ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସେଇ ସୋମବାର ଦିନ କେରଳର ଏକ ସେସନ୍‌ସ ଅଦାଲତର ଜଣେ ନ୍ୟାୟମୂର୍ତ୍ତି ଗ୍ରୀଷ୍ମା ଏସ୍‌ଏସ୍ ନାମ୍ନୀ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ତାଙ୍କର ପୁରୁଷବନ୍ଧୁଙ୍କୁ ବିଷ ଦେଇ ହତ୍ୟା କରିବା ଅପରାଧରେ ମୃତ୍ୟୁଦଣ୍ଡ ପ୍ରଦାନ କରିଛନ୍ତି। ସଞ୍ଜୟ ରାୟର ଅପରାଧ ନିଶ୍ଚିତ ରୂପେ ଏହାଠାରୁ ଅଧିକ ବିରଳ ଶ୍ରେଣୀର ହୋଇଥିଲେ ହେଁ ତା’ ପ୍ରତି ଅଦାଲତ ପ୍ରଦର୍ଶନ କରିଥିବା କୋହଳ ମନୋଭାବ ପଶ୍ଚିମବଙ୍ଗର ରାଜନୈତିକ ବିକୃତିର ଛାପ ବହନ କରିଥାଏ।

ସୋମବାର ଦିନ କଲିକତାର ଏକ ସେସନ୍‌ସ ଅଦାଲତ ଆର୍‌ ଜି କର ମେଡିକାଲ କଲେଜ ଆଣ୍ଡ୍ ହସ୍‌ପିଟାଲ ଠାରେ ଘଟିଥିବା ଧର୍ଷଣ ଓ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ବେଚ୍ଛାସେବୀ ପୁଲିସ କର୍ମଚାରୀ ସଞ୍ଜୟ ରାୟକୁ ଦଣ୍ଡ ପ୍ରଦାନ କରିଛନ୍ତି। ଏହି ଦଣ୍ଡଦାନର ବିଶେଷତ୍ବ ହେଲା ଏହା ଯେ ଏହା ପ୍ରକାଶ ପାଇବା ପରେ ଦେଶବ୍ୟାପୀ ସେଇଭଳି ଚାଞ୍ଚଲ୍ୟ ସୃଷ୍ଟି କରିଛି, ଯେଉଁଭଳି ଚାଞ୍ଚଲ୍ୟ ଗତ ଅଗଷ୍ଟ ୯ରେ ଏହି ନାରକୀୟ ଘଟଣା ଘଟିବା ପ୍ରକାଶ ପାଇବା ପରେ ସୃଷ୍ଟି ହୋଇଥିଲା। ସେଇ ଘଟଣାରେ ଜଣେ କର୍ତ୍ତବ୍ୟରତା ଯୁବତୀ ଜୁନିଅର୍ ଡାକ୍ତରଙ୍କୁ ଗଭୀର ରାତ୍ରିରେ ସେ ଦୀର୍ଘ ସମୟ ଧରି କର୍ତ୍ତବ୍ୟ ସଂପାଦନ ପରେ ବିଶ୍ରାମ ନେଉଥିବାବେଳେ ଅପରାଧୀ ଜଣକ ବଳପ୍ରୟୋଗ କରି ଧର୍ଷଣ କରିବା ପରେ ହତ୍ୟା କରିଥିଲା।
