Breaking News

ସନ୍ଧିକ୍ଷଣରେ ସନ୍ଧି

ଆଶା କରିବା ଯେ ବୟାଳିଶ ଦିନର ଏହି ଯୁଦ୍ଧ ବିରତି କାଳଖଣ୍ଡରେ ଉଭୟ ପକ୍ଷ ସମସ୍ତ ସର୍ତ୍ତର ଅନୁପାଳନ କରିବେ ଏବଂ ଏହା ଏକ ସ୍ଥାୟୀ ଶାନ୍ତି ଓ ଗାଜା ପୁନର୍ନିର୍ମାଣ ଲାଗି ପଥ ପରିଷ୍କାର କରିବ। ଆଶା କରିବା ଯେ ଏଭଳି ଏକ ଅଭୂତପୂର୍ବ ପ୍ରାଣଘାତୀ ଯୁଦ୍ଧ...

ଆଶା କରିବା ଯେ ବୟାଳିଶ ଦିନର ଏହି ଯୁଦ୍ଧ ବିରତି କାଳଖଣ୍ଡରେ ଉଭୟ ପକ୍ଷ ସମସ୍ତ ସର୍ତ୍ତର ଅନୁପାଳନ କରିବେ ଏବଂ ଏହା ଏକ ସ୍ଥାୟୀ ଶାନ୍ତି ଓ ଗାଜା ପୁନର୍ନିର୍ମାଣ ଲାଗି ପଥ ପରିଷ୍କାର କରିବ। ଆଶା କରିବା ଯେ ଏଭଳି ଏକ ଅଭୂତପୂର୍ବ ପ୍ରାଣଘାତୀ ଯୁଦ୍ଧ ପରେ ଆଂଶିକ ରିହାତି ସ୍ବରୂପ ଗାଜା ପ୍ରତି ଇସ୍ରାଏଲର ମନୋଭାବ ସାମନ୍ୟ କୋମଳ ହେବ, ଯଦ୍ଦ୍ବାରା ପାଲେଷ୍ଟିନୀୟମାନଙ୍କ ଜୀବନଯାପନ ଅପେକ୍ଷାକୃତ ଅଧିକ ସହଜ ହେବ। ଆଶା କରିବା ଯେ ୪୬୨ ଦିନର ଯୁଦ୍ଧ ଓ ୪୬ ହଜାର ପାଲେଷ୍ଟିନୀୟଙ୍କ ମୃତ୍ୟୁ ପରେ ଏଭଳି ସ୍ଥିତି ଓ ଦୃଶ୍ୟର ପୁନରାବୃତ୍ତି ଘଟିବ ନାହିଁ।

ଗଲା ଶନିବାର ଦିନ ଇସ୍ରାଏଲ୍‌ କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିବା ପରେ ଇସ୍ର‌ାଏଲ ଓ ହମାସ ମଧ୍ୟରେ ଚାଲିଥିବା ପ୍ରାୟ ଚଉଦ ମାସ ଦୀର୍ଘ ଯୁଦ୍ଧରେ ଛଅ ସପ୍ତାହର ବିରତି ଲାଗିବା ସୁନିଶ୍ଚିତ ହୋଇଯାଇଛି। ଏଥିରେ କିଞ୍ଚିତ ମାତ୍ର ସନ୍ଦେହ ନାହିଁ ଯେ ଏଭଳି ଏକ ସନ୍ଧି ସମ୍ଭବ କରିବାରେ ଯୁକ୍ତରାଷ୍ଟ୍ର ଆମେରିକାର ଭୂମିକା ହିଁ ନିର୍ଣ୍ଣାୟକ ଥିଲା, କିନ୍ତୁ, ହ୍ବାଇଟ୍ ହାଉସ୍ (ଆମେରିକାର ରାଷ୍ଟ୍ରପତି ଭବନ)ରୁ ଜୋ ବାଇଡେନ୍‌ଙ୍କ ପ୍ରସ୍ଥାନ ଓ ତା’ ମଧ୍ୟକୁ ଡୋନାଲ୍‌ଡ ଟ୍ରମ୍ପଙ୍କ ପ୍ରବେଶର ସନ୍ଧିକ୍ଷଣରେ ଏହି ସନ୍ଧି ଘଟିଥିବାରୁ ଉଭୟେ ଶ୍ରେୟ ଦାବି କରିଛନ୍ତି। କେବଳ ସେତିକି ନୁହେଁ, ‘ଶ୍ରେୟ ପ୍ରକୃତରେ କାହାର ପ୍ରାପ୍ୟ?’ ଭଳି ପ୍ରଶ୍ନର ଉତ୍ତର ଅନ୍ବେଷଣରେ ଅନେକ ଆଲୋଚକ ବ୍ୟାପୃତ ମଧ୍ୟ! କିନ୍ତୁ ସତ କଥାଟି ହେଲା, ଏହି ପ୍ରଶ୍ନର ଉତ୍ତର ଖୋଜିବା ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧ ଏବଂ ତା’ର ପରିଣାମରୁ ଆହୃୃତ ଅନୁଭୂତି ସମ୍ବଳିତ ଜ୍ଞାନରୁ ଆଲୋଚନାକୁ ଅଧିକ ବିସ୍ତାରିତ କରିବା।
କହିବା ବାହୁଲ୍ୟ ଯେ ଏହି ଯୁଦ୍ଧ ବିରତି ଅତ୍ୟନ୍ତ ସ୍ବାଗତଯୋଗ୍ୟ, କିନ୍ତୁ ପ୍ରଶ୍ନ ହେଲା ଅବର୍ଣ୍ଣନୀୟ ଭାବେ ପ୍ରାଣ-କ୍ଷୟକାରୀ ଏହି ଯୁଦ୍ଧ ପଛରେ ରହିଥିବା ଇସ୍ରାଏଲର ସେହି ଗୂଢ଼ ଉଦ୍ଦେଶ୍ୟଟି ସାଧିତ ହୋଇପାରିଲା କି, ଯାହା ଥିଲା ହମାସର ସଂପୂର୍ଣ୍ଣ ନିର୍ମୂଳନ? ୨୦୨୩ ମସିହା ଅକ୍‌ଟୋବର ମାସର ସେହି ଦୁର୍ଭାଗ୍ୟପୂର୍ଣ୍ଣ ପ୍ରଭାତରେ ହମାସ ଆତଙ୍କବାଦୀଙ୍କ ଦ୍ବାରା ଏକ ହଜାରରୁ ଅଧିକ ନିରୀହ ଇସ୍ରାଏଲୀ ନିହତ ହେବା ଓ ଶତାଧିକ ଇସ୍ରାଏଲୀ ଅପହୃତ ହେବା ପରେ ପ୍ରତିକ୍ରିୟା ସ୍ବରୂପ ଇସ୍ରାଏଲ୍ ପକ୍ଷରୁ ‘ହମାସ ମୂଳୋତ୍ପାଟନ’ର ଶପଥ ନିଆଯାଇ ଜନାକୀର୍ଣ୍ଣ ଓ ଘଞ୍ଚ ଅଞ୍ଚଳ ଗାଜା ପଟିକୁ ଧ୍ବଂସ କରି ଦିଆଗଲା। ହମାସର ମେରୁଦଣ୍ଡ ଭାଙ୍ଗି ‌େଦବା ସକାଶେ ଇସ୍ରାଏଲର ଆକ୍ରମଣ ଦ୍ବାରା ଗାଜା ପଟିରେ ବୟସ, ଲିଙ୍ଗ ଓ ବୃତ୍ତି ନିର୍ବିଶେଷରେ ୪୬,୦୦୦ ପାଲେଷ୍ଟିନୀୟ ନିହତ ହେଲେ। ସେମିତି ହମାସର ସର୍ବାଧିକ ପ୍ରଭାବଶାଳୀ ଶୀର୍ଷତମ ସ୍ଥାନୀୟ ନେତା ଇସମାଏଲ ହନିୟେଁ ଓ ୟାହ୍ୟା ସିନୱାର୍‌ଙ୍କୁ ଖୋଜି ଖୋଜି ହତ୍ୟା କରିବାରେ ଇସ୍ରାଏଲ ସଫଳ ହେଲା, ଅଭେଦ୍ୟ ଚକ୍ରବ୍ୟୂହ ଭେଦ କରିବାରେ ପାରଙ୍ଗମ ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ‘ମୋସାଡ୍’ ଦୀର୍ଘ ଚଉଦ ମାସ ଧରି ଅବିରାମ ଉଦ୍ୟମ କରିବା ସତ୍ତ୍ବେ ହମାସ ଦ୍ବାରା ଅପହୃତ ଇସ୍ରାଏଲୀ ପଣବନ୍ଦୀଙ୍କ ନିକଟରେ ପହଞ୍ଚି ପାରିଲା ନାହିଁ। ହମାସ ତିଷ୍ଠି ରହିଲା ଓ ପରିଶେଷରେ ଇସ୍ରାଏଲ ସେହି ହମାସ ସହିତ ଯୁଦ୍ଧ ବିରତି ରାଜିନାମା ସ୍ବା‌କ୍ଷର କରିଛି। ତେଣୁ କେତେକ ବିଶେଷଜ୍ଞ କହିଥାଆନ୍ତି ଯେ ସାଂପ୍ରତିକ ଯୁଦ୍ଧର ଚରିତ୍ର ଏହି ଯୁଦ୍ଧରେ ମଧ୍ୟ ପରିଲକ୍ଷିତ, ଯେଉଁଠି ହାର-ଜିତ ସୁନିର୍ଦ୍ଦିଷ୍ଟ ନ ଥାଏ, ଯେମିତି ହମାସ ଏକାବେଳକେ ହାରିଯାଇଛି ବୋଲି କହିହେବ ନାହିଁ କି ଇସ୍ରାଏଲ ବିଜୟ ଲାଭ କରିଛି ବୋଲି ଦାବି କରାଯାଇପାରିବ ନାହିଁ। କେବଳ ଯାହା ରକ୍ତପାତ ଓ ଧ୍ବଂସଲୀଳା ହିଁ ସାର ହୋଇଛି।
ଶଂସିତ ଯୁଦ୍ଧଟି ଏହା ମଧ୍ୟ ସୂଚାଇ ଦେଇଛି ଯେ ‘ଆରବ ଏକତା’ ଭଳି ସଂଦର୍ଭ ଏବେ ସଂପୂର୍ଣ୍ଣ ଅଚଳନ୍ତି। ଗାଜା ଉପରେ ଇସ୍ରାଏଲୀ ଆକ୍ରମଣ ପରିପ୍ରେକ୍ଷୀରେ ବୃହଦାକାୟ ଆରବ ରାଷ୍ଟ୍ରଗୁଡ଼ିକ ନିସ୍ପୃହ ରହିବା ଏହାର ପ୍ରମାଣ। ଅବଶ୍ୟ ଏହା ସତ ‌େଯ ଇସ୍ରାଏଲ ଓ ଆରବ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସଂପାଦିତ ‘ଆବ୍ରାହାମ୍ ଆକର୍ଡସ୍’ ସେମାନେ ପରସ୍ପରର ସହାଯୋଗୀ ହେବାର ପ୍ରତିଶ୍ରୁତି ବହନ କରିଥାଏ। ତେଣୁ କୁହାଯାଇପାରେ ଯେ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ‘ଆବ୍ରାହାମ୍ ଆକର୍ଡସ୍’ର ଏକ ଏସିଡ୍‌ ପରୀକ୍ଷା ଭଳି ଥିଲା, ଯହିଁରେ ଚୁକ୍ତିନାମା ସଫଳ ହୋଇଛି। ସୁତରାଂ, ଏହି ଯୁଦ୍ଧ ପରେ ମଧ୍ୟ-ପ୍ରାଚ୍ୟରେ ଇସ୍ରାଏଲ ଅଧିକ ପ୍ରଭାବଶାଳୀ ହୋଇଛି। କେବଳ ସେତିକି ନୁହେଁ, ଇସ୍ରାଏଲୀ ଆକ୍ରମଣ‌େର ଲେବାନନ୍ ଓ ୟେମେନ୍‌ର ସଶସ୍ତ୍ର ‘ମିଲିସିଆ’ ସଂଗଠନ ‘ହେଜବୋଲ୍ଲା’ ଓ ‘ହୁଥି’ କ୍ଷତିଗ୍ରସ୍ତ ହେବା ଫଳରେ ଇରାନ ଦୁର୍ବଳ ହୋଇଛି, କାରଣ ଏହି ସଂଗଠନଗୁଡ଼ିକ ଇରାନ ପକ୍ଷରୁ ପ୍ରକ୍‌ସି ଯୁଦ୍ଧ ଲଢ଼ିଥାଆନ୍ତି। ତେଣୁ ଇସ୍ରାଏଲ ଅଧିକ ନିଷ୍କଣ୍ଟକ ହୋଇଛି ମଧ୍ୟ! କେତେକ ବିଶେଷଜ୍ଞଙ୍କ ମତରେ ଏହା ହିଁ ହେଉଛି ଏହି ଯୁଦ୍ଧରୁ ଇସ୍ରାଏଲର ସର୍ବାଧିକ ବଡ଼ ଉପଲବ୍‌ଧି।
