Breaking News

କୋରାପୁଟ ଜିଲ୍ଲାରେ ସଡ଼କ ଦୁର୍ଘଟଣା: ୨ବର୍ଷରେ ୪୭୪ଜଣଙ୍କ ମୃତ୍ୟୁ

ଦିନକୁ ଦିନ ଜିଲ୍ଲାରେ ବଢି ଚାଲିଛି ସଡକ ଦୁର୍ଘଟଣା। ଗତ ୨ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ ୪୭୪ଜଣଙ୍କ ମୃତ୍ୟୁ ଓ ୪୫୦ଜଣ ଗୁରୁତର ଆହତ ହୋଇଥିବା କୋରାପୁଟ ଆରଟିଓଙ୍କ କାର୍ଯ୍ୟାଳୟରୁ ସୂଚନା ମଳିଛି।

କୋରାପୁଟ: ଦିନକୁ ଦିନ ଜିଲ୍ଲାରେ ବଢି ଚାଲିଛି ସଡକ ଦୁର୍ଘଟଣା। ଗତ ୨ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ ୪୭୪ଜଣଙ୍କ ମୃତ୍ୟୁ ଓ ୪୫୦ଜଣ ଗୁରୁତର ଆହତ ହୋଇଥିବା କୋରାପୁଟ ଆରଟିଓଙ୍କ କାର୍ଯ୍ୟାଳୟରୁ ସୂଚନା ମଳିଛି। ତେବେ ସଂକଟାପନ୍ନ ଅବସ୍ଥାରେ ବାହାରକୁ ଚିକିତ୍ସା ପାଇଁ ଯାଇ ଓ ଘରେ ଚିକିତ୍ସାଧୀନ ଅବସ୍ଥାରେ ରହି ମରିଥିବା ସଂଖ୍ୟାକୁ ଦେଖିଲେ ଏହା ଆହୁରି ଅଧିକା ହେବ। ଏତେ ସଂଖ୍ୟକ ଲୋକେ ମରିବା ଓ ଆହତଙ୍କୁ ଅନ୍ତରକୁ ନେଇ ସଡକ ସୁରକ୍ଷା କମିଟି ବୈଠକରେ ସାଂସଦ, ବିଧାୟକ ଓ  ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍ ଚିନ୍ତା ପ୍ରକଟ କରିଥିଲେ। ଅଧିକାଂଶ ଦୁର୍ଘଟଣା ନିଶା ସେବନକାରୀଙ୍କ ଦ୍ବାରା ହେଉଛି। ତେବେ ଏହାକୁ ଯାଂଚ କରିବା ପାଇଁ ଜିଲ୍ଲାରେ ଥିବା ୨୪ଟି ଥାନା ପାଇଁ ମାତ୍ର ୩ଟି ଓ ଆରଟିଓଙ୍କ କାର୍ଯ୍ୟାଳୟରେ ଗୋଟିଏ ଏଭଳି ୪ଟି ଯନ୍ତ୍ର ରହିବା ନିଶ୍ଚିତ ରୁପେ ଚିନ୍ତାଜନକ ବିଷୟ।

ସୂଚନାଯୋଗ୍ୟ, ଗତ ୨୦୨୩ମସିହାରେ ୩୬୨ଟି ଦୁର୍ଘଟଣା ହୋଇଥିବା ବେଳେ ୨୩୧ଜଣ ମୃତ୍ୟୁ ଓ ୧୮୪ଜଣ ଗୁରୁତର ଆହତ ହୋଇଛନ୍ତି। ୨୦୨୪ମସିହାରେ ୩୮୪ଟି ଦୁର୍ଘଟଣା ହୋଇଥିବା ବେଳେ ୨୪୩ଜଣ ମୃତ, ଓ ୨୬୬ଜଣ ଗୁରୁତର ଆହତ ହୋଇଛନ୍ତି। ଶତାଧିକ ଗୁରୁତର ଆହାତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି। ତୁରନ୍ତ ଉପଯୁକ୍ତ ଚିକିତ୍ସା ମିଳି ନଥିବାରୁ ଗୁରୁତର ଆହତଙ୍କ ମଧ୍ୟରୁ କେତେକ ବ୍ୟକ୍ତି ପଙ୍ଗୁ ହୋଇ ଘରେ ବସିଛନ୍ତି। ଆଉ କିଛି ଜୀବନ ମରଣ ସହ ବିଭିନ୍ନ ଡାକ୍ତରଖାନା ଓ ଘରେ ସଂଘର୍ଷ କରୁଛନ୍ତି। ଜିଲ୍ଲାରେ ୧୯ଟି ଦୁର୍ଘଟଣା ପ୍ରବଣ ଅଞ୍ଚଳ(ବ୍ଲାକସ୍ପଟ) ଚିହ୍ନଟ କରାଯାଇଛି।

