Breaking News

ସରସ ରସ: ଚିଠିର ନାଆଁରେ ଲେଖା ଚିଠିଟିଏ

ମୋର ପ୍ରିୟ ଚିଠି, ମୁଁ ଜାଣେ ତୁମେ ଓ ତୁମର ବନ୍ଧୁମାନେ ଏବେ କୁଶଳରେ ନାହଁ। ସମୟର ନିର୍ଘାତ ପ୍ରହାର ତୁମକୁ ଏପରି ଅଜ୍ଞାତ ଅନ୍ଧକାର ମଧ୍ୟକୁ ଫିଙ୍ଗି ଦେଇଛି ଯେ, ସେଠାରେ ତୁମକୁ କେହି ଚିହ୍ନି ବି ନାହାନ୍ତି।

ସୁଭାଷ ପଟ୍ଟନାୟକ

ମୋର ପ୍ରିୟ ଚିଠି, ମୁଁ ଜାଣେ ତୁମେ ଓ ତୁମର ବନ୍ଧୁମାନେ ଏବେ କୁଶଳରେ ନାହଁ। ସମୟର ନିର୍ଘାତ ପ୍ରହାର ତୁମକୁ ଏପରି ଅଜ୍ଞାତ ଅନ୍ଧକାର ମଧ୍ୟକୁ ଫିଙ୍ଗି ଦେଇଛି ଯେ, ସେଠାରେ ତୁମକୁ କେହି ଚିହ୍ନି ବି ନାହାନ୍ତି। ଆମେ ତୁମକୁ ସୁରକ୍ଷା ଦେଇପାରିଲୁନି। ଇତିହାସ ହୋଇ ରହିଯିବାକୁ ଛାଡ଼ିଦେଲୁ। ଏଠାରେ ଏବେ ତୁମକୁ କେହି ଚିହ୍ନନ୍ତି ନାହିଁ କି ଜାଣନ୍ତି ନାହିଁ। ଏ ନୂତନ ପିଢ଼ି ତୁମକୁ କେବେ ହାତରେ ଧରି ନାହାନ୍ତି କି ଡାକବାଲା ଠାରୁ ପାଇନାହାନ୍ତି। ତୁମକୁ ଭେଟିବାର ପ୍ରତୀକ୍ଷାରେ କେବେ ସନ୍ତପ୍ତ ହୋଇନାହାନ୍ତି କିମ୍ବା ଭେଟିବାର ଆନନ୍ଦରେ ଉଛଳି ନାହାନ୍ତି। ତୁମ ଆଗମନର ପ୍ରତୀକ୍ଷାରେ କେବେ ଚାତକ ପରି ଚାହିଁ ବସି ନାହାନ୍ତି। ଉତ୍ତର ଫେରାଇବା ତ ଦୂରର କଥା, ତୁମକୁ କେବେ ପଢ଼ି ବି ନାହାନ୍ତି। ଆଜି ତୁମ କଥା ମନେ ପଡ଼ିଗଲା, ଯେତେବେଳେ ବର୍ଷକୁ ଥରେ ସାନ୍ତାକ୍ଳଜ୍ ଆସି ବଡ଼ଦିନର ଉପହାର ବାଣ୍ଟିଯିବା ପରି ଡାକବାଲା ଆସି ବିଦେଶୀ ବନ୍ଧୁଙ୍କ ପାଖରୁ ଆସିଥିବା ନୂଆବର୍ଷର ଗ୍ରିଟିଙ୍ଗସ କାର୍ଡଟି ଦେଇଗଲା। ବିଦେଶରେ ଚିଠି ଓ ଗ୍ରିଟିଙ୍ଗସର ଦିଆନିଆ ଏବେବି ଚାଲିଛି ପରା! ମନେ ପଡ଼ିଗଲା ନୂଆ ବର୍ଷ ଆସିଲେ ଗ୍ରିଟିଙ୍ଗସ କାର୍ଡ କିଣି ଡାକରେ ପକାଇବା ସମୟର କଥା। ଆଜି ସେ ଅଜଣା ଡାକବାଲା କାର୍ଡଟି ଦେବାବେଳେ ଲାଗିଲା, ସତେ ଯେମିତି ସ୍ବୟଂ ସାନ୍ତାକ୍ଳଜ୍ ଡାକବାଲା