଷେତ୍ରରୁ ଚୋରି: ଠାକୁରଙ୍କ ମୁଣ୍ଡରୁ ଚିତା ନେଇଗଲେ

ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଠାକୁରଙ୍କ ଚିତା ଓ ହୁଣ୍ଡିରୁ ଟଙ୍କା ପଇସା ଚୋରି ହୋଇଛି। ଗୁରୁବାର ରାତିରେ କେହି ଦୁର୍ବୃତ୍ତ ମନ୍ଦିରର ତାଲା ଭାଙ୍ଗି ଗର୍ଭଗୃହରେ ପଶି ଏହି ଚୋରି କରିଛି। ଏଥିନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ଛାନ୍‌ଭିନ ଆରମ୍ଭ କରିଛି।

ଅନୁଗୁଳ: ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଠାକୁରଙ୍କ ଚିତା ଓ ହୁଣ୍ଡିରୁ ଟଙ୍କା ପଇସା ଚୋରି ହୋଇଛି। ଗୁରୁବାର ରାତିରେ କେହି ଦୁର୍ବୃତ୍ତ ମନ୍ଦିରର ତାଲା ଭାଙ୍ଗି ଗର୍ଭଗୃହରେ ପଶି ଏହି ଚୋରି କରିଛି। ଏଥିନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ଛାନ୍‌ଭିନ ଆରମ୍ଭ କରିଛି। ହେଲେ ଚୋରଙ୍କ ସନ୍ଧାନ ମିଳିନି। ଏପଟେ ମନ୍ଦିର ସୁରକ୍ଷା ନେଇ ଶ୍ରଦ୍ଧାଳୁଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଗୁରୁବାର ରାତିରେ ଜଗନ୍ନାଥ ମନ୍ଦିରରେ ପହୁଡ଼ ପଡ଼ିବା ପରେ ପୂଜକ ମନ୍ଦିର ବନ୍ଦ କରି ଫେରିଥିଲେ। ଆଜି ସକାଳେ ପୂଜକ ଉମେଶ ଚନ୍ଦ୍ର ମହାପାତ୍ର ମନ୍ଦିର ଖୋଲିବାକୁ ଯାଇଥିଲା ବେଳେ ମନ୍ଦିରର ତାଲା ଭଙ୍ଗା ଯାଇଥିବା ଦେଖି ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ହେଲେ ବିଶେଷ ସଫଳତା ମିଳିନି। ଠାକୁରଙ୍କ ସୁନା ଚିତା ସହ ହୁଣ୍ଡିରେ ଥିବା ଟଙ୍କା ପଇସାକୁ ଦୁର୍ବୃତ୍ତ ନେଇ ଯାଇଛନ୍ତି।

ପୁଲିସ ଜାଣିବାକୁ ପାଇଛି ଯେ, ମନ୍ଦିର ପଛ ପଟରେ ଥିବା ରୋଷଶାଳା ଦେଇ ଦୁର୍ବୃତ୍ତ ମନ୍ଦିରରେ ପ୍ରବେଶ କରିଛନ୍ତି। ପରେ ମୁଖ୍ୟ ମନ୍ଦିରର ତାଲା ଭାଙ୍ଗି ଭିତରେ ପଶିଛନ୍ତି। ରତ୍ନ ସିଂହାସନ ଉପରେ ଚଢ଼ି ଠାକୁରଙ୍କ ଚିତା ନେଇଛନ୍ତି। ପରେ ମନ୍ଦିର ପଛ ପଟ ଦେଇ ଫେରାର୍‌ ‌ହୋଇ ଯାଇଛନ୍ତି। ସନ୍ଧାନୀ କୁକୁର ମନ୍ଦିର ପଛ ଦେଇ ହରିମହୁରୀ ଛକ ପର୍ଯ୍ୟନ୍ତ ଯାଇଥିବାରୁ ଦୁର୍ବୃତ୍ତ ଏହି ରାସ୍ତାରେ ଫେରାର୍‌ ହୋଇଯାଇଥିବା ଅନୁମାନ କରାଯାଉଛି। ଏପଟେ ଏହି ଘଟଣା ପରେ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ବେଳେ ଚୋରଙ୍କୁ ତୁରନ୍ତ ଧରିବାକୁ ସେମାନେ ଦାବି କରିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.