Breaking News

ସରଳ ବିଚାର: ବୁଲ୍‌ଡୋଜର ନ୍ୟାୟର ଦିନ ଶେଷ!

ଅବୈଧ ନିର୍ମାଣକୁ ଭାଙ୍ଗିବା ପାଇଁ ବର୍ଷ ବର୍ଷ ଧରି ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ନିୟମିତ ଭାବେ ବୁଲ୍‌ଡୋଜର ବ୍ୟବହୃତ ହୋଇଆସୁଛି। ତେବେ ଗତ କିଛି ବର୍ଷ ଧରି ଏହା ହଠାତ୍ ନ୍ୟାୟ ପ୍ରଦାନର ଏକ ମାଧ୍ୟମ ରୂପେ ଉଭା ହେବାକୁ ଲାଗିଥିଲା।

ସରଳ କୁମାର ଦାସ

ଅବୈଧ ନିର୍ମାଣକୁ ଭାଙ୍ଗିବା ପାଇଁ ବର୍ଷ ବର୍ଷ ଧରି ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ନିୟମିତ ଭାବେ ବୁଲ୍‌ଡୋଜର ବ୍ୟବହୃତ ହୋଇଆସୁଛି। ତେବେ ଗତ କିଛି ବର୍ଷ ଧରି ଏହା ହଠାତ୍ ନ୍ୟାୟ ପ୍ରଦାନର ଏକ ମାଧ୍ୟମ ରୂପେ ଉଭା ହେବାକୁ ଲାଗିଥିଲା। ବିଭିନ୍ନ କାରଣରୁ ନ୍ୟାୟ ମିଳିବାରେ ଅନେକ ବିଳମ୍ୱ ହେଉଥିବାରୁ କୌଣସି ଅପରାଧୀ ଲାଗି ଏହାକୁ ତାତ୍‌କାଳିକ ଦଣ୍ଡବିଧାନ ରୂପ ବିଚାର କରାଯାଇଥାଏ। ତେଣୁ ‘ବୁଲ୍‌ଡୋଜର ନ୍ୟାୟ’ ବ୍ୟବସ୍ଥାକୁ କ୍ରମଶଃ ଜନ ସମର୍ଥନ ମିଳିବାରେ ଲାଗିଥିଲା ଏବଂ ଏଭଳି ଦଣ୍ଡ ବିଧାନ କରିପାରୁଥିବା ଶାସକ ଓ ପ୍ରଶାସକମାନେ କ୍ରମେ ମହିମାମଣ୍ଡିତ ହେବାକୁ ଲାଗିଥିଲେ। ତେବେ ଏହି ବିଚାର ବହିର୍ଭୂତ ନ୍ୟାୟ ପ୍ରଦାନ ପ୍ରକ୍ରିୟା ପ୍ରତି ଅସହମତି ପ୍ରକାଶ କରି ସୁପ୍ରିମ୍ କୋର୍ଟ ଏହାର ଯଥେଚ୍ଛା ପ୍ରୟୋଗ ଉପରେ କଟକଣା ଲଗାଇଛନ୍ତି ଏବଂ ନିକଟରେ ଏ ସଂକ୍ରାନ୍ତ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରିଛନ୍ତି।
ଉତ୍ତର ପ୍ରଦେଶରେ ଗୁଣ୍ଡା, ବଦମାସ ଓ ଗାଙ୍ଗଷ୍ଟରମାନେ ନିଜ ନିଜର ଅପରାଧ ସାମ୍ରାଜ୍ୟ ବିସ୍ତାର କରି ଆସୁଥିଲେ ହେଁ ସେମାନଙ୍କୁ ଦଣ୍ଡିତ କରାଯାଇ ପାରୁ ନ ଥିବାରୁ ସେମାନେ ନିର୍ଭୟରେ ସେମାନଙ୍କ କାର୍ଯ୍ୟ କରିଚାଲିଥିଲେ। ସୁତରାଂ, ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଯୋଗୀ ଆଦିତ୍ୟନାଥ ସେପ୍‌ଟେମ୍ୱର ୨୦୧୭ରେ ଯେତେବେଳେ ପ୍ରଥମ ଥର ଲାଗି ସତର୍କ କରାଇଦେଲେ ଯେ ମହିଳା ତଥା ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକ ବା ସଙ୍ଗିନ୍‌ ଅପରାଧରେ ସଂପୃକ୍ତ ଲୋକଙ୍କ ଘରକୁ ବୁଲ୍‌ଡୋଜର ଲଗାଇ ଧୂଳିସାତ୍‌ କରିଦିଆଯିବ, ତାହାକୁ ଲୋକେ ସ୍ବାଗତ କଲେ। ଅବଲୀଳା କ୍ରମେ ଗାଙ୍ଗଷ୍ଟର ବିକାଶ ଦୁବେ, ମୁଖତାର ଆନସାରୀ, ଅତିକ ଅହମ୍ମଦଙ୍କ ସମେତ ଅନେକ ଅପଖ୍ୟାତ ଗୁଣ୍ଡା ଓ ବାହୁବଳୀଙ୍କ ଅଚଳାଚଳ ସମ୍ପତ୍ତି ବୁଲ୍‌ଡୋଜର ଦ୍ୱାରା ମାଟିରେ ମିଶି ଯାଇଥିଲା। ନ୍ୟାୟପାଳିକା ନୁହେଁ, ବରଂ କାର୍ଯ୍ୟପାଳିକା ଦ୍ୱାରା ହେଉଥିବା ତତ୍‌କ୍ଷଣାତ ଦଣ୍ଡ ବିଧାନ ନ୍ୟାୟର ପ୍ରତ୍ୟାଶା ରଖୁଥିବା ଜନସାଧାରଣଙ୍କ ଲାଗି ଉଲ୍ଲାସର କାରଣ ହେଲା। ଯୋଗୀ ଆଦିତ୍ୟନାଥଙ୍କୁ ‘ବୁଲ୍‌ଡୋଜର ବାବା’ ବୋଲି ସମ୍ୱୋଧନ କରାଗଲା। ତା’ ପରେ ‘ବୁଲ୍‌ଡୋଜର ନ୍ୟାୟ’କୁ ନିର୍ବାଚନ ପ୍ରଚାରରେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଉପଯୋଗ କରାଗଲା। ଅପରାଧୀଙ୍କ ମନରେ ଭୟ ଜାତ କରାଇ ପାରୁଥିବା ଏହି ମାର୍ଗଟି ଜନ ସମର୍ଥନ ଲାଭ କରୁଥିବାରୁ କ୍ରମେ ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଦିଲ୍ଲୀ, ମହାରାଷ୍ଟ୍ର, ଆସାମ ଭଳି କେତେକ ରାଜ୍ୟରେ ଏହାର ବ୍ୟବହାର କରାଗଲା। ତେବେ କୌଣସି ଅଭିଯୁକ୍ତର ଘରଟିକୁ ବୁଲ୍‌ଡୋଜର ଦ୍ବାରା ଧରାଶାୟୀ କରାଯିବା ପୂର୍ବରୁ ଏକ ନିର୍ଦ୍ଧାରିତ ନମୁନା ପ୍ରକ୍ରିୟା ଅନୁସୃତ ହେଲା, ଯହିଁରେ ପ୍ରଥମେ ତାକୁ ଜବରଦଖଲ କରିଥିବାର ବା ବେଆଇନ ନିର୍ମାଣ କରିଥିବାର ନୋଟିସଟିଏ ଧରାଇ ଦିଆଗଲା ଓ ତା’ ସହିତ ଘରକୁ ଭାଙ୍ଗି ଦିଆଗଲା, ଏପରିକି ଅଦାଲତର ଦ୍ୱାରସ୍ଥ ହୋଇ ପ୍ରତିବାଦ କରିବା ପୂର୍ବରୁ ତା’ ଘରଟି ମାଟିରେ ମିଶି ସାରିଥିଲ। ଏହା ଦ୍ବାରା ଶକ୍ତିଶାଳୀ ରାଜନୈତିକ ବାର୍ତ୍ତାଟିଏ ମଧ୍ୟ ପ୍ରଭାବୀ ଢଙ୍ଗରେ ପ୍ରଦାନ କରାଯାଇ ପାରିଲା।
ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ‘ଆମନେଷ୍ଟି ଇଣ୍ଟରନେସ୍‌ନାଲ୍‌’ ପକ୍ଷରୁ ଏଭଳି ଘଟଣାମାନ ସମ୍ପର୍କରେ ଫେବ୍ରୁଆରି ୨୦୨୪ରେ ଏକ ରିପୋର୍ଟ ଜାରି କରାଯାଇ ତୁରନ୍ତ ତାହା ବନ୍ଦ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥି ସହ ଘରଭଙ୍ଗାରେ ପ୍ରଭାବିତ ପ୍ରତ୍ୟେକଙ୍କୁ କ୍ଷତିପୂରଣ ଦେବା ସହ ଆଇନ ଉଲ୍ଲଂଘନ କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରାଯାଇଥିଲା। ମାନ ରଖିବା ଉଚିତ ଯେ ‘ଆଶ୍ରୟର ଅଧିକାର’ ସଂବିଧାନର ଅନୁଚ୍ଛେଦ ୨୧ରେ ଥିବା ‘ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର’ର ଅଂଶ ବିଶେଷ। ଏପରି ସ୍ଥଳେ ‘ବୁଲ୍‌ଡୋଜର ନ୍ୟାୟ’ ଆଳରେ ବେଆଇନ ଭାବେ କାହାରି ଘର ଭଙ୍ଗିବା ସେହି ମୌଳିକ ଅଧିକାରର ହନନ ସହିତ ସମାନ। ଏକ ଆକଳନ ଅନୁସାରେ କେବଳ ୨୦୨୨ ଓ ୨୦୨୩ ମସିହାରେ ବିଭିନ୍ନ ରାଜ୍ୟରେ ପ୍ରଶାସନ ଦ୍ୱାରା ପ୍ରାୟ ଦେଢ଼ ଲକ୍ଷ ଘର ଭଙ୍ଗାଯାଇଛି, ଯେଉଁଥିରେ ୭.୩୮ ଲକ୍ଷରୁ ଅଧିକ ଲୋକ ବାସଚ୍ୟୂତ ହୋଇଛନ୍ତି। ଜାତିସଂଘ ମଧ୍ୟ ବାସଗୃହକୁ ମାନବାଧିକାରର ଅଂଶବିଶେଷ ଭାବେ ଗ୍ରହଣ କରୁଥିବାରୁ ଅଚାନକ କାହାର ଘର ଭାଙ୍ଗିଦେବାକୁ ମାନବାଧିକାରର ହନନ ବୋଲି କୁହାଯିବ। ପ୍ରକାଶ ଥାଉ କି ‘ବୁଲ୍‌ଡୋଜର ନ୍ୟାୟ’ ମାମଲାରେ ଭାରତରେ ଅବସ୍ଥାପିତ ଜାତିସଂଘର ବିଶେଷ ଦୂତ ବାଧ୍ୟ ହୋଇ ଅନ୍ତର୍ଜାତୀୟ ମାନବାଧିକାର ଦୃଷ୍ଟିକୋଣକୁ ସ୍ପଷ୍ଟ କଲେ, ଯାହା ଅନୁସାରେ କୌଣସି ଯୁକ୍ତିଯୁକ୍ତ ଆଇନଗତ ଅନୁମତି ନ ଥାଇ ବୁଲ୍‌ଡୋଜର ମାଧ୍ୟମରେ ଘର ଭାଙ୍ଗିବା ଅନ୍ତର୍ଜାତୀୟ ମାନବାଧିକାରର ଉଲ୍ଲଂଘନ। ଏହା ଆଶ୍ରୟସ୍ଥଳୀ ଅଧିକାରର ବିରୋଧାଚରଣ କରୁଛି। ପୁଣି ଯେତେବେଳେ ଧାରଣା ସୃଷ୍ଟି ହୁଏ ଯେ ସଂଖ୍ୟାଲଘୁଙ୍କୁ ଏହି ଦଣ୍ଡବିଧାନର ଶିକାର କରାଯାଉଛି ବା ସଂଖ୍ୟାଲଘୁମାନେ ଏକତରଫା ଭାବେ ପୀଡ଼ିତ ହେଉଛନ୍ତି, ଏହା ଅଧିକ ଚିନ୍ତାର କାରଣ ହୋଇପଡ଼େ। ଏଭଳି ନିରଙ୍କୁଶ ଘରଭଙ୍ଗା ବାସହୀନତାର ସ୍ଥିତିକୁ ବ୍ୟାପକ କରେ।
ସତକୁ ସତ କ୍ରମେ ବୁଲ୍‌ଡୋଜର ନ୍ୟାୟର କୁତ୍ସିତ ରୂପମାନ ଦୃଷ୍ଟିଗୋଚର ହେବାକୁ ଲାଗିଲା। ରାଜସ୍ଥାନର ଉଦୟପୁର ଠାରେ ଭଡ଼ାରେ ରହୁଥିବା ଜଣେ ଅଭିଯୁକ୍ତକୁ ଦଣ୍ଡିତ କରିବାକୁ ଯାଇ ସେ ରହୁଥିବା ଘରଟିକୁ ଧୂଳିସାତ କରି ଦିଆଗଲା। ଘର ମାଲିକଙ୍କ କାକୁତିମିନତି ସତ୍ତ୍ୱେ ଘର ଭଙ୍ଗାଯିବାର ଘଣ୍ଟା କେଇଟା ପୂର୍ବରୁ ଘରଟି ସଂରକ୍ଷିତ ଜଙ୍ଗଲ ଜମିକୁ ଅତିକ୍ରମଣ କରି ତିଆରି ହୋଇଛି ବୋଲି ତାଙ୍କୁ ନୋଟିସଟିଏ ଧରାଇ ଦିଆଗଲା। ଏଭଳି ଅନେକ ଉଦାହରଣମାନ ଆସିଲା। ତେବେ, ୨୦୨୨ ମସିହାରେ ଏକ ସାମ୍ପ୍ରଦାୟିକ ହିଂସାକୁ ଆଳ କରି ଉତ୍ତରପ୍ରଦେଶର ଜାହାଙ୍ଗିରପୁରି ଠାରେ ହୋଇଥିବା ଘର ଭଙ୍ଗାକୁ ବିରୋଧ କରି ‘ଜମିଆତ ଉଲେମା-ଏ-ହିନ୍ଦ’ ନାମକ ଏକ ସଂସ୍ଥା ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲା। ଏହା ପରେ ବୁଲ୍‌ଡୋଜର ନ୍ୟାୟକୁ ବିରୋଧ କରି ସୁପ୍ରିମ୍ କୋର୍ଟରେ ଏକାଧିକ ମାମଲା ରୁଜୁ କରାଗଲା। ସେ ସବୁର