Breaking News

ପକ୍ଷାଘାତ ରୋଗୀ ଚଳାଇଲେ ଡ୍ରୋନ୍‌!

ବିଗତ ଦୁଇ ଦଶନ୍ଧି ମଧ୍ୟରେ ମସ୍ତିଷ୍କକୁ ଯନ୍ତ୍ର ସହ ଯୋଡ଼ିବା କାର୍ଯ୍ୟ ବିଜ୍ଞାନ ଗଳ୍ପରୁ ବାସ୍ତବ ରୂପ ନେଇଛି, ଯାହା ମେରୁଦଣ୍ଡ ଆଘାତ ଯୋଗୁଁ ପକ୍ଷାଘାତଗ୍ରସ୍ତ ହୋଇଥିବା ଲୋକମାନଙ୍କ ପାଇଁ ଜୀବନ ପରିବର୍ତ୍ତନକାରୀ ପାଲଟିଛି।

ବିଗତ ଦୁଇ ଦଶନ୍ଧି ମଧ୍ୟରେ ମସ୍ତିଷ୍କକୁ ଯନ୍ତ୍ର ସହ ଯୋଡ଼ିବା କାର୍ଯ୍ୟ ବିଜ୍ଞାନ ଗଳ୍ପରୁ ବାସ୍ତବ ରୂପ ନେଇଛି, ଯାହା ମେରୁଦଣ୍ଡ ଆଘାତ ଯୋଗୁଁ ପକ୍ଷାଘାତଗ୍ରସ୍ତ ହୋଇଥିବା ଲୋକମାନଙ୍କ ପାଇଁ ଜୀବନ ପରିବର୍ତ୍ତନକାରୀ ପାଲଟିଛି। ଏକ ଦୁର୍ଘଟଣାରେ ମେରୁଦଣ୍ଡର ଟି-୫ରେ ଶକ୍ତ ଆଘାତ ପାଇ ପକ୍ଷାଘାତର ଶିକାର ହୋଇଥିବା ଜଣେ ୬୯ ବର୍ଷୀୟ ବ୍ୟକ୍ତିଙ୍କର ଡ୍ରୋନ୍ ଉଡ଼ାଇବା ସ୍ବପ୍ନ ବାସ୍ତବ ରୂପ ନେଇଛି।

ଏହି ବ୍ୟକ୍ତିଙ୍କର ମସ୍ତିଷ୍କରେ ଏକ ପ୍ରତିରୋପଣ ପରେ ସେ ଆଭାସୀ ଡ୍ରୋନ୍‌ ଚଳାଇ ତାହାର ରୋମାଞ୍ଚ ଅନୁଭବ କରିପାରିଛନ୍ତି। ମନରେ ଆଙ୍ଗୁଠିର ଗତିବିଧିକୁ ପରିକଳ୍ପନା କରି ସେ ଏକ ଭିଡିଓ ଗେମ୍‌ରେ ଏକ ଚାରି ରୋଟର ବିଶିଷ୍ଟ ଆଭାସୀ ଡ୍ରୋନ୍‌ ଉଡ଼ାଇଥିଲେ, ଯେଉଁଥିରେ ଉକ୍ତ ଡ୍ରୋନ୍‌ ଉଡ଼ାଣ ସମୟରେ ବିଭିନ୍ନ ବାଧାକୁ ଏଡ଼ାଇବା ସହ ବିଭିନ୍ନ ବଳୟ ଭିତର ଦେଇ ସଫଳତାର ସହ ଗତି କରିଥିଲା।

ଉଲ୍ଲେଖଯୋଗ୍ୟ, ଏହି ଟି-୫ ରୋଗୀଙ୍କୁ ‘ବ୍ରେନ‌ଗେଟ୍୨’ ନାମକ ସ୍ନାୟବିକ ଇଣ୍ଟରଫେସ୍‌ ପ୍ରଣାଳୀର ନୈଦାନିକ ପରୀକ୍ଷଣରେ ସାମିଲ କରାଯାଇଥିଲା। ଏହି ପ୍ରଣାଳୀରେ ପକ୍ଷାଘାତ ରୋଗୀଙ୍କ ମସ୍ତିଷ୍କର ବୈଦ୍ୟୁତିକ କାର୍ଯ୍ୟକଳାପକୁ ଡିକୋଡ୍‌ କରି କମ୍ପ୍ୟୁଟର କର୍ସର, ଯାନ୍ତ୍ରିକ ବାହୁ ଓ ଅନ୍ୟାନ୍ୟ ସରଞ୍ଜାମକୁ ନିୟନ୍ତ୍ରଣ କରାଯାଇପାରିବ। ୨୦୧୬ରେ ଉକ୍ତ ବ୍ୟକ୍ତିଙ୍କ ମସ୍ତିଷ୍କର ହସ୍ତ ନିୟନ୍ତ୍ରଣ କେନ୍ଦ୍ରରେ ଦୁଇଟି କ୍ଷୁଦ୍ର ପ୍ରତିରୋପଣ କରାଯାଇଥିଲା, ଯାହା ଉଭୟ ହସ୍ତ ଓ ଆଙ୍ଗୁଠିଗୁଡ଼ିକର ଗତିବିଧି ସକ୍ରିୟ କରିପାରିଥିଲା। ମସ୍ତିଷ୍କ ପ୍ରତିରୋପଣ ପରେ ତାଙ୍କର ପ୍ରତିଟି ଆଙ୍ଗୁଠି ସ୍ବାଧୀନ ଭାବରେ ବିସ୍ତାର କରିବା କି କୁଞ୍ଚିତ କରିବା କାର୍ଯ୍ୟ କରିପାରିଥିଲା, ଯାହା ଭିଡିଓ ଗେମ୍‌ ନିୟନ୍ତ୍ରକ ଭଳି ଡ୍ରୋନ୍ ଉଡ଼ାଣ‌କୁ ମଧ୍ୟ ନିୟନ୍ତ୍ରଣ କରିପାରିଥିଲା। ‌ତେବେ ଏହି ବ୍ୟବସ୍ଥା ଏବେ ବି ବ୍ୟାବସାୟିକ ବ୍ୟବହାରଠାରୁ ବହୁ ଦୂରରେ ରହିଛି ଏବଂ ଏଥିପାଇଁ ଅଧିକ ପରୀକ୍ଷଣର ଆବଶ୍ୟକତା ରହିଛି। ସଂପୃକ୍ତ ପକ୍ଷାଘାତ ରୋଗୀ ତାଙ୍କ ମସ୍ତିଷ୍କ ନିୟନ୍ତ୍ରଣ ଦ୍ବାରା ଆଭାସୀ ହସ୍ତକୁ ମିନିଟ୍‌କୁ ୭୬ଟି ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରୁଥିବା ବେଳେ ମସ୍ତିଷ୍କରେ ଅଧିକ ଚାନେଲ୍‌ଯୁକ୍ତ ହାର୍ଡୱେର ପ୍ରତିରୋପଣ କରି କ୍ରିୟାଶୀଳତାକୁ ଆହୁରି କ୍ଷିପ୍ର କରାଯାଇପାରିବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.