କ୍ଷିତୀଶ ରାୟ
ଭୁବନେଶ୍ବର: ୨୦୦୬-୦୭ ମସିହାରେ ରାଜ୍ୟ ସରକାର ଓଡ଼ିଶାକୁ କୁଷ୍ଠମୁକ୍ତ ଘୋଷଣା କରିଥିଲେ। କାଗଜପତ୍ରରେ ଯଦିଓ କୁଷ୍ଠ ନିରାକରଣ ହୋଇଥିଲା, ହେଲେ ଘୋଷଣାବର୍ଷ ହିଁ ୫ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ପରେ ଏହା ସରକାରଙ୍କ ମୁଖା ଖୋଲି ଦେଇଥିଲା। ଏହା ଭିତରେ ୨୦ବର୍ଷ ବିତିବାକୁ ବସିଲାଣି, ପ୍ରତିବର୍ଷ ହଜାର ହଜାର ନୂଆ କୁଷ୍ଠରୋଗୀ ଚିହ୍ନଟ ହେଉଛନ୍ତି। ବିଗତ ୭ବର୍ଷ ଭିତରେ ୫୫ହଜାରରୁ ଅଧିକ ମାମଲା ନଜରକୁ ଆସିଲାଣି। ଚିନ୍ତାଜନକ ବିଷୟ ହେଉଛି ଯେ ଚିହ୍ନଟଙ୍କ ଭିତରୁ ଅଧିକାଂଶ ଏମ୍ବି(ମଲ୍ଟିବାସିଲାରି ଲେପ୍ରସି)ରେ ଆକ୍ରାନ୍ତ। ଏମାନଙ୍କଠାରେ ସଂକ୍ରମଣହାର ଅଧିକ। ଏଭଳି ଢଙ୍ଗରେ ଏମ୍ବି ଆକ୍ରାନ୍ତ ଚିହ୍ନଟ ହେଲେ, ଆଗକୁ ରାଜ୍ୟରେ ପ୍ରତିବର୍ଷ କୁଷ୍ଠ ରୋଗୀଙ୍କ ସଂଖ୍ୟା ୧୫-୨୦ହଜାର ଛୁଇଁପାରେ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମାନଦଣ୍ଡ ଅନୁସାରେ ପ୍ରତି ୧୦ହଜାର ଜନସଂଖ୍ୟାରେ ୧ରୁ କମ୍ କୁଷ୍ଠ ଆକ୍ରାନ୍ତ ଚିହ୍ନଟ ହେଲେ ଏହା ଏକ ଜନସ୍ବାସ୍ଥ୍ୟ ସମସ୍ୟା ନୁହେଁ। ୨୦୧୦ ମସିହାରୁ ଓଡ଼ିଶା ଏକ କୁଷ୍ଠପ୍ରବଣ ରାଜ୍ୟଭାବେ ପରିଗଣିତ ହୋଇଆସୁଛି। ରାଜ୍ୟରେ କୁଷ୍ଠର ପ୍ରିଭେଲାନ୍ସ ରେଟ୍ ବା ବ୍ୟାପିବା ହାର ୧ରୁ ଅଧିକ ରହିଛି। ଆର୍ଥାତ୍ ‘ହୁ’ର ମାନଦଣ୍ଡ ଅନୁସାରେ ଓଡ଼ିଶା କୁଷ୍ଠମୁକ୍ତ ନୁହେଁ। ୨୦୧୮-୧୯ ମସିହାରେ ରାଜ୍ୟରେ ପ୍ରତିବର୍ଷ ୧୦ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇଥିଲେ। ୨୦୧୪-୨୫ରେ ଏହି ସଂଖ୍ୟା ୭ହଜାରରୁ ଅଧିକ ରହିଛି। ତେବେ ବାର୍ଷିକ ନୂଆ ମାମଲା ଚିହ୍ନଟ ହାର(ଏଏନ୍ସିଡିଆର) ପ୍ରାୟ ୧୬% ରହିଛି। ରାଜ୍ୟରେ ଏହି ବର୍ଷ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୬୯ଜଣ ଅର୍ଥାତ୍ ୬୩% ରୋଗୀ ଏମ୍ବି କୁଷ୍ଠରେ ଆକ୍ରାନ୍ତ ଥିବା ନଜରକୁ ଆସିଛି। ଯାହାକି ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ। ସେହିପରି ୨୦୨୪-୨୫ବର୍ଷରେ ଓଡ଼ିଶାରେ ୩୯୫ଜଣ କୁଷ୍ଠରେ ଆକ୍ରାନ୍ତ ଶିଶୁ ଚିହ୍ନଟ ହୋଇଛନ୍ତି।
