Breaking News

ଟ୍ରମ୍ପଙ୍କ ଏଆଇ ପ୍ରକଳ୍ପରେ ନାହାନ୍ତି ମସ୍କ: ଅସନ୍ତୁଷ୍ଟ ମସ୍କ କହିଲେ ସେମାନଙ୍କ ପାଖରେ ପାଣ୍ଠି ନାହିଁ

ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ ଏକ ବୃହତ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରକଳ୍ପ ‘ଷ୍ଟାର୍‌ଗେଟ୍‌’ ଘୋଷଣା କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ବିଶ୍ବ ଏଆଇ ବିପ୍ଳବରେ ଆଗରେ ରହିବା।

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ ଏକ ବୃହତ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରକଳ୍ପ ‘ଷ୍ଟାର୍‌ଗେଟ୍‌’ ଘୋଷଣା କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ବିଶ୍ବ ଏଆଇ ବିପ୍ଳବରେ ଆଗରେ ରହିବା। ତେବେ ଏହି ପ୍ରକଳ୍ପ ଲାଗି ସେ ଯେଉଁ ତିନି ଜଣ ବ୍ୟକ୍ତିଙ୍କୁ ଚୟନ କରିଛନ୍ତି ସେଥିରେ ଟେସ୍‌ଲାର ମୁଖ୍ୟ ତଥା ତାଙ୍କର ଘନିଷ୍ଠ କୁହାଯାଉଥିବା ଏଲନ୍ ମସ୍କ ନାହାନ୍ତି। ସେହି ଟିମ୍‌ରେ ଚାଟ୍‌ଜିପିଟିର ସ୍ରଷ୍ଟା ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍, ଓରାକଲ୍ ଅଧ୍ୟକ୍ଷ ଲାରି ଏଲିସନ୍ ଓ ସଫ୍ଟବ୍ୟାଙ୍କ ସିଇଓ ମାୟୋସି ସନ୍‌ଙ୍କ ନାମ ରହିଛି। ସେଥିରେ ଏନ୍‌ଭିଡିଆକୁ ସାମିଲ କରିବା ଲାଗି କଥାବାର୍ତ୍ତା ଚାଲିଛି।

ଷ୍ଟାର୍‌ଗେଟ୍‌ ପ୍ରକଳ୍ପ ଘୋଷଣା ଅବସରରେ ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌ଙ୍କ ସହ ଏହି ସମସ୍ତ କମ୍ପାନିର ସିଇଓ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପରେ ୫୦,୦୦୦ କୋଟି ଡଲାର ନିବେଶ ହେବ। ପ୍ରଥମ ପର୍ଯ୍ୟାୟରେ ୧୦,୦୦୦ କୋଟି ଡଲାର ନିବେଶ କରିବାକୁ ଟ୍ରମ୍ପ୍ ଘୋଷଣା କରିଛନ୍ତି। ଏହି ପ୍ରକଳ୍ପରେ ଆମେରିକାରେ ୧,୦୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏଭଳି ଏକ ପ୍ରକଳ୍ପରେ ସ୍ଥାନ ପାଇ ନଥିବାରୁ ମସ୍କ ଅସନ୍ତୁଷ୍ଟ ଥିବା ଜଣାପଡ଼ୁଛି। ପ୍ରକଳ୍ପ ସମ୍ପର୍କରେ ଓପନ୍‌ଏଆଇ କରିଥିବା ଏକ ପୋଷ୍ଟ୍‌ ଉପରେ ଉତ୍ତର ଦେଇ ମସ୍କ ଲେଖିଛନ୍ତି ଯେ ସେମାନଙ୍କ ପାଖରେ ପ୍ରକୃତରେ ୫୦,୦୦୦ କୋଟି ଡଲାର ନାହିଁ। ସଫ୍ଟବ୍ୟାଙ୍କ ୧୦୦୦୦ କୋଟି ଡଲାର ସଂଗ୍ରହ କରିପାରିଥିବା ସେ କହିଛନ୍ତି। ଏହି ପ୍ରକଳ୍ପକୁ ସମାଲୋଚନା କରୁଥିବା ଲୋକମାନଙ୍କ ଯୁକ୍ତିକୁ ମଧ୍ୟ ମସ୍କ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ବିଶାଳ ଏଆଇ ପ୍ରକଳ୍ପ ଲାଗି ତାଙ୍କୁ ଚୟନ କରାଯାଇଥିବାରୁ ଅଲ୍ଟମ୍ୟାନ୍ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପଙ୍କ ପ୍ରତି କୃତଜ୍ଞତା ଜଣାଇବା ମସ୍କଙ୍କ କଟା ଘା’ରେ ଚୂନ ଲଗାଇବା ଭଳି ହୋଇଛି।
ଏମିତିରେ ଓପନ୍‌ଏଆଇ ସିଇଓ ଅଲ୍ଟମ୍ୟାନ୍ ଓ ମସ୍କଙ୍କ ଭିତରେ ସମ୍ପର୍କ ଏତେ ଭଲ ନାହିଁ।

ନିୟମିତ ବ୍ୟବଧାନରେ ଅଲ୍ଟମ୍ୟାନ୍‌ଙ୍କୁ ସେ ସମାଲୋଚନା କରୁଥିବା ଦେଖିବାକୁ ମିଳେ। ୨୦୧୫ରେ ଓପନ୍‌ଏଆଇ ସ୍ଥାପନା ବେଳେ ମସ୍କ ତାହାର ସହ-ପ୍ରତିଷ୍ଠାତା ଥିଲେ। ମସ୍କ ସେହି ପ୍ରକଳ୍ପକୁ ଦରକାର ସମୟରେ ପାଣ୍ଠି ବି ଦେଇଥିଲେ। କିନ୍ତୁ ୨୦୧୮ରେ ସେ ସେଥିରୁ ଓହରିଯାଇଥିଲେ। ତେବେ ଏକ ଅଣଲାଭଜନକ ସଂସ୍ଥା ଭାବେ ଗଠନ କରାଯାଇଥିବା ଓପନ୍‌ଏଆଇ ଯେତେବେଳେ ଚାଟ୍‌ଜିପିଟି ଆରମ୍ଭ କଲା ଓ ତାହା ଅଳ୍ପ ଦିନ ଭିତରେ ଲୋକପ୍ରିୟ ହୋଇଗଲା, ‌ସେହିଦିନଠାରୁ ଅଲ୍ଟମ୍ୟାନ୍‌ଙ୍କୁ ମସ୍କ ପସନ୍ଦ କରୁନାହାନ୍ତି। ସେ ଓପନ୍‌ଏଆଇ ଓ ଅଲ୍ଟମ୍ୟାନ୍‌ଙ୍କ ବିରୋଧରେ ଅଦାଲତ ମଧ୍ୟ ଯାଇଛନ୍ତି।

 

ସୌଜନ୍ୟ – ସମ୍ବାଦ

Comments are closed.