ଏହି ଜଘନ୍ୟ ଅପରାଧ ୨୦୧୨ରେ ଦିଲ୍ଲୀରେ ଘଟିଥିବା ‘ନିର୍ଭୟା’ ଧର୍ଷଣ ଓ ହତ୍ୟାକାଣ୍ଡ ସହିତ ତୁଳନୀୟ ହୋଇଥିବାରୁ ଏହାର ପ୍ରତିବାଦରେ ଯେଉଁ ସ୍ବତଃସ୍ଫୂର୍ତ୍ତ ଗଣପ୍ରତିବାଦ ପ୍ରଦର୍ଶିତ ହୋଇଥିଲା, ତାହା କଲିକତା କିମ୍ବା ପଶ୍ଚିମବଙ୍ଗ କିମ୍ବା ଭାରତର ସୀମା ମଧ୍ୟରେ ଅାବଦ୍ଧ ନ ରହି, ବିଦେଶକୁ ମଧ୍ୟ ସଂପ୍ରସାରିତ ହୋଇଥିଲା। ରାତି ପରେ ରାତି ପଶ୍ଚିମବଙ୍ଗର ବିଭିନ୍ନ ସହରରେ ମହିଳାମାନେ ମହମବତୀ ଧରି ‘ରାତ୍ରିକୁ ପୁନର୍ଦଖଲ’ କରିବା ଅଭିଯାନରେ ହଜାର ହଜାର ସଂଖ୍ୟାରେ ବାହାରି ପଡ଼ିଥିଲେ। ଦିଲ୍ଲୀର ସେଇ ବର୍ବର କାଣ୍ଡରେ ପ୍ରାଣ ହରାଇଥିବା ଯୁବତୀଙ୍କୁ ‘ନିର୍ଭୟା’ ଛଦ୍ମନାମ ପ୍ରଦାନ କରାଯାଇଥିବା ଭଳି ପ୍ରତିବାଦକାରୀମାନେ ଆର୍‌ ଜି କର ହସ୍‌ପିଟାଲ ଘଟଣାର ପୀଡ଼ିତାଙ୍କୁ ଛଦ୍ମନାମ ପ୍ରଦାନ କରିଥିଲେ- ‘ଅଭୟା’। ପୀଡ଼ିତାଙ୍କୁ ନ୍ୟାୟ ଓ ଡାକ୍ତରମାନଙ୍କ ପାଇଁ ସୁରକ୍ଷା ଦାବି କରି ଜୁନିଅର୍ ଡାକ୍ତରମାନେ ଦୀର୍ଘ ଦଶ ସପ୍ତାହ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିଲେ, ଯାହା ସାରା ଦେଶର ହସ୍‌ପିଟାଲ‌ମାନଙ୍କୁ ପ୍ରଭାବିତ କରିଥିଲା। ବୃହତ୍ତର ସମାଜ ସମସ୍ବରରେ କରିଥିବା ଦାବି ଥିଲା- ଅପରାଧୀକୁ ମୃତ୍ୟୁଦଣ୍ଡ।
ଅଦାଲତ ବର୍ତ୍ତମାନ ଶୁଣାଇଥିବା ଦଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିବାର କାରଣ ହେଲା- ବିଚାରପତି ଜଣକ ଏହି ଅପରାଧକୁ ଏକ ବିରଳତମ ଅପରାଧ ରୂପେ ବିବେଚନା କରିବାକୁ ରାଜି ନ ହୋଇ ଅପରାଧୀକୁ ମୃତ୍ୟୁଦଣ୍ଡ ପ୍ରଦାନ କରିବା ପରିବର୍ତ୍ତେ ତାକୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି। ଯାହା ଅତ୍ୟନ୍ତ ଅବିଶ୍ବାସ୍ୟ, ତାହା ହେଲା, ଅପରାଧୀକୁ ମୃତ୍ୟୁଦଣ୍ଡ ପ୍ରଦାନ ନ କରିବାର ଅନ୍ୟତମ କାରଣ ସ୍ବରୂପ ବିଚାରପତି ମହୋଦୟ ସୁପ୍ରିମ୍ କୋର୍ଟର ଯେଉଁ ଏକ ନିର୍ଦ୍ଦେଶକୁ ଉଦ୍ଧାର କରିଛନ୍ତି, ତାହା ଅନୁସାରେ ‘‘ଯେଉଁଠି ସମାଜର ସାମୂହିକ ବିବେକ ଏଭଳି ଆଘାତପ୍ରାପ୍ତ ହୋଇଥିବ ଯେ ସେମାନେ ମୃତ୍ୟୁଦଣ୍ଡ ଆଶା କରୁଥିବେ, କେବଳ ସେଭଳି ବିରଳ ପରିସ୍ଥିତିରେ ମୃତ୍ୟୁଦଣ୍ଡ ପ୍ରଦାନ କରାଯାଇପାରିବ।’’ ଏଥିରୁ ମନେ ହୋଇଥାଏ, ବୋଧହୁଏ ବିଚାରପତି ମହୋଦୟ ତାଙ୍କର ଆଚରଣବିଧିକୁ କଠୋର ଭାବରେ ପାଳନ କରି ନିଜକୁ ସମାଜ ଠାରୁ ଏପରି ବିଚ୍ଛିନ୍ନ କରିଦେଇଛନ୍ତି ଯେ ମୃତ୍ୟୁଦଣ୍ଡ ଦାନ ପାଇଁ ସମାଜ କରିଚାଲିଥିବା ଦାବି ତାଙ୍କ କର୍ଣ୍ଣ କୂହରରେ ପ୍ରବେଶ କରିପାରିନାହିଁ।
କିମ୍ବା ବିଚାରପତିଙ୍କର ଏତାଦୃଶ ଅାଭିମୁଖ୍ୟର କାରଣ ସମ୍ବନ୍ଧରେ ଅନ୍ୟ ଏକ ବିକଳ୍ପର ସମ୍ଭାବନା ରହିଛି କି? ଏହି ସମ୍ଭାବନାର ଖିଅ ଲମ୍ବିଛି ନ୍ୟାୟ ସମ୍ବନ୍ଧରେ ପ୍ରାଚୀନ ଗ୍ରିକ୍ ଦାର୍ଶନିକ ସକ୍ରେଟିସ୍ ଉସ୍‌କାଇଥିବା ଏକ ବିତର୍କ ପର୍ଯ୍ୟନ୍ତ, ଯାହାର ବର୍ଣ୍ଣନା ପ୍ଲାଟୋଙ୍କର ପ୍ରସିଦ୍ଧ ପୁସ୍ତକ ‘ରିପବ୍ଲିକ୍’ରେ ଦେଖିବାକୁ ମିଳିଥାଏ। ବିତର୍କଟି ଘଟିଛି ସକ୍ରେଟିସ୍ ଓ ସଂଶୟବାଦୀ ଦାର୍ଶନିକ (‘ସୋଫିଷ୍ଟ୍’) ଥ୍ରାସିମାକସ୍‌ଙ୍କ ମଧ୍ୟରେ। ଥ୍ରାସିମାକସ୍‌ ସିଧାସଳଖ ଭାବରେ କହିଛନ୍ତି ଯେ ରାଷ୍ଟ୍ରର ଆଇନର କିମ୍ବା ବ୍ୟକ୍ତିର ନୈତିକତାର ନ୍ୟାୟ ସହିତ କୌଣସି ସଂପର୍କ ନ ଥାଏ। ତାଙ୍କ ଅନୁସାରେ ଶକ୍ତିଶାଳୀ ଯାହା ଇଚ୍ଛା କରିଥାଏ, ତାହାହିଁ ଆଇନ ହୋଇଥାଏ। ଏକ ରାଷ୍ଟ୍ରର ଶାସକଙ୍କର ଯାହା ସ୍ବାର୍ଥରକ୍ଷା କରିଥାଏ, ତାହାହିଁ ହେଉଛି ଆଇନ। ନାଗରିକମାନେ ଯେତେବେଳେ ଏହି ଆଇନକୁ ମାନି ଚଳିଥାନ୍ତି, ସେମାନେ କେବଳ ଅନ୍ଧ ଭାବରେ ସେଇ ଶାସକଙ୍କର ସ୍ବାର୍ଥରକ୍ଷା କରିଥାନ୍ତି ମାତ୍ର। ଆଇନ ହେଉଛି ଶକ୍ତିଶାଳୀର ଦାସ, ଜୋର ଯା’ର ମୁଲକ ତା’ର। ଆଇନର ଅନୁପାଳନ ହେଉଛି ଦୁର୍ବଳମାନଙ୍କର ନୈତିକତା, ଯେଉଁମାନେ ବୁଝିପାରନ୍ତି ନାହିଁ ଯେ ଆଇନ ସେମାନଙ୍କର ସ୍ବାର୍ଥରକ୍ଷା କରି ନ ଥାଏ, କେବଳ ସବଳ ଶାସକର ସ୍ବାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ହୋଇଥ‌ାଏ।