୭ବର୍ଷରେ ୫୫ହଜାରରୁ ଅଧିକ କୁଷ୍ଠ ରୋଗୀ ଚିହ୍ନଟ
ଆକ୍ରାନ୍ତଙ୍କ ମଧ୍ୟରେ ଏମ୍ବି ମାମଲା ଚିନ୍ତା ବଢ଼ାଇଛି
ଅପରପକ୍ଷରେ ବହୁଦିନ ଧରି ରୋଗୀ ଚିହ୍ନଟ ନ ହେବା ଓ ଠିକ୍ ସମୟରେ ଚିକିତ୍ସା ନ ପାଇଲେ ଗ୍ରେଡ୍-୨ ଭିନ୍ନକ୍ଷମତା ବୃଦ୍ଧି ପାଇଥାଏ। ରାଜ୍ୟରେ ଗତବର୍ଷ ୧୦୬ଜଣ ଜି-୨ଡି ରୋଗୀ ଚିହ୍ନଟ ହୋଇଛନ୍ତି। ୧୦ଲକ୍ଷ ଜନସଂଖ୍ୟାରେ ଓଡ଼ିଶାରେ ଏହାର ହାର ୨.୩% ରହିଛି। ତେବେ ୨୦୧୯ ମସିହାରେ ରାଜ୍ୟ ସରକାର ଜିଲ୍ଲାରେ ଜି-୨ଡି ଆକ୍ରାନ୍ତ ଚିହ୍ନଟ ହେଲେ ଏଥିପାଇଁ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ଉତ୍ତରଦାୟୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତଥାପି ରାଜ୍ୟରେ ଜି-୨ଡି ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି। ସେହିପରି ରାଜ୍ୟରେ କୁଷ୍ଠ ରୋଗର ଠିକ୍ରେ ରିପୋର୍ଟିଂ ଅଭାବରୁ ସରକାର ୨୦୨୩ମସିହାରେ କୁଷ୍ଠକୁ ଏକ ‘ରିପୋର୍ଟଯୋଗ୍ୟ’ ରୋଗଭାବେ ଘୋଷଣା କରିଛନ୍ତି। ତଥାପି ପ୍ରତିବର୍ଷ ସରକାରଙ୍କ ପକ୍ଷରୁ ଯେତିକି ସଂଖ୍ୟକ ନୂଆ ରୋଗୀ ଚିହ୍ନଟ ହେବା ସଂପର୍କରେ ଘୋଷଣା କରାଯାଉଛି ତାହାକୁ ନେଇ ମଧ୍ୟ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି।
ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ(ଏନ୍ଏଲ୍ଇପି) ଅଧୀନରେ ରାଜ୍ୟରେ ୧୨୫୧ଜଣ କୁଷ୍ଠ କର୍ମୀ କାର୍ଯ୍ୟ କରୁଥିଲେ। ରାଜ୍ୟ ସରକାର ଏହି ପଦବିକୁ ଉଚ୍ଛେଦ କରି ଅକ୍ଷମ ନିବାରଣ କ୍ଲିନିକ୍(ଡିପିଏମ୍ଆର)ରେ ୪୦୪ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ୨୦୧୩-୧୪ରେ କେନ୍ଦ୍ର ସରକାର ୪୦୪ ପଦବି ସହିତ ଅତିରିକ୍ତ ୧୮୪ ପଦବି ମଞ୍ଜୁର କରିଥିଲେ। ଅଧିକାଂଶ ପଦ ଖାଲି ଥିବାରୁ ଡିପିଏମ୍ଆର କ୍ଲିନିକ୍ କେବଳ କାଗଜପତ୍ରରେ ଚାଲିଥିବା ଅଭିଯୋଗ ହେଉଛି। ଡିପିଏମ୍ଆର