Breaking News

ବ୍ୟୟ ବିଚାର

ଉଚ୍ଚ ଆୟକର ହାର କରଦାତାଙ୍କ ଠାରେ ଅସନ୍ତୋଷ ସୃଷ୍ଟି କରୁଥିବାରୁ ଆୟକରଦାତାଙ୍କର ସଂଖ୍ୟାରେ ବୃଦ୍ଧି ଅର୍ଥ ଅସନ୍ତୁଷ୍ଟ ନାଗରିକମାନଙ୍କ ସଂଖ୍ୟାରେ ବୃଦ୍ଧି ବୋଲି କହିଲେ ଭୁଲ୍ ହେବନାହିଁ।

ଉଚ୍ଚ ଆୟକର ହାର କରଦାତାଙ୍କ ଠାରେ ଅସନ୍ତୋଷ ସୃଷ୍ଟି କରୁଥିବାରୁ ଆୟକରଦାତାଙ୍କର ସଂଖ୍ୟାରେ ବୃଦ୍ଧି ଅର୍ଥ ଅସନ୍ତୁଷ୍ଟ ନାଗରିକମାନଙ୍କ ସଂଖ୍ୟାରେ ବୃଦ୍ଧି ବୋଲି କହିଲେ ଭୁଲ୍ ହେବନାହିଁ। ଆଜିର ସୋସିଆଲ୍ ମିଡିଆ ଯୁଗରେ ଏହି ଅସନ୍ତୁଷ୍ଟ ନାଗରିକମାନେ ସରକାରଙ୍କ ବିରୁଦ୍ଧରେ ସେମାନଙ୍କ ଅସନ୍ତୋଷ ପ୍ରକାଶ ଓ ପ୍ରସାର କରିବା ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ ପାଇଯାଇଥିବାରୁ ରାଜନୈତିକ ଦୃଷ୍ଟିରୁ ଉଚ୍ଚ ଆୟକର ହାର ସରକାରଙ୍କ ପାଇଁ ଅସୁବିଧାଜନକ ସାବ୍ୟସ୍ତ ହେବାର ସମ୍ଭାବନା ବହନ କରିଥାଏ।

ମାର୍ଚ୍ଚରେ ସମାପ୍ତ ହେବାକୁ ଯାଉଥିବା ୨୦୨୪-୨୫ ବିତ୍ତ ବର୍ଷରେ ଭାରତୀୟ ଅର୍ଥନୀତିର ଅର୍ଥାତ୍ ‘ଜିଡିପି’ର ଅଭିବୃଦ୍ଧି ହାର ୬.୪ ଶତାଂଶ ହେବ ବୋଲି ଅର୍ଥନୀତିଜ୍ଞମାନେ ଅନୁମାନ କରୁଛନ୍ତି, ଯାହା ପୃଥିବୀର ଅନ୍ୟ ଦେଶମାନେ ହାସଲ କରିପାରୁଥିବା ଅଭିବୃଦ୍ଧି ହାର ତୁଳନାରେ ମର୍ଯ୍ୟାଦାଜନକ ହୋଇଥିଲେ ହେଁ, ଭାରତ ବିଗତ ଚାରି ବର୍ଷ ମଧ୍ୟରେ ହାସଲ କରିଥିବା ଅଭିବୃଦ୍ଧି ପରିପ୍ରେକ୍ଷୀରେ ହେଉଛି ସର୍ବନିମ୍ନ। ଭାରତ ହାସଲ କରିଚାଲିଥିବା ପ୍ରଭାବଶାଳୀ ଅର୍ଥନୈତିକ ଅଭିବୃଦ୍ଧିରେ ଅନୁପ୍ରବେଶ କରିଥିବା ଏହି ମନ୍ଥରତାର ଅନ୍ୟତମ ମୁଖ୍ୟ କାରଣ ‌ରୂପେ ଯାହାକୁ ବିଚାର କରାଯାଉଛି, ତାହା ହେଲା ଏଠାରେ ଘରୋଇ ଖାଉଟି ବ୍ୟୟରେ ଦେଖାଦେଇଥିବା