ଶୁଣାଣି କରି ନଭେମ୍ୱର ୧୩, ୨୦୨୪ରେ ସୁପ୍ରିମ୍ କୋର୍ଟ ନିଜ ରାୟରେ ସ୍ପଷ୍ଟ କଲେ ଯେ କୌଣସି ଅପରାଧରେ ସମ୍ପୃକ୍ତି ଅଭିଯୋଗ ପରିପ୍ରେକ୍ଷୀରେ ‘ଆଇନର ଉଚିତ ପ୍ରକ୍ରିୟା’ର ଅନୁସରଣ ନ କରି କାହାର ଗୃହ ଭଙ୍ଗାଯିବା ଅସାଂବିଧାନିକ ଅଟେ। ଅଭିଯୁକ୍ତକୁ ଏଭଳି ଦଣ୍ତ ପ୍ରଦାନ କରି କାର୍ଯ୍ୟପାଳିକା ପ୍ରକାରାନ୍ତରେ ନ୍ୟାୟପାଳିକାର ନ୍ୟାୟ ପ୍ରଦାନ ଅଧିକାର କ୍ଷେତ୍ରକୁ ଅତିକ୍ରମଣ କରିଥାଏ। ଏହା କ୍ଷମତା ପୃଥକୀକରଣ ସିଦ୍ଧାନ୍ତର ମଧ୍ୟ ବିରୋଧାଚରଣ କରିଥାଏ। ଘର ଭାଙ୍ଗିଦେବା ଦ୍ୱାରା କେବଳ ଯେ କୌଣସି ଅଭିଯୁକ୍ତ ବା ଅପରାଧୀର ଆଶ୍ରୟର ଅଧିକାରକୁ ଉଲ୍ଲଂଘନ କରାଯାଏ, ତାହା ନୁହେଁ, ତଦ୍ଦ୍ୱାରା ଅଭିଯୁକ୍ତର ସମଗ୍ର ପରିବାର ବିନା ଦୋଷରେ ସାମୂହିକ ଭାବେ ଦଣ୍ଡିତ ହୁଅନ୍ତି। ଏଭଳି ପ୍ରକରଣରେ ଅଧିକାରୀମାନେ କ୍ଷମତା ଅପବ୍ୟବହାର କରିବାର ଆଶଙ୍କା ଥାଏ। ତେଣୁ, ସଂବିଧାନର ଅନୁଚ୍ଛେଦ ୧୪୨ରେ ପ୍ରଦତ୍ତ କ୍ଷମତାନୁସାରେ ସୁପ୍ରିମ୍ କୋର୍ଟ ନାଗରିକଙ୍କ ଘରଭଙ୍ଗାକୁ ନେଇ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହା ସାରା ଭାରତରେ ଲାଗୁ ହେବ। ଏହା ଅନୁସାରେ ଘର ମାଲିକଙ୍କୁ ଅନ୍ତତଃ ପକ୍ଷେ ୧୫ ଦିନର ନୋଟିସ ଦେବାକୁ ପଡ଼ିବ, ଯେଉଁଥିରେ ଘରର ନିର୍ଦ୍ଦିଷ୍ଟ କେଉଁ ଅଂଶ ଓ କେଉଁ କାରଣରୁ ଭଙ୍ଗା ଯିବ, ତାହା ଉଲ୍ଲେଖ ରହିବ। ପ୍ରତିବାଦ କରିବା ଲାଗି ବା ତାଙ୍କ ପକ୍ଷ ରଖିବା ଲାଗି ଘର ମାଲିକଙ୍କୁ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସୁଯୋଗ ଦେବାକୁ ହେବ। ନୋଟିସ ଦେବା ନିହାତି ଆବଶ୍ୟକ। ପଛୁଆ ତାରିଖରେ ନୋଟିସ ଜାରି କରିବାର ଅଭିସନ୍ଧିକୁ ପ୍ରତିହତ କରିବା‌ ଲାଗି ନୋଟିସ ଜାରି ହେବା ମାତ୍ରେ ଇ-ମେଲ୍ ଯୋଗେ ତାହା ଜିଲ୍ଲାପାଳଙ୍କୁ ମଧ୍ୟ ସୂଚିତ କରାଯିବା ଦରକାର। ଶୁଣାଣି ପରେ ଚୂଡ଼ାନ୍ତ ଆଦେଶରେ ଘରମାଲିକଙ୍କ ତର୍କ, ଭାଙ୍ଗିବା ହିଁ ଏକମାତ୍ର ବିକଳ୍ପ ବୋଲି କର୍ତ୍ତୃପକ୍ଷଙ୍କ ଯୁକ୍ତି, ସମ୍ପୂର୍ଣ୍ଣ ବା ଆଂଶିକ ଉଚ୍ଛେଦ ଭଳି ବିଷୟ ଆଦି ନିଶ୍ଚିତ ଭାବେ ଉଲ୍ଲେଖ ରହିବ। ଉଚ୍ଛେଦ ପାଇଁ ଚୂଡ଼ାନ୍ତ ଆଦେଶ ଜାରି ହେବା ପରେ ମାଲିକଙ୍କୁ ୧୫ ଦିନର ସମୟ ଦିଆଯିବ, ଯେଉଁ ସମୟରେ ସେ ନିଜେ ଉଚ୍ଛେଦ କାର୍ଯ୍ୟ କରିପାରିବେ। ନତୁବା ଆଦେଶ ବିରୋଧରେ ସେ ଅଦାଲତଙ୍କ ଦ୍ୱାରସ୍ଥ ହୋଇପାରନ୍ତି। ସମଗ୍ର ଉଚ୍ଛେଦ ପ୍ରକ୍ରିୟାର ଭିଡିଓ ରେକର୍ଡ କରିବାକୁ ହେବ। ଉଚ୍ଛେଦ ପୂର୍ବରୁ ‘ନିରୀକ୍ଷଣ ରିପୋର୍ଟ’ ଓ ଉଚ୍ଛେଦ ପରେ ଏକ ‘ଉଚ୍ଛେଦ ରିପୋର୍ଟ’ ପ୍ରସ୍ତୁତ କରିବାକୁ ହେବ, ଯହିଁରେ ସମ୍ପୃକ୍ତ କର୍ମଚାରୀଙ୍କ ନାମ ଉଲ୍ଲେଖ ରହିବ। ଯଦି ଅଭିଯୁକ୍ତ ରହୁଥିବା କୌଣସି ଘର ପୌର ନିୟମର ଉଲ୍ଲଂଘନ କରୁଥିବା ସତ୍ତ୍ୱେ ସେହି ଘରର କେବଳ ଅଭିଯୁକ୍ତ ରହୁଥିବା ଅଂଶଟିକୁ ଉଚ୍ଛେଦ କରାଯାଏ, ତେବେ ତାହାର ଉଦ୍ଦେଶ୍ୟ ବେଆଇନ ନିର୍ମାଣକୁ ହଟାଇବା ନୁହେଁ ବରଂ ଅଭିଯୁକ୍ତକୁ ଦଣ୍ଡିତ କରିବା ବୋଲି ବୁଝିବାକୁ ହେବ। ତେଣୁ ଏଣିକି ଆଉ ପ୍ରତିଶୋଧ ପରାୟଣ ହୋଇ ତରବରିଆ ଭାବେ ବୁଲ୍‌ଡୋଜର ଲଗାଇ ଘର ଭାଙ୍ଗିବା ଆଉ ସମ୍ଭବ ହେବନାହିଁ। ଅବଶ୍ୟ ରାସ୍ତାଘାଟ, ରେଳଧାରଣା କଡ଼, ନଦୀ, ଜଳାଶୟ ଆଦି ସର୍ବସାଧାରଣ ସ୍ଥାନକୁ ଜବରଦଖଲ କରି ତିଆରି ହୋଇଥିବା ଘରଗୁଡ଼ିକର ଉଚ୍ଛେଦ କ୍ଷେତ୍ରରେ ଏହି ମାର୍ଗଦର୍ଶିକା ଲାଗୁ ହେବନାହିଁ ବୋଲି ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରିଛନ୍ତି। ଅଦାଲତଙ୍କ ଦ୍ୱାରା କୌଣସି ଘରର ଉଚ୍ଛେଦ ପାଇଁ ଦିଆଯାଇଥିବା ଆଦେଶର ଅନୁପାଳନଜନିତ କାର୍ଯ୍ୟାନୁଷ୍ଠାନ ମଧ୍ୟ ମାର୍ଗଦର୍ଶିକା ପରିସରଭୁକ୍ତ ହେବନାହିଁ।