ରୂପରେ ଉପହାର ଦେବାକୁ ଆସିଥିଲେ। ମନେ ପଡ଼ିଯାଉଛି ପୁରାତନ ସମୟର ଆମ ଗାଁ କଥା। ଗାଁର ଖୁଡୀ, ଜେଜୀମା’ ଓ ମାଉସୀମାନେ ଦାଦନ ଖଟିବା ପାଇଁ ପରଦେଶ ଯାଇଥିବା ପ୍ରିୟଜନମାନଙ୍କ ପାଖକୁ ଚିଠି ଖଣ୍ଡିଏ ଲେଖିଦେବାକୁ ଆମ ଘରେ ଆସି ପହଞ୍ଚିଯାଉଥିଲେ। ଖୁଡ଼ୀ ଡାକି ଚାଲିଥାନ୍ତି, ମୁଁ ତୁମକୁ ଲେଖିବାରେ ଲାଗିଥାଏ: ‘‘ଶ୍ରୀ ଜଗନ୍ନାଥ ଚରଣେ ଶରଣ। ବଇରଖକୁ ବୋଉର କୋଟି କୋଟି କଲ୍ୟାଣ। ଜେଜୀମା’ର କଲ୍ୟାଣ, ଦାଦା ଓ ଦେଠେଇଙ୍କର କଲ୍ୟାଣ। ଖୁକୀ ଆଉ ଖୁପୀର ଭୂମିଷ୍ଟ ପ୍ରଣାମ….’’। ମାନ୍ୟ ଧର୍ମ ଲେଖୁଲେଖୁ ତୁମ କଳେବର ଅଧା ପୂରଣ ହୋଇଯାଏ। ଘରର କେହି ବି ବାଦ ପଡ଼ନ୍ତିନି। ‘‘ଖୁକୀ ଖୁବ୍‌ ମନେ ପକାଉଛି। ପଠାଇଥିବା ଟଙ୍କା ମିଳିଛି। ଧାନ କଟା ସରିଲାଣି। ନେତ ଗାଈ ମାଈ ବାଛୁରୀଟିଏ ଜନ୍ମ ଦେଇଛି’’ ଇତ୍ୟାଦି ଇତ୍ୟାଦି ଗାଁଟା ସାରାର କଥା। ବେଳ ଗଡ଼ିଲେ ସାଇକେଲ ଘଣ୍ଟି ବଜାଇ ପହଞ୍ଚିଯାଏ ରାଜୁ ଡାକବାଲା। ଦେହରେ ଖାକି ପୋଷାକ ଓ ସାଇକେଲ ପଛରେ ଥାଏ ଖାକି କନାର ଡାକ ମୁଣି। ଗାଁର ସମସ୍ତେ ରୁଣ୍ଡ ହୋଇଯାଇ ତୁମର ଆସିଥିବା କଥା ତା’ ଠାରୁ ବୁଝିନିଅନ୍ତି। ଯାହା ପାଖକୁ ତୁମେ ଆସିଥାଅ, ସେ ଖୁସି ହୋଇଯାଏ। କବାଟ କଣରୁ ତୁମକୁ ଅପେକ୍ଷା କରି ଚାହିଁ ରହିଥାଏ ନବବଧୂ। ସ୍ବାମୀଙ୍କ ଅତର ବୋଳା ଚିଠିଟି ଚଗଲୀ ନଣନ୍ଦ କ’ଣ ପାଉଣା ନପାଇ ସହଜରେ ଦିଏ କି!
ତୁମକୁ ଲେଖିବାର ଓ ପାଇବାର ଆନନ୍ଦ ଥିଲା ନିଆରା। ତୁମେ ତ କେବଳ ଖବରବାହୀ କାଗଜ ଖଣ୍ଡିଏ ନଥିଲ, ଦୂର ପ୍ରାନ୍ତରୁ ଆସିଥିବା ସ୍ବତନ୍ତ୍ର ଉପହାର ଠାରୁ କିଛି କମ୍‌ ନଥିଲା ମୂଲ୍ୟ ତୁମର। ମନର କଥା, ଯାହା ସାମନାରେ କୁହାଯାଇ ପାରୁନଥିଲା, ସହଜରେ ବ୍ୟକ୍ତ ହୋଇଯାଉଥିଲା ତୁମ ମାଧ୍ୟମରେ। ହେ, ମୋର ପ୍ରିୟ ଚିଠି! କଳ୍ପନାର ପରିପ୍ରକାଶ ଏବଂ ଭାବପ୍ରବଣ ସଂଯୋଗର ମାଧ୍ୟମ ଥିଲ ତୁମେ। ଚିନ୍ତା, ଭାବନା ଓ ଅଭିଜ୍ଞତା ଆମେ ସବୁ ତୁମରି ମାଧ୍ୟମରେ ତ’ ବାଣ୍ଟୁଥିଲୁ! ଘର ଛାଡ଼ି ମାଇଲ ମାଇଲ ଦୂରରେ ରହୁଥିବା ମଣିଷର ହୃଦୟର ଦୂରତାକୁ କେବେ ତୁମେ ଅନୁଭବରେ ଆଣିବାକୁ ଦେଇନାହଁ। ଅଚାନକ ତୁମର ଆସିବାର ଖୁସିରେ ମନର ସମସ୍ତ ଗ୍ଳାନି ଅପସରି ଯାଉଥିଲା। ଗୋଟିଏ ପ୍ରାନ୍ତରେ ଥିଲା ତୁମକୁ ଲେଖି ପଠାଇବାର ଆନନ୍ଦ ତ ଅପର ପାର୍ଶ୍ବରେ ଉଛଳି ଉଠୁଥିଲା ତୁମକୁ ପାଇ ପଢ଼ିବାର ଆହ୍ଲାଦ। ଆଜିର ‘ସ୍କ୍ରିନ୍ ଲକ୍’ ପରି ତୁମ ଦେହରେ କେବେ ତାଲା ଝୁଲୁ ନଥିଲା। ଯେ କେହି ତୁମକୁ ଖୋଲି ପାରୁଥିଲା, ପଢ଼ି ପାରୁଥିଲା ଓ ଶୁଣି ପାରୁଥିଲା। ଥରକରେ ମନ ନବୁଝିଲେ ବାରମ୍ବାର ପଢୁଥିଲା। ପହିଲି ପ୍ରେମର ପ୍ରଥମ ସଂଯୋଗ ସେତୁ ଥିଲ ତୁମେ। ଏବେ ତ ସାରା ଦୁନିଆଁ ଗୋଟିଏ ଅଙ୍ଗୁଳି ଅଗ୍ରରେ ରହିଯାଇଛି। ଚାହିଁବା ମାତ୍ରେ ମନୁଷ୍ୟ ସାତ ସମୁଦ୍ର ପାର କରି ପ୍ରିୟଜନ ସହିତ କଥା ହୋଇପାରୁଛି ଆଉ ତା’ର ଛବି ଜୀବନ୍ତ ଦେଖିପାରୁଛି। ଗୋଟିଏ ଛୋଟ ‘ଇମୋଜି’ ଆଜି ମନର ଭାବ ପ୍ରକାଶ କରି ଦେଇପାରୁଛି। କିନ୍ତୁ ତୁମ ଜରିଆରେ ପ୍ରିୟଜନର ସ୍ବର ଶୁଣିବା ଓ ତୁମ ଦେହର ଆଇନାରେ ତା’ ଛବି ଦେଖିବାର ଆନନ୍ଦ ଆଜିର ଏ କ୍ଷିପ୍ର ଯୋଗାଯୋଗ ବ୍ୟବସ୍ଥାରେ ନାହିଁ। ଜୀବନର ନବ ରସକୁ ଛାତିରେ ଜଡ଼ାଇ ଧରି ତୁମେ ଯେମିତି ଅଚାନକ ଆସି ପହଞ୍ଚି ଯାଉଥିଲ, ଖୋଜିଲେ ମଧ୍ୟ ଆଜି ତାହା ଦୁଷ୍ପ୍ରାପ୍ୟ। ତୁମ ସହିତ ତୁମର ଅନ୍ୟ ବନ୍ଧୁମାନେ, ଯେମିତିକି ଟେଲିଗ୍ରାମ, ଡାଏଲ ଫୋନ୍, କଳାଧଳା ଟିଭି, ଗ୍ରାମଫୋନ୍ ଓ ଭିସିଆର୍ ଆଦି ମଧ୍ୟ କେବେଠାରୁ ହଜିଗଲେଣି। ଅତୀତରେ ଲେଖା ଯାଇଥିବା ତୁମ ପରି ଅନେକ ଚିଠି ଆଜି ଐତିହାସିକ ଦଲିଲ। ଅନେକ ଲେଖକ ତୁମକୁ ଲେଖି ସାରିବା ପରେ ଏକତ୍ର ହୋଇ ତୁମେ ପରିଣତ ହୋଇଯାଇଛ ପତ୍ର-ଉପନ୍ୟାସରେ। ‘ଏପିଷ୍ଟୋଲାରି ନଭେଲ୍’ ନାମରେ ତାହା ଏବେବି ଲୋକପ୍ରିୟ। କଲିନସ୍‌ଙ୍କର ‘ଦ ମୁନ୍ ଷ୍ଟୋନ୍’, ଦସ୍ତୋଭସ୍କିଙ୍କର ‘ପୁଅର୍ ଫୋକ୍’, ସଲ୍ ବେଲୋଙ୍କର ‘ହରଜୋଗ୍’ ଏବଂ ଆମ ଭାଷାରେ ସୁସ୍ମିତା ବାଗଚୀଙ୍କର ‘ମୋ ଝର୍କାରୁ ପୃଥିବୀ’ ପୁସ୍ତକ ସବୁ ତୁମର ଏକତ୍ର ସମାହୃତି ପରା!
ଜୀବନ ଏଠାରେ ଏବେ ତୀବ୍ର ଗତିରେ ଧାବମାନ। ତୁମେ ଥିଲେ ଦେଖିଥାନ୍ତ, ଏ ଦୌଡ଼ ଭିତରେ ପ୍ରେମର ଭାଗଟି କେତେ ଗୌଣ। ଭାବିବା ମାତ୍ରକେ ଯୋଗାଯୋଗ ହୋଇଯାଉଛି ସିନା, ମନର ଦୂରତା ବଢ଼ି ଚାଲିଛି। ମନ ସହିତ ମନକୁ ଯୋଡ଼ିବାକୁ ଆଜି ତୁମେ ନାହଁ କି ତୁମର ବିକଳ୍ପ କେହି ନାହିଁ। ସଂପର୍କକୁ ତୁମେ କେବେ ଜଟିଳ ହେବାକୁ ଦେଉନଥିଲ। ଏବେ ସଂପର୍କଟା ହିଁ ନିଜେ ଜଟିଳ ହୋଇସାରିଲାଣି। ‘‘ଟିକି ଚଢ଼େଇ’’ ପରି ଆଜି ତୁମକୁ କିଏ ‘‘ଫୁର୍ କିନା’’ ଉଡ଼େଇ ଦେଉନି କି ଜଳି ଯାଇଥିବା ଫୁଲ ବଗିଚାର ପାଉଁଶ ତଳୁ ‘‘ଫଗୁଣର ଗୋଲାପି ଚିଠି’’କୁ ଆଜି ଆଉ କିଏ ଖୋଜିବୁଲୁନି। ମୁଁ ଜାଣେନି, ତୁମ ପାଖକୁ ଏ ଚିଠିଟି ପଠାଇବାକୁ ଡାକବାକ୍ସଟିଏ କେଉଁଠି ପାଇବି! ଧ୍ୟାନମଗ୍ନ ଋଷି ପରି ଛକ ଜାଗାରେ ବସିରହିଥିବା ସେ ଡାକବାକ୍ସ ସବୁ ଅନେକ ଦିନରୁ ସେ ସ୍ଥାନ ତ୍ୟାଗ କଲେଣି। ଶେଷରେ ନୀଦା ଫାଜଲିଙ୍କର ପଦେ କବିତାରେ ତୁମଠୁ ମେଲାଣି ମାଗୁଛି: ‘‘ତୁମସେ ଛୁଟ୍ କର୍ ଭି ତୁମ୍‌ହେ ଭୁଲନା ଆସାନ୍ ନ ଥା/ତୁମ୍‌କୋ ହି ୟାଦ୍ କିୟା ତୁମ୍‌କୋ ଭୁଲାନେ କେ ଲିୟେ’’। ତୁମଠୁ ଦୂରେଇ ଯାଇ ତୁମକୁ ଭୁଲିବା ସହଜ ହେଲାନି, ତେଣୁ ତୁମକୁ ହିଁ ମନେ ପକାଉଛି ତୁମକୁ ଭୁଲିଯିବାପାଇଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୩୩୭୬୪୮୬୩୮

 

ସୌଜନ୍ୟ – ସମ୍ବାଦ

Comments are closed.