Breaking News

‘ଏକ ଦେଶ ଏକ ନିର୍ବାଚନ’ଠୁ ଵକଫ୍ ବିଲ୍ ପର୍ଯ୍ୟନ୍ତ: ମୋଦୀ ସରକାରଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି

ବଜେଟ୍ ଅଧିବେଶନ ପୂର୍ବରୁ ସଂସଦକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ବର୍ତ୍ତମାନ ମୋଦୀଙ୍କ ନେତୃତ୍ୱାଧୀନ ସରକାର ତୃତୀୟ ପାଳିରେ ଦ୍ରୁତ ବିକାଶ ଓ ପ୍ରଗତି ପାଇଁ ପୂର୍ବସୂରିମାନଙ୍କଠାରୁ ତିନିଗୁଣ ବେଗରେ କାର୍ଯ୍ୟ କରୁଛି।

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ପୂର୍ବରୁ ସଂସଦକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ବର୍ତ୍ତମାନ ମୋଦୀଙ୍କ ନେତୃତ୍ୱାଧୀନ ସରକାର ତୃତୀୟ ପାଳିରେ ଦ୍ରୁତ ବିକାଶ ଓ ପ୍ରଗତି ପାଇଁ ପୂର୍ବସୂରିମାନଙ୍କଠାରୁ ତିନିଗୁଣ ବେଗରେ କାର୍ଯ୍ୟ କରୁଛି। ସରକାର ଏବେ ମହିଳା, ମଧ୍ୟବିତ୍ତ ଓ ଯୁବବର୍ଗଙ୍କ ଉପରେ ଗୁରୁତ୍ୱାରୋପ କରିବା ସହ ସରକାରଙ୍କ ‘ବିକଶିତ ଭାରତ ୨୦୪୭’ର ଚୂଡ଼ାନ୍ତ ଲକ୍ଷ୍ୟ ହାସଲ ଦିଗରେ ନିଷ୍ଠାର ସହ ଅଗ୍ରସର ହେଉଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି ଆଜି ମିଳିତ ସଦନରେ ଅଭିଭାଷଣ ଆରମ୍ଭ କରିବା ପୂର୍ବରୁ  ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଜାନୁଆରି ୨୯ରେ ମହାକୁମ୍ଭରେ ପ୍ରାଣ ହରାଇଥିବା ଲୋକଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ। ରାଷ୍ଟ୍ରପତି  ତାଙ୍କ ଅଭିଭାଷଣରେ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ବିଷୟରେ ଆଲୋକପାତ କରିବା ସହ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ପାଇଁ ତାଙ୍କ ସରକାର କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ। ମୁର୍ମୁ କହିଥିଲେ, ସରକାରଙ୍କ ତୃତୀୟ ପାଳିରେ ପୂର୍ବ ପ୍ରଶାସନ ତୁଳନାରେ ତିନିଗୁଣା ବେଗରେ କାମ ହେଉଛି। ଵକଫ୍ ବୋର୍ଡ ଓ ୱାନ୍ ନେସନ୍, ୱାନ୍ ଇଲେକ୍ସନ୍ ଭଳି ପ୍ରସଙ୍ଗରେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଜି ଦେଶରେ ବଡ଼ ବଡ଼ ନିଷ୍ପତ୍ତି ନିଆଯାଉଛି ଏବଂ ସବୁ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଲୋକଙ୍କ ଜୀବନକୁ ସୁଗମ କରିଛି। ଏହି ନିଷ୍ପତ୍ତିରେ ମହିଳା, ଯୁବକ, ମଧ୍ୟବିତ୍ତ ଓ କୃଷକଙ୍କୁ ପ୍ରାଥମିକତା ଦିଆଯାଉଛି।

ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତର ଭାରତର ଶାସନ ମଡେଲର ଦୃଢ଼ ସ୍ତମ୍ଭ ପାଲଟିଛି। ସରକାର ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୭୦ ବର୍ଷ ରୁ ଅଧିକ ବୟସର ୬ କୋଟି ନାଗରିକଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯୁବକମାନଙ୍କ ଶିକ୍ଷା ଓ ସେମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସରକାର ବିଶେଷ ଧ୍ୟାନ ଦେଇଛନ୍ତି। ୩ କୋଟି ଅତିରିକ୍ତ ପରିବାରକୁ ନୂଆ ଘର ଯୋଗାଇଦେବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି  ବୋଲି ରାଷ୍ଟ୍ରପତି କହିଛନ୍ତି।  ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିଥିଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.