ପରବର୍ତ୍ତୀ କାଳରେ ଥ୍ରାସିମାକସ୍‌ଙ୍କୁ ଅନୁସରଣ କଲାଭଳି ସାମ୍ୟବାଦର ଜନକ କାର୍ଲ ମାର୍କ୍ସ କହିଥିଲେ ଯେ ସର୍ବହରାମାନେ ବୁଝିପାରନ୍ତି ନାହିଁ ଯେ ସେମାନେ ରାଷ୍ଟ୍ରର ଯେଉଁ ଆଇନ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବ ବୋଲି ବିଶ୍ବାସ କରିଥାନ୍ତି, ସେ ଆଇନ କେବଳ ଶାସକମାନଙ୍କର ସ୍ବାର୍ଥରକ୍ଷା ଉଦ୍ଦେଶ୍ୟରେ କାର୍ଯ୍ୟ କରିଥାଏ।
ପଶ୍ଚିମବଙ୍ଗ ରାଜ୍ୟ ଓ ଆର୍ ଜି କର ହସ୍‌ପିଟାଲ ଘଟଣା ପରିପ୍ରେକ୍ଷୀରେ ଥ୍ରାସିମାକସ୍ ବା ମାର୍କ୍ସଙ୍କର ନ୍ୟାୟ ସମ୍ବନ୍ଧରେ ଏଭଳି ବିଚାର ମହତ୍ତ୍ବପୂର୍ଣ୍ଣ ପ୍ରାସଙ୍ଗିକତା ବହନ କରିଥାଏ। ‘ଅଭୟା’ଙ୍କ ନୃଶଂସ ଧର୍ଷଣ ଓ ହତ୍ୟା ଯେତେବେଳେ ପଶ୍ଚିମବଙ୍ଗ ସମେତ ସାରା ଦେଶର ଅନ୍ତରାତ୍ମାକୁ ଦୋହଲାଇ ଦେଇଥିଲା, ଏଥିପ୍ରତି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉଦାସୀନତା, ତାଙ୍କ ପୁଲିସକୁ ସୁରକ୍ଷା ଦେବା ପାଇଁ ତାଙ୍କର ଉଦ୍ୟମ, ସଂପୃକ୍ତ କଲେଜ-ହସ୍‌ପିଟାଲର ଅଧ୍ୟକ୍ଷଙ୍କ ସହିତ ତାଙ୍କର ସଂପର୍କ ସେତେବେଳେ ଦେଶବ୍ୟାପୀ ସମାଲୋଚନାର ସମ୍ମୁଖୀନ ହୋଇଥିଲା। ନିଜର ଏ ସମସ୍ତ ଦୋଷଦୁର୍ବଳତାକୁ ଘୋଡ଼ାଇବା ପାଇଁ ସେ ଅପରାଧୀକୁ ଫାଶୀ ଦିଆଯାଉ ବୋଲି ଦାବି କରି ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରି କେବଳ ଉପହସିତ ହୋଇଥିଲେ- ନିଜେ ନିଜ ବିରୋଧରେ ପ୍ରତିବାଦ କରିବା କେବଳ ବିଶୁଦ୍ଧ ଛଳନା ନୁହେଁ କି?