ମନ୍ଥରତା। ଯେହେତୁ ପାରମ୍ପରିକ ଭାବରେ ଘରୋଇ ଖାଉଟି ବ୍ୟୟ ଭାରତୀୟ ‘ଜିଡିପି’ର ପ୍ରାୟ ୬୦ ଶତାଂଶ ହୋଇ ଅର୍ଥନୀତିର ମେରୁଦଣ୍ଡ ପରି କାର୍ଯ୍ୟ କରିଆସିଛି, ସେଥିରେ ସ୍ଖଳନ ଘଟିବା ଆମର ଅଭିବୃଦ୍ଧି ଗାଡ଼ି ପାଇଁ ବ୍ରେକ୍ ସଦୃଶ କାର୍ଯ୍ୟ କରୁଛି।
ଖାଉଟିମାନଙ୍କର ବ୍ୟୟ-ଆଚରଣକୁ ଯାହା ସବୁ ପ୍ରଭାବିତ କରିଥାଏ, ସେଥିମଧ୍ୟରେ ଅଗ୍ରଗଣ୍ୟ ହେଉଛି ସେମାନଙ୍କ ନିକଟରେ ଖର୍ଚ୍ଚ କରିବା ପାଇଁ ଉପଲବ୍‌ଧ ଆୟ। ଏହି ବ୍ୟୟ ପାଇଁ ଉପଲବ୍‌ଧ ଆୟ ଅବଶ୍ୟ ସେମାନଙ୍କର ଅର୍ଜିତ ଆୟ ସହିତ ସମାନ ନୁହେଁ। ଆୟକରଦାତାମାନଙ୍କ ପାଇଁ ସେମାନେ କର ପୈଠ କରିବା ପରେ ଉଦ୍‌ବୃତ୍ତ ଆୟ ସେମାନଙ୍କର ବ୍ୟୟ କ୍ଷମତା ନିର୍ଦ୍ଧାରଣ କରିଥାଏ, ଯାହାର ଏକ ଅଂଶ ସେମାନେ ସଞ୍ଚୟ କରିଥାନ୍ତି ଓ ଅନ୍ୟ ଅଂଶଟି ଖର୍ଚ୍ଚ କରିଥାନ୍ତି। ଆୟକରର ହାର ତେଣୁ ଅର୍ଥନୀତିରେ ଖାଉଟି ଖର୍ଚ୍ଚ ସ୍ତରକୁ ପ୍ରଭାବିତ କରିଥାଏ। ଏହି ଦୃ‌ଷ୍ଟିକୋଣରୁ ବିଚାର କଲେ ଆସନ୍ତା ଫେବ୍ରୁଆରି ପହିଲା ଦିନ ଭାରତରେ ଖାଉଟି ଖର୍ଚ୍ଚରେ ବୃଦ୍ଧି ଘଟାଇ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ଏକ ବିଶେଷ ସୁଯୋଗ ଉପସ୍ଥିତ ହେବାକୁ ଯାଉଛି: ସେଦିନ ସେ ୨୦୨୫-୨୬ ବିତ୍ତ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କର ବଜେଟ୍ ଉପସ୍ଥାପନ କରିବେ। ସେଇ ବଜେଟ୍‌ରେ ସେ ଆୟକର ହାରରେ ହ୍ରାସ ଘଟାଇ ଏହି ଲକ୍ଷ୍ୟ ହାସଲ କରିପାରିବେ।
ସୀତାରମଣ ଯଦି ଏଭଳି ପଦକ୍ଷେପ ନେବା ପାଇଁ କୌଣସି ଯୁକ୍ତି ଖୋଜୁଥାନ୍ତି, ତେବେ ସେଥିପାଇଁ ଶକ୍ତିଶାଳୀ ଯୁକ୍ତି ମଧ୍ୟ ଉପଲବ୍‌ଧ ଅଛି। ଗତ ବର୍ଷ ଜୁଲାଇରେ ସେ ଉପସ୍ଥାପିତ କରିଥିବା ବଜେଟ୍‌ରେ ଯେଉଁ ଆୟକର ରିହାତି ପ୍ରଦାନ କରିଥିଲେ, ତାହା ନିମ୍ନ ଆୟକାରୀମାନଙ୍କ ପାଇଁ ନଗଣ୍ୟ ଥିବାବେଳେ ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ଉଚ୍ଚ ଆୟକାରୀମାନଙ୍କର ବାସ୍ତବ ଆୟ ସ୍ଥିତିକୁ ତାହା ଦୁର୍ବଳତର କରିଦେଇଥିଲା। ପାଞ୍ଚ ବର୍ଷ ତଳେ ବଳବତ୍ତର ଥିବା ଆୟକର ଛାଡ଼ ସୀମା ଥିଲା ୨.୫ ଲକ୍ଷ ଟଙ୍କା ଆୟ। ଯଦି ମୁଦ୍ରାସ୍ଫୀତିକୁ ବିଚାରକୁ ନିଆଯାଏ, ତେବେ କରଦାତାଙ୍କର କ୍ରୟ ଶକ୍ତିକୁ ଅପରିବର୍ତ୍ତିତ ରଖିବା ପାଇଁ ୨୦୨୪-୨୫ରେ ଏହି ଛାଡ଼ ସୀମା ହେବା ଆବଶ୍ୟକ ୩.୧ ଲକ୍ଷ ଟଙ୍କା। କିନ୍ତୁ ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ୭ ଲକ୍ଷ ଟଙ୍କାରୁ ଅଧିକ ଆୟ ପାଇଁ କର ଛାଡ଼ ସୀମା ୩ ଲକ୍ଷ ଟଙ୍କା ହୋଇଥିବାରୁ ଏଥିଯୋଗୁଁ କରଦାତାଙ୍କର ବାସ୍ତବ କ୍ରୟ ଶକ୍ତିରେ ହ୍ରାସ ଘଟିଥାଏ। ସେଇଭଳି ୨୦୨୦-୨୧ରେ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟ କରୁଥିବା କରଦାତାମାନଙ୍କର କ୍ରୟ ଶକ୍ତି ମୁଦ୍ରାସ୍ଫୀତିର ପ୍ରଭାବ ଯୋଗୁଁ ବର୍ତ୍ତମାନ ୧୮.୬ ଲକ୍ଷ ଟଙ୍କା ଆୟକାରୀଙ୍କର କ୍ରୟ ଶକ୍ତି ସହିତ ସମାନ ହୋଇଥିଲେ ହେଁ ବର୍ତ୍ତମାନ ମଧ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ ପ୍ରତି ସେଇ ୩୦ ଶତାଂଶ ହାରରେ ଆୟକର ଲାଗୁ ହେଉଛି।
ଜୁଲାଇ ବଜେଟ୍‌ରେ ପ୍ରଦାନ କରାଯାଇଥିବା ସୀମିତ ରିହାତି ସହିତ ପାରିଶ୍ରମିକରେ ଘଟୁଥିବା ମନ୍ଥର ବୃଦ୍ଧି ମିଶି ସହରାଞ୍ଚଳର କରଦାତାମାନଙ୍କର କ୍ରୟ ଶକ୍ତିକୁ ସ୍ଥାଣୁ ପ୍ରାୟ କରିଦେଇଛନ୍ତି। ୨୦୨୪ରେ ଭାରତୀୟ ଅର୍ଥନୀତିର ଏହି ଅନ୍ତର୍ନିହିତ ଖାଉଟି ଖର୍ଚ୍ଚଜନିତ ଦୁର୍ବଳତା ଅଧିକ ସ୍ପଷ୍ଟ ଭାବରେ ଜଣାପଡ଼ିଥିଲା। ଉଦାହରଣ ସ୍ବରୂପ ପୂର୍ବ ବିତ୍ତ ବର୍ଷ (୨୦୨୩-୨୪)ର ଦ୍ବିତୀୟ ଚଉଠରେ ଅନ୍ତିମ ଘରୋଇ ଖାଉଟି ଖର୍ଚ୍ଚରେ ବୃଦ୍ଧି ହାର ୭.