Breaking News

୧୩ ଜିଲ୍ଲାରେ ଶୀତଳଭଣ୍ଡାର ନାହିଁ: ୫ଟିରେ ଆଦୌ ନାହିଁ, ୮ଟିରେ ଅଚଳ

ରାଜ୍ୟର ୧୩ଟି ଜିଲ୍ଲାରେ ଶୀତଳଭଣ୍ଡାର ନାହିଁ। କେନ୍ଦ୍ରାପଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଗୋଟିଏ ବି ହେଲେ ପ୍ରତିଷ୍ଠା ହୋଇନି। ୮ଟି ଜିଲ୍ଲା ଯଥା ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍...

ଭୁବନେଶ୍ବର: ରାଜ୍ୟର ୧୩ଟି ଜିଲ୍ଲାରେ ଶୀତଳଭଣ୍ଡାର ନାହିଁ। କେନ୍ଦ୍ରାପଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଗୋଟିଏ ବି ହେଲେ ପ୍ରତିଷ୍ଠା ହୋଇନି। ୮ଟି ଜିଲ୍ଲା ଯଥା ଜଗତସିଂହପୁରଢେଙ୍କାନାଳଅନୁଗୁଳ, ବୌଦ୍ଧ, କନ୍ଧମାଳଗଜପତି, ରାୟଗଡ଼ା, କଳାହାଣ୍ଡିରେ ଶୀତଳଭଣ୍ଡାର ରହିଥିଲେ ମଧ୍ୟ ତାହା ଅଚଳ। କେଉଁଠି ଭୁଶୁଡ଼ିବା ଅବସ୍ଥାରେ ତ ଆଉ କେଉଁଠି ଭଗ୍ନାବଶେଷ ଛିଡ଼ା ହୋଇଛି। ବାକି ଜିଲ୍ଲାଗୁଡ଼ିକରେ ଥିବା ୩୩ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ରହିଛି। ସମ୍ବଲପୁରରେ ସର୍ବାଧିକ ୬ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ରହିଥିବାରୁ ପଶ୍ଚିମ ଓଡ଼ିଶାର ଚାଷୀମାନେ ତାହାର ଫାଇଦା ନେଉଛନ୍ତି। ୧୦୬ଟି ଶୀତଳଭଣ୍ଡାର ଏବେ ବନ୍ଦ ହୋଇ ପଡ଼ିରହିଛି। ସେଠାକୁ ବିଦ୍ୟୁତ୍‌ ସଂଯୋଗ ନାହିଁ କି ପନିପରିବା ସାଇତି ରଖିବାକୁ ଘର ନାହିଁ। କେବଳ ଯାହା କାଗଜପତ୍ରରେ ନାମ ଗଡ଼ୁଛି। ବର୍ତ୍ତମାନ ସମୟରେ ସରକାରୀ ଭାବେ କଟକର ଜଗତପୁର ଓ ବ୍ରହ୍ମପୁରଠାରେ ଥିବା ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ରହିଛି। ଅନ୍ୟଗୁଡ଼ିକ ଘରୋଇ ସଂସ୍ଥା ଦ୍ବାରା ପରିଚାଳିତ ହେଉଛି। ଏଭଳି ସମୟରେ ଶୀତଳଭଣ୍ଡାର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ନୀଳନକ୍ସାକୁ ଓଡ଼ିଶା ଶୀତଳଭଣ୍ଡାର ସଂଘ(ଓସିଏସ୍‌ଏ) ସ୍ବାଗତ କରାଯିବା ସହ ଠିକ୍‌ ଭାବେ କିଭଳି କାର୍ଯ୍ୟକାରୀ ହୋଇପାରିବ ସେଦିଗରେ ପଦକ୍ଷେପ ନେବାକୁ ଦାବି କରିଛି।

୫ଟିରେ ଆଦୌ ନାହିଁ, ୮ଟିରେ ଅଚଳ
ସରକାରଙ୍କ ନୀଳନକ୍ସାକୁ ଓସିଏସ୍‌ଏର ସ୍ବାଗତ

ରାଜ୍ୟର ୫୮ଟି ସବ୍‌ଡିଭିଜନରେ ଗୋଟିଏ ଲେଖାଏ ଶୀତଳଭଣ୍ଡାର ନିର୍ମାଣ କରିବାକୁ ରାଜ୍ୟ ସରକାର ଏବେ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ରାଜ୍ୟର କୃଷକମାନଙ୍କୁ ସେମାନଙ୍କ ଶୀତଳଭଣ୍ଡାର ପାଇଁ ଉତ୍ପାଦିତ ଦ୍ରବ୍ୟର ବଜାର ସୁଯୋଗ ମିଳିବା ସହିତ ଅମଳ ପରବର୍ତ୍ତୀ ଫସଲର ଅଭାବୀ ବିକ୍ରିକୁ ରୋକାଯାଇ ପାରିବ। ଶୀତଳଭଣ୍ଡାର କରିବାକୁ ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବେ। ନୂତନ ଶୀଳତଭଣ୍ଡାର ସ୍ଥାପନ ପାଇଁ ଏସ୍‌ସି/ଏସ୍‌ଟି/ କିନ୍ନର, ମହିଳା ଏବଂ ଅନୁସୂଚିତ ଅଞ୍ଚଳର ହିତାଧିକାରୀଙ୍କ ପାଇଁ ସ୍ଥାୟୀ ପୁଞ୍ଜି ବିନିଯୋଗର ୬୦% ଯାଏ ରିହାତି ପ୍ରଦାନ କରାଯିବ। ଅନ୍ୟାନ୍ୟ ହିତାଧିକାରୀଙ୍କ ପାଇଁ ସ୍ଥାୟୀ ପୁଞ୍ଜି ବିନିଯୋଗର ୫୦% ଅର୍ଥାତ୍‌ ସର୍ବାଧିକ ୬କୋଟି ଟଙ୍କା ସବ୍‌ସିଡି ଦିଆଯିବ। ଶୀତଳ ଭଣ୍ଡାର ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ଭାବେ କମ୍‌ ସୁଧରେ ଋଣ ଦିଆଯିବ। ଶୀତଳଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାର ବିଦ୍ୟୁତ୍‌ ବିଲ୍‌ ଉପରେ ମଧ୍ୟ ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ୍‌ ବିଲ୍‌ ଉପରେ ୭ ବର୍ଷ ପାଇଁ ୫୦% ରିହାତି ପ୍ରଦାନ କରାଯିବ।

ସେହିପରି ବନ୍ଦ ହୋଇ ପଡ଼ିଥିବା ଶୀତଳଭଣ୍ଡାରର ପୁନରୁଦ୍ଧାର ପାଇଁ ମଧ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ପୂର୍ବରୁ ବନ୍ଦ ହୋଇ ପଡ଼ିଥିବା ଶୀତଳଭଣ୍ଡାର ପାଇଁ ସମସ୍ତ ଆର୍ଥିକ ସହାୟତା ସହିତ ୧.୫ କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହାବ୍ୟତୀତ ସରକାରୀ କିମ୍ବା ଜନ ଉପଯୋଗୀ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଶୀତଳଭଣ୍ଡାର ପୁନରୁଦ୍ଧାର ପାଇଁ ବକେୟା ବିଦ୍ୟୁତ୍‌ ବିଲ୍‌, ବକେୟା ଟିକସ, ବକେୟା ବ୍ୟାଙ୍କ ଦେୟ ଲାଗି ମଧ୍ୟ ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ ବ୍ୟବସ୍ଥା କରାଯିବ। ଶୀତଳଭଣ୍ଡାର ୟୁନିଟ୍‌ଗୁଡ଼ିକ ସମ୍ଭାବ୍ୟ କୃଷି ଉତ୍ପାଦନ କ୍ଲଷ୍ଟର୍‌(ଏପିସି) ସହିତ ସଂଲଗ୍ନ କରାଯିବ। ଶୀତଳଭଣ୍ଡାର ସ୍ଥାପିତ ଅଞ୍ଚଳରେ ଏପିସି ସ୍ଥାପନ ହେବ। ଉତ୍ପାଦନ, ସଂରକ୍ଷଣ, ପରିବହନ ଓ ବଜାର ସୁବିଧା ଉପରେ ଗୁରୁତ୍ବ ଦିଆଯିବ ବୋଲି ଓସିଏସ୍‌ଏର ରାଜ୍ୟ ସଭାପତି ଜନାର୍ଦ୍ଦନ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତାରିଣୀ ନାଏକ, ମାନସ କୁମାର ଲେଙ୍କା, ମନୋଜ କୁମାର ନାୟକ, ପ୍ରକାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶୀତଳଭଣ୍ଡାର ସଂଘ ସହ ଜଗରନଟ୍‌ ଆସୋସିଏସନ୍‌ ଅଫ୍‌ ଏଣ୍ଡରପ୍ୟୁନର(ଜେଏଇ) ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.