ଶ୍ୟାମସୁନ୍ଦର ଅଗ୍ରୱାଲା

ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିର ପରିସରରେ ଭକ୍ତମାନଙ୍କ ମଧ୍ୟରେ ଦଳାଚକଟା ଯୋଗୁଁ ଛଅ ଜଣ ଲୋକ ମୃତ୍ୟୁ ବରଣ କଲେ ଏବଂ ଶତାଧିକ ଲୋକ ଖଣ୍ଡିଆ ଖାବରା ହୋଇ ଚିକିତ୍ସିତ ହେଲେ। ନୂଆ ବର୍ଷର ପ୍ରଥମ ଦିନରେ ଆମ ଓଡ଼ିଶାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ଲକ୍ଷ ଲକ୍ଷ ଲୋକେ ଏକତ୍ରିତ ହୋଇ ବଡ଼ ଦାଣ୍ଡ ସୁରକ୍ଷା ଦ୍ୱାରକୁ ଏମିତି ମାଡ଼ି ଆସିଲେ ଯେ ଶହ ଶହ ଜଣ ଅଣନିଶ୍ୱାସୀ ହୋଇପଡ଼ିଲେ, ଆଉ କେତେ ଜଣ ତ ମରୁ ମରୁ ବଞ୍ଚିଗଲେ। ତିରୁପତି ଓ ବୈଷ୍ଣୋଦେବୀ ମନ୍ଦିରରେ ଏ ଭଳି ଠେଲାପେଲା ଘଟଣା ପ୍ରାୟ ଘଟୁଥିବା ବେଳେ ଭାରତ ବର୍ଷର ଅନ୍ୟାନ୍ୟ ମନ୍ଦିରମାନଙ୍କରେ ମଧ୍ୟ ଭକ୍ତମାନଙ୍କର ଭିଡ଼ କମ୍‌ ପରିଲକ୍ଷିତ ହେଉନାହିଁ। କେଉଁଠି ଭକ୍ତମାନେ ଅଣନିଶ୍ୱାସୀ ହୋଇପଡୁଛନ୍ତି ତ କେଉଁଠି ଦଳାଚକଟାରେ ପ୍ରାଣ ହରଉଛନ୍ତି। ତଥାପି ଦିନକୁ ଦିନ ଭକ୍ତମାନଙ୍କର ଭିଡ଼ ବଢୁଛି ସିନା କମ୍‌ ହେବାର ନାଁ ଗନ୍ଧ ନେଉନାହିଁ।

ବିଶେଷତଃ ନୂଆବର୍ଷ ଦିନ ମନ୍ଦିରମାନଙ୍କରେ ଭକ୍ତମାନଙ୍କର ଏମିତି ଭିଡ଼ ବଢ଼ିବାର କାରଣ କ’ଣ? ଜନସଂଖ୍ୟା ବୃଦ୍ଧି ଗୋଟିଏ କାରଣ ହୋଇପାରେ କିନ୍ତୁ କେଜାଣି କାହିଁକି ଏହି ଯୁକ୍ତିଟି ସେତେ ସହଜରେ ହଜମ ହେଉନାହିଁ। ଅନ୍ୟ କାରଣ ହୁଏତ ରାସ୍ତାଘାଟର ସୁବିଧା ଓ ଯାନବାହନର ବୃଦ୍ଧି ହୋଇପାରେ କିନ୍ତୁ ତା’ ବି ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ। ଯଦି ଏହା ନୁହେଁ ତେବେ ବର୍ତ୍ତମାନ କ’ଣ ଲୋକମାନଙ୍କର ଠାକୁରଙ୍କ ପ୍ରତି ଭକ୍ତି ଭାବ ଏତେ ବଢ଼ିଗଲା ଯେ ଲକ୍ଷ ଲକ୍ଷ ଲୋକ ମନ୍ଦିରକୁ ଦୌଡ଼ି ଆସୁଛନ୍ତି? ଏହା ବି ନୁହେଁ, କାରଣ ବର୍ତ୍ତମାନ ସମାଜରେ ଯେଉଁଭଳି ଭାବରେ ଅନ୍ୟାୟ, ଅତ୍ୟାଚାର, ହତ୍ୟା, ଧର୍ଷଣ ଓ ବ୍ୟଭିଚାର ଦିନକୁ ଦିନ ବଢ଼ି  ଚାଲିଛି ସେଥିରେ ଲୋକମାନଙ୍କର ଭକ୍ତିଭାବ ବଢ଼ି ଯାଇଛି ବୋଲି ସଫେଇ ଦେବା ମଧ୍ୟ ଗ୍ରହଣୀୟ ମନେ ହୁଏନା। ଯେଉଁଠି ନବେ ବର୍ଷର ବୃଦ୍ଧାଙ୍କୁ ଷୋଳ ସତର ବର୍ଷର ଟୋକାମାନେ ଧର୍ଷଣ କରିପକଉଛନ୍ତି, ପୁଅ ବାପକୁ ଜମି ଖଣ୍ଡେ ପାଇଁ କାଠ ଫାଳିଆରେ ପିଟି ପକଉଛି, ପଚାଶ ବର୍ଷର ମା’ ତା’ ପୁଅର ତଣ୍ଟି ଚିପି ଦେଇ ଯୁଆନ ପ୍ରେମିକ ସହିତ ଫେରାର ହୋଇଯାଉଛି ସେଇଠି ଲୋକମାନଙ୍କରେ ଭକ୍ତି ଭାବ ବଢ଼ିଗଲାଣି ବୋଲି କହିବା ମୂର୍ଖାମିର ପରିଚୟ ଦେବ।

ବନ୍ଧୁଗଣ, ମନେ ହୁଏ ଭିଡ଼ ହେବାର କାରଣ ଠାକୁରଙ୍କ ପ୍ରତି କୌଣସି ଭକ୍ତି, ଶ୍ରଦ୍ଧା, ପ୍ରେମ କି ସମର୍ପଣ ଭାବର ଦ୍ରୁତ ବୃଦ୍ଧି ପାଇଁ ନୁହେଁ ବରଂ ଅସଲି କଥାଟି ହେଉଛି ଅଧିକାଂଶ ଲୋକମାନଙ୍କର ମନରେ ବର୍ତ୍ତମାନ ଏକ ଅହେତୁକ ଭୟର ବୃଦ୍ଧି ଘଟିଛି। ଏହି ଭୟ ମୁଖ୍ୟତଃ ବର୍ତ୍ତମାନର ସାମାଜିକ, ପାରିବାରିକ ଓ ଅର୍ଥନୈତିକ ସଙ୍କଟ ଯୋଗୁଁ ବଢ଼ି ଚାଲିଛି। ସମାଜରେ ଚାରିଆଡ଼େ ଗୋଟେ ଭୟର ବାତାବରଣ ରହୁଛି। ସାଧାରଣ ଜନଜୀବନ ଦିନକୁ ଦିନ ଦୁର୍ବିଷହ ହୋଇପଡୁଛି। ସାହା ଭରସା କେହି କେଉଁଠି ଦିଶୁନାହାନ୍ତି। ଏକା ଏକା ଜୀବନ ଜିଇଁବାକୁ ପଡୁଛି। ଜୀବନ ହତାଶିଆ ଲାଗୁଛି। ଖବରକାଗଜମାନଙ୍କରେ ପ୍ରକାଶିତ ଭୟାନକ ସମ୍ବାଦ ସବୁ ଏହାର ସାକ୍ଷ୍ୟ ଦିଏ। ତେଣୁ ମଣିଷ ଭାବୁଛି ଏହାରି ଭିତରେ ଯଦି ଟିକେ ବର୍ଷ ଆରମ୍ଭରୁ ଠାକୁରଙ୍କ କୃପା ଦୃଷ୍ଟି ପଡ଼ିଯାନ୍ତା ତେବେ ହୁଏତ ରକ୍ଷା ପାଇଯାଆନ୍ତା। ଯେନତେନ ପ୍ରକାରେଣ ଭିଡ଼ଭାଡ଼ ଭିତରେ ଯଦି ଟିକିଏ ଠାକୁରଙ୍କ ଦର୍ଶନ ହୋଇଯାଆନ୍ତା ତେବେ ଏ ବର୍ଷଟା ଭଲରେ ଭଲରେ କଟିଯାଇଥାନ୍ତା। ତେଣୁ କୌଣସି ଶ୍ରଦ୍ଧା ଓ ପ୍ରେମ ଭାବରେ ନୁହେଁ କେବଳ ଭୟାର୍ତ୍ତ ହୋଇ ନୂଆବର୍ଷରେ ପ୍ରଥମ ଦିନରେ ଭକ୍ତଟିଏ ଚକା ଆଖିକୁ ଡାକି କୁହେ, “ହେ ପ୍ରଭୁ ଏ ବର୍ଷ ରୋଗ ବଇରାଗ ନ ହେଉ, ବେପାର ବଣିଜରେ କ୍ଷତି ନ ହେଉ, ଚାକିରିରେ କିଛି ଅସୁବିଧା ନ ହେଉ, ମାଲିମକଦମାରୁ ମୁକ୍ତି ମିଳୁ, ଆଉ ପୁଅ ଝିଅମାନେ ଟିକେ ବୋଲ ମାନି ଚଳନ୍ତୁ। ପ୍ରଭୁ ଗଲା ବର୍ଷଟା ବଡ଼ କଷ୍ଟରେ ଗଲା। ଏ ବର୍ଷ ତୋତେ ଲାଗିଲା। ଟିକେ ଦେଖିବୁ।” ଯଦି ଏହା ନ ହୋଇଥାନ୍ତା ତେବେ ବର୍ଷକରେ ତିନିଶହ ପଅଁଷଠି ଦିନ ଥିଲାବେଳେ ନୂଆ ବର୍ଷ ଦିନ ଲକ୍ଷ ଲକ୍ଷ ଲୋକଙ୍କର ଏତେ ଭିଡ଼ କାହିଁକି?

