Breaking News

ଭିତରକନିକାରେ ବଢ଼ିଲେ ବଉଳା କୁମ୍ଭୀର: ଏବର୍ଷ ୧୮୨୬ରେ ପହଞ୍ଚିଲା

ବଉଳା କୁମ୍ଭୀରଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ଭିତରେ ଓ ବାହାରେ ଥିବା ନଦୀନାଳଗୁଡ଼ିକରେ ୧୮୧୧ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଥିଲେ।

ରାଜନଗର: ବଉଳା କୁମ୍ଭୀରଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ଭିତରେ ଓ ବାହାରେ ଥିବା ନଦୀନାଳଗୁଡ଼ିକରେ ୧୮୧୧ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଥିଲେ। ଚଳିତବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୧୮୨୬ରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହା ୧୫ ଅଧିକ।  ଏ ବର୍ଷ କନିକା ରେଞ୍ଜର ପାଟ୍ଟଶାଳା ମାଉଥ୍‌ରୁ ଏଫ୍‌ଆର୍‌ଏଚ୍‌ ଜେଟି ମଧ୍ୟରେ ୨ଟି, ଏଫ୍‌ଆର୍‌ଏଚ୍‌ ଜେଟିରୁ ଖୋଳାମାଉଥ ମଧ୍ୟରେ ଗୋଟିଏ, ଗୁପ୍ତିରୁ ହଂସିଣା ମଧ୍ୟରେ ଗୋଟିଏ ୨୦ଫୁଟ୍‌ରୁ ଅଧିକ ଲମ୍ବର ବଉଳା କୁମ୍ଭୀରକୁ ଠାବ କରାଯାଇଛି। ଏହି କୁମ୍ଭୀରମାନଙ୍କର ବୟସ ୧୦୦ରୁ ୧୨୦ ବର୍ଷ ହେବ ବୋଲି ଜଣାପଡ଼ିଛି। ଏଥିସହ ଜୟନଗର-ଖୋଳା ମଧ୍ୟବର୍ତ୍ତୀ ବାଲିପଠା, ଥାନପତିମାଉଥ୍, ଗଞ୍ଜେଇଖିଆ, ଶୁଆଯୋର, ଗୋଧରାପାଳ, ଗୁମୁରାଗାଁ ନିକଟରେ ୧୫ ଫୁଟରୁ ଅଧିକ ଲମ୍ବର କୁମ୍ଭୀର ଠାବ କରାଯାଇଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଚଳିତବର୍ଷ ଅଧିକ ଧଳା କୁମ୍ଭୀର ମଧ୍ୟ ଦେଖିବାକୁ ମିଳିଛି। ଗତବର୍ଷ ୧୬ଟି ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା ବେଳେ ଏବର୍ଷ ୨୦ଟି ଧଳା କୁମ୍ଭୀର ଠାବ କରାଯାଇଛି। ଗୋପାଳଜିଉପାଟଣା, କାଳିଭଞ୍ଜଡିଆ, ଶାଗୁଣାଚର ଓ ଭିତରକନିକା ନଦୀରେ ୬ଟି ୧୮/୧୯ ଫୁଟ୍‌ ଲମ୍ବ ଧଳା କୁମ୍ଭୀର ଦେଖାଯାଇଛି। ପ୍ରାକୃତିକ ପରିବେଶରେ ଏତେ ସଂଖ୍ୟକ ଧଳା କୁମ୍ଭୀର ଭାରତର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ।