ବେପରୁଆ ଭାବେ ଦ୍ରୁତଗତିରେ ଗାଳି ଚଳାଇବା, ଟ୍ରାଫିକ ନିୟମ ନମାନିବା, ଓଭର ଟେକ୍ କରିବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ହେଲମେଟ ନପିନ୍ଧିବା ଓ ସିଟ୍ ବେଲ୍ଟ ନବାନ୍ଧିବା, ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ବେଶୀ ଦୁର୍ଘଟଣା ମଧ୍ୟାହ୍ନ ୨ଟାରୁ ରାତି ୯ଟା ଯାଏଁ ହେଉଛି। ଏଥିରୁ  ସଂଧ୍ୟା ୬ଟାରୁ ୯ଟା ମଧ୍ୟରେ ବେଶି ଦୁର୍ଘଟଣା ହେଉଛି। ଜୟପୁର ସଦର, ବୋରିଗୁମ୍ମା, ବୈପାରୀଗୁଡା ଥାନା ଅଂଚଳରେ ଅଧିକା ଦୁର୍ଘଟଣା ହେବା ସହ ମୃତକଙ୍କ ସଂଖ୍ୟା ଅଧିକା। ଥାନା ୱାରୀ ଦେଖା ଯାଏ ତେବେ ବୋରିଗୁମ୍ମା ଥାନାରେ ୨୦୨୩ରେ ୧୯ଟି ୨୦୨୪ରେ ୩୮ଟି, ଜୟପୁର ସଦରଥାନା ୨୪ ଓ ୩୪, କୋଟପାଡ଼ ୩୨ ଓ ୨୫ , ବୈପାରୀଗୁଡା ୧୮ ଓ ୨୭ଟି ଦୁର୍ଘଟଣା ହୋଇଛି।

ଜୟପୁର-ବୋରିଗୁମ୍ମା–ଆଉଁଳି ଏନଏଚ ୨୬, ବୋରିଗୁମ୍ମା–ବିଜାପୁର ଏନଏଚ ୬୩, ଜୟପୁର–ପାତ୍ରପୁଟ ଓ କୋଟା ଛକରୁ ବୈପାରୀଗୁଡା ଏନଏଚ୩୨୬ ଓ ଲଙ୍ଗଳପକନା ଘାଟିରେ ବେଶି ଦୁର୍ଘଟଣା ଚିହ୍ନଟ କରାଯାଇଛି। ସେହିପରି ମାଲ ବୋହିବା ଭ୍ୟାନରେ ଯାତ୍ରୀ ବୋହିବା ଯୋଗୁଁ ବି ଦୁର୍ଘଟଣା ବେଶି ହେଉଥିବା ଆରଟିଓଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ଜିଲ୍ଲାରେ ବର୍ଷ ତମାମ ଦୁର୍ଘଟଣା ଜାରୀ ରହିଛି। ତେବେ ଜାନୁଆରୀରେ ୨୮ଟି, ଫେବ୍ରୁଆରିରେ ୩୦ଟି, ମାର୍ଚ୍ଚରେ ୨୪, ଏପ୍ରିଲରେ ୧୧, ମେରେ ୨୬, ଜୁନରେ ୧୫, ଜୁଲାଇରେ ୧୪, ଅଗଷ୍ଠରେ ୧୬, ସେପ୍ଟମ୍ବରରେ ୧୯, ଅକ୍ଟୋବରରେ ୩୦, ନଭେମ୍ବରରେ ୨୨ଟି ଓଡିସେମ୍ବରରେ ୧୮ଟି ଦୁର୍ଘଟଣା ହୋଇଛି।

ଜିଲ୍ଲାରେ ଏହି ୨୦୨୪ବର୍ଷକରେ ବିନା ହେଲମେଟଧାରୀ ୫୩୫୬ଜଣ, ୬୧ଜଣ ନାବାଳକ, ମୋବାଇଲଫୋନ ଧରି ବାଇକ ଚାଳକ ୧୦୪, ଦ୍ରୁତଗତିରେ ଚାଳନା ପାଇଁ ୪୩୨୧ଜଣ, ୨୧୮ଜଣ ନିଶାସେବନ କାରୀ, ମାଲାବାହୀ ଗାଡ଼ିରେ ଯାତ୍ରୀ ପରିବହନ ୨୫୬ଟି ଓ ୪୪୨ଟି ଓଭରଲୋଡିଂ ଗାଡି  ଓ ୮୨ହଜାର ୬୧୬ଟି ଇ-ଚଳାଣ କଟାଯାଇଛି ବୋଲି କହିଛନ୍ତି ଆରଟିଓ ରାଜେଶ ମାରାଣ୍ଡି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.