Breaking News

ଦିନ ଦିପହରେ ରାଜଧାନୀରେ ଗୁଳିକାଣ୍ଡ: ୨ ଆହତଙ୍କ ପତ୍ତା ମିଳୁନି, ଡାକ୍ତରଖାନା ସିସିଟିଭି ଅଣ୍ଡାଳୁଛି ପୁଲିସ, ଚିହ୍ନଟ ହୋଇଛି କାର୍‌

ଦିନ ଦିପହରେ ରାଜଧାନୀରେ ଗୁଳିମାଡ଼। ଦୁଇ ଯୁବକ ଗୁରୁତର। କିନ୍ତୁ ବିଡ଼ମ୍ବନା, କମିସନରେଟ୍‌ ପୁଲିସ ଏସମ୍ପର୍କରେ ସାମାନ୍ୟତମ ସୁରାକ ପାଇନାହିଁ। ଆହତଦ୍ବୟଙ୍କୁ ଧରି ସମ୍ପର୍କୀୟ ରାଜଧାନୀର ବିଭିନ୍ନ ହସ୍ପିଟାଲ୍‌ ଘୂରି ବୁଲୁଥିଲେ।

ଭୁବନେଶ୍ବର: ଦିନ ଦିପହରେ ରାଜଧାନୀରେ ଗୁଳିମାଡ଼। ଦୁଇ ଯୁବକ ଗୁରୁତର।  କିନ୍ତୁ ବିଡ଼ମ୍ବନା, କମିସନରେଟ୍‌ ପୁଲିସ ଏସମ୍ପର୍କରେ ସାମାନ୍ୟତମ ସୁରାକ ପାଇନାହିଁ। ଆହତଦ୍ବୟଙ୍କୁ ଧରି ସମ୍ପର୍କୀୟ ରାଜଧାନୀର ବିଭିନ୍ନ ହସ୍ପିଟାଲ୍‌ ଘୂରି ବୁଲୁଥିଲେ।  ଆଇସିୟୁ ଖୋଜି ଲୁଇସ୍‌ରୋଡ୍‌ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପର୍ଯ୍ୟନ୍ତ ଯାଇଥିଲେ। ସବୁଠି ଆଇସିୟୁ ପାଇଁ ଗଣ୍ଡଗୋଳ କଲେ। ଆଇସିୟୁ ନ ପାଇ ଶେଷରେ ଉଭାନ ହୋଇଗଲେ। ଏତେସବୁ ପରେ ବି କମିସନରେଟ୍‌ ପୁଲିସ ଆହତମାନଙ୍କୁ ଠାବ କରିପାରିଲା ନାହିଁ। ଫଳରେ ଗୁଳିମାଡ଼ ଘଟଣା ଏବେ ବି ପୁଲିସ ପାଇଁ ରହସ୍ୟ ହୋଇ ରହିଛି। କିନ୍ତୁ ପୁଲିସ ବିଭିନ୍ନ ହସ୍ପିଟାଲ୍‌ର ସିସିଟିଭିରୁ ସମ୍ପୃକ୍ତ କାର୍‌ ଓ କିଛି ସମ୍ପର୍କୀୟଙ୍କୁ ଚିହ୍ନଟ କରିଛି। କିନ୍ତୁ ତଦନ୍ତରେ ବାଧା ଉପୁଜିବା ବାହାନାରେ ମୁହଁ ଖୋଲିନାହିଁ।

ଗୁରୁବାର ଅପରାହ୍ଣ ପାଖାପାଖି ସାଢ଼େ ୩ଟା। ଲୁଇସ୍‌ରୋଡ୍‌ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ ସମ୍ମୁଖରେ ଏକ କାର୍‌ ଅଟକିଥିଲା। କାର୍‌ରୁ ଓହ୍ଲାଇ ୪/୫ଜଣ ଯୁବକ ତରତରରେ ହସ୍ପିଟାଲ୍‌ ଭିତରକୁ ପଶିଥିଲେ। ଗୁଳିମାଡ଼ରେ ଗୁରୁତର ଦୁଇ ଆହତଙ୍କୁ ଆଇସିୟୁରେ ଭର୍ତ୍ତି କରାଇବାକୁ କହିଥିଲେ। କିନ୍ତୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଆଇସିୟୁ ନାହିଁ ବୋଲି କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକମାନେ ପାଟିତୁଣ୍ଡ ଓ ଗାଳିମନ୍ଦ କରିଥିଲେ। କିନ୍ତୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଆଇସିୟୁ ନାହିଁ ବୋଲି ରୋକ୍‌ଠୋକ ମନା କରିବାରୁ ସେମାନେ କାର୍‌ ନେଇ ପଳାଇଥିଲେ। ତୁରନ୍ତ ହସ୍ପିଟାଲ୍‌ ପକ୍ଷରୁ ବଡ଼ଗଡ଼ ଥାନାକୁ ଖବର ଦିଆଯାଇଥିଲା। ମାତ୍ର ପୁଲିସ ହସ୍ପିଟାଲ୍‌ରେ ପହଞ୍ଚିବା ବେଳକୁ କେହି ନଥିଲେ। କିଛି ସମୟ ପରେ ଖବର ମିଳିଲା ଯେ ଯୁବକମାନେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଯାଇଥିଲେ। ସେଠାରେ ମଧ୍ୟ ଆଇସିୟୁ ନ ମିଳିବାରୁ ଗାଳିମନ୍ଦ କରି ପଳାଇଥିଲେ। ସେଠାରେ ଫାଣ୍ଡି ଥିବାରୁ ଯୁବକମାନେ ବେଶି ପାଟିତୁଣ୍ଡ ନ କରି ପଳାଇଥିଲେ। ଖବର ପାଇ କ୍ୟାପିଟାଲ୍‌ ଥାନା ପୁଲିସ ସେଠାରେ ପହଞ୍ଚିଥିଲା।

ଏହି ଖବର ଖେଳିଯିବା ପରେ କମିସନରେଟ୍‌ ପୁଲିସ ସେମାନଙ୍କୁ ଠାବ କରିବାକୁ ଲାଗିପଡ଼ିଥିଲା। ଲୁଇସ୍‌ରୋଡ୍‌, କଳ୍ପନାଛକ, କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ କାର୍‌ ଯାଇଥିବା ସମ୍ଭାବ୍ୟ ରାସ୍ତାରେ ସିସିଟିଭି ଯାଞ୍ଚ କରାଯାଇଥିଲା। ସେହିଭଳି ଧଉଳି, ବଡ଼ଗଡ଼, ଲିଙ୍ଗରାଜ ଆଦି ଥାନା ଅଞ୍ଚଳରେ କେଉଁଠି କିଛି ଅଘଟଣ ଘଟିଛି କି ନା, ସେନେଇ ଛାନ୍‌ଭିନ୍‌ କରାଯାଇଥିଲା। ବଡ଼ଗଡ଼ ଥାନା ବାଙ୍କୁଆଳସ୍ଥିତ ଏକ କ୍ଲବ୍‌ରେ ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏହି ଗୁଳି‌କାଣ୍ଡରେ ଜଣେ ବିଲ୍ଡର ଓ ତାଙ୍କ ସହଯୋଗୀ ଆହତ ହୋଇଛନ୍ତି। ସେମାନେ ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପୁଲିସ ଜାଣିବାକୁ ପାଇଛି।

 

 

ସୌଜନ୍ୟ – ସମ୍ବାଦ

Comments are closed.