କ୍ଲିନିକ୍ରେ କାର୍ଯ୍ୟ କରିବା ପାଇଁ ତାଲିମପ୍ରାପ୍ତ କୁଷ୍ଠ କର୍ମୀଙ୍କ ଦକ୍ଷତା ଅଛି। କୁଷ୍ଠ ରୋଗୀଙ୍କ ହାତ ଗୋଡ଼ର ଘା’ ସଫା କରିବା ସହ ଫିଜିଓଥେରାପି, ମେଡିକେସନ୍, ଭିନ୍ନକ୍ଷମତା ମୂଲ୍ୟାୟନ, ସ୍ନାୟୁର କାର୍ଯ୍ୟକାରିତା, ସେନ୍ସୋରି ପରୀକ୍ଷା ଆଦି ସ୍ବାସ୍ଥ୍ୟକର୍ମୀମାନେ କରିପାରିବେ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ମାତ୍ର ସ୍ବାସ୍ଥ୍ୟ କର୍ମୀଙ୍କୁ ଏହି କାର୍ଯ୍ୟ ଜୋରଜବରଦସ୍ତ ଲଦି ଦିଆଯାଇଛି। ଏହାସହ ରାଜ୍ୟରେ ୮୬ କୁଷ୍ଠ କଲୋନି, ୪ କୁଷ୍ଠ ଆଶ୍ରମ ଓ ୧୪ କୁଷ୍ଠ ଚିକିତ୍ସାଳୟ ଅତି ଦୟନୀୟ ଅବସ୍ଥାରେ। ପ୍ରତିବର୍ଷ କୁଷ୍ଠ ନିରାକରଣ ଯୋଜନା ଓ ଅଭିଯାନ ନାଁରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ତୃଣମୂଳ ସ୍ତରରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଗୋଷ୍ଠୀ ସ୍ତରରେ ସଚେତନତାର ଯଥେଷ୍ଟ ଆବଶ୍ୟକତା ରହିଛି। କାରଣ ସରକାର ନିଜ ତରଫରୁ ସବୁ ରୋଗୀଙ୍କୁ ଚିହ୍ନଟ କରିବା ସମ୍ଭବପର ନୁହେଁ। ପଶ୍ଚିମ ଓଡ଼ିଶାରେ କୁଷ୍ଠର ବ୍ୟାପିବା ହାର ଅଧିକ ରହିଛି। ଜାନୁଆରି ୩୦ତାରିଖରୁ ୧୫ଦିନିଆ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜାତୀୟ ସ୍ତରରେ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ଓଡ଼ିଶା କୁଷ୍ଠପ୍ରବଣ ରାଜ୍ୟ। ୨୦୦୫-୦୮ ମସିହା ପର୍ଯ୍ୟନ୍ତ ରାଜ୍ୟରେ ପିବି ମାମଲା ଅଧିକା ରହୁଥିଲା। ଏବେ ପିବି-ଏମ୍ବି ମାମଲା ପ୍ରାୟ ୫୦% ରହିଛି। ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀଙ୍କୁ ପିବି ରୋଗୀ ହିସାବରେ ଔଷଧ ଦିଆଯିବା କଥା, ମାତ୍ର ସେମାନେ ଏହାକୁ ଏମ୍ବି ଲେଖି ଦେଉଛନ୍ତି। ମେଡିକାଲ କଲେଜ ସହ ଏଥିପାଇଁ ଆଲୋଚନା କରାଯାଇ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ କରାଯାଇଛି। ଯାହାଫଳରେ ରାଜ୍ୟରେ ଏବେ ଏମ୍ବି ମାମଲା ଅଧିକ ଆସୁଥିବା ନଜରକୁ ଆସୁଛି।
ସୌଜନ୍ୟ ସମ୍ବାଦ