Breaking News

ଆଜି ଜାତୀୟ ପର୍ଯ୍ୟଟନ ଦିବସ: ଗ‌ାଇଡ୍‌ ଅଛନ୍ତି, ଆଗ୍ରହ ନାହିଁ

ରାଜ୍ୟର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରେ ପର୍ଯ୍ୟଟନ। ଓଡ଼ିଶାରେ ଏହି କ୍ଷେତ୍ରର ଭରପୂର ସୁଯୋଗ ରହିଛି। କିନ୍ତୁ ପର୍ଯ୍ୟଟନ ବିଭାଗର ଅସ୍ପଷ୍ଟ ନୀତି ଓ ଅବ୍ୟବସ୍ଥିତ ଟୁରିଷ୍ଟ...

ଭୁବନେଶ୍ବର: ରାଜ୍ୟର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରେ ପର୍ଯ୍ୟଟନ। ଓଡ଼ିଶାରେ ଏହି କ୍ଷେତ୍ରର ଭରପୂର ସୁଯୋଗ ରହିଛି। କିନ୍ତୁ ପର୍ଯ୍ୟଟନ ବିଭାଗର ଅସ୍ପଷ୍ଟ ନୀତି ଓ ଅବ୍ୟବସ୍ଥିତ ଟୁରିଷ୍ଟ ଗାଇଡ୍‌ ବ୍ୟବସ୍ଥା ଏହି କ୍ଷେତ୍ରରୁ ଶତପ୍ରତିଶତ ଲାଭ ଦେଇ ପାରୁନାହିଁ। ପ୍ରଶିକ୍ଷଣ ପାଇ ନଥିବା ଗାଇଡ୍‌ଙ୍କ ଜରିଆରେ ପର୍ଯ୍ୟଟନକ୍ଷେତ୍ରର ଯେଉଁ ଗୁରୁତ୍ବ ରହିଛି ତାହାର ପ୍ରସାର ହୋଇ ପାରୁନାହିଁ। ଫଳରେ ପର୍ଯ୍ୟଟନ ବିକାଶରେ ଖର୍ଚ୍ଚ ହେଉଥିବା କୋଟିକୋଟି ଟଙ୍କା ପାଣିରେ ପଡ଼ୁଛି।

ସୁଦୀର୍ଘ ସମୁଦ୍ରତଟ ସହ ଐତିହାସିକ ସ୍ମାରକୀ, ପାହାଡ଼, ହ୍ରଦ, ନଦୀ, ବନ୍ୟଜନ୍ତୁଙ୍କ ପାଇଁ ସଂରକ୍ଷିତ ଜଙ୍ଗଲ, ମନ୍ଦିର, ଜୈବ ବିବିଧତା, କଳାକୃତି ଭଳି ଏକାଧିକ କ୍ଷେତ୍ର ଓଡ଼ିଶାରେ ପର୍ଯ୍ୟଟନ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି। ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷଣ କରିବାରେ ଏସବୁ ପ୍ରମୁଖ ଭୁମିକା ଗ୍ରହଣ କରୁଛି। ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢ଼ୁଛି। ପର୍ଯ୍ୟଟକଙ୍କ ପାଇଁ ସାଂସ୍କୃତିକ ଦୂତ (କଲ୍‌ଚରାଲ ଆମ୍ବାସଡର) ବୋଲାଉଥିବା ଟୁରିଷ୍ଟ୍‌ ଗାଇଡ୍‌ କିନ୍ତୁ ସେତିକି ବ୍ୟବସ୍ଥିତ ହୋଇ ପାରୁନାହାନ୍ତି। ଫଳରେ ପର୍ଯ୍ୟଟକ ପର୍ଯ୍ୟଟନ କ୍ଷେତ୍ର ବାବଦରେ ଅଧା ସୂଚନା ନେଇ ଫେରୁଛି। ଅନେକ ସମୟରେ ତିକ୍ତ ଅନୁଭୂତି ଯୋଗୁଁ ଓଡ଼ିଶା ବିଶ୍ବଦରବାରରେ ନିନ୍ଦିତ ହେଉଛି। ରାଜ୍ୟ ସରକାର ଓଡ଼ିଶାର ପର୍ଯ୍ୟଟନକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ବିଭିନ୍ନ ଯୋଜନା କରିଛନ୍ତି। ରୋଡ୍‌ ସୋ’, ପତ୍ରିକା, ବିଜ୍ଞାପନ ମ‌ାଧ୍ୟମରେ ଏହାର ପ୍ରଚାର ପ୍ରସାର କରାଯାଉଛି।