ମାତ୍ର ୧୦୦ ବର୍ଷ ତଳେ ୧୯୨୩ ମସିହାରେ ଆମେରିକାର କାନ୍‌ସାସ ରାଜ୍ୟର ଚାଷୀ ଜେମ୍‌ସ କମିଙ୍ଗସଙ୍କ ଦ୍ବାରା ଅର୍ଲ ମ୍ୟାକ୍‌ଲିଅଡଙ୍କ ସହାୟତାରେ ପ୍ରଥମ ବୁଲ୍‌ଡୋଜର ତିଆରି ହୋଇଥିଲା। ସେତେବେଳେ ଏହାକୁ ଟ୍ରାକ୍‌ଟର ସହ ସଂଯୋଗ କରାଯାଉଥିଲା। ଟ୍ରାକ୍‌ଟର ସହ ଯୋଡ଼ା ହୋଇ କୃଷି କାର୍ଯ୍ୟରେ ବ୍ୟବହୃତ ହେବା ଲାଗି ଉଦ୍ଦିଷ୍ଟ ଯନ୍ତ୍ରାଂଶଟିଏ ପାଇଁ ବ୍ୟବହୃତ ହେଉଥିବା ଶବ୍ଦଟିଏ ଯେ ଦିନେ ତାତ୍‌କାଳିକ ନ୍ୟାୟ ପ୍ରଦାନର ଅସ୍ତ୍ର ହେବ, ସେ କଥା ତା’ର ଉଦ୍ଭାବକ ମଧ୍ୟ କେବେ ହେଲେ ପରିକଳ୍ପନା କରି ନଥିବେ! ସତ କଥା ହେଲା, ‘ବୁଲ୍‌ଡୋଜର ନ୍ୟାୟ’ ‘ଆଇନର ଶାସନ’ର ପରିପନ୍ଥୀ। ଏଥିରେ ନ୍ୟାୟପାଳିକାର ନ୍ୟାୟ ପ୍ରଦାନ କ୍ଷମତାକୁ କାର୍ଯ୍ୟପାଳିକା ଦ୍ୱାରା ଆତ୍ମସାତ କରି ଦେବାର ପ୍ରୟାସ ହୁଏ। ଏହା ଗଣତାନ୍ତ୍ରିକ ଶାସନ ବା ‘ଆଇନର ଶାସନ’ ପାଇଁ ବିପଜ୍ଜନକ।
ବିଡ଼ମ୍ବନା ହେଲା ଏବେ ସୁଦ୍ଧା ‘ବୁଲ୍‌ଡୋଜର ନ୍ୟାୟ’ର ଦୃଷ୍ଟାନ୍ତମାନ ଦେଖିବାକୁ ମିଳୁଛି। ଏହାର ଅର୍ଥ କାର୍ଯ୍ୟପାଳିକର ପ୍ରତିନିଧିମାନେ ସର୍ବୋଚ୍ଚ ନ୍ୟାୟପାଳିକାର ଆଦେଶକୁ ମହତ୍ତ୍ବ ନେଉ ନାହାନ୍ତି। ତେଣୁ କାର୍ଯ୍ୟପାଳିକାର କ୍ଷମତା ଅତିକ୍ରମଣ ପ୍ରବୃତ୍ତି ଉପରେ ଅଙ୍କୁଶ ଲଗାଇବା ସହିତ ସୁପ୍ରିମ୍ କୋର୍ଟ ଏହାର ଉଲ୍ଲଂଘନ ସଂକ୍ରାନ୍ତ ବ୍ୟାପାରକୁ ଅଧିକ ତୀକ୍ଷ୍‌ଣ ଦୃଷ୍ଟିରେ ଦେଖନ୍ତୁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୩୮୦୧୫

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.