ଅପରପକ୍ଷେ ଏହା ବିରୁଦ୍ଧରେ ଉପରେ ଉଲ୍ଲେଖ କରାଯାଇଥିବା ଭଳି ‌େଯଉଁସବୁ ପ୍ରତିବାଦ ଆନ୍ଦୋଳନ ଦେଖିବାକୁ ମିଳିଥିଲା, ତାହା ଥିଲା ସଂପୂର୍ଣ୍ଣ ରୂପେ ନେତୃହୀନ ସ୍ବେଚ୍ଛାକୃତ ଆନ୍ଦୋଳନ। ଏଥିରୁ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ ‘ଅଭୟା’ ଘଟଣା ଯୋଗୁଁ ଲୋକପ୍ରିୟତା ହରାଇ ମମତା ବାନାର୍ଜୀ ଏଥର ନିର୍ବାଚନରେ ପରାଜୟ ବରଣ କରିବା ହେଉଛି ନିଶ୍ଚିତ। କିନ୍ତୁ ଏହା ପରେ ପରେ ସେ ରାଜ୍ୟରେ ଛ’ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଓ ସେ ସମସ୍ତ ଅାସନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପ୍ରାର୍ଥୀମାନେ ବିପୁଳ ବିଜୟ ହାସଲ କରିଛନ୍ତି। ଏହି ଫଳାଫଳରୁ ଏକ ସ୍ପଷ୍ଟ ସନ୍ଦେଶ ମିଳିଥାଏ ଯେ ପଶ୍ଚିମବଙ୍ଗର ଯେଉଁ ସଂଖ୍ୟାଗରିଷ୍ଠ ମତଦାତାମାନଙ୍କର ସ୍ପଷ୍ଟ ସମର୍ଥନ ଲାଭ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶକ୍ତିଶାଳୀ ହୋଇଛନ୍ତି, ସେମାନଙ୍କ ପାଇଁ ମମତାଙ୍କ ତୁଷ୍ଟୀକରଣଭିତ୍ତିକ କୁଶାସନରେ ଘଟିଥିବା ‘ଅଭୟା’ ଧର୍ଷଣ ଓ ହତ୍ୟା ଘଟଣା ଭଳି ନାରୀ-ବିରୋଧୀ ନାରକୀୟ ଘଟଣା କୌଣସି ଗୁରୁତ୍ବ ବହନ କରି ନ ଥାଏ। ଥ୍ରାସିମାକସ୍‌ଙ୍କୁ ଅନୁସରଣ କଲାଭଳି ସଂପୃକ୍ତ ନ୍ୟାୟମୂର୍ତ୍ତି ତେଣୁ ସଞ୍ଜୟ ରାୟର ଅପରାଧକୁ ଗୁରୁତ୍ବହୀନ ବିଚାର କରି ତାକୁ ପ୍ରାଣଦଣ୍ଡ ପ୍ରଦାନ ନ କରି ଆଜୀବନ କାରାଦଣ୍ଡ ଦେବାକୁ ଉଚିତ ମନେ କରିଛନ୍ତି।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସେଇ ସୋମବାର ଦିନ କେରଳର ଏକ ସେସନ୍‌ସ ଅଦାଲତର ଜଣେ ନ୍ୟାୟମୂର୍ତ୍ତି ଗ୍ରୀଷ୍ମା ଏସ୍‌ଏସ୍ ନାମ୍ନୀ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ତାଙ୍କର ପୁରୁଷବନ୍ଧୁଙ୍କୁ ବିଷ ଦେଇ ହତ୍ୟା କରିବା ଅପରାଧରେ ମୃତ୍ୟୁଦଣ୍ଡ ପ୍ରଦାନ କରିଛନ୍ତି। ସଞ୍ଜୟ ରାୟର ଅପରାଧ ନିଶ୍ଚିତ ରୂପେ ଏହାଠାରୁ ଅଧିକ ବିରଳ ଶ୍ରେଣୀର ହୋଇଥିଲେ ହେଁ ତା’ ପ୍ରତି ଅଦାଲତ ପ୍ରଦର୍ଶନ କରିଥିବା କୋହଳ ମନୋଭାବ ପଶ୍ଚିମବଙ୍ଗର ରାଜନୈତିକ ବିକୃତିର ଛାପ ବହନ କରିଥାଏ।