ଭୁବନେଶ୍ବର: ୨୦୨୨ ଅଗଷ୍ଟରେ ଭୁବନେଶ୍ବର ଡିସିପି ଅଫିସ୍‌ ସାମ୍ନାରେ ପାନଦୋକାନୀ ସୌମ୍ୟରଂଜନ କୁଣ୍ଡଙ୍କୁ କଟୁରିରେ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଭୁବନେଶ୍ବର ସେସନ୍‌ସ କୋର୍ଟ ଜଜ୍ ବନ୍ଦନା କର ଏହି ହତ୍ୟାକାଣ୍ଡର ଆସାମୀ ଆଶୋକ ଦାସ ଓରଫ କାବୁ ଓ ମନୋଜ ଦାସ ଓରଫ ପପୁନିକୁ ଆଜୀବନ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ଏହି ସଶ୍ରମ କାରାବାସ ସହ ସେମାନଙ୍କ ଉପରେ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଧାର୍ଯ୍ୟ କରାଯାଇଛି ଏବଂ ଜରିମାନା ଅନାଦାୟ ହେଲେ ସେମାନେ ଆଉ ବର୍ଷେ ଜେଲ୍‌ରେ ରହିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ‌ଖୋଦ ଡିସିପି ଅଫିସ୍‌ ସମ୍ମୁଖରେ ଘଟିଥିବା ଏହି ହତ୍ୟାକାଣ୍ଡ ସେତେବେଳେ ରାଜଧାନୀର ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ତେଣୁ କମିସନରେଟ୍‌ ପୁଲିସ ଆସାମୀମାନଙ୍କ ବିରୋଧରେ କୋର୍ଟରେ ବଳିଷ୍ଠ ସାକ୍ଷୀ ଠିଆ କରାଇବା ସାଙ୍ଗକୁ ଯଥେଷ୍ଟ ବଳିଷ୍ଠ ପ୍ରମାଣ ଦାଖଲ କରି ଶୁଣାଣି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଇଥିଲା।

କାକଟପୁର ନୟାହାଟ ଅଞ୍ଚଳର ସୌମ୍ୟରଞ୍ଜନ ବାଣୀବିହାର ଛକ ନିକଟସ୍ଥ ମେଟ୍ରୋ ବିଲ୍‌ଡିଂ ନିକଟରେ ଏକ ପାନ ଦୋକାନଟିଏ  କରିଥିଲେ। ତାଙ୍କ ସାନଭାଇ ସାଗର ସେଠାରେ ଏକ ହୋଟେଲ ଚଳାଇଥିଲେ। ରାତିରେ ସୌମ୍ୟରଞ୍ଜନ ପାନଦୋକାନରେ ଏବଂ ତାଙ୍କ ବାପା ହୋଟେଲ୍‌ରେ ଶୁଅନ୍ତି। ସହିଦନଗର ଥାନା ପଥରବନ୍ଧବସ୍ତି କାବୁ ଓ ଧିରିକୁଟବସ୍ତିର ପପୁନି ଅଟୋଚାଳକ ଭାବେ କାମ କରନ୍ତି ଏବଂ ସୌମ୍ୟଙ୍କ ପାନଦୋକାନ ନିକଟରେ ଖଟି କରନ୍ତି। କାବୁ ଓ ପପୁନି ସ୍ଥାନୀୟ ଟୋକା ହିସାବରେ ସୌମ୍ୟଙ୍କୁ ଡରାଇ ଧମକାଇ ମାଗଣାରେ ସିଗାରେଟ୍‌, ଗୁଟ୍‌ଖା ଆଦି ଖାଉଥିଲେ। ନଚେତ ସେଠାରୁ ସାନଭାଇ ସାଗରର ହୋଟେଲ୍‌ ଉଠାଇଦେବେ ବୋଲି ଧମକ ଦେଉଥିଲେ। ଦିନକୁ ଦିନ ସେମାନଙ୍କ ଉତ୍ପାତ ସୀମା ଟପିବା ଦେଖି ସୌମ୍ୟ ସେମାନଙ୍କ କଥାକୁ କର୍ଣ୍ଣପାତ କଲେ ନାହିଁ। ସେ କାବୁ ଓ ପପୁନିକୁ ଜୋର୍‌ଦାର ବିରୋଧ କଲେ। ଫଳରେ କାବୁ ଓ ପପୁନି ଆଉ ପାନଦୋକାନ ପାଖ ମାଡ଼ି ପାରିଲେ ନାହିଁ। ଏତେଦିନ ଧରି ସେହି ଛକରେ ରାଜ୍‌ କରୁଥିବା କାବୁ ଓ ପପୁନିକୁ ଏହା ବେଶ୍ ବାଧିଥିଲା। ତେଣୁ ସେମାନେ ସୌମ୍ୟଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ୨୦୨୨ ଅଗଷ୍ଟ ୩୧ ତାରିଖ ରାତି ପ୍ରାୟ ୨ଟା ବେଳେ କାବୁ ଓ ପପୁନି ପ୍ରସ୍ତୁତ ହୋଇଆସିଥିଲେ।

ସେମାନେ କ୍ୟାବିନ୍‌ କବାଟ ବାଡ଼େଇବାରୁ ସୌମ୍ୟ ବାହାରକୁ ବାହାରିଥିଲେ। ସେ କ୍ୟାବିନ୍‌ ଭିତରୁ ବାହାରୁ ନ ବାହାରୁଣୁ ପ୍ରସ୍ତୁତ ହୋଇ ରହିଥିବା କାବୁ ଓ ପପୁନି ତାଙ୍କୁ କଟୁରିରେ ଚୋଟ ପରେ ଚୋଟ ପକାଇ ଚାଲିଥିଲେ। ପ୍ରାଣ ବିକଳରେ ସୌମ୍ୟ ଡିସିପି ଅଫିସ୍‌ ଭିତରକୁ ପଳାଇବାକୁ ଧାଇଁଥିଲେ। ମାତ୍ର ରକ୍ତମୁଖା ଦୁଇ ଦୁର୍ବୃତ୍ତ ତାଙ୍କୁ ହାଣିହାଣି ତଳେ ପକାଇଦେଇଥିଲେ। ଡିସିପି ଅଫିସ୍‌ଠାରୁ ମାତ୍ର କେଇ ଗଜ ଦୂରରେ ସୌମ୍ୟ ଟଳିପଡ଼ିଥିଲେ। ସେତେବେଳକୁ ସୌମ୍ୟଙ୍କ ଦେହରେ ୩୩ ଚୋଟ ବାଜିସାରିଥାଏ। ତଥାପି ସେ ବଞ୍ଚିଯିବା ସନ୍ଦେହ କରି ଦୁର୍ବୃତ୍ତଦ୍ବୟ ଏକ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଡିସିପି ଅଫିସ୍‌ ସମ୍ମୁଖରେ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଗଲେ ବି ଠିକ୍‌ ସମୟରେ ପୁଲିସ କର୍ମଚାରୀଙ୍କ ନଜର ପଡ଼ିଲା ନାହିଁ। କିଛି ସମୟ ପରେ ପିସିଆର୍‌ ସୌମ୍ୟଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲା ଏବଂ ସେଠାରୁ ତାଙ୍କୁ ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା। ସରକାରୀ ପିପି ଶରତଚନ୍ଦ୍ର ସାମନ୍ତ ଓ ସ୍ବତନ୍ତ୍ର ପିପି ରଶ୍ମିରଞ୍ଜନ ବ୍ରହ୍ମା ଏହି ମାମଲା ପରିଚାଳନା କରିଥିଲେ।