କଥାଟିଏ ମନେପଡ଼େ। ଗାଁ ସାହୁକାର ସବୁଦିନ ଦୋକାନ ଖୋଲିବା ପୂର୍ବରୁ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିଥାନ୍ତି ଓ ବେପାର ବଣିଜ ଭଲ ହେବା ପାଇଁ ପ୍ରାର୍ଥନା କରିଥାନ୍ତି। ମନ୍ଦିର ଭିତରେ ପ୍ରବଳ ଭିଡ଼ ହୋଇଥାଏ। ସାହୁକାର ମୁଣ୍ଡିଆ ମାରି ଉଠିଲା ବେଳକୁ ଗୋଟିଏ ହାତ ଠାକୁରଙ୍କ ପାଇଁ ଉଠାଇଥିବା ବେଳେ ଆର ହାତଟି ଧୋତିର ଅଣ୍ଟା ପାଖରେ ବନ୍ଧା ହୋଇଥିବା ଦୋକାନର ଟଙ୍କା ଓ ଚାବିଟିକୁ ଚିପି ଧରିଥାନ୍ତି। ଦିନକର କଥା। ମନ୍ଦିରର ପୂଜାରୀ ସାହୁକାରଙ୍କୁ ଡାକି କହିଲେ, “ସାହୁକାରେ, ତୁମେ କାଲିଠୁ ଆଉ ମନ୍ଦିରକୁ ନ ଆସି ସିଧା ଦୋକାନକୁ ଯାଅ ଆଉ ଦୋକାନ ଖୋଲି ସାରି ସେଇଠୁ ଠାକୁରଙ୍କୁ ଡାକ। ଏମିତି କଲେ ତୁମର ଦୁଇଟି ଯାକ ହାତ ଠାକୁରଙ୍କ ପାଖରେ ରହିବ ଆଉ ଅଣ୍ଟାରୁ ଟଙ୍କା ଓ ଚାବି ଚୋରି ହୋଇଯିବାର ଭୟ ବି ନ ଥିବ। ଏ ଭଳି ମନ୍ଦିରକୁ ଆସି ଭୟରେ ଠାକୁରଙ୍କୁ ଡାକିବା ଅପେକ୍ଷା ଦୋକାନ ଭିତରେ ଥାଇ ଭାବରେ ଠାକୁରଙ୍କୁ ଡାକିବା ଶ୍ରେୟସ୍କର।” ବନ୍ଧୁଗଣ, ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କ ଠେଲାପେଲା ଭିତରେ ଗୋଟିଏ ହାତରେ ଛୋଟ ଛୁଆଟିକୁ ଧରି ଆର ହାତଟିକୁ ପକେଟରେ ଥିବା ପର୍ସ ଉପରେ ଚିପି ରଖି ମୁଣ୍ଡକୁ ଟେକି ଠାକୁରଙ୍କୁ ଟିକେ ଚାହିଁ ଦେବା ଅପେକ୍ଷା ଘରେ ରହି ଭାବର ସହ ଠାକୁରଙ୍କୁ ଡାକିବା ଉଚିତ ନୁହେଁ କି? କଥାରେ ଅଛି, ଭାବର ଠାକୁର ଭାବରେ ଥାନ୍ତି, ମନ୍ଦିରରେ ନୁହେଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