ସନ୍ଧିକାଳର ଏହି ସନ୍ଧି ବିଷୟରେ ଆଲୋଚନା କଲାବେଳେ ଦିଶିଥାଏ ଯେ ଏଭଳି ଯୁଦ୍ଧ ବିରତି ରାଜିନାମା ଲାଗି ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ତାଙ୍କ ଟିମ୍‌ ପକ୍ଷରୁ ଦୀର୍ଘ ଆଠ ମାସ ଧରି ପ୍ରୟାସ ଚାଲିଥିଲା। ପ୍ରକାଶ ଥାଉ କି ଜୋ ବାଇଡେନ୍‌ଙ୍କ ପ୍ରୟା‌ସରେ ପୂର୍ବରୁ ଥରଟିଏ ମାତ୍ର ସପ୍ତାହକ ଲାଗି ଯୁଦ୍ଧ ବିରତି ସମ୍ଭବ ହୋଇଥିଲେ ହେଁ ପରବର୍ତ୍ତୀ କାଳରେ ଏଭଳି ଯୁଦ୍ଧ ବିରତି ଲାଗି ବାଇେଡନ୍‌ଙ୍କ ଆଗ୍ରହକୁ ଇସ୍ରାଏଲ ସଂପୂର୍ଣ୍ଣ ଅଗ୍ରାହ୍ୟ କରି ଦେଇଥିଲା। ତେଣୁ ପ୍ରଶ୍ନ ଉଠିଥାଏ ଯେ ତାହା ହେଲେ ଏବେ ଏକ ସର୍ତ୍ତଭରା ଯୁଦ୍ଧ ବିରତି ଲାଗି ଇସ୍ରାଏଲ ସହସା ରାଜି ହେଲା କିପରି? ଏହାର ଉତ୍ତର ହେବ ଟ୍ରମ୍ପଙ୍କ ପ୍ରତି ଭୟ, କାରଣ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ପରେ ଡୋନାଲ୍‌ଡ ଟ୍ରମ୍ପ ଅତି ଦୃଢ଼ କଣ୍ଠରେ ଓ ସ୍ପଷ୍ଟ ଭାବେ ଚେତାବନୀଟିଏ ଦେଇଥିଲେ ଯେ ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ଯଦି ଯୁଦ୍ଧ ବନ୍ଦ ନ ହୁଏ, ତେବେ ସେ ଯେଉଁ କାର୍ଯ୍ୟାନୁଷ୍ଠାନ କରିବେ, ତାହା କୌଣସି ପକ୍ଷ ସକାଶେ ମଙ୍ଗଳକର ଓ ରୁଚିକର ହେବ ନାହିଁ। ଏହା ସୁବିଦିତ ଯେ ବାଇଡେନ୍‌ଙ୍କ ଠାରୁ ଅକୁଣ୍ଠ ସମର୍ଥନ ଓ ଅସ୍ତ୍ରଶସ୍ତ୍ରର ସାହାଯ୍ୟ ପାଇ ଅବିଶ୍ରାନ୍ତ ଆକ୍ରମଣ ଚଳାଇଥିବା ଇସ୍ରାଏଲ ଅତ୍ୟନ୍ତ ନିର୍ଭୟ ଚିତ୍ତ ହୋଇ ଉଠିଥିଲା, ଯାହା ଟ୍ରମ୍ପଙ୍କ ପରିପ୍ରେକ୍ଷୀରେ ସମ୍ଭବ ନୁହେଁ। ପ୍ରକାଶ ଥାଉ କି ଦୋହାରେ ଅନୁଷ୍ଠିତ ହୋଇଥିବା ଯୁଦ୍ଧ ବିରତି ଅାଲୋଚନାରେ ଟ୍ରମ୍ପଙ୍କ ପ୍ରତିନିଧି ଷ୍ଟିଭ୍ ୱିଟ୍‌କଫଙ୍କ ଦୃଢ଼ ଓ ଧମକପୂର୍ଣ୍ଣ ଆଭିମୁଖ୍ୟ ହେତୁ କୁଆଡ଼େ ଇସ୍ରାଏଲ ଚୁକ୍ତିରେ ସ୍ବାକ୍ଷର କରିବାକୁ ସମ୍ମତ ହୋଇଥିଲା। ସୁତରାଂ, ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବାର କେଇ ଘଣ୍ଟା ପୂର୍ବରୁ ସନ୍ଧିକ୍ଷଣର ସନ୍ଧି ସମ୍ଭବ ହୋଇଥିଲା। ସୁତରାଂ, ଅଧିକ ଶ୍ରେୟ ଯେ ଟ୍ରମ୍ପଙ୍କ ପ୍ରାପ୍ୟ, ଏଥିରେ ଦ୍ବିରୁକ୍ତି ନାହିଁ। ଏହାକୁ ପ୍ରମାଣ କଲା ଭଳି ଦେଖିବାକୁ ମିଳିଛି ଯେ ଏହି ଆଲୋଚନା ସଫଳ ହେବା ପରେ ଇସ୍ରାଏଲୀ ରାଷ୍ଟ୍ରପତି ବେଞ୍ଜାମିନ୍ ନେତନ୍ୟାହୁ ସର୍ବପ୍ରଥମେ ଟ୍ରମ୍ପଙ୍କୁ ଫୋନ୍ କରିଥିଲେ। ତାଙ୍କ ଆଚରଣ ନେଇ ଅନ୍ଦାଜ ଅଯୋଗ୍ୟ ଟ୍ରମ୍ପ ଆଗାମୀ ଚାରି ବର୍ଷ ଲାଗି ଆମେରିକାର ରାଷ୍ଟ୍ରପତି ପଦାସୀନ ହୋଇ ରହିବେ। ଏଭଳି ଦୃଶ୍ୟପଟ‌େର ନେତନ୍ୟାହୁ ସମ୍ଭବତଃ ନିରୁପାୟ ହୋଇଯାଇଥିବେ!
ଏହି ଚୁକ୍ତି ସ୍ବାକ୍ଷରିତ ହେବାର ଖବର ପ୍ରଘଟ ହେବା କ୍ଷଣି ଶହ ଶହ ପାଲେଷ୍ଟିନୀୟ ଓ ଯୁଦ୍ଧର ବିରୋଧୀଗଣ ସଡ଼କ ଉପରକୁ ଚାଲି ଆସି ଏକ ଉତ୍ସବମୁଖର ବାତାବରଣ ସୃଷ୍ଟି କରିଥିଲେ। ଆଶା କରିବା ଯେ ବୟାଳିଶ ଦିନର ଏହି ଯୁଦ୍ଧ ବିରତି କାଳଖଣ୍ଡରେ ଉଭୟ ପକ୍ଷ ସମସ୍ତ ସର୍ତ୍ତର ଅନୁପାଳନ କରିବେ ଏବଂ ଏହା ଏକ ସ୍ଥାୟୀ ଶାନ୍ତି ଓ ଗାଜା ପୁନର୍ନିର୍ମାଣ ଲାଗି ପଥ ପରିଷ୍କାର କରିବ। ଆଶା କରିବା ଯେ ଏଭଳି ଏକ ଅଭୂତପୂର୍ବ ପ୍ରାଣଘାତୀ ଯୁଦ୍ଧ ପରେ ଆଂଶିକ ରିହାତି ସ୍ବରୂପ ଗାଜା ପ୍ରତି ଇସ୍ରାଏଲର ମନୋଭାବ ସାମନ୍ୟ କୋମଳ ହେବ, ଯଦ୍ଦ୍ବାରା ପାଲେଷ୍ଟିନୀୟମାନଙ୍କ ଜୀବନଯାପନ ଅପେକ୍ଷାକୃତ ଅଧିକ ସହଜ ହେବ। ଆଶା କରିବା ଯେ ୪୬୨ ଦିନର ଯୁଦ୍ଧ ଓ ୪୬ ହଜାର ପାଲେଷ୍ଟିନୀୟଙ୍କ ମୃତ୍ୟୁ ପରେ ଏଭଳି ସ୍ଥିତି ଓ ଦୃଶ୍ୟର ପୁନରାବୃତ୍ତି ଘଟିବ ନାହିଁ। ତେବେ, ନିରାଶାବାଦୀମାନେ ଏ ସମଗ୍ର ଘଟଣାକ୍ରମକୁ ଆଉ ପ୍ରକାରେ ଦେଖନ୍ତି। ସେମାନେ କହନ୍ତି ଯେ ଯୁଦ୍ଧ ପୂର୍ବରୁ ହମାସ ଥିଲା, ଏବେ ମଧ୍ୟ ଅଛି। ସୁତରାଂ, ଏକ ସଂଘର୍ଷ ସକାଶେ କାରଣମାନ ଯୁଦ୍ଧ ପୂର୍ବରୁ ଯାହା ଥିଲା ଏବେ ମଧ୍ୟ ବିଦ୍ୟମାନ। ତେଣୁ, ଦେଖାଯାଉ!

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.