ନୂଆଦିଲ୍ଲୀ: ସଂସଦ ଅଧିବେଶନ ପୂର୍ବରୁ ଗତ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତ ବାହାରୁ ଅଶାନ୍ତି କିମ୍ବା ବିବାଦ ସୃଷ୍ଟି କରିବାକୁ କୌଣସି ପ୍ରୟାସ କରାଯାଇ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜିଠାରୁ ଆରମ୍ଭ ହେଉଥିବା ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୪ରୁ ଅଧିବେଶନ ପୂର୍ବରୁ ବିବାଦ କିମ୍ବା ଅଶାନ୍ତି ସୃଷ୍ଟି କରିବାକୁ ‘ବାହାର ଖେଳାଳି’ମାନେ ପ୍ରୟାସ କରିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ମୁଁ ପ୍ରତ୍ୟେକ ଅଧିବେଶନ ଦେଖୁଛି। ପ୍ରତ୍ୟେକ ଅଧିବେଶନ ପୂର୍ବରୁ ନିଆଁ ଲଗାଇବାକୁ ଚାହୁଥିବା ଲୋକଙ୍କର ଅଭାବ ନ ଥିଲା। ଦଶ ବର୍ଷ ପରେ ଏହା ହେଉଛି ପ୍ରଥମ ଅଧିବେଶନ, ଯେତେବେଳେ କୌଣସି ବିଦେଶୀ ଷଡ୍‌ଯନ୍ତ୍ର ନାହିଁ।

ବିରୋଧୀ ଦଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ତୀବ୍ର କଟାକ୍ଷ

କୌଣସି ଘଟଣାର ନାମ ନ ନେଇ ପ୍ରଧାନମନ୍ତ୍ରୀ ସଂସଦ ଅଧିବେଶନ ସମୟରେ ବିରୋଧୀମାନେ ଉଠାଇଥିବା କିଛି ପ୍ରସଙ୍ଗ ବିଷୟରେ ଉଲ୍ଲେଖ କରିଥିଲେ, ଯେପରିକି ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍‌ ଓ ଆଦାନୀ ଗ୍ରୁପ୍‌କୁ ନେଇ ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଅଭିଯୋଗ। ସାଂସଦମାନେ ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସକ୍ଷମ ହେବେ ବୋଲି ଆଶା ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶକୁ ଗତି ଦେବା ପାଇଁ ପ୍ରଦର୍ଶନ, ସଂସ୍କାର ଓ ପରିବର୍ତ୍ତନର ମନ୍ତ୍ର ଅନୁସରଣ କରିବାକୁ ପଡିବ। ସଂସ୍କାର ଉପରେ ସର୍ବାଧିକ ଧ୍ୟାନ ଦିଆଯାଉଛି, ରାଜ୍ୟ ଓ କେନ୍ଦ୍ରକୁ ମିଳିତ ଭାବେ ପ୍ରଦର୍ଶନ କରିବାକୁ ପଡ଼ିବ ଏବଂ ଜନଭାଗୀଦାରି ମାଧ୍ୟମରେ ଆମେ ଦେଶରେ ପରିବର୍ତନ ଦେଖିପାରିବା ବୋଲି ସେ କହିଛନ୍ତି।

୨୦ରୁ ୨୫ ବର୍ଷ ବୟସର ଯୁବକମାନେ ବିକଶିତ ଭାରତ ଦ୍ବାରା ସବୁଠାରୁ ଅଧିକ ଲାଭବାନ ହେବେ ବୋଲି ଦର୍ଶାଇ ସେ କହିଛନ୍ତି ଯେ ସେମାନେ ଆଜି ଯେଉଁ ପ୍ରୟାସ କରୁଛନ୍ତି ୨୦୪୭ ସୁଦ୍ଧା ତାହାର ସୁଫଳ ପାଇବେ। ଯୁବ ସାଂସଦମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ କାରଣ ସେମାନେ ସଂସଦରେ ଯେତେ ଅଧିକ ଯୋଗଦାନ ଦେବେ, ସେତେ ବିକଶିତ ଭାରତର ଫଳ ଦେଖିପାରିବେ। ବିଶ୍ୱ ସ୍ତରରେ ଭାରତ ନିଜକୁ ଭଲ ଭାବେ ପ୍ରତିଷ୍ଠିତ କରିପାରିଛି। ଏହା ମୋର ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ମୁଁ ନିଶ୍ଚିତ ଭାବରେ କହିପାରିବି ଯେ ୨୦୪୭ରେ ଯେତେବେଳେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ, ସେତେବେଳେ ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବ ଏବଂ ଏହି ବଜେଟ୍ ଦେଶକୁ ନୂତନ ଶକ୍ତି ଓ ଆଶା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।