୪୫ ଶତାଂଶ ହୋଇଥିବାବେ‌େଳ ଚଳିତ ବିତ୍ତ ବର୍ଷ (୨୦୨୪-୨୫)ର ଦ୍ବିତୀୟ ଚଉଠରେ ତାହା ୫.୯୬ ଶତାଂଶକୁ ହ୍ରାସ ପାଇଥିଲା। ଘରୋଇ ଖାଉଟି ଖର୍ଚ୍ଚର ନିବିଡ଼ ସଂପର୍କ ଥିବା ସରକାରଙ୍କର ‘ଜିଏସ୍‌ଟି’ ରାଜସ୍ବ ସଂଗ୍ରହରେ ଏହା ପ୍ରତିଫଳିତ ହୋଇଥାଏ। ୨୦୨୨-୨୩ରେ ମୋଟ ‘ଜିଏସ୍‌ଟି’ ସଂଗ୍ରହ ‘ଜିଡିପି’ର ୩.୧୫ ଶତାଂଶ ହୋଇଥିବାବେଳେ ୨୦୨୪-୨୫ରେ ସେଇ ଅନୁପାତରେ ଏକ କ୍ଷୀଣ ବୃଦ୍ଧି ଘଟି ହୋଇଥିଲା ୩.୨୮ ଶତାଂଶ। ଅପରପକ୍ଷେ ଏଇ ସମୟ କାଳରେ ଆୟକର ସଂଗ୍ରହ ପାଇଁ ଏହି ଅନୁପାତ ୩ ଶତାଂଶରୁ ବୃଦ୍ଧି ପାଇ ହୋଇଛି ୩.୫୫ ଶତାଂଶ।
ନିକଟ ଅତୀତରେ ଆୟକର ସରକାରଙ୍କର ରାଜସ୍ବ ସଂଗ୍ରହର ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସରେ ପରିଣତ ହୋଇଛି। ସରକାର ଖାଉଟି ଖର୍ଚ୍ଚକୁ ପ୍ରୋତ୍ସାହନ ଦେବା ପାଇଁ ଯଦି ଆୟକର ହାରରେ ହ୍ରାସ ଘଟାନ୍ତି, ତାହା ସରକାରଙ୍କର ଆୟ ସ୍ରୋତକୁ ସଂକୁଚିତ କରିପାରେ। କିନ୍ତୁ ଆୟକରରେ ହ୍ରାସ ଯୋଗୁଁ ଯଦି ଖାଉଟି ଖର୍ଚ୍ଚରେ ଉଲ୍ଲେଖନୀୟ ବୃଦ୍ଧି ଘଟେ ଓ ଅଭିବୃଦ୍ଧି ତ୍ବରାନ୍ବିତ ହୁଏ, ତା’ହେଲେ ତାହାର ଫଳସ୍ବରୂପ ‘ଜିଏସ୍‌ଟି’ ସୂତ୍ରରୁ ସଂଗୃହୀତ ହେଉଥିବା ରାଜସ୍ବରେ ତୀକ୍ଷ୍‌ଣ ବୃଦ୍ଧି ଘଟିବାର ଦୃଢ଼ ସମ୍ଭାବନା ରହିଛି।