ପାଣିଭଳି ଖର୍ଚ୍ଚ, ମିଳୁନି ସଫଳତା
ପର୍ଯ୍ୟଟନ ନୀତିରେ ସ୍ପଷ୍ଟତା ନାହିଁ

ଫଳସ୍ବରୂପ ଗତ କିଛିବର୍ଷ ଧରି ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପରେ ଦ୍ରୁତ ବିକାଶ ଘଟିବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି। ୨୦୨୨ ତୁଳନାରେ ୨୦୨୩ରେ ୧୦୪.୨ ପ୍ରତିଶତ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି। ୨୦୨୨ ମସିହା‌ରେ ୨୨, ୧୨୧ ପର୍ଯ୍ୟଟକ ଆସିଥିବା ବେଳେ ୨୦୨୩ରେ ୪୫,୧୭୩ ଜଣ ଆସିଛନ୍ତି। କରୋନା କାରଣରୁ ୨୦୨୧ ମସିହାରେ ସବୁଠାରୁ କମ୍‌ ବା ୨,୨୬୯ ପର୍ଯ୍ୟଟକ ଆସିଥିଲେ। ୨୦୨୩ରେ ବିମାନ ଯୋଗେ ୯୭ଲକ୍ଷ ୨୫ ହଜାର ୧୮୪ ଜଣ ପର୍ଯ୍ୟଟକ ଆସିଛନ୍ତି। ଏହାର ସଂଖ୍ୟା ୨୦୨୪-୨୫ରେ ଦ୍ବିଗୁଣିତ ହେବ ବୋଲି ଆଶା କରାଯାଉଛି। ରାଜ୍ୟ ଏତେ ସଂଖ୍ୟକ ପର୍ଯ୍ୟଟକ ପାଇଥିଲେ ମଧ୍ୟ ସେମାନଙ୍କ ପାଇଁ ସ୍ବତନ୍ତ୍ର ଗାଇଡ୍‌ ଯୋଗାଯାଇପାରିନାହିଁ। ଯେଉଁ କିଛି ହାତଗଣତି ଗାଇଡ୍‌ ନିୟୋଜିତ ହୋଇଛନ୍ତି, କିମ୍ବା ତାଲିମ୍‌ ପାଇଛନ୍ତି ସେମାନଙ୍କ ପାଇଁ ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିବାର ବ୍ୟବସ୍ଥା ସରକାର କରିପାରି ନାହାନ୍ତି। ସେମାନଙ୍କ ବେତନ ନିର୍ଦ୍ଧାରଣ ‌ହୋଇ ନାହିଁ କି ନିୟୋଜିତ କରାଯାଇ ନାହିଁ। ଉପଯୁକ୍ତ ତାଲିମ୍ କେବଳ ୩ ମାସରେ ଶେଷ ହେଉଥିବାରୁ ଗାଇଡ୍‌ ଓଡ଼ିଶାର ଐତିହ୍ୟ, ଗାରିମା ସଂପର୍କରେ ଅଧିକ ଜାଣିବାରେ ଅକ୍ଷମ ହେଉଛନ୍ତି। ଏଭଳି କ୍ଷେତ୍ରରେ ଗାଇଡ୍‌ମାନଙ୍କୁ ଲାଇସେନ୍‌ସ ମିଳୁଛି ସିନା ତାଙ୍କ ଆଗ୍ରହ ବଢ଼ୁନି। ଭାତ ହାଣ୍ଡିର ଗୋଟିଏ ‌ଭାତ ଭଳି ଓଡ଼ିଶା‌ରେ ପର୍ଯ୍ୟଟକଙ୍କ ପାଇଁ ନିତ୍ୟାନ୍ତ ଆବଶ୍ୟକ ଥିବା ଟୁରିଷ୍ଟ୍‌ ଗାଇଡ୍‌କୁ ନେଇ ସରକାରଙ୍କ ଦାୟିତ୍ବବୋଧତା ବାରି ହୋଇପଡ଼ୁଛି।

