Breaking News

ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ: ସାମୁଦ୍ରିକ ଘାସ ଶଯ୍ୟା କରିବେ

ଜଳବାୟୁ ସ୍ଥିରତା, ସ୍ଥାୟୀ ବିକାଶ ଅଭିବୃଦ୍ଧି, ସମୃଦ୍ଧ ଜୈବ ବିବିଧତା ଓ ଉପକୂଳୀୟ ପରିସଂସ୍ଥା ସୁରକ୍ଷାର ସୁଦୃଢ଼ୀକରଣ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଆଇଆଇଟି ଭୁବନେଶ୍ବର...

ଭୁବନେଶ୍ବର: ଜଳବାୟୁ ସ୍ଥିରତା, ସ୍ଥାୟୀ ବିକାଶ ଅଭିବୃଦ୍ଧି, ସମୃଦ୍ଧ ଜୈବ ବିବିଧତା ଓ ଉପକୂଳୀୟ ପରିସଂସ୍ଥା ସୁରକ୍ଷାର ସୁଦୃଢ଼ୀକରଣ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଆଇଆଇଟି ଭୁବନେଶ୍ବର, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲ୍ୟୁଏଫ୍‌ପି) ଓ ସିଇଇଡବ୍ଲ୍ୟୁ ମଧ୍ୟରେ ଅଲଗା ଅଲଗା ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଉପକୂଳରେ ସାମୁଦ୍ରିକ ଘାସ ଶଯ୍ୟା, ଲୁଣା ଜଳାଶୟର ସୁରକ୍ଷା, ପୁନରୁଦ୍ଧାର ଓ ପରିଚାଳନା ପାଇଁ ବିଭାଗ ଓ ଆଇଆଇଟି ଭୁବନେଶ୍ବର ମିଳିତ ଭାବେ କାର୍ଯ୍ୟ କରିବେ। ଉପକୂଳୀୟ ପରିସଂସ୍ଥାର ପୁନରୁଦ୍ଧାର କରିବା ଉପରେ ଧ୍ୟାନ କେନ୍ଦ୍ରୀତ ହେବ, ଯାହାକି ଜୈବ ବିବିଧତା, କାର୍ବନ ସିକ୍ବେଷ୍ଟ୍ରେସନ୍‌ ଓ ଉପକୂଳ ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ ହେବ। ଉପକୂଳବାସୀଙ୍କ ପାଇଁ ଜଳବାୟୁ ସହନଶୀଳତା ଅଭିବୃଦ୍ଧି କରିବାକୁ ଇକୋସିଷ୍ଟମର ପୁନରୁଦ୍ଧାର, ସୁରକ୍ଷା ଓ ସ୍ଥାୟୀ ପରିଚାଳନା ପାଇଁ ଆଇଆଇଟି ବୈଷୟିକ ସହାୟତା ଯୋଗାଇଦେବ।

ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ପ୍ରଭାବର ସମ୍ମୁଖୀନ ହେଉଥିବା ଦୁର୍ବଳ ଚାଷୀ ସମ୍ପ୍ରଦାୟର ସ୍ଥିରତାକୁ ସୁଦୃଢ଼ କରିବାକୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଆଞ୍ଚଳିକ ଅନୁକୂଳନ ପ୍ରକଳ୍ପ ପାଇଁ ଡବ୍ଲ୍ୟୁଏଫ୍‌ପି ସହ ମଧ୍ୟ ବୁଝାମଣାପତ୍ର ହୋଇଛି। ନୂଆପଡ଼ା ଜିଲ୍ଲାର ଦୁଇଟି ବ୍ଲକ ଯଥା ବୋର୍ଡେନ୍‌ ଓ ଖରିଆରରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ୫ ବର୍ଷୀୟ ପ୍ରକଳ୍ପ ମାଧ୍ୟମରେ ଜଳବାୟୁ ପରବର୍ତ୍ତନର ପ୍ରଭାବ ବିରୋଧରେ ଦୁର୍ବଳ ଓ ମହିଳା ଚାଷୀଙ୍କ ସ୍ଥିରତା ଉପରେ ଗବେଷଣା କରାଯିବ। ଏହି ପ୍ରକଳ୍ପ ଜୀବିକା, ସ୍ଥିର କୃଷି ପଦ୍ଧତି ଓ ଜଳବାୟୁ ସେବାରେ ଉନ୍ନତ ନିବେଶକୁ ପ୍ରୋତ୍ସାହିତ କରିବ। ଡବ୍ଲୁଏଫ୍‌ପି ଡେପୁଟି କଣ୍ଟ୍ରି ଡାଇରେକ୍ଟର ନୋଜୋମି ହାସିମୋଟୋ କହିଛନ୍ତି ଏହି କାର୍ଯ୍ୟକ୍ରମ କ୍ଷୁଦ୍ର ଓ ମହିଳା ଚାଷୀଙ୍କୁ ସ୍ଥାୟୀ କୃଷି ପଦ୍ଧତି ପାଇଁ ଉପକରଣ, ଆବଶ୍ୟକୀୟ ଜ୍ଞାନ ପ୍ରଦାନ, ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇବାକୁ ଦକ୍ଷତା ପ୍ରଦାନ କରିବ। ଏଥିସହ ପ୍ରତିକୂଳ ପାଗ ସହ୍ୟ କରିବାକୁ ସ୍ଥାୟୀ କୃଷି କୌଶଳକୁ ପ୍ରୋତ୍ସାହିତ କରିବ।