ଭାରତରେ ଆୟକରଦାତାଙ୍କ ସଂଖ୍ୟାରେ ନିକଟରେ ଦେଖାଯାଇଥିବା ଦ୍ରୁତ ବୃଦ୍ଧି ଯୋଗୁଁ ଆୟକର ସଂଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଉଦାହରଣ ସ୍ବରୂପ ୨୦୧୪ ବିତ୍ତ ବର୍ଷରେ ମାତ୍ର ୪୦ ନିୟୁତ ଆୟକର ରିଟର୍ନ ଦାଖଲ ହୋଇଥିବାବେଳେ ୨୦୨୪ ବିତ୍ତ ବର୍ଷରେ ସେଥିରେ ଦୁଇ ଗୁଣରୁ ଅଧିକ ବୃଦ୍ଧି ଘଟି ତାହା ହୋଇଥିଲା ୮୬ ନିୟୁତ। ଭାରତ ହାସଲ କରିଥିବା ଦ୍ରୁତ ଅଭିବୃଦ୍ଧି, ଅର୍ଥନୀତିର ଅଧିକ ସଂଗଠିତକରଣ ଓ ଅଧିକ ଅନୁପାଳନର ମିଳିତ ଫଳସ୍ବରୂପ ଏହା ସମ୍ଭବ ହୋଇଛି। ସର୍ବଦା କୁହାଯାଇଥାଏ, ଦୁଇଟି କଥା କାହାରିକୁ ହେଲେ ଭଲ ଲାଗି ନ ଥାଏ: ଦେବାକୁ ଓ ମରିବାକୁ। ଆୟକର ଏକ ସିଧାସଳଖ ବା ପ୍ରତ୍ୟକ୍ଷ କର ହୋଇଥିବାରୁ ଏହାକୁ ଦେବାବେଳେ କରଦାତା ଅଧିକ ସଚେତନ ହୋଇଥିବାରୁ ଏହା ତାକୁ ଅଧିକ ବାଧିଥାଏ।
ଉଚ୍ଚ ଆୟକର ହାର କରଦାତାଙ୍କ ଠାରେ ଅସନ୍ତୋଷ ସୃଷ୍ଟି କରୁଥିବାରୁ ଆୟକରଦାତାଙ୍କର ସଂଖ୍ୟାରେ ବୃଦ୍ଧି ଅର୍ଥ ଅସନ୍ତୁଷ୍ଟ ନାଗରିକମାନଙ୍କ ସଂଖ୍ୟାରେ ବୃଦ୍ଧି ବୋଲି କହିଲେ ଭୁଲ୍ ହେବନାହିଁ। ଆଜିର ସୋସିଆଲ୍ ମିଡିଆ ଯୁଗରେ ଏହି ଅସନ୍ତୁଷ୍ଟ ନାଗରିକମାନେ ସରକାରଙ୍କ ବିରୁଦ୍ଧରେ ସେମାନଙ୍କ ଅସନ୍ତୋଷ ପ୍ରକାଶ ଓ ପ୍ରସାର କରିବା ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ ପାଇଯାଇଥିବାରୁ ରାଜନୈତିକ ଦୃଷ୍ଟିରୁ ଉଚ୍ଚ ଆୟକର ହାର ସରକାରଙ୍କ ପାଇଁ ଅସୁବିଧାଜନକ ସାବ୍ୟସ୍ତ ହେବାର ସମ୍ଭାବନା ବହନ କରିଥାଏ। ଏଥିସହିତ ଯେହେତୁ ଆୟକର ହାରରେ ହ୍ରାସ ଘଟିଲେ ଖାଉଟି ଖର୍ଚ୍ଚରେ ବୃଦ୍ଧି ଘଟି ବଜାରରେ ସାମଗ୍ରିକ ଚାହିଦାରେ ବୃଦ୍ଧି ଘଟିବ ଓ ଅଭିବୃଦ୍ଧି ତ୍ବରାନ୍ବିତ ହେବ, ଉଭୟ ରାଜନୈତିକ ଓ ଅର୍ଥନୈତିକ ଲାଭ ପାଇବା ପାଇଁ ବିତ୍ତ ମନ୍ତ୍ରୀ ସୀତାରମଣ ଏଥର ବଜେଟ୍‌ରେ ଆୟକର ହାରରେ ରିହାତି ଦେବା ଆଶା କରାଯାଏ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.