Breaking News

କଟ୍‌ନିଛଟ୍‌ନିକୁ ନେଇ ଭଦ୍ରକ ଜିଲ୍ଲା ପରିଷଦ ବୈଠକରେ ହଙ୍ଗାମା: ଆଲୋଚନା କକ୍ଷକୁ ପଶିଲେ ଚାଷୀ

ଧାନ ଠିକ୍‌ ଥିଲେ ବି ଏଫ୍‌ଏକ୍ୟୁ ମାନ ଭୟ ଦେଖାଇ ମିଲରମାନେ କ୍ବିଣ୍ଟାଲ୍‌ ପିଛା ୮ରୁ ୧୦ କେଜି ଧାନ କାଟୁଛନ୍ତି। ଧାନ କଟ୍‌ନିଛଟ୍‌ନିକୁ ନେଇ ଶୁକ୍ରବାର ଭଦ୍ରକ ଜିଲ୍ଲା ପରିଷଦ ବୈଠକରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା।

ଭଦ୍ରକ: ଧାନ ଠିକ୍‌ ଥିଲେ ବି ଏଫ୍‌ଏକ୍ୟୁ ମାନ ଭୟ ଦେଖାଇ ମିଲରମାନେ କ୍ବିଣ୍ଟାଲ୍‌ ପିଛା ୮ରୁ ୧୦ କେଜି ଧାନ କାଟୁଛନ୍ତି। ଧାନ କଟ୍‌ନିଛଟ୍‌ନିକୁ ନେଇ ଶୁକ୍ରବାର ଭଦ୍ରକ ଜିଲ୍ଲା ପରିଷଦ ବୈଠକରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବୈଠକ ଚାଲିଥିବା ବେଳେ କିଛି ଚାଷୀ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷକୁ ଧସେଇ ପଶିବା ସହ ମଞ୍ଚାସୀନ ଅଧିକାରୀ ଓ ବିଧାୟକମାନଙ୍କୁ ଧାନ କଟ୍‌ନିଛଟ୍‌ନି ବାବଦରେ ଫେରାଦ ହୋଇଥିଲେ। ଯାହାକୁ ନେଇ ସମ୍ମିଳନୀ କକ୍ଷ ଭିତରେ ଖାଲି ହଙ୍ଗାମା ହୋଇ ନଥିଲା; ଭଦ୍ରକ ବିଧାୟକ ଓ ଚାନ୍ଦବାଲି ବିଧାୟକଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ମଧ୍ୟ ହୋଇଥିଲା।

ବୈଠକ ଆରମ୍ଭ ହେବା ମାତ୍ରକେ ୨/୩ଜଣ ଚାଷୀ ଧାନ ଧରି ବୈଠକକୁ ଧସେଇ ପଶିଥିଲେ। କଟ୍‌ନିଛଟ୍‌ନି ଓ ମିଲର୍‌ଙ୍କ ମନମାନି ବିରୋଧରେ ଅଭିଯୋଗ ଆଣିଥିଲେ। ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ନିୟନ୍ତ୍ରଣ କରିବାକୁ ପୁଲିସ ଫୋର୍ସ ମୁତୟନ କରିବାକୁ ପଡ଼ିଥିଲା। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସୁରୁଖୁରୁରେ ଧାନ କିଣିବା ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରିବା କଥା କହିବା ପରେ ଚାଷୀମାନେ କକ୍ଷରୁ ବାହାରି ଆସିଥିଲେ। ତେବେ, ଚାଷୀମାନେ ବାହାରକୁ ଆସିଥିଲେ ବି ସମ୍ମିଳନୀ କକ୍ଷରେ ତାତି କମି ନଥିଲା। ଚାଷୀଙ୍କ ଦାବିକୁ ସମର୍ଥନ କରି କଟ୍‌ନିଛଟ୍‌ନି ଓ ମିଲର୍ସଙ୍କ ମନମାନି ପ୍ରସଙ୍ଗରେ ବିରୋଧୀଦଳର ବିଧାୟକମାନେ ସ୍ବର ଉତ୍ତୋଳନ କରିଥିଲେ। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ଅଶୋକ ଦାସ କହିଥିଲେ, ପ୍ରତି ମଣ୍ଡିରେ କ୍ବିଣ୍ଟାଲ ପିଛା ୭ରୁ ୮ କିଲୋ କଟ୍‌ନିଛଟ୍‌ନି କରାଯାଉଛି। ଏପରିସ୍ଥିତିରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଚାନ୍ଦବାଲି ବିଧାୟକ ଶ୍ରୀ ରାୟଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା।

ସେହିପରି, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ସମସ୍ତଙ୍କ ସମ୍ମୁଖରେ ଅତିରିକ୍ତ ଯୋଗାଣ ଅଧିକାରୀ ଶରତ ବେହେରାଙ୍କ ନାଁ ନେଇ ଅଭିଯୋଗ ଆଣିବା ସହ ତାଙ୍କର ଚାଷୀ ମାରଣ ନୀତି ନେଇ ଅସନ୍ତୋଷ ଝାଡ଼ିଥିଲେ। ମିଲର୍‌ମାନଙ୍କ ସହ ମିଶି ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ କଟ୍‌ନିଛଟ୍‌ନି କରୁଥିବା ଶ୍ରୀ ମଲ୍ଲିକ ଅଭିଯୋଗ ଆଣିଥିଲେ। ଯୋଗାଣ ବିଭାଗର କଟ୍‌ନିଛଟ୍‌ନିରେ ଚାଷୀ ଆତ୍ମହତ୍ୟା କରିବାକୁ ପଛେଇବ ନାହିଁ। ଯଦି କେହି ଚାଷୀ ଆତ୍ମହତ୍ୟା କରେ ତା’ହେଲେ ଶ୍ରୀ ବେହେରା ଦାୟୀ ରହିବେ ବୋଲି ଶ୍ରୀ ମଲ୍ଲିକ କହିଥିଲେ। ପରେ ବାତ୍ୟା ‘ଦାନା’ ପାଇଁ ଆସିଥିବା ସ୍ୱତନ୍ତ୍ର ପ୍ରକଳ୍ପକୁ ନେଇ ମଧ୍ୟ ବିଧାୟକ ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। ବୈଠକରେ ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନାଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ୍‌ ଅଧ୍ୟକ୍ଷ, ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.