ପ୍ରଥମେ ନୃତ୍ୟ ନିର୍ଦ୍ଦେଶକ ଓ ପରେ ନିର୍ଦ୍ଦେଶକ ଭାବେ ଓଲିଉଡ୍‌ରେ ପରିଚୟ ସୃଷ୍ଟି କରିଥିବା ବବି ଇସ୍‌ଲାମ୍ ଶିଶୁ କଳାକାର ଭାବେ ସିନେମାରେ ପ୍ରବେଶ କରିଥିଲେ। ୧୯୮୧ରେ ମୁକ୍ତିଲାଭ କରିଥିବା ଶିଶିର ମିଶ୍ରଙ୍କ ହିନ୍ଦୀ ସିନେମା ‘ଭିଗି ପଲ୍‌କେଁ’ରେ ପ୍ରଥମେ ଶିଶୁ କଳାକାର ଭାବେ ସେ ଅଭିନୟ କରିଥିଲେ। ତେବେ ୧୯୮୮ରେ ମୁକ୍ତିପ୍ରାପ୍ତ ଦେବବ୍ରତ କରଙ୍କ ପ୍ରଯୋଜିତ ତଥା ସିଦ୍ଧାର୍ଥଙ୍କ ନିର୍ଦ୍ଦେଶିତ ‘ପାପପୁଣ୍ୟ’ରେ ସହକାରୀ ନୃତ୍ୟ ନିର୍ଦ୍ଦେଶକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ବବି। ନାଟ୍ୟଶ୍ରୀ ରଘୁନାଥ ମିଶ୍ରଙ୍କ ସିନେମା ‘ଭୁଲ୍ କାହାର’ରୁ ସ୍ବାଧୀନ ଭାବେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ସେ। ଏହାପରେ ନୃତ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ସକ୍ରିୟ ରହି ୭୦ରୁ ଅଧିକ ଓଡ଼ିଆ, ବଙ୍ଗଳା, ଛତିଶଗଡ଼ୀ, ଭୋଜପୁରୀ ଓ ସାନ୍ତାଳୀ ଆଦି ବିଭିନ୍ନ ଭାଷାର ସିନେମାରେ କାର୍ଯ୍ୟ କରିଛନ୍ତି। ୨୦୦୯ରେ ମୁକ୍ତିପ୍ରାପ୍ତ ହିନ୍ଦୀ ସିନେମା ‘ଦେଖ୍‌ରେ ଦେଖ୍’ରେ ମଧ୍ୟ ନୃତ୍ୟ ନିର୍ଦ୍ଦେଶନା ଦେବାର ସୌଭାଗ୍ୟ ଲାଭ କରିଥିଲେ। ଏ ଯାବତ୍ ୧୦୦୦ରୁ ଅଧିକ ଆଲ୍‌ବମ୍‌ ଓ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବବି।

ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଓଲିଉଡ୍‌ରେ ସକ୍ରିୟ ଅଛନ୍ତି ନୃତ୍ୟ ନିର୍ଦ୍ଦେଶକରୁ ନିର୍ଦ୍ଦେଶକ ବନିଥିବା ବବି ଇସ୍‌ଲାମ୍‌। ଉଭୟ କ୍ଷେତ୍ରରେ ସଫଳତା ସାଉଁଟି ଥିବା ବବିଙ୍କ ନିର୍ଦ୍ଦେଶିତ ଦୁଇଟି ଚର୍ଚ୍ଚିତ ଓଡ଼ିଆ ଛବି ମୁକ୍ତି ପ୍ରତୀକ୍ଷାରେ ରହିଛି। ତାଙ୍କ ସଂପର୍କରେ କିଞ୍ଚିତ୍‌…

ମୁକ୍ତି ପ୍ରତୀକ୍ଷାରେ ଥିବା ସବ୍ୟସାଚୀ ମହାପାତ୍ରଙ୍କ ‘ରାଣ୍ଡିପୁଅ ଅନନ୍ତା’, ବିନି ସାମଲଙ୍କ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’, ମନୁ ଦ୍ବିବେଦୀଙ୍କ ‘ମିଡ୍ ନାଇଟ୍’, କେ. ତମନ୍ନାଙ୍କ ‘ଅପେକ୍ଷା’ ଆଦି ଛବିରେ ସେ ନୃତ୍ୟ ନିର୍ଦ୍ଦେଶକ ଅଛନ୍ତି। ୨୦୦୬ରେ ବବି ଇସ୍‌ଲାମ୍‌ଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି ‘ରଙ୍ଗ୍ ନମ୍ବର୍‌’ ମୁକ୍ତିଲାଭ କରିଥିଲା। ଏହାପରେ ସେ ‘ଛବିରାଣୀ’ (୨୦୧୮)ର ନିର୍ଦ୍ଦେଶନା ଦେଇଥିଲେ। ପରେ ଜୀ-ସାର୍ଥକ ପାଇଁ ‘ଅର୍ଦ୍ଧାଙ୍ଗିନୀ’ ଓ କଞ୍ଚାଲଙ୍କା ପାଇଁ ‘ଡ୍ୟାନ୍ସିଂ ଷ୍ଟାର୍’ ଆଦି ଟେଲି ସିନେମାର ନିର୍ଦ୍ଦେଶନା ଦେଇଥିଲେ ସେ। ଏବେ ବବିଙ୍କ ନିର୍ଦ୍ଦେଶିତ ଦୁଇଟି ସିନେମା ‘ବବି ଓ ବେବି’ ଏବଂ ‘ମାୟା ମରିଚିକା’ ରିଲିଜ୍ ଅପେକ୍ଷାରେ ରହିଛି। ତେଣେ ତାଙ୍କ ହାତରେ ଆଉ କେତୋଟି ନୂଆ ସିନେମା ରହିଛି, ଯାହା ପର୍ଯ୍ୟାୟକ୍ରମେ ଫ୍ଲୋର୍‌କୁ ଯିବ ବୋଲି ବବି ସୂଚନା ଦେଇଛନ୍ତି। ବବି କହନ୍ତି, ‘‘ମୁଁ ଓଡ଼ିଶାର ଏକମାତ୍ର ନୃତ୍ୟ ନିର୍ଦ୍ଦେଶକ ଯିଏ କି ହିନ୍ଦୀ ସମେତ ଅନେକ ଭାଷାର ସିନେମାରେ କାମ କରିବାର ସୌଭାଗ୍ୟ ପାଇଛି।’’
-ଶିବଶଙ୍କର ଓଝା