ଦେଶ ବିଦେଶରାଜନୀତି

Manipur President’s Rule ଫେବ୍ରୁଆରି ୧୨ରେ ଶେଷ ହେବ ରାଷ୍ଟ୍ରପତି ଶାସନ: ମଣିପୁରରେ ସରକାର ଗଠନ ପାଇଁ ଅଣ୍ଟାଭିଡ଼ା, ଏନ୍‌ଡିଏ ବିଧାୟକ ଦିଲ୍ଲୀରେ

ମଣିପୁରରେ ପ୍ରାୟ ଗୋଟିଏ ବର୍ଷ ଧରି ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ଏବେ ଶେଷ ହେବାକୁ ଯାଉଛି। ରାଷ୍ଟ୍ରପତି ଶାସନର କାର୍ଯ୍ୟକାଳ ଫେବ୍ରୁଆରି ୧୨ ତାରିଖରେ ଶେଷ ହେଉଛି।

ନୂଆଦିଲ୍ଲୀ/ଇମ୍ଫାଲ: ମଣିପୁରରେ ପ୍ରାୟ ଗୋଟିଏ ବର୍ଷ ଧରି ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ଏବେ ଶେଷ ହେବାକୁ ଯାଉଛି। ରାଷ୍ଟ୍ରପତି ଶାସନର କାର୍ଯ୍ୟକାଳ ଫେବ୍ରୁଆରି ୧୨ ତାରିଖରେ ଶେଷ ହେଉଛି। ରାଜ୍ୟରେ ଜନତାଙ୍କ ସରକାର ପୁନଃସ୍ଥାପିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମଣିପୁରର ସମସ୍ତ ଏନ୍‌ଡିଏ ବିଧାୟକଙ୍କୁ ଦିଲ୍ଲୀ ଡକାଇଛନ୍ତି। ମଣିପୁରର ରାଜନୈତିକ ପରିସ୍ଥିତି ସମ୍ପର୍କରେ ସୋମବାର, ଫେବ୍ରୁଆରି ୨ ତାରିଖରେ ରାଜଧାନୀ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ରିପୋର୍ଟ ଅନୁଯାୟୀ, ମଣିପୁର ବିଜେପି ସଭାପତି ଅଧିରାଜମାୟୁମ୍ ଶାରଦା ଦେବୀ ଓ ୨୦ ରୁ ଅଧିକ ବିଜେପି ବିଧାୟକ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଏନ୍‌ଡିଏର ସହଯୋଗୀ ଦଳ ନ୍ୟାସନାଲ ପିପୁଲ୍ସ ପାର୍ଟି ଓ ନାଗା ପିପୁଲ୍ସ ଫ୍ରଣ୍ଟର ବିଧାୟକମାନଙ୍କୁ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇଛି। ବିଜେପି ରାଜ୍ୟ ୟୁନିଟ୍ ସଭାପତି ଦିଲ୍ଲୀ ଯିବା ପୂର୍ବରୁ ଇମ୍ଫାଲ ବିମାନବନ୍ଦରରେ ଆଶା ପ୍ରକାଶ କରିଛନ୍ତି ଯେ, ରାଜ୍ୟରେ ଖୁବ୍ ଶୀଘ୍ର ଏକ ସ୍ଥିର ସରକାର ଗଠନ ହେବ।

ନେତୃତ୍ୱ ଚୟନକୁ ନେଇ ସସପେନ୍ସ ଜାରି

ରାଜ୍ୟର ଦାୟିତ୍ୱ କିଏ ନେବ ସେ ନେଇ ବର୍ତ୍ତମାନ ସସପେନ୍ସ ଜାରି ରହିଛି। ଲାମସାଙ୍ଗ ବିଧାୟକ ଏସ. ରାଜେନ ସିଂହ କହିଛନ୍ତି, ସରକାର ଗଠନ ହେବାର ସମ୍ଭାବନା ଥିଲେ ମଧ୍ୟ ରାଜ୍ୟର ବର୍ତ୍ତମାନର ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପରେ କେନ୍ଦ୍ରୀୟ ନେତୃତ୍ୱ ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ବୈଠକ ସମ୍ପର୍କରେ ସକାରାତ୍ମକ ମନୋଭାବ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ, ସମସ୍ତ ସହଯୋଗୀଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ସେ ଏକ ଭଲ ଫଳାଫଳ ଆଶା କରୁଛନ୍ତି।

ରାଷ୍ଟ୍ରପତି ଶାସନ ଜାତିଗତ ହିଂସାର ପୃଷ୍ଠଭୂମି

ମଣିପୁରରେ ସରକାର ଗଠନ ପ୍ରକ୍ରିୟା ଏକ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ସମୟରେ ଚାଲିଛି। ମେ’ ୨୦୨୩ ପରଠାରୁ, ରାଜ୍ୟରେ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସାରେ ୨୬୦ରୁ ଅଧିକ ଲୋକଙ୍କର ଜୀବନ ଯାଇଛି। ହଜାର ହଜାର ଲୋକ ଭିଟାମାଟିରୁ ବେଘର ହୋଇଛନ୍ତି। ଗତ ବର୍ଷ ଫେବ୍ରୁଆରି ୧୩ରେ ଏନ. ବୀରେନ ସିଂହଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରି ବିଧାନସଭାକୁ ସ୍ଥଗିତ ରଖିଥିଲେ। ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ୨୦୨୭ରେ ଶେଷ ହେବାକୁ ଯାଉଛି।

ବିଧାନସଭା ଗଣିତ

୬୦ ଜଣିଆ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭାରେ ସରକାର ଗଠନ ପାଇଁ ଆବଶ୍ୟକ କୁହୁକ ସଂଖ୍ୟା ଏନ୍‌ଡିଏ ସପକ୍ଷରେ ରହିଛି। ସରକାର ଗଠନ ପାଇଁ ୩୧ ଜଣ ବିଧାୟକଙ୍କ ଆବଶ୍ୟକତା ରହିଛି। ସମ୍ପ୍ରତିର ବିଧାନସଭାରେ ବିଜେପିର ୩୭ ବିଧାୟକ ଥିବାବ‌ଳେ ସହଯୋଗୀ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି)ର ୬ ବିଧାୟକ ଓ ନାଗା ପିପୁଲ୍ସ ଫ୍ରଣ୍ଟ (ଏନ୍‌ପିଏଫ୍‌)ର ୫ ବିଧାୟକ ଅଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button