ଇଣ୍ଡିଆନ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଟୁରିଜିମ୍‌ ଆଣ୍ଡ ଟ୍ର‌ାଭେଲ୍‌ ମ୍ୟାନେଜ୍‌ମେଣ୍ଟ ଆଦ୍ୟାଶା ଦାସଙ୍କ କହିବା କଥା, ପର୍ଯ୍ୟଟନ କ୍ଷେତ୍ର ବ୍ୟ‌ାପକ। ଏହାର ଅନେକ ବି‌ଭାଗ ରହିଛି। ସାଧାରଣତଃ ସ୍ଥାନୀୟ ପର୍ଯ୍ୟଟନକୁ ଅଧିକ ଭଲରେ ବୁଝିବା ପାଇଁ ସ୍ଥାନୀୟ ଲୋକଙ୍କୁ ଟୁରିଷ୍ଟ୍‌ ଗାଇଡ୍‌ ଭାବରେ ୩ ମାସରେ କୋର୍ସ ପଢ଼ାଯାଏ। ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ‌ଶ୍ରେଣୀ ରହିଛି। ଗତ ୩ ବର୍ଷରେ ବିଭିନ୍ନ କ୍ଷେତ୍ରରୁ ୪ହଜାର ଟୁରିଷ୍ଟ୍‌ ଗାଇଡ୍‌ ପ୍ରଶିକ୍ଷଣ ‌ନେଇଛନ୍ତି। ପ୍ରଶିକ୍ଷଣ ପରେ ସେମାନେ କେଉଁଠି କାମ କରି‌ବେ ତାହା ତାଙ୍କ ଉପରେ ନିର୍ଭର କରେ। ଏ ନେଇ ଓଡ଼ିଶା ଟୁରିଷ୍ଟ ଗାଇଡ୍‌ ସଂଘର ସଭାପତି ସୁବ୍ରତ ସୁନ୍ଦର ପଟ୍ଟନାୟକଙ୍କ କହିବା କଥା, ଟୁରିଷ୍ଟ୍‌ ଗାଇଡ୍‌ ହେବା ଏକ ଛୋଟ କଥା ନୁହେଁ। ହେ‌ଲେ ସରକାର ଏହାକୁ ବ୍ୟବସ୍ଥିତ କରିନାହାନ୍ତି। ଖଣ୍ଡଗିରିର ଟୁରିଷ୍ଟ ଗାଇଡ୍‌ କୃଷ୍ଣଚନ୍ଦ୍ର ପାତ୍ରଙ୍କ କହିବା କଥା, ତାଲିମ ପାଇ ଖଣ୍ଡଗିରି ଉଦୟଗିରିରେ ଗତ ୨୦ ବର୍ଷ ହେଲା ଆମେ ୪ ଜଣ କାମ କରୁଛୁ। ସରକାରଙ୍କ ତରଫରୁ ଆମେ ନିୟୋଜିତ ହୋଇନାହୁଁ। ଗୋଟିଏ ଦଳକୁ ବୁଲାଇ ଦେଖାଇଲେ ୫ଶହରୁ ୬ଶହ ଟଙ୍କା ମିଳେ। ଅନ୍ୟ ସମୟରେ ହାତବାନ୍ଧି ବସିବାକୁ ହୁଏ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.