 ଲୁଣା ଜଳାଶୟର ସୁରକ୍ଷା ଓ ପୁନରୁଦ୍ଧାରକୁ ଗୁରୁତ୍ବ
ନୂଆପଡ଼ାର ଦୁଇ ବ୍ଲକର ଚାଷୀଙ୍କ ଦକ୍ଷତା ବଢ଼ିବ
୨୦୭୦ ସୁଦ୍ଧା ନେଟ୍‌-ଜିରୋ ହାସଲ କରିବାକୁ ଲକ୍ଷ୍ୟ

ସେହିପରି ନେଟ୍‌-‌ଜିରୋ ରୋଡମ୍ୟାପ୍‌ ବିକାଶ ପାଇଁ ଶକ୍ତି, ପରିବେଶ ଓ ଜଳ ପରିଷଦ(ସିଇଇଡବ୍ଲୁ) ସହ ଆଉ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏହାଦ୍ବାରା ଶିଳ୍ପ, ଶକ୍ତି, ପରିବହନ ଓ କୃଷି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଡିକାର୍ବୋନାଇଜେସନ ରଣନୀତି ପ୍ରସ୍ତୁତ କରିବ। ବୁଝାମଣାପତ୍ର ସ୍ବାକ୍ଷର ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ଯୋଗଦେଇ କହିଲେ, ଉପକୂଳ ପରିଚାଳନା ଅଭ୍ୟାସକୁ ପ୍ରୋତ୍ସାହିତ କରିବାକୁ ଉନ୍ନତ ଗବେଷଣା ଓ ଗୋଷ୍ଠୀ ସମ୍ପୃକ୍ତିକୁ ପ୍ରଶସ୍ତ କରିବାରେ ଏହି ବୁଝାମଣା ସହାୟକ ହେବ। ଡବ୍ଲୁଏଫ୍‌ପି ସହ ହୋଇଥିବା ବୁଝାମଣାପତ୍ର ଦ୍ବାରା ଜଳବାୟୁ ଦୁର୍ବଳତା ମୁକାବିଲାରେ କୃଷକଙ୍କ ଜୀବିକା ଓ ଖାଦ୍ୟ ସୁରକ୍ଷା ନିମନ୍ତେ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଉଛି। ୨୦୭୦ ସୁଦ୍ଧା ନେଟ୍‌-ଜିରୋ ଲକ୍ଷ୍ୟ ହାସଲ ସହ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ସମନ୍ବିତ କରିବାରେ ସିଇଇଡବ୍ଲ୍ୟୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ ବୋଲି ମତବ୍ୟକ୍ତ କରିଥିଲେ।

ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ, ଜଳବାୟୁ ପରିବର୍ତ୍ତନରେ ଓଡ଼ିଶା ଏକ ସମ୍ବେଦନଶୀଳ ରାଜ୍ୟ ପାଲଟିଛି। ପ୍ରକୃତି ଉପରେ ଜଳବାୟୁର ପ୍ରକୋପ ପଡ଼ୁଥିବାରୁ ତାହାର ମୁକାବିଲା ଦିଗରେ ଆମକୁ କାମ କରିବାକୁ ହେବ। ଲୋକଙ୍କ ଜୀବନଜୀବିକା ସହ ପ୍ରାକୃତିକ ସନ୍ତୁଳନ ରକ୍ଷା କରି ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିବେଶ ନିର୍ଦ୍ଦେଶକ ‌‌ପ୍ରେମ୍‌ କୁମାର ଝା, ପିସିସିଏଫ୍‌ ଦେବୀଦତ୍ତ ବିଶ୍ବାଳ, ଆଇଆଇଟି ଭୁବନେଶ୍ବର ନିର୍ଦ୍ଦେଶକ ଶ୍ରୀପଦ କର୍ମାଲକର, ପ୍ରଫେସର ଦିନାକର ପାସଲା, ପ୍ରଫେସର ସୟଦ ହିଲାଲ ଫାରୁକ୍‌, ଡ. ଅମୃତ କୁମାର ମିଶ୍ର, ଡ. ପ୍ରସନ୍ନଜିତ୍‌ ଆଚାର୍ଯ୍ୟ, ଡବ୍ଲ୍ୟୁଏଫ୍‌ପିରୁ ପ୍ରଜ୍ଞା ପୈଠଙ୍କର, ହିମାଂଶୁ ବଳ, ରାମଶ୍ରୀ ପୁରୋହିତ, ସିଇଇଡବ୍ଲ୍ୟୁର ବୈଭବ ଚତୁର୍ବେଦୀ, ଓଡ଼ିଶା ରାଜ୍ୟ ସଂଯୋଜକ ନୀତି ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.