ଚଳିତ ମାସ ୧୯ ତାରିଖରୁ ୨୧ ତାରିଖ  ୩ଦିନ ଧରି ଏହି କୁମ୍ଭୀର ଗଣନା କରାଯାଇଥିଲା। ବରିଷ୍ଠ ଜୀବ ବିଜ୍ଞାନୀ, ଗବେଷକ ଡକ୍ଟର ସୁଧାକର କରଙ୍କ ନେତୃତ୍ବରେ ୨୨ଟି ଟିମ୍ କୁମ୍ଭୀର ଗଣନା କରିଥିଲେ। ଏହି ସମୟରେ କୁମ୍ଭୀରଶାବକ (ଛୁଆ) ଅର୍ଥାତ୍ ୨ ଫୁଟରୁ କମ ଲମ୍ବର କୁମ୍ଭୀର ୫୮୫ଟି, ବର୍ଷିକିଆ ଛୁଆ ଅର୍ଥାତ୍ ୨ରୁ ୩ ଫୁଟିଆ କୁମ୍ଭୀର ୪୦୩ଟି, ୨ ବର୍ଷିଆ ଛୁଆ ଅର୍ଥାତ୍ ୩ ରୁ ୬ ଫୁଟ୍‌ ଲମ୍ବର ୩୨୮ଟି, ୪ରୁ ୫ ବର୍ଷର ଅର୍ଥାତ୍ ୬ରୁ ୮ ଫୁଟ୍‌ ଲମ୍ବ କୁମ୍ଭୀର ୧୬୪ଟି ଦେଖିବାକୁ ମିଳିଥିଲା। ଏଥିସହ ବଡ଼ କୁମ୍ଭୀର ଅର୍ଥାତ୍‌ ୮ ଫୁଟରୁ ଅଧିକ ଲମ୍ବର ୩୪୬ଟି ଠାବ କରାଯାଇଛି ବୋଲି ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ  ସୂଚନା ଦେଇଛନ୍ତି। କୁମ୍ଭୀର ଗଣନା ରିପୋର୍ଟ ଅନୁସାରେ ୨ ଫୁଟ ମଧ୍ୟରେ କୁମ୍ଭୀର ଗତବର୍ଷରୁ ୩ଟି ଅଧିକ ଚିହ୍ନଟ ହୋଇଥିଲା ବେଳେ ୨ରୁ ୩ ଫୁଟ ମଧ୍ୟରେ ୧୬ଟି ଅଧିକ କୁମ୍ଭୀର ଓ ୩ରୁ ୬ ଫୁଟ ମଧ୍ୟରେ ଗୋଟିଏ ଅଧିକ କୁମ୍ଭୀର ଚିହ୍ନଟ ହୋଇଛି। ତେବେ ୬ରୁ ୮ ଫୁଟ ଓ ୮ ଫୁଟରୁ ଅଧିକ ଲମ୍ବର କୁମ୍ଭୀରଙ୍କ ସଂଖ୍ୟା ହ୍ରାସ ପାଇଛି।

୧୯୭୦ ମସିହା ମଧ୍ୟଭାଗରେ ଅନୁଷ୍ଠିତ ଏକ ସର୍ଭେରେ ଭାରତବର୍ଷରେ କୁମ୍ଭୀରମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡ଼ିଥିଲା। ଏହାପରେ କୁମ୍ଭୀରଙ୍କ ବଂଶବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟସଂସ୍ଥା ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଏହି ଯୋଜନା ଅନୁସାରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡକ୍ଟର ଏଚ୍.ଆର୍. ବଷ୍ଟାର୍ଡ ଓଡ଼ିଶା ସମୁଦ୍ର ଉପକୂଳ ପରିଦର୍ଶନ କରି କୁମ୍ଭୀର ବଂଶ ବୃଦ୍ଧି ପାଇଁ ଭିତରକନିକା ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ। ୧୯୭୫ ମସିହାରେ ୧୧୫ ବର୍ଗ କିଲୋମିଟର ଅଞ୍ଚଳରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢ଼ି ଉଠିଥିଲା। ପ୍ରଥମେ ୩୪ଟି ପରିପକ୍ବ କୁମ୍ଭୀରଙ୍କ ସହ ୯୬ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା। ସେହିପରି ୧୯୭୬ ମସିହାରୁ ଭିତରକନିକାରେ କୁମ୍ଭୀର ଗଣନା କରାଯାଉଛି। ହୁଲିଡଙ୍ଗାରେ ପାରମ୍ପରିକ ପଦ୍ଧତି ସହ ବର୍ତ୍ତମାନ ପଲିଗନ ସର୍ଚ୍ଚ ଆପ୍ ମାଧ୍ୟମରେ କୁମ୍ଭୀର ଗଣନା କରାଯାଉଛି। ଚଳିତବର୍ଷ କୁମ୍ଭୀର ଗଣନା ପ୍ରକ୍ରିୟାକୁ ୫୦ବର୍ଷ ପୂରିଥିଲା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୧୮୨୬ରେ ପହଞ୍ଚିଛି। କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ନେଇ ପରିବେଶପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.